ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିକ୍ଷାବିତ୍ ଯୋଗେଶ ଚନ୍ଦ୍ର ପଧାନ ଯୋଗଦେଇ ଚଳିତ ବର୍ଷ ଧରିତ୍ରୀ ଦିବସର ପ୍ରସଙ୍ଗ ‘ଆମ କ୍ଷମତା, ଆମ ପୃଥିବୀ’ ଉପରେ ଆଲୋଚନା କରିଥିଲେ। ଇକୋ କ୍ଲବ ଇନ୍ଚାର୍ଜ ଶିକ୍ଷକ ସୁବୋଧ ଭୋଇ ଧରିତ୍ରୀ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଶପଥ ପାଠ କରାଇଥିଲେ। ପ୍ରଧାନ ଶିକ୍ଷକ ମେହେର ସର୍ବଂସହା ପୃଥିବୀର ସୁରକ୍ଷା ସକାଶେ ପ୍ରାକୃତିକ ସମ୍ବଳର ଯଥୋଚିତ ବ୍ୟବହାର କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ବିଦ୍ୟାଳୟକୁ ପ୍ଲାଷ୍ଟିକମୁକ୍ତ ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଏଥିରେ ବିଦ୍ୟାଳୟର ଇକୋ କ୍ଲବ, ଶକ୍ତି କ୍ଲବ ଓ ଜୁନିଅର ରେଡ୍କ୍ରସର ସଦସ୍ୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁବୋଧ ଭୋଇ, ହରବଲ୍ଲଭ ପ୍ରଧାନ, ପ୍ରଭାତ କୁମାର ନାୟକ, ତରଣୀସେନ ପଧାନ, ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର, ମେନକା ସୁନା, ସବିତା ଦେହେରୀ ଓ ପୁଷ୍ପାଙ୍ଗିନୀ ଭୁଏ ପ୍ରମୁଖ ସହଯୋଗ କରିଥିଲେ। ଜୁନିଅର୍ ରେଡ୍କ୍ରସ କାଉନସେଲର ତନୟା ଡନସନା ଧନ୍ୟବାଦ ଅର୍ପଣ କରିଥିଲେ।


