କାହିଁ ସେ ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର
ପୂର୍ବକାଳରେ ଏକ ଗ୍ରାମରେ ରହୁଥିଲେ ଜଣେ କର୍ମକାଣ୍ଡବିତ୍‌ ପଣ୍ଡିତ। କିନ୍ତୁ ବିବାହର କେଇଟା ଦିନ ଭିତରେ ଜଣାପଡିଲା ଯେ ତାଙ୍କର ପତ୍ନୀ ଅତ୍ୟନ୍ତ ମୁଖରା। ଅଯଥା କଥାକୁ ଗଣ୍ଠି ପକେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଝଗଡ଼ା କରେ। କିନ୍ତୁ ପଣ୍ଡିତ ପତ୍ନୀକୁ ଖୁବ୍‌ ଭଲ ପାଉଥିଲେ ଏବଂ ତାଙ୍କୁ ତାଗିଦ୍‌ କରିବା ପାଇଁ ତାଙ୍କ ଜିଭ ଲେଉଟୁ ନ ଥିଲା। ହଠାତ୍‌ ଦିନେ ସେ ସ୍ତ୍ରୀ ଅସାଧ୍ୟ ବ୍ୟାଧିର ଶିକାର ହୋଇ ଶଯ୍ୟାଶାୟୀ ହୋଇପଡିଲା। ତା’ର ଶେଷକାଳ ଉପସ୍ଥିତ ଜାଣି ପଣ୍ଡିତେ ମର୍ମାହତ ହୋଇପଡିଲେ। ତା’ର ଶରୀରକୁ ଦାଣ୍ଡଦୁଆରେ ଶୁଆଇ ଦେଇ ସୂର୍ଯ୍ୟ ଦେବତାଙ୍କୁ ଆକୁଳ ପ୍ରାର୍ଥନା କଲେ। ”ହେ ପ୍ରଭୁ, ମୁଁ ପ୍ରତିଦିନ ଯଥାସମ୍ଭବ ନିଷ୍ଠାର ସହିତ ତୁମକୁ ଅର୍ଘ୍ୟଦାନ କରେ। କେବେ କିଛି ମାଗେନା। ଆଜି ପରିସ୍ଥିତିରେ ପଡି ମାଗିବାକୁ ବାଧ୍ୟ ହେଉଛି। ଏଇ ସ୍ତ୍ରୀ ମୋର ଜୀବନଠାରୁ ବଳି ପ୍ରିୟ। ତା’ର ମୃତ୍ୟୁ ହେଲେ ମୁଁ ବି ଜୀବନ୍ମୃତ ପରି ହୋଇଯିବି। ମୋ ଆୟୁର ଅର୍ଦ୍ଧେକ ବିନିମୟରେ ଏହାକୁ ଜୀବନଦାନ ଦିଅ। ଆଶ୍ଚର୍ଯ୍ୟର କଥା ସ୍ତ୍ରୀଲୋକଟି କ୍ରମେ ସୁସ୍ଥ ଅନୁଭବ କଲା ଏବଂ ଦିନ କେଇଟା ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା। ପଣ୍ଡିତଙ୍କ ଖୁସି କହିଲେ ନ ସରେ। ହେଲେ ସ୍ତ୍ରୀଲୋକଟିର ପ୍ରକୃତି ଯେମିତିକୁ ସେମିତି, ଏଥରକ ସେ ଜିଦ୍‌ କଲା ଘରେ ସେ ଆଉ ରହିବନି। ଯେମିତି ହେଲେ ଜନପଦକୁ ଚାଲିଯିବ। ଅଗତ୍ୟା ପଣ୍ଡିତେ ସସ୍ତ୍ରୀକ ଘର ଛାଡିଲେ। ଥରେ ନୌକାରେ ନଦୀ ପାର ହେଉଥିବା ବେଳେ ଯୁବ ନାବିକଟି ସୁମଧୁର କଣ୍ଠରେ ଗାଉଥିବା ଗୀତଟିଏ ଶୁଣି ପଣ୍ଡିତଙ୍କ ସ୍ତ୍ରୀ ଏତେ ମୁଗ୍ଧ ହୋଇଗଲେ ଯେ ତାଙ୍କୁ ସାଙ୍ଗରେ ନେବା ପାଇଁ ଜିଦ୍‌ କଲେ। ପଣ୍ଡିତେ ରାଜି ହେଲେ। ଲୋକଟିର ଦୁଇଗୋଡ ଛୋଟା ଥିବାରୁ ସେ ଚାଲିବାକୁ ଅସମର୍ଥ ଥିଲା। ସ୍ତ୍ରୀଙ୍କ ପରାମର୍ଶରେ ସେମାନେ ତାକୁ ଏକ ଟୋକେଇରେ ବସେଇ ମୁଣ୍ଡେଇ ନେଲେ। କିଛିଦିନ ସାଥୀ ହୋଇ ରହିଲା ପରେ ସ୍ତ୍ରୀଲୋକଟି ନାବିକ ପ୍ରତି ଏତେ ଆକୃଷ୍ଟ ହୋଇପଡିଲା ଯେ ତା’ ସହିତ ଆଜୀବନ କଟେଇବା ପାଇଁ ଦୁହେଁ ସଲାସୁତରା କରି ଦିନେ ପଣ୍ଡିତଙ୍କୁ ଏକ କୂଅ ଭିତରକୁ ଠେଲିଦେଇ ଅନ୍ୟତ୍ର ଚାଲିଗଲେ। କିଛିଦିନ ପରେ ରାଜାଙ୍କ ଦରବାରରେ ପହଞ୍ଚି ସ୍ତ୍ରୀଲୋକଟି କାନ୍ଦି କାନ୍ଦି ରାଜାଙ୍କୁ ନିଜର ଦୁଃଖ ଜଣେଇଲା। ”ମହାରାଜ, ଇଏ ମୋର ପ୍ରିୟ ପତିଦେବ। ସେ ଚଳତ୍‌ଶକ୍ତିହୀନ ହୋଇଥିବାରୁ ଜଣେ ଦୁଶ୍ଚରିତ୍ର ଲୋକ ମୋ ଉପରେ କୁନଜର ପକେଇଲା। ତା’ର ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ଆମେ ଆପଣଙ୍କର ଶରଣାପନ୍ନ। ଦୟାକରି ଆମକୁ ଆଶ୍ରୟ ଦିଅନ୍ତୁ। ରାଜା ତା’ର ଅନୁରୋଧ ରକ୍ଷା କଲେ। ଏଣେ ବାଟୋଇଙ୍କ ଦ୍ୱାରା କୂଅରୁ ଉଦ୍ଧାର ପାଇ ପଣ୍ଡିତ ନିଜର ସ୍ତ୍ରୀକୁ ଖୋଜି ଖୋଜି ଯାଇ ରାଜଦରବାରରେ ପହଞ୍ଚିଲେ। ତାଙ୍କୁ ଦେଖି ସ୍ତ୍ରୀଲୋକଟି ଚିତ୍କାର କରି ଉଠିଲା, ”ମହାରାଜ! ଏଇ ହେଉଛି ସେହି ଦୁଷ୍ଟ ଲୋକ ଯାହା ବିଷୟରେ ମୁଁ କହୁଥିଲି।“ ରାଜା ପଣ୍ଡିତଙ୍କୁ ବାନ୍ଧି ପକେଇବାକୁ ହୁକୁମ୍‌ ଦେଲେ। ଶେଷରେ ପଣ୍ଡିତଙ୍କୁ ଦଣ୍ଡାଦେଶ ହେବା ପୂର୍ବରୁ ପଣ୍ଡିତେ ଶେଷ ଇଚ୍ଛା ପୂରଣ ପାଇଁ ଅନୁରୋଧ କଲେ। ରାଜା ତାଙ୍କ ଅନୁରୋଧ ରକ୍ଷା କଲେ। ପଣ୍ଡିତେ କହିଲେ, ”ମହାରାଜ ଏ ସ୍ତ୍ରୀଲୋକଟି ମୋ ନିକଟରେ ଧାରୁଆ ରହିଯାଇଛି। ତା’ଠାରୁ ମୋର କିଛି ପାଇବାର ଅଛି। ଅନ୍ତତଃ ସେତକ ମୋତେ ଫେରେଇ ଦେଉ।“ ପଣ୍ଡିତଙ୍କ ପରାମର୍ଶରେ ସେ ସ୍ତ୍ରୀଲୋକଟିକୁ ତଳେ ଶୁଆଇ ଦିଆଗଲା। ତା’ର ମୁଣ୍ଡ ଉପରେ ହାତ ରଖି ପଣ୍ଡିତେ ସୂର୍ଯ୍ୟ ଦେବତାଙ୍କୁ ଲକ୍ଷ୍ୟ କରି ପ୍ରାର୍ଥନା କଲେ, ”ହେ ପ୍ରଭୁ, ଏ ଅପାତ୍ରରେ ଦାନ ଦେଇ ମୁଁ ଅନୁତପ୍ତ। ଶେଷଥର ପାଇଁ ଅନୁରୋଧ କରୁଛି, ଏ ସ୍ତ୍ରୀଲୋକଟିକୁ ଦେଇଥିବା ମୋର ଅଧା ଆୟୁଷ ମତେ ଫେରେଇଦିଅ।“ ପଣ୍ଡିତଙ୍କ ମୁହଁରୁ କଥା ସରିନି ସ୍ତ୍ରୀଲୋକଟି ଦେହରୁ ଜୀବନ ଚାଲିଗଲା। ରାଜା ସବୁକଥା ଜାଣି ନାବିକଟିକୁ ଦଣ୍ଡ ଦେଲେ ଏବଂ ପଣ୍ଡିତଙ୍କୁ ପୁରସ୍କୃତ କଲେ।
ଦୁଷ୍ଟା ଓ ଦୁଶ୍ଚରିତ୍ରା ସ୍ତ୍ରୀଲୋକ ବିଷୟରେ ଶାସ୍ତ୍ରରେ ଅଛି,
”ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟଶ୍ଚୋତ୍ତରଦାୟକଃ।
ସସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନ ସଂଶୟଃ।ା“
ଅର୍ଥାତ୍‌ ଦୁଷ୍ଟା ଭାର୍ଯ୍ୟା, ଠକ ବନ୍ଧୁ, ମୁହଁରେ ଜବାବ ଦେଉଥିବା ଚାକର, ଘରେ ରହିଥିବା ସାପ- ନିଃସନ୍ଦେହରେ ଏମାନେ ମୃତ୍ୟୁର କାରଣ ହୋଇଥାନ୍ତି। ଆଜିକାଲି ଯେତେ ସବୁ ଅପମୃତ୍ୟୁ ଘଟୁଛି ତା’ର ଏକ ପ୍ରମୁଖ କାରଣ ପାରିବାରିକ ଅବୁଝାମଣା। କେଉଁଠି ବୃଥା ଆତ୍ମାଭିମାନ ତ କେଉଁଠି ପରକୀୟା ପ୍ରୀତି। କେଉଁଠି ସାମାନ୍ୟ କଥାରେ ସ୍ତ୍ରୀ ଅନ୍ୟମାନଙ୍କୁ କୋର୍ଟକୁ ଟାଣୁଛି ତ କେଉଁଠି ଅବୋଧ ଶିଶୁକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରୁଛି। ପୁଣି କେଉଁଠି ପ୍ରେମିକ ସହ ମିଶି ପତିକୁ ହତ୍ୟା କରିବାର ମୁଖ୍ୟ ଆୟୁଧ ପାଲଟୁଛି। କଥା କଥାକେ ଛାଡପତ୍ରର ଧମକ। ଗୋ, କନ୍ୟା, ଭୂମି ଭାଗ୍ୟରେ ଥିଲେ ମିଳେ ବୋଲି କୁହାଯାଏ। କିନ୍ତୁ ଯାହା ଭାଗ୍ୟରେ ରାହାବାଳି ସ୍ତ୍ରୀଟିଏ ମିଳେ ତା’ ଜୀବନ ଦୁର୍ବିଷହ ହୋଇପଡ଼େ। ଏ ବିଷୟରେ ଏକ ରୋଚକ ଘଟଣା- ଆମେରିକାର ଟେନେସାରେ ରୁହନ୍ତି ହେଡେନ ବାଡିୟର୍‌ ନାମକ ଜଣେ ୫୧ ବର୍ଷୀୟ ପ୍ରୌଢ଼। ଥରେ ସେ କାମ କରୁଥିବା ଫାର୍ମରୁ ଏକ ଟ୍ରକ୍‌ ଚୋରି କଲାବେଳେ ପୋଲିସ ହାବୁଡରେ ପଡିଲେ। ଅନୁସନ୍ଧାନରୁ ଜଣାପଡିଲା ଯେ ନିଜ ପତ୍ନୀର ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ସେ ଜେଲ୍‌ରେ ରହିବାକୁ ପସନ୍ଦ କରୁଥିଲେ ଏବଂ ସେଥିପାଇଁ ଜାଣିଶୁଣି ଚୋରି କଲେ। ଅଧୁନା ନାରୀ ନିର୍ଯାତନା ବଢି ଚାଲିଥିବା ବେଳେ ପୁରୁଷଙ୍କ ପ୍ରତି ନିର୍ଯାତନା ବି କମ୍‌ ନୁହେଁ। ଏପରି ଅବ୍ୟବସ୍ଥାର ମୂଳ କାରଣ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବୁଝାମଣାର ଅଭାବ। କାହିଁ ସେ ବୈକୁଣ୍ଠ ସମାନ ଘର ଯେଉଁଠି ପରସ୍ପର ପ୍ରତି ନିରନ୍ତର ସ୍ନେହ ଥାଏ? କାହାନ୍ତି ସେ ଗୃହିଣୀ ଯାହାଙ୍କ ପାଇଁ କୁହାଯାଉଥିଲା, ‘ଘରକୁ ସୁନ୍ଦର ଘରଣୀ’।
୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଚାଶ କି ଶହେ ନୁହେଁ, ୨୩୦ କିସମର ଆମ୍ବ ଚାଷକରି ବର୍ଷକୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଜରାଟର ସୁମିତ ଝରିଆ । ୧୨.୫...

ଆଦର୍ଶ ମଦ୍ୟପ

ମଦ ପିଇ ମାତାଲ ହେଉଥିବା ମଦ୍ୟପ ବା ମଦୁଆ। ସେହି ମଦ୍ୟପ ସମାଜରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରେ। ତା’ ଘରଠାରୁ କାର୍ଯ୍ୟକ୍ଷେତ୍ର କିମ୍ବା ବିଚରଣ...

ନିର୍ବାଚନ ପ୍ରଚାରରେ ଡିପ୍‌ଫେକ୍‌ ଭିଡିଓ

କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ଡିପ୍‌ଫେକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ୫ ତେଲଙ୍ଗାନା କଂଗ୍ରେସୀ କର୍ମୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ...

ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌...

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri