ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ ପୂର୍ବରୁ ଆସିଥିଲେ ହୋଇଥାନ୍ତା। କେତେବେଳେ ଯାଏ ଏମିତି ଠିଆ ହେବାକୁ ପଡ଼ିବ କେଜାଣି। ତେଣିକି ଏଣ୍ଡୁଅ ଭଳି ଏପଟସେପଟ ଚାହୁଁଥିବେ। କୋଉଠି ଗଳାବାଟ ଗୋଟେ ମିଳିଯିବ। ଶୀଘ୍ର ଚାଲିଯିବେ। ଧାଡ଼ିରେ ଠିଆହେବାକୁ ଲୋକଙ୍କ ଆଗ୍ରହ ନାହିଁ କି ଧୈର୍ଯ୍ୟ ବି ନାହିଁ। ଲୋକେ ଭାବନ୍ତି ଧାଡ଼ିରେ ଠିଆ ହୋଇଥିବା ମଣିଷ ସବୁ ମାମୁଲି ଲୋକ। ଧାଡ଼ିରେ ଠିଆ ହେଲେ ସମ୍ମାନ ହାନି ହୋଇଯାଏ ବୋଲି ଥୋକେ ଲୋକଙ୍କ ଗୋଟେ ଜମାଣିଆ ବିଶ୍ୱାସ ରହିଛି। ସେଇଟା ବିଶ୍ୱାସ ବୋଲି କୁହାଯିବନି। ବରଂ କୁହାଯାଉ ଗୋଟେ ବିରାଟ ଅହଂଭାବର ବୋଝକୁ ବୋହିଚାଲିଛି ତଥାକଥିତ ମଣିଷ। ନିଜକୁ ଅନ୍ୟଠୁ ଅଲଗା ଭାବେ ସେ। ଫାଙ୍କ ଖୋଜେ। ଧାଡ଼ିର ପାଖ ଦେଇ ଆଗକୁ ଆସି ଜବରଦସ୍ତି ପଶିବାକୁ ଉଦ୍ୟମ କରିବେ। ଧାଡ଼ିରେ ଠିଆ ହୋଇଥିବା ମଣିଷ କିଛି କହିଲେ ତା’ ଉପରେ ରାଗିବେ। ବାକି ଲୋକ ରାହା ଧରି କହିଲେ ଲାଙ୍ଗୁଡ ଜାକି ପଛକୁ ଯିବେ। ସେତେବେଳେ ତଥାକଥିତ ଲୋକର ମୁହଁ ଦେଖିବା ଯୋଗୁ। ଆଉ କିଛି ଆଗୁଆ ବନ୍ଦୋବସ୍ତ କରି ଆସିଥିବେ। ଧାଡ଼ିରେ ଠିଆ ନ ହୋଇ ସଗର୍ବ ଏପଟସେପଟ ଟହଲ ମାରିବେ। କିଏ ପଚାରିଲେ ବାହାଦୁରି ମାରି ପଦେ ଦି ପଦେ କହିବେ – କିଏ ଏ ଲାଇନରେ ଠିଆ ହେବ। ଭିତରେ ଜଣେ ଚିହ୍ନା ଅଛି। ସେ ଫୁରୁସତ ଦେଖି ମୋ କାମ କରିଦେବ। ଆଉ କିଛି ଲୋକ ଆସିବେ। ସିଧା ଯିବେ କାମ ସାରି ତୁରନ୍ତ ଫେରିବେ। ଏଇ ଆଗ ଧାଡ଼ିର ମଣିଷମାନେ ଧାଡ଼ି ପଛର ଲୋକଙ୍କ ଉପରକୁ ଗୋଟେ କରୁଣ ଦୃଷ୍ଟି ଫିଙ୍ଗି ଚାଲିଯିବେ। ଧାଡ଼ି ଶେଷର ମଣିଷ ନିର୍ବାକ ହୋଇ ଚାହିଁଥିବ ସେମିତି। ଧାଡ଼ିରେ ଠିଆ ନ ହେବା ଲାଗି ଅବଶ୍ୟ ଏବେ ଅନେକ ପନ୍ଥା ବାହାରିଲାଣି। ନିଜ ବଦଳରେ ଗାମୁଛା, ଛତା, ବ୍ୟାଗ, ରୁମାଲ ଭଳି ଜିନିଷ ମଧ୍ୟ ପ୍ରତିନିଧିତ୍ୱ କରିପାରନ୍ତି। ସହମତି ଭିତ୍ତିରେ ଏହା କେତେକସ୍ଥଳରେ କାର୍ଯ୍ୟକାରୀ ହୁଏ। ଆଉ କିଛି ଲୋକ ଭଡାଟିଆଙ୍କୁ ଲଗାଇ କାମ ଆଦାୟ କରନ୍ତି। ଆଉ କେଉଁଠି ବ୍ରୋକରମାନେ ଭିତିରି ଭିତିରି କାମ କରେଇ ଦେଇ ପାରନ୍ତି। ଧାଡିର ଭିଡ କମେଇବା ପାଇଁ ଆଜିକାଲି ଅନଲାଇନ ବ୍ୟବସ୍ଥା ଅଛି। ଅଧିକା ଅର୍ଥ ଦେଇ ଧାଡ଼ିରେ ଠିଆ ହେବା ଝିନ୍‌ଝଟରୁ ମୁକ୍ତି ମିଳୁଛି। ପଇସା ଖର୍ଚ୍ଚ ହେଉ ପଛେ ଧାଡିରେ ଠିଆରୁ ମୁକ୍ତି ମିଳୁ। ଏଇ ମାନସିକତାରେ ଅନେକ ଲୋକ ଅନଲାଇନକୁ ପସନ୍ଦ କରନ୍ତି।
ଧାଡ଼ି ଶେଷର ମଣିଷମାନେ ଅସହାୟ ଓ ନିରୁପାୟ। କଳ ବଳ କୌଶଳ ନିକଟରେ ହାରିଥିବା ମଣିଷ। କେବଳ ସ୍ବାଭିମାନ ଟିକକ ନେଇ ବଞ୍ଚିଥାନ୍ତି ସମାଜରେ। ହୁଏତ ସେମାନଙ୍କ ନିକଟରେ ଅର୍ଥ ଓ ପ୍ରତିପତ୍ତି ନଥାଇ ପାରେ। କିନ୍ତୁ ମଣିଷ ପରି ମଣିଷ ତୁଲ୍ୟ ବଞ୍ଚତ୍ବାର ମନ ଓ ହୃଦୟ ଥିବ। ନିଜର ସରଳପଣ ଓ ସରଳ ବିଶ୍ୱାସ ନିକଟରେ ନିଜେ ଠକି ହୋଇଯାଆନ୍ତି ପ୍ରତିଥର। ଏମାନେ ମଣିଷରେ ଗଣା ହୁଅନ୍ତି ସତ। କିନ୍ତୁ ଆବଶ୍ୟକସ୍ଥଳେ ପୋକମାଛି ପଶୁ ଭଳି ବ୍ୟବହାର କରାଯାଏ। ସହିବାର ଅସୀମ ଶକ୍ତି ରହିଛି। ସଂଘର୍ଷ କରି ବଞ୍ଚିବାର ସାହସ ରହିଛି। ସମସ୍ୟାକୁ ବୋହିବାର ସାମର୍ଥ୍ୟ ଅଛି। ଅଳ୍ପରେ ଅନେକ ତତ୍ତ୍ୱରେ ଖୁବ ବିଶ୍ୱାସୀ। ସ୍ବପ୍ନ ଛୋଟ, ସଂସାର ବଡ଼। ଭୋକ ବହୁତ, ଖାଦ୍ୟ କମ୍‌। ଆବେଗ ଅଧିକ, ତୃପ୍ତି କମ୍‌। ସମସ୍ୟା ଜବର, ସମାଧାନ କଷ୍ଟକର। ତଥାପି ଧାଡ଼ି ଶେଷର ମଣିଷ ଭିତରେ ଗୋଟେ ଆତ୍ମପ୍ରତ୍ୟୟ ଥାଏ। ମୋ ବେଳ ବି ଆସିବ। ସବୁକିଛି ଠିକ ହେବ। ନୂଆ ସୂର୍ଯ୍ୟ ଉଇଁବ। ନୂତନ ଆଭାରେ ଆଲୋକିତ ହେବ ଜୀବନ।
ଧାଡ଼ି ଶେଷର ମଣିଷକୁ ନେଇ ସବୁବେଳେ ଅଧିକ ଚର୍ଚ୍ଚା ହୁଏ। ତାଙ୍କୁ ନେଇ କୁମ୍ଭୀର କାନ୍ଦଣା ଚାଲେ। ଯୋଜନା ପରେ ଯୋଜନା ହୁଏ। ବିକାଶର ଗଚ୍ଛପ ଗତିରେ ସାମିଲ ହୁଅନ୍ତି ଧାଡ଼ି ଶେଷର ମଣିଷ। ସମାଜର ଶେଷ ଧାଡ଼ିର ଲୋକଟି ଯେମିତି ନ୍ୟାୟ ଓ ସହାୟତା ପାଇବ ସେଥିପାଇଁ ବିଚାରବିମର୍ଶ ଚାଲେ। ରାଜନୀତି ହୁଏ। ସହଜରେ କ୍ଷମତା ହାସଲ କରିହୁଏ। ପୁଣି ଅକ୍ଳେଶରେ କ୍ଷମତାଚ୍ୟୁତ ମଧ୍ୟ ହୋଇପାରନ୍ତି। ଧାଡି ଶେଷର ମଣିଷମାନଙ୍କ କ୍ଷମତା ବି ନିରଙ୍କୁଶ ବେଳେବେଳେ। ସଭାସମିତିରେ ଭିଡ଼ ଜମେଇବାକୁ ହେଲେ, ଭୋଟ ରାଜନୀତିରେ କ୍ଷମତା ଦଖଲ କରିବାକୁ ହେଲେ ଏହି ମଣିଷମାନଙ୍କ ମନ ଜିଣିବାକୁ ହୁଏ। ବଡ଼ବଡ଼ିଆମାନେ ନିଚ୍ଛକ ଅଭିନୟ କରନ୍ତି। ଗାଁକୁ ଚାଲ ଯାତ୍ରା ଆରମ୍ଭ ହୁଏ। ପଦଯାତ୍ରାରେ ଆଗ ଧାଡ଼ିର ମଣିଷମାନେ ସାମିଲ ହୁଅନ୍ତି। ଧାଡ଼ି ଶେଷର ମଣିଷମାନଙ୍କୁ ଭେଟିବାକୁ ଆଗ ଧାଡ଼ିର ମଣିଷମାନେ ବ୍ୟାକୁଳ ହୋଇପଡନ୍ତି। ପୁଣି ଚାଲେ ସ୍ବପ୍ନ ବୁଣିବାର ପ୍ରୟାସ। ମାଗଣା ଦେବାର ପ୍ରତିଶ୍ରୁତି। ଅନେକ ସମୟରେ ଧାଡ଼ି ଶେଷର ମଣିଷଙ୍କ ବି ଗୁରୁତ୍ୱ ବଢ଼ିଯାଏ। ଯେତେବେଳେ ଧାଡ଼ିର ଦିଗ ପରିବର୍ତ୍ତନ ହୁଏ, ସେତେବେଳେ ଆଗୁଆମାନେ ପଛ ହୋଇଯାନ୍ତି॥ ପଛମାନେ ଆଗକୁ ବଢ଼ନ୍ତି। ଗଣତନ୍ତ୍ର ପ୍ରକ୍ରିୟାରେ ମତଦାନବେଳେ କିନ୍ତୁ ଆଗ ଧାଡ଼ିର ମଣିଷମାନେ ବି ସମାଜର ଶେଷ ଧାଡ଼ିର ଲୋକମାନଙ୍କ ପଛରେ ଠିଆ ହେବାକୁ ବାଧ୍ୟ ହୁଅନ୍ତି। ନିଜ ପାଳିକୁ ଅପେକ୍ଷା କରନ୍ତି। ସେତେବେଳେ ସର୍ବଦା ଧାଡ଼ି ପଛରେ ଥିବା ମଣିଷ ଭିତରେ କ୍ଷଣକ ପାଇଁ ହେଉପଛେ ନିଜ ଭିତରେ ପ୍ରଚୁର ଆନନ୍ଦ ଖେଳିଯାଏ। ମନେ ମନେ ଭାବନ୍ତି – ଯାହା ହେଉ କେଉଁଠି ନା କେଉଁଠି ତଥାକଥିତ ବଡ଼ବଡ଼ିଆମାନେ ପଛରେ ଠିଆ ହେବାକୁ ତ ବିବଶ ହୁଅନ୍ତି। ଅବଶ୍ୟ ସମୟ ଚାଲିଗଲା ପରେ ଆଗ ଧାଡ଼ିର ମଣିଷଙ୍କ ଆଉ ଦେଖା ମିଳେନି।
ସବା ଶେଷ ଧାଡ଼ିର ମଣିଷ ଅନ୍ୟର କରୁଣା, ସହାୟତା, ଦୟା, କୃପା ପାଇଁ କାକୁତିମିନତି ହୋଇ ଗୋଡ଼ ଭାଙ୍ଗି ଠିଆ ହେବାକୁ ବାଧ୍ୟ ହୁଅନ୍ତି। ଯେତେବେଳେ ଧାଡ଼ି ଶେଷର ମଣିଷ ନିଜର ଗୁରୁତ୍ୱକୁ ବୁଝିବ, ସେତେବେଳେ ଆଗ ଧାଡ଼ିର ମଣିଷମାନଙ୍କ ଭିତର ଆଣ୍ଟପଣ ଭାଙ୍ଗି ଚୂରମାର ହୋଇଯିବ। କାରଣ ଧାଡ଼ି ଶେଷର ମଣିଷମାନେ ବେଶ୍‌ କ୍ଷମତାଶାଳୀ।ା ଦେଶ, ସମାଜ ପରିବର୍ତ୍ତନ କରିବାର ମନ୍ତ୍ର ସେମାନଙ୍କୁ ଜଣା। ଗୋଟିଏ ଭୋଟ ବି ବେଳେବେଳେ ଗାଦିଚ୍ୟୁତ କରିପାରେ ଏଠି।
ଇନ୍ଦିରା ନଗର , ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri