ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ, ସମସ୍ୟା। ତାକୁ ସମାଧାନ କରିବାକୁ ଲୋଡ଼ା ଅର୍ଥବଳ ଓ ମାନବ ସମ୍ବଳ, ନୂଆ ବିଚାରଧାରା ନୂଆ ନୂଆ ଯୋଜନା। ଭାରତ ଭଳି ଦେଶରେ ସରକାର କେବଳ ଟିକସ ଅର୍ଥର ସୀମିତ ସମ୍ବଳ ଭିତରେ ସ୍ବଳ୍ପ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ନେଇ କେତେ କଷ୍ଟରେ ଯେ କାମ କରନ୍ତି ତାହା ବାହାରେ ବସିଥିବା ଲୋକଟି କେବେ କଳନା କରିପାରିବନାହିଁ। ବାହାରେ ବସିଥିବା ସାଧାରଣ ନାଗରିକଟିଏ ଭାବେ ସରକାର ଓ ପ୍ରଶାସନରେ ଏତେ ଲୋକ ହାଉଯାଉ। ଏତେ ଏତେ ପଇସା ନେଉଛନ୍ତି ଦରମା ବାବଦରେ। ତା’ ପୁଣି ଆମ ଟିକସରୁ। କିନ୍ତୁ ଆମ କାମଟି ହୋଇପାରୁନାହିଁ। ହେଲେ କଥା କୋଉଠି ଅଟକିଛି କେହି ବୁଝିପାରନ୍ତିନାହିଁ। ସୀମିତ ଅର୍ଥ ଯୋଗୁ ଅନେକ ସମୟରେ ସରକାରଙ୍କ ଭିତ୍ତିଭୂମିର ବିକାଶ ସ୍ବପ୍ନ ପୂରଣହୋଇପାରେ ନାହିଁ। ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଟଙ୍କା ଅଣ୍ଟେନାହିଁ। ଯତ୍‌କିଞ୍ଚିତ ଅର୍ଥ ମଧ୍ୟ ବିଭିନ୍ନ ଉତ୍ସରୁ ମିଳେ ତାକୁ ସୁଚାରୁରୂପେ ଖର୍ଚ୍ଚକରିବା ପାଇଁ ଆବଶ୍ୟକ ସରକାରୀ କର୍ମଚାରୀ ନ ଥାନ୍ତି। ଯେତିକି ବି କର୍ମଚାରୀ ଥାଆନ୍ତି , ସେମାନେ ନାନା ଅବସ୍ଥା ଭିତରେ ବନ୍ଧା। ନାଲିଫିତାର କାଇଦା କଟକଣା ଭିତରେ ଅନେକ କଥା ଅଟକିଯାଏ। ତେଣୁ ଶାସନ ବ୍ୟବସ୍ଥା ଭଗବାନ୍‌ଙ୍କ ଭରସାରେ ଚାଲେ, କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅଧିକ ବ୍ୟାଖ୍ୟା ପାଇଁ ଗୋଟେ ଛୋଟ ପରିସଂଖ୍ୟାନରୁ ଆରମ୍ଭ କରିବା। ଭାରତରେ ୧୪୦ କୋଟି ଲୋକଙ୍କ ପାଇଁ ସମଗ୍ର ଲୋକସଂଖ୍ୟାର ୧.୨ ଶତାଂଶ ସରକାରୀ କର୍ମଚାରୀ ଅଛନ୍ତି ଯେତେବେଳେ କି ସାରା ପୃଥିବୀରେ ଲୋକସଂଖ୍ୟାର ହାରାହାରି ୩ ଶତାଂଶ ସରକାରୀ କର୍ମଚାରୀ ଥାଆନ୍ତି। ଚାଇନାରେ ମୋଟ ଲୋକସଂଖ୍ୟାର ୨.୮ଶତାଂଶ, ଇଂଲଣ୍ଡରେ ୭ ଶତାଂଶ ଓ ଆମେରିକାରେ ଲୋକସଂଖ୍ୟାର ୭.୧ ଶତାଂଶ ସରକାରୀ କର୍ମଚାରୀ ଲୋକଙ୍କ ପାଇଁ କାମକରନ୍ତି। ଏପରିକି ଶ୍ରୀଲଙ୍କା ଓ ମାଲେସିଆ ଭଳି ଅପେକ୍ଷାକୃତ ଦୁର୍ବଳ ଅର୍ଥନୀତିରେ ମଧ୍ୟ ୪.୫ଶତାଂଶ ଲୋକ ସରକାରୀ କର୍ମଚାରୀଭାବେ କାମକରନ୍ତି। ସମାନ କାମଟିଏ କରିବାକୁ ଭାରତରେ ଯେତିକି କର୍ମଚାରୀ ନିୟୋଜିତ ଆମେରିକା ଓ ଇଂଲଣ୍ଡରେ ସେହି କାମଟି କରିବାକୁ ୫/୬ ଗୁଣା ଅଧିକ ଲୋକ ଅଛନ୍ତି। ତେବେ ସେଠି କାମଟି ଶୀଘ୍ର ହେବନି କେମିତି ଓ ଭଲରେ ହେବନି କାହିଁକି? ତେଣୁ ଭାରତ ଭଳି ଦେଶରେ ସରକାରୀ କର୍ମଚାରୀମାନଙ୍କ ଉପରେ କାମର ଭାର ନିଶ୍ଚୟ ଅଧିକ ଥାଏ। ହୁଏତ ଏଇଟା ମଧ୍ୟ ଗୋଟେ କାରଣ ହୋଇପାରେ ଯୋଉଥିପାଇଁ ଭାରତୀୟ କର୍ମଚାରୀମାନେ କାମ ପ୍ରତି ବିମୁଖ ଏବଂ ଯଦିବା ଅଧିକ ସମୟ କାମକରନ୍ତି ତା’ ବିନିମୟରେ ସରକାରଙ୍କଠାରୁ କିଛି ପାଉ ନ ଥିବାରୁ ଲୋକଙ୍କଠାରୁ ଅଧିକ କିଛି ଆଶା କରିବସନ୍ତି।
ଦେଶ କଥା ଛାଡ଼ ଯଦି ରାଜ୍ୟଗୁଡ଼ିକର ସ୍ଥିତି ଦେଖିବା ସେଥିରେ ରାଜ୍ୟରୁ ରାଜ୍ୟ ମଧ୍ୟରେ ଅନେକ ତାରତମ୍ୟ। ତାମିଲନାଡୁ ଭଳି ରାଜ୍ୟରେପ୍ରତି ହଜାରେ ଲୋକଙ୍କ ପିଛା ୧୪.୪ଜଣ ସରକାରୀ କର୍ମଚାରୀ ଥିଲାବେଳେ ବିହାର ଭଳି ରାଜ୍ୟରେ ଏହା ଅତି ନଗଣ୍ୟ ସ୍ତରରେ ଅର୍ଥାତ୍‌ ୨.୭। ବିହାରରେ ମୁଣ୍ଡ ପିଛା ସରକାରୀ କର୍ମଚାରୀଙ୍କ ହାର ସର୍ବନିମ୍ନ ହୋଇଥିଲା ବେଳେ ପଶ୍ଚିମବଙ୍ଗ ୫.୯, ଛତିଶଗଡ଼ରେ ୬, ଝାଡ଼ଖଣ୍ଡ ୭, ମଧ୍ୟପ୍ରଦେଶ ୮, ଗୁଜରାଟ ୧୦, ଓଡ଼ିଶା ୧୦.୫, ଆନ୍ଧ୍ର ୧୧, ରାଜସ୍ଥାନ ୧୧.୫, ଆସାମ ୧୨, ହରିୟାଣା ୧୨.୨, ମହାରାଷ୍ଟ୍ର ୧୨.୩, କେରଳ ୧୨.୪, ଜମ୍ମୁ କଶ୍ମୀର ଓ କର୍ନାଟକ ୧୨.୫, ପଞ୍ଜାବ ୧୨.୭ ଏବଂ ତାମିଲନାଡୁରେ ୧୪.୪। ଏହି ପରିସଂଖ୍ୟାନକୁ ଲକ୍ଷ୍ୟକଲେ ହୁଏତ ଆପଣ ସେ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ସହ ଏହାର ଏକ ଅଘୋଷିତ ସମ୍ପର୍କକୁ ଆବିଷ୍କାର କରିପାରିବେ। ଯେଉଁ ରାଜ୍ୟଗୁଡିକ ଯେତେ ସମ୍ପନ୍ନ, ସମୃଦ୍ଧ ଓ ବିକଶିତ ହୋଇଥିବା ଦେଖାଯାଇଛି ସେଠି ସେତେ ଅଧିକ କର୍ମଚାରୀ ଥିବେ ଓ ଶାସନ ବ୍ୟବସ୍ଥା ସେତେ ସୁଦୃଢ଼ ଥିବ।
ହୁଏତ ଅଧିକ ସଂଖ୍ୟକ କର୍ମଚାରୀଙ୍କ ଉପସ୍ଥିତି ସେ ରାଜ୍ୟର ଆଇନଶୃଙ୍ଖଳା ରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟସେବା, ଶିଳ୍ପ ବିକାଶ, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ କ୍ରିୟାନ୍ବୟନକୁ ସକାରାତ୍ମକଭାବେ ପ୍ରଭାବିତ କରିବା ପାଇଁ ଦାୟୀ! ଅପରପକ୍ଷରେ ଯେଉଁ ରାଜ୍ୟଗୁଡିକର ସରକାରୀ କର୍ମଚାରୀମାନଙ୍କ ସଂଖ୍ୟା କମ୍‌ ସେଠି ଯୋଜନା କ୍ରିୟାନ୍ବୟନର ଧାରା ସେତିକି ଶିଥିଳ, ଅର୍ଥନୈତିକ ବିକାଶର ଧାରା ସେତିକି ମନ୍ଥର!
ଆମ ଦେଶକୁ ଫେରିବା। ଆମ ଦେଶରେ ଲୋକ ପିଛା ଯେଉଁ ୧.୨ ଶତାଂଶ ସରକାରୀ କର୍ମଚାରୀ ମଧ୍ୟ ଅଛନ୍ତି ସେମାନଙ୍କ ଭିତରେ ବେଶି ସଂଖ୍ୟକ ସହାୟକ ଶ୍ରେଣୀୟ କର୍ମଚାରୀ ଅଛନ୍ତି ଯଥା ଅର୍ଡରଲି ପିଅନ, ଡ୍ରାଇଭର, ବ୍ୟକ୍ତିଗତ ସହାୟକ, ସୁରକ୍ଷା କର୍ମୀ, ରିସେପ୍‌ସନିଷ୍ଟ, ରୋଷେୟା, ମାଳୀ। ଏମାନେ ଲୋକଙ୍କୁ ସିଧାସଳଖ କୌଣସି ସେବା ପ୍ରଦାନ କରନ୍ତିନାହିଁ ବରଂ ବରିଷ୍ଠ ଅଧିକାରୀଙ୍କ ସୁଖ, ସ୍ବାଚ୍ଛନ୍ଦ୍ୟ ଓ ବିଳାସ ପାଇଁ ନିୟୋଜିତ ଥାଆନ୍ତି। ପ୍ରକୃତରେ ଜନସାଧାରଣଙ୍କୁ ସେବା ପ୍ରଦାନ ପାଇଁ ଯେଉଁମାନେ ଉଦ୍ଦିଷ୍ଟ ଯଥା ଡାକ୍ତର, ଇଞ୍ଜିନିୟର, ନର୍ସ, ଶିକ୍ଷକ, ପୋଲିସ, ପୌର କର୍ମଚାରୀ, ରାଜସ୍ବ କୃଷି ଓ ପରିବହନ ବିଭାଗର କର୍ମଚାରୀ, ସେମାନଙ୍କ ସଂଖ୍ୟାକମ୍‌। ଅର୍ଥାତ୍‌ ଯେଉଁମାନେ ପ୍ରକୃତ ସେବା ଯୋଗାଇବା କଥା ସେମାନେ ନାହାନ୍ତି। ମାତ୍ର ଯେଉଁମାନେ ଅଛନ୍ତି ସେମାନେ କେବଳ ଟହଲିଆ! ତା’ଭିତରୁ ଅନେକ କେବଳ ବସିବସି ଦରମା ନିଅନ୍ତି! ଏ କ୍ଷେତ୍ରରେ ବିକାଶ କାହା କାନ୍ଧରେ ଲଦିହୋଇ ଆଗକୁ ବଢ଼ିବ? ଦେଶ ଛୋଟେଇ ଛୋଟେଇ ଚାଲିବ ହିଁ ଚାଲିବ!
ଛୋଟେଇ ଛୋଟେଇ ଏମିତି ଚାଲୁଥିବା ଏକ ଦେଶ ପିଠିରେ ସ୍କନ୍ଧ ବାଧତି ଇତିର କାରଣ ହେଲା ଏଇ ଅନାବଶ୍ୟକ କର୍ମଚାରୀଙ୍କ ଦରମା ବୋଝ। ବିଶବ୍ୟାପୀ ସରକାରୀ କର୍ମଚାରୀଙ୍କ ଦରମା ବାବଦରେ ଯାହା ଖର୍ଚ୍ଚ ହୁଏ ତା’ତୁଳନା ଭାରତରେ ଖର୍ଚ୍ଚ ବେଶ୍‌ ଅଧିକ। କର୍ମଚାରୀଙ୍କ ଦରମା ତାଙ୍କ ଉତ୍ପାଦିକ ଶକ୍ତି ତୁଳନାରେ ଅଧିକ ହେଲେ ଅର୍ଥନୀତି ଉପରେ ତାହା ବୋଝ ପାଲଟିଯାଏ। ୟୁରୋପରେ ମୁଣ୍ଡ ପିଛା ଜାତୀୟ ଉତ୍ପାଦନର୧.୩ ସରକାରୀ କର୍ମଚାରୀଙ୍କ ଦରମାରେ ଖର୍ଚ୍ଚହୁଏ। ଲାଟିନ୍‌ ଆମେରିକାରେ ଖର୍ଚ୍ଚ ହୁଏ ୨.୫ଗୁଣା, ମଧ୍ୟପ୍ରାଚ୍ୟରେ ଖର୍ଚ୍ଚ ହୁଏ ୩.୪ଗୁଣା ଓ ଆଫ୍ରିକାରେ ଖର୍ଚ୍ଚ ହୁଏ ୫.୭ଗୁଣା। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତରେ ମୋଟ ମୁଣ୍ଡ ପିଛା ଉତ୍ପାଦନର ୭.୨ଗୁଣା ଖର୍ଚ୍ଚହୁଏ ସରକାରୀ କର୍ମଚାରୀମାନଙ୍କ ପିଛା, ଯେଉଁମାନଙ୍କ ମଧ୍ୟରୁ ଅଧେ ଅର୍ଦ୍ଧ ଆବଶ୍ୟକ ଓ ଅଧେ ଅନାବଶ୍ୟକ କର୍ମଚାରୀ । ସହଜେତ ଏମିତିରେ ମୂଷାଗାତରେ ଗଳିପାରୁ ନ ଥିଲା, ତା’ପରେ ବି ଯଦି ତା’ ପିଠିରେ ଦିଟା କୁଲା ବାନ୍ଧିଦିଆଯାଏ ସେ କୋଉ ଗାତ ଭିତରେ ପଶିପାରିବ? ସେଭଳି ପିଠିରେ କୁଲା ବନ୍ଧା ମୂଷା ନା ଗାତରେ ଗଳିପାରିବ ନା ଆକାଶରେ ଉଡ଼ିପାରିବ। ଆମ ଦେଶର ଅବସ୍ଥା ସେଇ ମୂଷା ଭଳି! ନା ଦୌଡ଼ିପାରୁଛି ନା ଉଡ଼ିପାରୁଛି !
କେବଳ ଗୋଟେ ପତଙ୍ଗ ପରି ପଡ଼ି ଉଡ଼ି ଗମନ କରୁଛି! କେବେ ଛୋଟେଇ ଛୋଟେଇ, କେବେ ଝୁଣ୍ଟି ଝୁଣ୍ଟି ଲହୁଲୁହାଣ ହୋଇ! ଏମିତି ପତଙ୍ଗ ଗତିରେ ଯାଉଯାଉ ଭାରତ କେବେ ଯାଇ ତା’ର ସହସ୍ରାବ୍ଦୀର ଲକ୍ଷ୍ୟ ଛୁଇଁପାରିବ କିଏ ଜାଣେ!

ରଞ୍ଜନ କୁମାର ଦାସ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri