ବିରୋଧୀ ଜାଣି ନାହାନ୍ତି, ବିରୋଧ କାହାକୁ? ଦ୍ୱନ୍ଦ୍ୱରେ କର୍ମୀ

ଭୁବନେଶ୍ୱର, ୭ା୧(ଅନିଲ ଦାସ):ନିଜକୁ ମୁଖ୍ୟ ବିରୋଧୀ ଦଳ ବୋଲାଉଥିବା ବିଜୁ ଜନତା ଦଳ (ବିଜେଡି) ତରଫରୁ ରାଜଧାନୀରେ ଏକ ଜନସମାବେଶର ଆୟୋଜନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌ ବୃଦ୍ଧି ବିରୋଧରେ ସ୍ବର ଉତ୍ତୋଳନ କରି ରାଜ୍ୟ ସରକାରଙ୍କୁ ଏହି ତ୍ରୁଟି ପାଇଁ ଉତ୍ତରଦାୟୀ କରିବା। ସାଧାରଣ ନିର୍ବାଚନର ୬ ମାସ ପରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା କର୍ମୀ ଯୋଗାଡ଼ କରି ସମାବେଶକୁ ସଫଳ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଜେଡି କାହାକୁ ବିରୋଧ କରିଛି ସେ ନେଇ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଦଳର ଶୀର୍ଷ ନେତୃତ୍ୱଠାରୁ ଆରମ୍ଭ କରି ନିଜକୁ ଆଗଧାଡ଼ିର ବୋଲାଉଥିବା ନେତାମାନେ ମଧ୍ୟ ନିଜ ଭାଷଣରେ କାହାକୁ ବିରୋଧ କରୁଥିଲେ ସେ ବିଷୟରେ କୌଣସି ନାମ ଉଲ୍ଲେଖ କରି ନ ଥିଲେ। ଏହା ଫଳରେ ଉପସ୍ଥିତ କର୍ମୀ ଓ ଦଳୀୟ ସମର୍ଥକମାନେ ନିଜର ସ୍ଥିତି ବୁଝିପାରି ନ ଥିଲେ ବୋଲି ସଭାସ୍ଥଳରେ ଆଲୋଚନା ହେଉଥିଲା। ବିଜେଡି ଶାସନରେ ଥିବା ବେଳର ବିକ୍ଷୋଭ ଏବଂ ଏବର ବିକ୍ଷୋଭ ଭିତରେ ସେଭଳି କିଛି ଫରକ ଥିବାଭଳି ମନେହେଉ ନାହିଁ। ଗତ ୧୧ ବର୍ଷ ତଳେ ଶାସନ ଗାଦିରେ ଥିବାବେଳେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଯେଭଳି ଲୋକଦେଖାଣିଆ ବିକ୍ଷୋଭ କରୁଥିଲା ଆଜିର ବିକ୍ଷୋଭକୁ ଦେଖିଲେ ସେଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିବା ନେଇ ଆଲୋଚନା ହେଉଛି।
ସମାବେଶରେ ଯୋଗଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଜୁନ୍‌ରେ ଭାଜପା ସରକାର ଗଠନ ହେବା ୭ ମାସ ହୋଇଗଲାଣି। କେବଳ ଲମ୍ବା ଲମ୍ବା ଭାଷଣ ଛଡ଼ା କାମଘର ଶୂନ ହୋଇଛି। ଦରଦାମ୍‌ ବଢ଼ି ବଢ଼ି ଚାଲିଛି।
କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବାପରି ଜଣାପଡ଼ୁ ନାହିଁ। ଡାଲି, ତେଲ, ପରିବା, ଗ୍ରୋସରିଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶଛୁଆଁ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଈ ମା’ କାହାଣୀ କହି ସରକାର ଖୁସି ହେଉଛନ୍ତି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇଗଲାଣି। ଅଦିନିଆ ବର୍ଷା ଯୋଗୁ ଫସଲ ହାନି ଘଟିଛି। ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। କିନ୍ତୁ ନେତାଙ୍କ ସମୟ ନିଜ ପ୍ରମୋଶନରେ ବିତୁଛି। ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି॥ ମା’ମାନେ କାନ୍ଦୁଛନ୍ତି। ଚାଷୀ କାନ୍ଦୁଛନ୍ତି। କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡିଠାରୁ କମ୍‌ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି। ଡବଲ ଇଞ୍ଜିନ ଲୋକଙ୍କ ଉପରେ ଡବଲ ମାଡ଼ କରୁଛି । ଏପଟେ ଦରବୃଦ୍ଧି ମାଡ଼। ସେପଟେ ଜିଏସ୍‌ଟି ମାଡ଼। ସବୁ ଜିନିଷରେ ଜିଏସ୍‌ଟି। ଗରିବ ଲୋକ ସବୁଠାରୁ ଅଧିକ ଜିଏସ୍‌ଟି ଦେଉଛନ୍ତି। ଭାଜପା ସରକାର ଟ୍ରେଲରରେ ଗୋଲାପି ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲିଜ ହେଲା ଏମ୍‌ଏମ୍‌ ସରକାର, ମହଙ୍ଗା ମାଡ଼ ସରକାର। ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ ବୋଲି ନବୀନ କହିଛନ୍ତି ।
ସମାବେଶରେ ଯୋଗଦେଇ ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ କହିଛନ୍ତି, ଏଇ ୬’ ମାସରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଗଲାଣି। କେନ୍ଦ୍ର ସହଯୋଗରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଛି। ଦରଦାମ୍‌ ବୃଦ୍ଧି ଘଟିଛି। ପ୍ରତାପ ଜେନା କହିଛନ୍ତି, ରାଜ୍ୟରେ ଯେଭଳି ଦରଦାମ୍‌ ବୃଦ୍ଧି ଘଟିଛି ଗତ ୨୪ ବର୍ଷରେ ନବୀନ ପଟ୍ଟନାୟକ ସରକାର ସମୟରେ ଏପରି କେବେ ହୋଇ ନ ଥିଲା। ପୂର୍ବରୁ ପେଟ୍ରୋଲ ଓ ଡିଜେଲରେ ଦର ବୃଦ୍ଧି ହୋଇଥିବା ବେଳେ ଏବେ ସବୁ ଜିନିଷ ଦର ଆକାଶଛୁଆଁ ହୋଇଛି। ଏହି ସମାବେଶରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୁଷ୍ପେନ୍ଦ୍ର ସିଂଦେଓ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଭୁତି ବଳବନ୍ତ ରାୟ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ,କଳିକେଶ ନାରାୟଣ ସିଂଦେଓ, ବିଜୟ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଦରଦାମ୍‌ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସମସ୍ତେ ଏକ ଜୁଟ ହୋଇ ପ୍ରତିବାଦକୁ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି। ସକାଳ ୯ଟାରୁ ଲୋୟର ପିଏମ୍‌ଜିଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୨୦ ହଜାର ବିଜେଡି କର୍ମୀଙ୍କର ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri