ବନ୍ଧାକୋବି କିଆରିରେ ଗୋରୁ, ଛେଳି ଛାଡ଼ିଲେ ଚାଷୀ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ)କୃଷିବହୁଳ ବରଗଡ଼ ଜିଲାରେ ଅଣଧାନ ଫସଲ କରିବାକୁ କୃଷି ବିଭାଗ ପରାମର୍ଶ ଦେଉଛି। ହେଲେ ପରିବା ସଂରକ୍ଷିତ ରଖିବା ପାଇଁ ଜିଲାରେ ସେଭଳି ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଫଳରେ ପରିବା ଚାଷ କରି ମଧ୍ୟ ଜିଲାର ଚାଷୀମାନଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିଛି। ଜିଲାରେ ଏଥର ଟମାଟୋ ଚାଷ କରି ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଅନୁରୂପଭାବେ ବନ୍ଧାକୋବି ଚାଷରେ ମଧ୍ୟ ଚାଷୀମାନଙ୍କୁ ସମଦଶା ଭୋଗିବାକୁ ପଡ଼ିଛି। ଟମାଟୋ ଭଳି ବନ୍ଧାକୋବିକୁ ମଧ୍ୟ ବେପାରୀମାନେ କିଲୋ ପ୍ରତି ୨ଟଙ୍କା ଦରରେ କିଣୁଛନ୍ତି। ଫଳରେ ଚାଷୀ ଭାଙ୍ଗି ପଡ଼ି ଶେଷରେ ପରିବା କିଆରିରେ ଗାଈଗୋରୁ ଏବଂ ଛେଳି ଛାଡ଼ି ଦେଉଛନ୍ତି। ଜିଲାର ବିଜେପୁର ବ୍ଲକ ଅନ୍ତର୍ଗତ ଗୁଡ଼ିମୁଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଗୁଡ଼ିମୁଣ୍ଡା ନୁହେଁ, ଜିଲାର ଯେଉଁଠି ବି ଚାଷୀମାନେ ଟମାଟୋ କିମ୍ବା ବନ୍ଧାକୋବି ଚାଷ କରିଛନ୍ତି, ସେମାନଙ୍କୁ ଏଭଳି କ୍ଷତି ସହିବାକୁ ପଡୁଛି। ଜିଲାରେ ପରିବା ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଥିଲେ ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ଚାଷୀମାନେ କହିଛନ୍ତି।

ଜିଲାରେ ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ବନ୍ଧାକୋବି ଚାଷ କରିଥାନ୍ତି। ତେବେ ସେତେ ବେଶୀ ପାଣି ଆବଶ୍ୟକ କରୁ ନଥିବା ଏବଂ ଢ଼ିପ ଜମି କୋବି ଫସଲ ପାଇଁ ଅନୁକୂଳ ହୋଇଥିବା ଯୋଗୁ ଅଣଜଳସେଚିତ ଅଞ୍ଚଳରେ ଅଧିକ ପରିମାଣରେ ଏହି ଚାଷ ହୋଇଥାଏ। ଏହି କ୍ରମରେ ଜିଲାର ପଦ୍ମପୁର ଉପଖଣ୍ଡର ବିଜେପୁର, ପଦ୍ମପୁର, ସୋହେଲା ଆଦି ଅଞ୍ଚଳରେ ଏହି ଚାଷ ଚାଷୀମାନେ କରିଥିଲେ। ବରଗଡ଼ ଉପଖଣ୍ଡର ଜମୁର୍ଡ଼ା, ସର୍ଲା, ଜାମପାଲି, ବରଗାଁ ଆଦି ଅଞ୍ଚଳରେ ମଧ୍ୟ ବନ୍ଧାକୋବି ଚାଷ ହୋଇଥିଲା। ଫସଲ ଭଲ ହୋଇଥିଲା। ଚାଷୀମାନେ ବେଶ୍‌ ଦିପଇସା ରୋଜଗାର କରିବୁ ବୋଲି ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଟମାଟୋ ଭଳି ବନ୍ଧାକୋବି ଯେତେବେଳେ ଅମଳ ଅବସ୍ଥାକୁ ଆସିଲା, ସେତେବେଳେ ବିଲରେ ବନ୍ଧାକୋବି ଦର କିଲୋ ପ୍ରତି ଦେଢ଼, ୨ଟଙ୍କାରୁ ଅଧିକ ଦାମ୍‌ରେ ନେବାକୁ ବେପାରୀମାନେ ରାଜି ହେଉ ନାହାନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ସେମାନଙ୍କ ବନ୍ଧାକୋବି କିଆରିରେ ଗୃହପାଳିତ ଗୋରୁ, ଛେଳି ଛାଡ଼ି ଦେବାକୁ ବାଧ୍ୟ ହୋଇଛନ୍ତି।

ବିଜେପୁର ବ୍ଲକ ଗୁଡ଼ିମୁଣ୍ଡାର ଚାଷୀ ପ୍ରହଲ୍ଳାଦ ନାଏକ କହିଛନ୍ତି, ସେ ୮୦ଡେସିମିଲ ଜମିରେ ବନ୍ଧାକୋବି ଚାଷ କରିଥିଲେ। ତାହା ଭଲ ମଧ୍ୟ ହୋଇଥିଲା। ହେଲେ ଅମଳ ସମୟକୁ ବେପାରୀମାନେ ବିଲକୁ ପହଞ୍ଚିଥିଲେ ଏବଂ କିଲୋ ପ୍ରତି ଦେଢ଼ରୁ ୨ଟଙ୍କା ଦରରେ ନେବାକୁ କହିଥିଲେ। ଫଳରେ ତାଙ୍କ କିଆରିରେ ସେ ଛେଳି, ଗାଈଗୋରୁ ଛାଡ଼ି ଦେଇଥିବା ସେ କହିଥିଲେ। ପରିବାକୁ ସଂରକ୍ଷିତ ରଖିବା ପାଇଁ ସରକାର ଶୀତଳ ଭଣ୍ଡାର କରିଥିଲେ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ପ୍ରହଲ୍ଲାଦ କହିଛନ୍ତି। ସେହିପରି ଅନ୍ୟଜଣେ ମହିଳା ଚାଷୀ ଫଟୁ ମହାନନ୍ଦ କହିଛନ୍ତି, ବନ୍ଧାକୋବି, ଟମାଟର, ବାଇଗଣ ସବୁ ପରିବା ଦର କମି ଯାଇଛି। ବଜାରକୁ ବିକ୍ରି କରିବାକୁ ନେଲେ ସେଠାରେ ବେପାରୀମାନେ ଶସ୍ତାରେ ମାଗୁଛନ୍ତି। ଫଳରେ ଚାଷୀମାନେ ନିରାଶରେ ଘରକୁ ଫେରୁଛନ୍ତି। ଆମେ ଗରିବ ଲୋକ, ପରିବା ଚାଷ କରି ସେଥିରୁ କିଛି ରୋଜଗାର କରିବୁ ବୋଲି ଆଶା କରିଥିଲୁ। କିନ୍ତୁ ବନ୍ଧାକୋବି ଅମଳ ହେବା ପରେ ଦର ଶସ୍ତା ହୋଇଗଲା। ତାକୁ ବିକିଲେ ମଧ୍ୟ ମୂଳ ମିଳୁ ନାହିଁ। ଫଳରେ ପରିବା କିଆରିରେ ଛେଳି, ଗାଈଗୋରୁ ଛାଡ଼ି ଦେଉଛୁ। ସରକାର ଏଥିପାଇଁ କିଛି ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଥିଲେ।

ଜିଲାରେ ପରିବା ସଂରକ୍ଷିତ ରଖିବାକୁ ଶୀତଳ ଭଣ୍ଡାର ଥିଲେ ଚାଷୀମାନଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। କିନ୍ତୁ ଏ ଯାଏ ଜିଲାରେ ଗୋଟିଏ ମଧ୍ୟ ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ବରଗଡ଼ ବ୍ଲକର ଏକାମ୍ର ଛକ ଏବଂ ସୋହେଲା ବ୍ଲକର ଛୁରିଆପାଲିରେ ୧ଏକର ପରିମିତ ଜମିରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାର ପ୍ରସ୍ତାବ ରହିଛି। ସେହିପରି ଭେଡ଼େନ ଓ ଗାଇସିଲେଟ୍‌ ବ୍ଲକରେ ଓରେଡ଼ା ୧୦ମେଟ୍ରିକ ଟନ୍‌ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା ରହିଛି। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ଟି ସୋଲାର ଶୀତଳ ଭଣ୍ଡାର ରହିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟପଟେ ବରଗଡ଼ ବ୍ଲକ କୁରୁଆଁ ଗ୍ରାମରେ ୨୫୦୦ ମେଟ୍ରିକ ଟନ୍‌ କ୍ଷମତା ସମ୍ପନ୍ନ ଏକ ଘରୋଇ ଶୀତଳ ଭଣ୍ଡାର ରହିଥିବାବେଳେ ଗୋବିନ୍ଦପୁରରେ ଆଉ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣାଧୀନ ରହିଛି। ତେବେ କୃଷିବହୁଳ ଜିଲାଭାବେ ବରଗଡ଼ର ଏକ ସ୍ବତନ୍ତ୍ର ପରିଚୟ ଥିବାବେଳେ ଏଠାରେ ଶୀତଳ ଭଣ୍ଡାର ଅଭାବ ଯୋଗୁ ଚାଷୀମାନେ ପରିବା ବିକ୍ରିରେ ଅଭାବିବିକ୍ରିର ସମ୍ମୁଖୀନ ହେବା ବିଡ଼ମ୍ବନାର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri