ପୁରୁଣା ଭୁବନେଶ୍ୱର,୨୪ା୪ (ଡି.ଏନ୍.ଏ.): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଭିତର ଓ ବାହାର ଚନ୍ଦନ ଅନୁଷ୍ଠିତ ହୋଇଛି। ଦୈନିକ ନୀତି ଭୋଗମଣ୍ଡପ ସରିବା ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପରେ ମହାସ୍ନାନ ପୂଜା କରାଯାଇଥିଲା। ଏହା ପରେ ପାଳିଆ ବଡୁ ସେବକ ଦିଅଁକୁ ସ୍ନାନ କରାଇଥିଲେ। ପୂଜାପଣ୍ଡା ସେବକ ଏକ ରୁପା ଗିନାରେ ସୁଗନ୍ଧିତ ଚନ୍ଦନ ଧରି ବେଢା ପରିକ୍ରମା କରିଥିଲେ। ଉକ୍ତ ଚନ୍ଦନକୁ ଶ୍ରୀଜିଉଙ୍କୁ ଲାଗି କରିସାରିବା ପରେ ବେଶ କରାଯାଇଥିଲା। ପରେ ଯାତ୍ରା ପୂଜା ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନେ ଆଜ୍ଞା ପ୍ରସାଦ ନେଇ ବିମାନ ଓ ପାଲିଙ୍ଗିରେ ବିଜେ କରିଥିଲେ। ଏହା ପରେ ଦ୍ୱିପ୍ରହର ଧୂପ ଏବଂ ଠାକୁରାଣୀ ଦ୍ୱିପ୍ରହର ଧୂପ କରାଯାଇ ମନ୍ଦିର ପହଡ଼ ପଡିଥିଲା। ପରେ ଶ୍ରୀଜୀଉମାନେ ସେବକମାନଙ୍କ ଗହଣରେ ବିନ୍ଦୁ ସାଗରକୁ ଯାତ୍ରା କରିଥିଲେ। ଚାପରେ ପୂଜା ପଣ୍ଡା ସେବକ ଛେରା ପହଁରା କରିଥିଲେ। ସିଂହାସନ ଉପବିଷ୍ଟ ପରେ ଶ୍ରୀଜୀଉମାନଙ୍କୁ ମଠ ଘାଟରେ ପୂଜା କରାଯାଇଥିଲା। ଏହାପରେ ପୂଜା କରାଯାଇ ଅଷ୍ଟଶମ୍ଭୁ ନାମରେ ଭଉଁରୀ କରାଯାଇଥିଲା। ଏହା ପରେ ଜଗତିକୁ ଠାକୁର ଓ ଠାକୁରାଣୀ ପାଇଥିଲେ। ସେଠାରେ ସମର୍ଥା ସେବକ ପତାକା ଳଗାଇସାରିବା ପରେ ସିଂହାସନକୁ ବିଜେ କରିଥିଲେ। ଦ୍ୱିପ୍ରହର ଧୂପ ପରେ ଚନ୍ଦନ କୁଣ୍ଡରେ ବୁଡା ଯାଇଥିଲା। ପୂଜାପଣ୍ଡା ସେବକ ଫୁଲ ଚନ୍ଦନକୁ ମନ୍ତ୍ରରେ ସୁଦ୍ଧି କରି ସ୍ନାନ କରାଇଥିଲେ। ଏହାପରେ ସନ୍ଧ୍ୟା ଧୂପରେ ମନ୍ଦିର ପର୍ବ ଯାତ୍ରା ବିଶୋଇଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡୁଅ, କାକରା ସୋଧୁଅ ଭୋଗ କରାଯାଇଥିଲା। ପରେ ପୁନଃ ଚାପକୁ ବିଜେ କରି ଅଷ୍ଟ ଚଣ୍ଡୀଙ୍କ ନାମରେ ଭଉଁରୀ ଖେଳି ବିଶ୍ରାମଘାଟକୁ ବିଜେ କରିଥିଲେ। ପରେ ଭୋଗ ଖାଇ ଠାକୁର ସ୍ବମନ୍ଦିର ଫେରିଥିଲେ।


