ଯୁବଗୋଷ୍ଠୀର ବୃତ୍ତି ଓ ପ୍ରବୃତ୍ତି

ମନ-ମାନଚିତ୍ର/ ଡ. ନରହରି ବେହେରା
ସେଦିନ ଭୁବନେଶ୍ୱରରୁ ଫେରିବାବେଳେ ଭଣ୍ଡାରିପୋଖରୀ ପରେ ରାସ୍ତାପାଖରେ ଗୋଟିଏ ଛୋଟ ରେଷ୍ଟୁରାଣ୍ଟ ଭିତରକୁ ପଶିଗଲି। ରେଷ୍ଟୁରାଣ୍ଟଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ ଏବଂ ରୁଚିପୂର୍ଣ୍ଣ ଥିଲା। ଆଧୁନିକ ସାଜସଜ୍ଜାର ମଧ୍ୟ ବ୍ୟବସ୍ଥା ଥିଲା। ଖାଇସାରି ବିଲ୍‌ ପୈଠ କରିବା ପାଇଁ କାଉଣ୍ଟର ନିକଟରେ ଠିଆ ହୋଇ ଟଙ୍କା ଦେବାବେଳେ ସେଠାରେ ବସିଥିବା ଯୁବକ ଜଣକ ଠିଆ ହୋଇପଡ଼ି ମୋତେ ନମସ୍କାର ଜଣାଇଲା। ମିଲ୍‌ ବାବଦକୁ ଟଙ୍କା ନେବାକୁ ମଧ୍ୟ ମନା କଲା। ମୁଁ କିଛି ବୁଝିପାରିଲିନି। ଶିକ୍ଷକତା କରୁଥିବାବେଳେ ଏ ଯୁବକ ଛାତ୍ର ଥିବାର ମଁୁ ମନେପକାଇ ପାରିଲିନି। ଦୂର ସମ୍ପର୍କୀୟ ବି ନୁହେଁ। ଏ ଯୁବକ ଜଣକ ହୁଏତ ଭୁଲରେ ମୋତେ ଆଉ କେହି ବୋଲି ଭାବି ନେଇଛି। ମୋ ଭାବନାକୁ ବାଧାଦେଇ ଯୁବକଟି କହିଲା, ସାର୍‌, ମୋତେ ବୋଧେ ଚିହ୍ନି ପାରୁନାହାନ୍ତି। ଆପଣ ଫ୍ରି ଅଛନ୍ତି? ପାଞ୍ଚ ମିନିଟ୍‌ କଥା ହେଇଥାନ୍ତି। ମୁଁ ସମ୍ମତି ଜଣାଇବାରୁ ସେ ଜଣେ ବୟ୍‌କୁ ଡାକି ତା’ ସହ ମୋତେ ଏସି ଲାଗିଥିବା ଗୋଟିଏ ସ୍ପେଶାଲ ରୁମ୍‌ ଭିତରକୁ ପଠାଇଦେଲା।
ମୁଁ ରୁମ୍‌ ଭିତରେ ବସିବାର ଅଳ୍ପ ସମୟ ଭିତରେ ସେ ଆସି ମୋ ପାଦଛୁଇଁ ନମସ୍କାର କରି ଆଗରେ ପଡ଼ିଥିବା ଗୋଟିଏ ଚୌକିରେ ବସିପଡ଼ିଲା। ମୋ ଆଶ୍ଚଯର୍ର୍‌ୟର ସୀମା ନ ଥିଲା। ମୋର ସକଳ ସ୍ମୃତି ସେ ଯୁବକକୁ ମାନସପଟରେ ଖୋଜି ପାଇଲିନି। ସେ ତା’ ଆଡ଼ୁ ନିଜ ନାଁ ଗାଁ ପରିଚୟ ଦେଇ କହିଲା- ସାର୍‌, ଆଜକୁ ପ୍ରାୟ ପାଞ୍ଚବର୍ଷ ତଳେ ଆପଣଙ୍କ ଅଫିସ୍‌କୁ ଯାଇ ଗୋଟେ ଚାକିରି ଯୋଗାଡ଼ କରିଦେବାକୁ ଅନୁରୋଧ କରିଥିଲି। ମାସକୁ ପାଞ୍ଚ ହଜାର ଟଙ୍କା ହେଲେ ବି ଚଳିବ। ମୋର ଶିକ୍ଷାଗତ ଯୋଗ୍ୟତା ଆଇ.ଏ. ଥିବାରୁ କୌଣସି ଚାକିରି ମୋ ପାଇଁ ନ ଥିଲା। ମାତ୍ର ଆପଣ ମୋତେ ଜିଇବାର ବାଟ ବତେଇ ଦେଲେ, ଯୋଉଥିପାଇଁ ଆଜି ମୁଁ ଏଇଠି ପହଞ୍ଚତ୍ପାରିଛି। ଆପଣ ସେଦିନ ମୋତେ କହିଥିଲେ, ପାଞ୍ଚହଜାର ଟଙ୍କା ପାଇଲେ କ’ଣ ନିଜ କୁଟୁମ୍ବ ପୋଷିପାରିବ? ତୁମେ କାହିଁକି ଆମତ୍ନିର୍ଭରଶୀଳ ହୋଇ ଚଳିବାକୁ ଚେଷ୍ଟା କରୁନାହଁ। ବର୍ତ୍ତମାନ ସରକାରଙ୍କ ତରଫରୁ ଚାଲୁଥିବା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାରେ ଟ୍ରେନିଂ ନେଇ ଅନ୍ୟ ପାଇଁ ଆଦର୍ଶ କାହିଁକି ହେଉନାହଁ? ଆପଣଙ୍କ ପରାମର୍ଶକ୍ରମେ ମୁଁ ସେଦିନ ନିଜ ଗୋଡ଼ରେ ନିଜେ ଠିଆ ହେବି ବୋଲି ମନେ ମନେ ସ୍ଥିର କରିଥିଲି। ହସ୍‌ପିଟାଲିଟିରେ ଟ୍ରେନିଂ ନେଇ ସରକାରଙ୍କଠୁ ଲୋନ୍‌ ଆଣି ଏଇ ହୋଟେଲଟି କରିଛି। ଆପଣଙ୍କ ଦୟାରୁ ସାର୍‌, ଭଲରେ ସଂସାର ଚାଲିଛି। ଏଇ ସେ ଆଗରେ ବିଲ୍‌ଡିଂଟିଏ କରିଛି। ସେଇଠି ରହୁଛି। ଆପଣ ଯେତେବେଳେ ଇଆଡ଼େ ଆସିବେ ନିଶ୍ଚୟ ମୋ ପାଖକୁ ଆସିବେ। ଭୁଲିବେନି ସାର୍‌। ଆପଣ ସେଦିନ କେଇପଦ ଉପଦେଶ ଦେଇ ନ ଥିଲେ, ମୁଁ ଆଜି ସେଇମିତି ରହିଥାନ୍ତି। କୋଉ ଲୁଗା ଦୋକାନରେ କି ଅଫିସ୍‌ରେ ପାଞ୍ଚ ଦଶ ହଜାର ଟଙ୍କାରେ ଖଟୁଥାନ୍ତି।
ଯୁବକର ନମ୍ରତା ଏବଂ ମୋ ପ୍ରତି ଥିବା ଅକୃତ୍ରିମ ଶ୍ରଦ୍ଧାରେ ମୁଁ ଅଭିଭୂତ ହୋଇପଡ଼ିଲି। ମନେପଡ଼ିଗଲା, ମହାଭାରତର ସେ ଏକଲବ୍ୟ କଥା। ଦ୍ରୋଣ ତାକୁ ରାଜପୁତ୍ରଙ୍କ ସହିତ ଶିକ୍ଷାଦେବାକୁ ମନା କରିଦେଇଥିଲେ। ପଛକୁ ଫେରି ନ ଥିଲା ଏକଲବ୍ୟ। ନିଜର କଠୋର ସାଧନା ଏବଂ ଅଧ୍ୟବସାୟ ପାଇଁ ନିଜେ ଯୋଦ୍ଧା ହୋଇଥିଲେ ବି କୌଣସି ଅହଙ୍କାର ନ ରଖି ସେ ହସି ହସି ଡାହାଣ ହାତର ବୃଦ୍ଧ ଅଙ୍ଗୁଳିଟିକୁ କାଟି ଦେଇଥିଲା। ସେହିପରି ଏ ଯୁବକ ପାଇଁ କିଛି କରି ନ ଥିଲେ ବି ମୋର କେଇପଦ କଥାକୁ ଗଣ୍ଠିଧନ କରି ପାଞ୍ଚବର୍ଷ କାଳ ସଂଘର୍ଷମୟ ଜୀବନରେ ଗତିକରି ନିଜ ପାଦରେ ଠିଆ ହୋଇଛି। କିଛି ଯୁବକଙ୍କୁ ଅନ୍ନସଂସ୍ଥାନର ବ୍ୟବସ୍ଥା କରିଛି, ମାତ୍ର ସକଳ ଶ୍ରେୟ ମୋତେ ଦେଉଛି। ଯୁବକଟିର ଏହି ପ୍ରୟାସ ମୋତେ ଖୁବ୍‌ ଆନନ୍ଦ ଦେଇଥିଲା।
ଆଜିର ଯୁବସମାଜ ସେହି ଯୁବକଙ୍କଠାରୁ ଯଦି ଏହି ପ୍ରେରଣା ଟିକକ ଗ୍ରହଣ କରିପାରନ୍ତେ ତେବେ ସେମାନଙ୍କୁ ହତାଶାବୋଧ ଆଦୌ ଗ୍ରାସ କରନ୍ତା ନାହିଁ। ଆଜିକାଲି ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ଯୁବଗୋଷ୍ଠୀଙ୍କୁ କେବଳ ଚାକିରି ନିଶା ହିଁ ଘାରିଛି। ଚାକିରି ନ ମିଳିଲେ ସେମାନେ ହତାଶ ହୋଇପଡ଼ୁଛନ୍ତି। ବଞ୍ଚତ୍ବା ପାଇଁ ଯେ ଅନେକ ଉପାୟ ଅଛି, ଏକଥା ସେମାନେ ଭାବି ପାରୁନାହାନ୍ତି। କେବଳ ସେତିକି ନୁହେଁ ଚାକିରି ନ ମିଳିଲେ ସେମାନେ ନାନାପ୍ରକାର ଅସାମାଜିକ କାର୍ଯ୍ୟରେ ପ୍ରବୃତ୍ତ ହେଉଥିବାର ଦେଖାଯାଉଛି। ସହଜରେ ଅଧିକ ଉପାର୍ଜନ କରି ରାତାରାତି ଧନୀ ହେବାର ସ୍ବପ୍ନ ଦେଖୁଛନ୍ତି। ନିକଟ ଅତୀତରେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ କରିବା ଅଭିଯୋଗରେ ପୋଲିସ ଯେଉଁମାନଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ଦୁଇଜଣ ଇଞ୍ଜିନିୟର ଛାତ୍ର ଥିବାର ଜଣାପଡ଼ିଥିଲା। ଯେଉଁ ଯୁବକମାନେ ଉଚ୍ଚ ଶିକ୍ଷିତ ହେବାର ସ୍ବପ୍ନ ଦେଖୁଥିଲେ, ଦେଶ ସେମାନଙ୍କଠାରୁ ଅନେକ କିଛି ଆଶା କରୁଥିଲା; ସେମାନେ ଯଦି ଲୁଟେରା ହୁଅନ୍ତି- ଏହାଠାରୁ ଦୁର୍ଭାଗ୍ୟ ଏ ଦେଶ ପାଇଁ କ’ଣ ଅଛି? ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକଙ୍କର ଗୋଟିଏ ଉକ୍ତି ମନେପଡ଼ୁଛି। ଏ ପ୍ରାବନ୍ଧିକ ବାଣୀବିହାରରେ ପଢ଼ୁଥିବାବେଳେ ବିଜୁବାବୁ ଛାତ୍ର ସଂସଦର ବାର୍ଷିକ ଉତ୍ସବକୁ ଥରେ ଅତିଥି ହୋଇ ଆସିଥିଲେ। ସେତେବେଳେ ସେ ବିରୋଧୀ ଦଳର ନେତା। ବାଣୀବିହାର ପ୍ରେକ୍ଷାଳୟରେ ଭାଷଣ ଦେବା ପାଇଁ ଆରମ୍ଭ କରିବା ବେଳେ ସେ ଲକ୍ଷ୍ୟକଲେ କିଛି ଯୁବକ ଦୁଇ ପକେଟରେ ହାତପୂରାଇ ଠିଆ ହୋଇଛନ୍ତି। ସେ କହିବାକୁ ଆରମ୍ଭ କଲେ- ମୋ ଦେଶର ଦୁର୍ଭାଗ୍ୟ ହେଉଛି ଯୁବକମାନେ ନିଜର ଦୁଇହାତକୁ କି କାମରେ ଲଗେଇବେ ଜାଣି ନ ପାରି ତା’କୁ ପକେଟରେ ପୂରାଇ ବୁଲୁଛନ୍ତି। ଏ ଦେଶର ଭାଗ୍ୟ ବଦଳିବ କେମିତି? ଯେଉଁଦିନ ଏ ଯୁବକମାନେ ନିଜ ହାତକୁ ଠିକଣା ଭାବରେ କାମରେ ଲଗେଇପାରିବେ ସେଦିନ ହିଁ ମୋ ଦେଶର ଭାଗ୍ୟ ବଦଳିଯିବ।
ବିଜୁବାବୁଙ୍କର ଏ ଉକ୍ତି ପ୍ରତ୍ୟେକ ଯୁବକଙ୍କ ପାଇଁ ପ୍ରେରଣାଦାୟକ ବୋଲି ମନେହୁଏ। ଯୁବକମାନେ ହିଁ ଏ ଦେଶର ଭାଗ୍ୟନିର୍ମାତା। ରାଜନେତାଙ୍କ ପଛରେ ଧାଇଁ ଧାଇଁ କିମ୍ବା କେଉଁଠି ପାଞ୍ଚ ଦଶ ହଜାର ଟଙ୍କାରେ ଚାକିରିଟେ କରି ହୁଏତ ସେମାନେ ପେଟ ପୋଷି ପାରିବେ, ମାତ୍ର ସ୍ବାଧୀନ ଭାବରେ କିଛି କରିବାର କ୍ଷମତା ହରାଇ ବସିବେ। ବୟସ ଗଡ଼ିଗଲା ପରେ ନିଜକୁ ଠିଆ କରାଇବାର ଅବସର ମିଳିବ ନାହିଁ।
ଏ ବିଶ୍ୱରେ ଅନେକ ବ୍ୟକ୍ତି ନିଜ ସାଧନା ବଳରେ ସଫଳ ଉଦ୍ୟୋଗୀ, ରାଜନୀତିଜ୍ଞ, ବୈଜ୍ଞାନିକ ପ୍ରଭୃତି ହୋଇପାରିଛନ୍ତି। ଏହି ସଫଳତା ପଛରେ ସେମାନଙ୍କର ଥିଲା ଆମତ୍ବିଶ୍ୱାସ, ନିରବଚ୍ଛିନ୍ନ ସାଧନା ଓ ଧୈର୍ଯ୍ୟ। ମନେରଖିବା ଉଚିତ ହତାଶା, ଧୈର୍ଯ୍ୟହୀନତା ଏବଂ ଅସଂଯତ ଭାବନା ହିଁ ସିଦ୍ଧିର ପ୍ରଧାନ ପ୍ରତିବନ୍ଧକ। କଷ୍ଟ ସ୍ବୀକାର କରି ସଫଳତାର ଶୀର୍ଷରେ ଉପନୀତ ହେବାର ବହୁଳ ଦୃଷ୍ଟାନ୍ତ ଏ ବିଶ୍ୱରେ ଅଛି। କେତୋଟି ଉଦାହରଣ ଦିଆଯାଇପାରେ, ଆଜି ଭାରତବର୍ଷରେ ପ୍ରତିଷ୍ଠିତ ରିଲାଏନସ୍‌ କମ୍ପାନୀର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀ ମାତ୍ର ଷୋଳ ବର୍ଷ ବୟସରେ ୟେମେନ୍‌ରେ ଜଣେ ସାଧାରଣ କିରାଣି ଭାବରେ କାମ କରିଥିଲେ। ମାତ୍ର ତାଙ୍କୁ ଏ ବୃତ୍ତି ବାନ୍ଧିପାରିଲା ନାହିଁ। ସେ ଭାରତ ପଳାଇ ଆସି ଜଣେ ବନ୍ଧୁଙ୍କ ସହିତ ମିଶି ବେପାର ଆରମ୍ଭ କଲେ। ଅଧାରୁ ତାଙ୍କ ବନ୍ଧୁ ତାଙ୍କୁ ଛାଡ଼ି ଚାଲିଗଲେ। ଧୀରୁଭାଇ ପଛକୁ ହଟିଲେ ନାହିଁ। ତାଙ୍କର ନିଷ୍ଠା ଏବଂ ଆମତ୍ବିଶ୍ୱାସ ତାଙ୍କୁ ଆଜି ବିଶ୍ୱରେ ଜଣେ ଧନୀ ବ୍ୟକ୍ତି ଭାବରେ ପରିଚିତ କରାଇପାରିଛି। ଅରୁଣିମା ସିହ୍ନା ଥରେ ଦୁର୍ବୃତ୍ତଙ୍କ ଦ୍ୱାରା ଶିକାର ହୋଇ ଦୁଇଟି ଗୋଡ଼ ହରାଇଥିଲେ। ମାତ୍ର ଏଭରେଷ୍ଟ ଆରୋହଣର ଇଚ୍ଛା ତାଙ୍କର ପ୍ରଶମିତ ହେଲାନାହିଁ। ସେ ବଚ୍ଛେନ୍ଦ୍ରୀ ପାଲଙ୍କ ପରାମର୍ଶ କ୍ରମେ ଏଭରେଷ୍ଟ ଆରୋହଣ କରି ସଫଳ ହୋଇଥିଲେ। ମାତ୍ର ପାଞ୍ଚ ବର୍ଷ ବୟସରେ ମାଆକୁ ହରାଇ ଜଣେ କଣ୍ଡକ୍ଟର ଭାବରେ ଜୀବିକା ନିର୍ବାହ କରୁଥିଲେ ରଜନୀକାନ୍ତ। ଏ ବୃତ୍ତିରେ ଥାଇ ବି ଜଣେ କଳାକାର ହେବାର ପ୍ରବୃତ୍ତି ତାଙ୍କ ଭିତରେ ଲୁଚି ରହିଥିଲା। ପରବର୍ତ୍ତୀ ସମୟରେ ବହୁ ପରିଶ୍ରମ କରି ଏବେ ସେ ଜଣେ ପଦ୍ମବିଭୂଷଣ ଉପାଧିପ୍ରାପ୍ତ ଆଗଧାଡ଼ିର କଳାକାର ହୋଇପାରିଛନ୍ତି। ଏହା ହିଁ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ପାର୍ଥକ୍ୟ। ବୃତ୍ତି ବଞ୍ଚତ୍ବାର ମାର୍ଗ, ମାତ୍ର ଉତ୍ତମ ବାଟରେ ପରିଚାଳିତ ପ୍ରବୃତ୍ତି ସଫଳତାର ଚାବିକାଠି।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri