ବାରିପଦା,୨୮।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳ ୬ଟା ୧୦ରେ ମୃତ୍ୟୁ ହୋଇଥିବା ନେଇ ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢେ ୭ଫୁଟରୁ ଉଚ୍ଚ ଭବାନୀର ବୟସ ୬୦ବର୍ଷ ହେବ ବୋଲି ଓଡିଶା ବନ ଉନ୍ନୟନ ନିଗମର ସ୍ବାଧିନ ନିର୍ଦ୍ଦେଶକ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଶୋଭା ହାତୀ ପିଠିରେ ବସି କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ଭବାନୀ । ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ଭବାନୀର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲଖନୀୟ ରହିଥାଏ। ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । ସେହିପରି ପର୍ଯ୍ୟଟକକୁ ପିଠିରେ ବସାଇ ଶିମିଳିପାଳ ଅଭୟାରଣ୍ୟ ବୁଲୁଥିଲା। ଶାନ୍ତପ୍ରିୟ ପ୍ରାଣୀ ଭାବେ ଅତି ପ୍ରିୟପାତ୍ର ରହିଥିଲା ଭବାନୀ। ତେବେ କିଛିଦିନ ଧରି ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଖରାପ ଥିବାବେଳେ ହଠାତ ମୃତ୍ୟୁବରଣ କରିଛି। ତେବେ ଶିମିଳିପାଳ ପାଇଁ ମହିନ୍ଦ୍ରା ସହିତ ଶୋଭାର କର୍ତ୍ତବ୍ୟ ଚିରଦିନ ପର୍ଯ୍ୟନ୍ତ ରହିବ ବୋଲି ପ୍ରାଣୀପ୍ରେମୀମାନେ ପ୍ରକାଶ କରିଛନ୍ତି । ମଙ୍ଗଳବାର ପ୍ରାଣୀ ଡାକ୍ତର ଓ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ତେବେ ଶିମିଳିପାଳ ସୁରକ୍ଷାରେ ସୈନିକ ସାଜିଥିବା ଶୋଭା,ମହିନ୍ଦ୍ରା ଓ ପରେ ଭବାନୀର ମୃତ୍ୟୁ ହେବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।


