ବିଦେଶୀ ସହାୟତା

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଯାହା ଅନୁମାନ କରୁଥିଲେ ତାହା ସତ ହେବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ବେଆଇନ ଅନୁପ୍ରବେଶକୁ ବିରୋଧ, ଲିଙ୍ଗଗତ ବିଚାରରେ କେବଳ ପୁରୁଷ ଓ ମହିଳା ରହିବେ ଏବଂ ପାନାମା କେନାଲ ଦଖଲ ଭଳି ନିଷ୍ପତ୍ତି ତାଙ୍କ ପରିବର୍ତ୍ତନ ମାନସିକତାକୁ ପ୍ରକାଶ କରିଛିି। ସବୁଠୁ ବଡ଼ କଥା ହେଲା ଆମେରିକାର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି ଭଳି ନୂଆ ବିଭାଗ ସୃଷ୍ଟି କରାଯାଇଛି।

ଜାନୁଆରୀ ୨୫ରେ କେବଳ ଇସ୍ରାଏଲ ଓ ଇଜିପ୍ଟକୁ ବାଦ୍‌ ଦେଲେ ୟୁକ୍ରେନ ସମେତ ଅନ୍ୟ ଦେଶଗୁଡ଼ିକୁ ବିଦେଶୀ ସହାୟତା ବନ୍ଦ କରିବାକୁ ଆମେରିକାର ପରରାଷ୍ଟ୍ର ସଚିବ ମାକ୍ରୋ ରୁବିଓ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମାରେ ‘ଆମେରିକା ପ୍ରଥମ’ ଆଭିମୁଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏହା ବ୍ୟତୀତ ଆମେରିକା ଦେଇଥିବା ବିତ୍ତୀୟ ସହାୟତାର ସମୀକ୍ଷା କରାଯିବା ସହ ଏଣିକି ଦେଶଗୁଡ଼ିକୁ ନୂଆ ପାଣ୍ଠି ଦିଆଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି। କେବଳ ଇସ୍ରାଏଲ ଓ ଇଜିପ୍ଟକୁ ଜରୁରୀ ଖାଦ୍ୟ ଓ ସାମରିକ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଆମେରିକାର ୨୦ଟି ସରକାରୀ ସଂସ୍ଥା ବିଦେଶୀ ସହାୟତାକୁ ପରିଚାଳନା କରିଥାନ୍ତି। ଏଥିରେ ୟୁନାଇଟେଡ ଷ୍ଟେଟ୍‌ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ( ୟୁଏସ୍‌ଏଆଇଡି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇସ୍ରାଏଲ ଓ ହମାସ ଯୁଦ୍ଧବିରତି ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଥିଲା। ଏବେ ଉଭୟ ପକ୍ଷର ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ ତଥା ହମାସ କବଳରେ ଥିବା ଇସ୍ରାଏଲୀ ପଣବନ୍ଦୀଙ୍କୁ ପର୍ଯାୟକ୍ରମେ ମୁକ୍ତ କରିବା ପ୍ରକ୍ରିୟା ଜାରି ରହିଛି। ଯୁଦ୍ଧ ବିରତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଇସ୍ରାଏଲକୁ ସାମରିକ ସହଯୋଗ ଜାରି ରଖିବା ନିଷ୍ପତ୍ତିରୁ ଏହା ସ୍ପଷ୍ଟ ଯେ, ପୂର୍ବତନ ରାଷ୍ଟ୍ରପତି ବାଇଡେନ ପ୍ରଶାସନର ଇସ୍ରାଏଲ ଆଭିମୁଖ୍ୟକୁ ଟ୍ରମ୍ପ୍‌ ବଜାୟ ରଖିଛନ୍ତି। ଉଲ୍ଲେଖନୀୟ ଯେ, ଟ୍ରମ୍ପ୍‌ ତାଙ୍କ ପ୍ରଥମ ପାଳିରେ ବୃଦ୍ଧି କରିଥିବା ଆମଦାନୀ ଶୁଳ୍କକୁ ବାଇଡେନ ଅପରିବର୍ତ୍ତିତ ରଖିଥିଲେ, ଯାହାର ଲକ୍ଷ୍ୟ ଥିଲା ଚାଇନାକୁ ଅବଦମିତ କରି ରଖିବା। ଏଥିରେ ଭାରତ, ବ୍ରାଜିଲ ଭଳି ବିକାଶଶୀଳ ଦେଶଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ। କିନ୍ତୁ ଚାଇନାକୁ ଆମେରିକା ରୋକିବାରେ ବିଫଳ ହୋଇଥିବା କୁହାଯାଉଛି। ଏଥର ଚାଇନା ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଟ୍ରମ୍ପ୍‌ ବିଚାର କରିଛନ୍ତି ଓ ତାହା କେତେ ସଫଳ ହେବ ଆଗକୁ ଜଣାପଡ଼ିବ।

୨୦୨୩ରେ ଆମେରିକାର ବିଦେଶୀ ସହାୟତା ପରିମାଣ ହେଉଛି ୬୮ ବିଲିୟନ ଡଲାର। ଏଥିରେ ୟୁକ୍ରେନ ସବୁଠୁ ଅଧିକ ପାଖାପାଖି ୧୭.୨ ବିଲିୟନ ଆମେରିକୀୟ ଡଲାର ପାଇଥିବାବେଳେ ଏହା ପଛକୁ ଇସ୍ରାଏଲ ପାଇଥିଲା ୩.୩ ବିଲିୟନ ଡଲାର। ତୃତୀୟରେ ଜୋର୍ଡାନ ୧.୭ ବିଲିୟନ ଡଲାର ଓ ଚତୁର୍ଥରେ ଇଜିପ୍ଟ ୧.୫ ବିଲିୟନ ଡଲାର ପାଇଥିଲେ । ତେବେ ଆମେରିକା ଗତ ଏକ ଦଶନ୍ଧିରେ ଅର୍ଥାତ୍‌ ୨୦୧୨ରୁ ୨୦୨୨ ମଧ୍ୟରେ ମୋଟ ବିଦେଶୀ ସହାୟତା ଆକାରରେ ୬୪୦ ବିଲିୟନ ଡଲାର ଅନ୍ୟଦେଶଗୁଡ଼ିକୁ ଦେଇଛି। ଦେଖିବାକୁ ଗଲେ ଦେଉଥିବା ବିଦେଶୀ ସହାୟତା ଏହାର ବଜେଟର ୦.୭ ପ୍ରତିଶତ। ଭାରତ ୧୯୪୭ରୁ ୨୦୧୨ ମଧ୍ୟରେ ଆମେରକିଠାରୁ ବିଦେଶୀ ସହାୟତା ଆକାରରେ ମୋଟ ୬୫.୧ ବିଲିୟନ ଡଲାର ଗ୍ରହଣ କରିଥିବା ୟୁଏସ୍‌ଏଆଇଡିର ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ଦେଉଥିବା ବିଦେଶୀ ସହାୟତା ବିଭିନ୍ନ ଦେଶରେ ମୁଖ୍ୟତଃ ଜାତୀୟ ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ବୈଶ୍ୱିକ ସ୍ବାସ୍ଥ୍ୟ, ପରିବେଶ ଓ ମାନବୀୟ ସୁରକ୍ଷା ପାଇଁ ଉପଯୋଗ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଟ୍ରମ୍ପ୍‌ ଜାନୁଆରୀ ୨୧ରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ୨୦୧୫ରେ ଗୃହୀତ ପ୍ୟାରିସ ଚୁକ୍ତିରୁ ଓହରିଯିବା ସମ୍ପର୍କରେ ସୂଚିତ କରିବା ପରେ ସଙ୍କଟ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏହି ଚୁକ୍ତିରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ବା ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରି ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସ୍‌ରେ ସୀମିତ ରଖିବା ପାଇଁ ୨୦୦ ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ତେବେ ଟ୍ରମ୍ପଙ୍କର ଏବକାର ନିିଷ୍ପତ୍ତି ମଧ୍ୟ ଭବିଷ୍ୟତରେ ଆମେରିକାର ଆର୍ଥିକ ଓ ପରିବେଶଗତ କ୍ଷତି ଘଟାଇବ।

ବିଶ୍ୱରେ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ସବୁଠୁ ଅଧିକ ଅର୍ଥ ଆମେରିକା ଯୋଗାଉଥିବାରୁ ଗରିବ ଦେଶଗୁଡ଼ିକ ଏଥିରେ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି। ୨୦୨୩ରେ ଏହି ସ୍ବାସ୍ଥ୍ୟ କ୍ଷେତ୍ରକୁ ସହାୟତା ପରିମାଣ ଥିଲା ୧୨.୯ ବିଲିୟନ ଡଲାର। ଏଣୁ ‘ଆମେରିକା ପ୍ରଥମ’ ବୋଲି ବିଚାର କରୁଥିବା ଟ୍ରମ୍ପ୍‌ ତାଙ୍କ ନିଜ ଦେଶ ପାଇଁ କେତେ ଲାଭ ସୃଷ୍ଟି କରିପାରିବେ ତାହା ଭବିଷ୍ୟତ କହିବ। କିନ୍ତୁ ଏବକାର ପଦକ୍ଷେପ ତତ୍‌କ୍ଷଣାତ ଅନେକ ଗରିବ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri