ଭୁବନେଶ୍ୱର, ୪ା୫: ଓଡ଼ିଶା ସରକାର ଦେଶରେ ଆଗାମୀ ଜନଗଣନା ପାଇଁ ବିଭିନ୍ନ ପ୍ରଶାସନିକ ଅଞ୍ଚଳର ସୀମା ନିର୍ଦ୍ଧାରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସରକାର ଚଳିତ ବର୍ଷ ଜୁନ୍ ୩୦ ପୂର୍ବରୁ ଜିଲା, ଉପ-ବିଭାଗ, ତହସିଲ, ରାଜସ୍ୱ ଗ୍ରାମ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଆଦି ପ୍ରଶାସନିକ ଏକକର ସୀମାରେ ପରିବର୍ତ୍ତନକୁ ଅନୁମତି ଦେଇଛନ୍ତି।
ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଜି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜନଗଣନା ପାଇଁ ପ୍ରଶାସନିକ ଏକକର ସୀମା ଜୁଲାଇ ୧ ତାରିଖରେ ସ୍ଥିର କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ନିକଟରେ ଆଗାମୀ ଜନଗଣନା ସମୟରେ ଜାତି ଗଣନା କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ୨୦୨୬ରେ ଦେଶରେ ଜନସଂଖ୍ୟା ଗଣନା କରିପାରନ୍ତି।


