Posted inଫୁରସତ

ମନ୍ଦିର ନିର୍ମାଣରେ ନିଷ୍ଠା ଓ ତ୍ୟାଗ ପାଇଁ ଗଜପତି ସମ୍ମାନିତ କରୁଥିଲେ

ଆଲୋଚନାରୁ ଆମେ ଜାଣିଲେ କୋଣାର୍କରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ବେଳେ ଦୁଇଟି ସ୍ବର୍ଣ୍ଣମୁଦ୍ରା ସ୍ମୃତିଚିହ୍ନ ସ୍ବରୂପ ପ୍ରଚଳିତ ହୋଇଥିଲା। ପ୍ରଥମେ ସୂର୍ଯ୍ୟଚିହ୍ନ ଥିବା ସ୍ବର୍ଣ୍ଣମୁଦ୍ରା ପ୍ରଚଳିତ ହୋଇଥିଲା। ଗଜପତିଙ୍କ ଅ୧୫ଙ୍କରେ ପୁନଃ ପଦ୍ମଚିହ୍ନ ଥିବା ସ୍ବର୍ଣ୍ଣମୁଦ୍ରା ମହାରାଜା ଲାଙ୍ଗୁଳା ନରସିଂହଦେବ ପ୍ରଚଳନ କରାଇଥିଲେ। ଯେଉଁମାନେ ଲେଖିଦେଇଗଲେ ବାହାର ଶିଳ୍ପୀ କୋଣାର୍କଠାରେ ମନ୍ଦିର ନିର୍ମାଣ କରିଥିଲେ, ସେମାନେ ବାହାର ରାଜା ସ୍ବର୍ଣ୍ଣମୁଦ୍ରା ପ୍ରଚଳନ କରିଥିବା କଥା ଲେଖିନାହାନ୍ତି। ଆମେ ମଧ୍ୟ ଇତିହାସରୁ ସେପରି ସୁରାକ ପାଇ ନାହୁଁ। ଓଲଟି ଓଡ଼ିଶାର ଗଜପତିଙ୍କ କଥା ପାଇଲୁ।
ଗଜପତି ଲାଙ୍ଗୁଳା ନରସିଂହଦେବ ନିର୍ବିଘ୍ନରେ ମନ୍ଦିର ନିର୍ମାଣ ପାଇଁ ଟିକିନିଖି ପଦକ୍ଷେପ ନେଇଥିଲେ। ନିର୍ମାଣ କାର୍ଯ୍ୟ ତଦାରଖ ଲାଗି ଆଠଜଣ ପରିଦର୍ଶକଙ୍କୁ ନିଯୁକ୍ତ କରିଥିଲେ। ଯେଉଁମାନଙ୍କୁ ଏବେ ଆମେ ‘ଓଭରସିଅର’ କହିପାରିବା। ସେହିପରି ପରିଦର୍ଶକଙ୍କ କାର୍ଯ୍ୟକୁ ପରିଚାଳନା ପାଇଁ ଜଣେ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଯୁକ୍ତ କରିଥିଲେ। ଆନନ୍ଦ ପଟ୍ଟନାୟକ ଏହି ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିଥିଲେ। ଏହା ବ୍ୟତୀତ ଜଣେ ଜଣେ ତତ୍ତ୍ୱାବଧାରକ ନିଯୁକ୍ତ କରିଥିଲେ।
କାର୍ଯ୍ୟ ଦେଖିବା ପାଇଁ ମହାଶ୍ରମ (ଗଜପତି) କୋଣାର୍କ ଆସି ଶିବିରରେ ରହିବା କଥା ପୂର୍ବରୁ ସୂଚନା ଦେଇଥିଲୁ। ସେ ଅଗ୍ରଗତି ଦେଖିବା ପରେ ସେମାନଙ୍କ ପ୍ରତିଦିନର ପାଉଣା ବାଦ ଉତ୍ସାହିତ କରିବା ଲାଗି ପୁରସ୍କାର ଘୋଷଣା କରୁଥିଲେ। ନିଜେ ସେମାନଙ୍କୁ ସାକ୍ଷାତ କରି ଭଲମନ୍ଦ ବୁଝି ପୁରସ୍କାର ପ୍ରଦାନ କରୁଥିଲେ।
ଗଜପତିଙ୍କ ପ୍ରତିମୂର୍ତ୍ତି ପଥରରେ ନିର୍ମାଣ କରିଥିବା ବିଶି ମହାରଣାଙ୍କୁ ଗଙ୍ଗବଂଶ ସୁନାମାଢ଼ ପୁରସ୍କାର ଦେଇଥିଲେ। ମନ୍ଦିର ପ୍ରାଚୀର ନିର୍ମାଣ ଦେଖି ସେ ଖୁସି ହୋଇ ପଥୁରିଆ ସୁନ୍ଦର ମହାପାତ୍ରଙ୍କୁ, ପଥରଜାଲି କରିଥିବା ବିଦ୍ୟାଧର ଓଝାଙ୍କୁ ପୁରସ୍କାର ଦେଇଥିଲେ। ପଥୁରିଆ ସୁନ୍ଦର ମହାପାତ୍ର ପୁରୀ ନିକଟ ଛଇତନା ଗଁାର ଲୋକ। ସେ ୨୪ ପଥୁରିଆଙ୍କ ସହାୟତାରେ ମନ୍ଦିରର ପୂର୍ବଦିଗ ପାହାଚ ନିର୍ମାଣ କରିଥିଲେ। ପାହାଚ ନିର୍ମାଣ ସହିତ ପ୍ରାଚୀର ନିର୍ମାଣ ଶେଷ ହୋଇଥିଲା। ଗଜପତିଙ୍କ ଅ୮ଙ୍କ କୁମ୍ଭ ୧୭ ଦିନରେ।
ପୁରସ୍କାର ବାବଦରେ କେବଳ ସୁନା, ରୁପା, କୁଣ୍ଡଳ, ଖଡ଼ୁ, ପାଟ, ମକୁଟା ଓ ପଗଡ଼ି ପ୍ରଦାନ କରାଯାଇଥିଲା ତାହା ନୁହେଁ, ଭୂମି ମଧ୍ୟ ପ୍ରଦାନ କରାଯାଉଥିଲା। ଏପରିକି ତ୍ୟାଗର ପରାକାଷ୍ଠା ସ୍ବରୂପ ଗ୍ରାମ ଦାନ ପୁରସ୍କାର ଆକାରରେ ଦିଆଯାଇଥିଲା। ସେଇଠି ପୁରସ୍କାର ଅଟକି ଯାଇ ନ ଥିଲା। ପୁରସ୍କାର ସ୍ବରୂପ ‘ଉପାଧି’ ବି ଦିଆଯାଉଥିଲା। ଭିଙ୍ଗୁରାଗଡ଼ (ବର୍ତ୍ତମାନ ଏହି ଗଡ଼ ପରିଚିତ ହେଉଛି ଗଡ଼ଭିଙ୍ଗୁରା ଭାବରେ) ନାୟକଙ୍କ ସାଙ୍ଗିଆ ଥିଲା ‘ମହାରଥୀ’। ସେ ସମଗ୍ର ଓଡ୍ର ଭୂଖଣ୍ଡରୁ ମନ୍ଦିର ନିର୍ମାଣ ପାଇଁ ବଛା ବଛା ଶିଳ୍ପୀଙ୍କୁ ମନୋନୀତ କରି କୋଣାର୍କରେ ପହଞ୍ଚାଇଥିଲେ। ସେଥିପାଇଁ- ତାଙ୍କୁ ‘ମହାନାୟକ’ ଉପାଧି ଦିଆଯାଇଥିଲା। ଭିଙ୍ଗୁରାଗଡ଼ ମହାନାୟକ ମହାରଥୀ ଭାବରେ ସେ ପରିଚିତ ହେଲେ।
– ଶ୍ରୀପଦ୍ମକେଶର ମନ୍ଦିରରେ ଉପାସନା ଆରମ୍ଭ ହେବା ପରେ ମନ୍ଦିର ସେବାର ତଦାରଖ ଦାୟିତ୍ୱ ଏହାଙ୍କୁ ଦିଆଯାଇଥିଲା। ଭିଙ୍ଗୁରାଗଡ଼ ମହାନାୟକଙ୍କୁ କେବଳ ଅଧିକାର ମିଳିଥିଲା ଭୋଗବେଳେ ସୁନା ବେତ ଧରି ଠିଆ ହୋଇ ଜଗିବା ପାଇଁ। ଏହି ସୁନା ବେତ ୨୭ ତୋଳା ସୁନାରେ ତିଆରି ହୋଇଥିଲା। ଏହା ହେଉଛି ଶିଳ୍ପୀଙ୍କର ତଥା ସହଯୋଗୀଙ୍କ ମନୋବଳ ବଢ଼େଇବାର ଗୋଟିଏ ଗୋଟିଏ ଉଦାହରଣ। ମନ୍ଦିର ନିର୍ମାଣବେଳେ ଅଘଟଣ ଘଟିଛି। ରୋଗ ବ୍ୟାଧିରେ କେହି କେହି ଶିବିରରେ ଦେହତ୍ୟାଗ କରିଛନ୍ତି। ମାତ୍ର ସେମାନଙ୍କୁ ତଥା ସେମାନଙ୍କ ପରିବାରକୁ ହତାଦର କରାଯାଇ ନାହିଁ। ମୁଖ୍ୟ ପଥରଶିଳ୍ପୀ ମୁକୁନ୍ଦ ମହାପାତ୍ର ନିମୋନିଆରେ ଚାଲିଗଲେ। ତାଙ୍କ ସତ୍କାର ପାଇଁ ପୁଅ ଧଡ଼ିଆଙ୍କୁ ଦୁଇମାଢ଼ ସୁନା, ପୁଣି ଅକାଳ ମୃତ୍ୟୁ ପାଇଁ ୩୦ ମାଢ଼ ସୁନା ଦିଆଯାଇଥିଲା। ଯାହାଦ୍ୱାରା ପାରିବାରିକ ସମସ୍ୟାର ନିରାକରଣ ହୋଇପାରିବ। ଆଉ ବିଘ୍ନ ଶିଳ୍ପୀମାନଙ୍କ ଉପରେ ନ ଆସୁ ସେଥିପାଇଁ ‘ଅପସାରଣ ପୂଜା’ କରାଯାଇଥିଲା ବ୍ରାହ୍ମଣ ପୁରୋହିତମାନଙ୍କ ଦ୍ୱାରା। ଦେବୀ ଗଙ୍ଗେଶ୍ୱରୀ ମନ୍ଦିରରେ ଦୁଇ ମାଢ଼ ଖର୍ଚ୍ଚ କରାଯାଇ ଚଣ୍ଡୀପାଠ କରାଯାଇଥିଲା। ଇୟେ କ’ଣ ଶିଳ୍ପୀଙ୍କୁ ନିର୍ଯାତନା ବା ଅବହେଳା କରିବାର ନିଦର୍ଶନ ନା ସହଯୋଗର ନିଦର୍ଶନ!!
ସେ ସମୟରେ ମୟୂରଭଞ୍ଜର ରାଜା ଥିଲେ ଚକ୍ରଧର ଭଞ୍ଜ। ସେ ମଧ୍ୟ କୋଣାର୍କଠାରେ ନିର୍ମାଣ ହେଉଥିବା ମନ୍ଦିର ପାଇଁ ଯେପରି ସହଯୋଗର ହାତ ବଢ଼ାଇଥିଲେ ତାହା ସ୍ମରଣଯୋଗ୍ୟ। ଦଶଜଣ ଶିଳ୍ପୀ ପଠାଇଥିଲେ ମୟୂରଭଞ୍ଜରୁ କେବଳ ସୂକ୍ଷ୍ମ କାରୁକାର୍ଯ୍ୟ କରିବା ପାଇଁ। ଖର୍ଚ୍ଚ ତ ଦିଆଗଲା, କିନ୍ତୁ ଗଜପତିଙ୍କ ଆଦେଶରେ ତାଙ୍କ ସମ୍ମାନ ସ୍ବରୂପ ୧୨ଯୋଡ଼ା ଧୋତି ବି ଦିଆଯାଇଥିଲା। ସେମାନେ ବିଦ୍ୟାଧର ମହାରଣାଙ୍କ ନେତୃତ୍ୱରେ ଜାଲି ଭାସ୍କର୍ଯ୍ୟ କାମରେ ସହଯୋଗ କରିଥିଲେ।
ଓଡ଼ିଶାର ଶିଳ୍ପୀମାନେ ଶୃଙ୍ଖଳାର ସହ ନିଷ୍ଠାବାନ ହୋଇ ସେତେବେଳେ ମନ୍ଦିର ନିର୍ମାଣକାର୍ଯ୍ୟକୁ ନିର୍ବିଘ୍ନରେ କରିବା ପାଇଁ ବଦ୍ଧପରିକର ଥିଲେ। ସେତିକି ତ୍ୟାଗ ମାନସିକତା ନ ଥିଲେ ଗୋଟାଏ ଜାତିର ସର୍ବଶ୍ରେଷ୍ଠ କଳାନୈପୁଣ୍ୟ ପାଇଁ ଏମାନେ ଜୀବନକୁ ଉତ୍ସର୍ଗ କରି ନ ଥାନ୍ତେ। ବାସ୍ତବରେ ଏମାନେ ୧୨ ବର୍ଷ କାମ କରି ନ ଥିଲେ। ଉପାସନା ଆରମ୍ଭ ହେବା ପରେ ବି କାମ ଅବ୍ୟାହତ ରହିଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri