କମୁନି ଗରିବୀ

ହରିଶଙ୍କର ମିଶ୍ର
ସୂର୍ଯ୍ୟକିରଣ କେବଳ ଜଳୀୟ ଉତ୍ସକୁ ବାଷ୍ପ କରାଏ। ସେଇ ବାଷ୍ପ ମେଘ ହୋଇ ପର୍ବତଠାରୁ ସମୁଦ୍ର ଯାଏ ବର୍ଷିଯାଏ। ଉଚିତ ରାଜଧର୍ମରେ ସେପରି କେବଳ ଧନୀଙ୍କଠାରୁ ଟିକସ ଆଦାୟ କରାଯାଇ ସାମୂହିକ କଲ୍ୟାଣ କରାଯାଇଥାଏ। ଦେଶ ସ୍ବାଧୀନ ହେବା ପରେ ସାମୂହିକ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ ବିଭାଗ କାର୍ଯ୍ୟକ୍ଷମ ହୋଇଥିଲା। ୧୯୭୭ ମସିହାରେ ଦେଶରେ ଗଠିତ ପ୍ରଥମ ଅଣକଂଗ୍ରେସ ସରକାର ପ୍ରତ୍ୟେକ ଗ୍ରାମର ପାଞ୍ଚୋଟି ଗରିବତମ ପରିବାର ପାଇଁ ଅନ୍ତ୍ୟୋଦୟ ଯୋଜନା ସହ ଯଥେଷ୍ଟ ରିହାତି ଦରରେ ଚାଉଳ, ଗହମ ଦେଇ ପ୍ରତିବଦଳରେ ଶ୍ରମ ଭିତ୍ତିକ କାର୍ଯ୍ୟ କରାଇଲେ।
୧୯୮୦ ମସିହାରେ କଂଗ୍ରେସ ପୁନଃ କ୍ଷମତା ଲାଭ କଲା। ଗରିବୀ ହଟାଅ ସେଇ ଦଳର ପୂର୍ବ ଡାକରା ଥିବାରୁ ଅନେକ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରାଗଲା। ବୈଷୟିକ ତାଲିମ ଦିଆଯାଇ ଗାଈ, କୁକୁଡ଼ା ପାଳନ, ଗ୍ରାମୀଣ ଶିଳ୍ପ, ଫଳ, ମାଛଚାଷ ଏବଂ ବିବିଧ ବ୍ୟବସାୟ ପାଇଁ ଆର୍ଥିକ ସାହାଯ୍ୟ ଦିଆଗଲା। ଭୂମିହୀନଙ୍କ ପାଇଁ କେନାଲ କୂଳର ୨୦ଟି ନଡ଼ିଆଗଛର ମାଲିକାନା ମଧ୍ୟ ଦିଆଗଲା। ମୂଳଧନରୁ ପଚାଶ ଶତାଂଶ ପର୍ଯ୍ୟନ୍ତ ଛାଡ଼ କରାଯାଇ ଅଳ୍ପ ସୁଧରେ ବ୍ୟାଙ୍କ ଋଣ ମଞ୍ଜୁର କରାଗଲା। ପୂର୍ବରୁ ବ୍ଲକ ମାଧ୍ୟମରେ ଦିଆଯାଉଥିବା ଗୃହଋଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ପୂର୍ଣ୍ଣ ଅର୍ଥ ସହାୟତାରେ ଇନ୍ଦିରା ଆବାସ ଯୋଜନା ଆରମ୍ଭ ହେଲା।
ତିନି ଦଶନ୍ଧି, ଶତାଧିକ ଯୋଜନା ଏବଂ ବହୁ ଲକ୍ଷ କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଗରିବଙ୍କର ଆର୍ଥିକ ପ୍ରଗତି କାଗଜପତ୍ରରେ ଯେତେ ବଢ଼ିଲେ ବି ଗରିବଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଲା। ବ୍ୟାଙ୍କ ଋଣ ପରିଶୋଧ ନ ହେବାରୁ ତାହା ସରକାରଙ୍କ ଦେୟ ହୋଇଗଲା। ସରକାରୀ ଅର୍ଥ ଦୁରୁପଯୋଗକାରୀଙ୍କୁ ଦଣ୍ଡ ପରିବର୍ତ୍ତେ ପୁନଃ ସର୍ବେକ୍ଷଣରେ ସେମାନଙ୍କୁ ଗରିବ ଦର୍ଶାଯାଇ ଆର୍ଥିକ ସୀମା ନିର୍ଦ୍ଧାରଣ କରାଗଲା। ସେମାନଙ୍କ ପାଇଁ ମାଗଣା ବହୁବିଧ ସୁଯୋଗ ରଖାଯିବାରୁ ଦରିଦ୍ର ତାଲିକାଭୁକ୍ତ ହେବାକୁ କଳବଳକୌଶଳ ଓ ଚାପ ପ୍ରୟୋଗ କରାଗଲା। ପୂର୍ବର ଖାଦ୍ୟ ପାଇଁ କାର୍ଯ୍ୟ ଯୋଜନା ବନ୍ଦ କରାଯାଇ ସାମାଜିକ ଖାଦ୍ୟ ସୁରକ୍ଷା ନିୟମରେ କି.ଗ୍ରା. ପ୍ରତି ତିନି ଟଙ୍କାରେ ଖାଉଟି କାର୍ଡ ମାଧ୍ୟମରେ ଖାଦ୍ୟ ପ୍ରଦାନ କରାଗଲା, ଯାହାକି ଆମ ରାଜ୍ୟରେ ପରେ ଯଥାକ୍ରମେ ଦୁଇ ଟଙ୍କା ଓ ଏକ ଟଙ୍କାରେ ଦିଆଯିବାର ଉଦ୍ଦେଶ୍ୟ ଓ ସଫଳତା ସର୍ବଜନବିଦିତ। ବିଭିନ୍ନ ଯୋଜନାରେ ରାଜ୍ୟରେ ଏ ଯାବତ୍‌ ୫୦ ଲକ୍ଷରୁ ଅଧିକ ଘର ତିଆରି ସତ୍ତ୍ୱେ ଗୃହହୀନଙ୍କ ସଂଖ୍ୟା ବଢ଼ି ଚାଲିଛି। ଆମ ରାଜ୍ୟରେ ଏବେ ୩,୨୨,୫୫,୦୦ ପରିବାର ଟଙ୍କିକିଆ ଚାଉଳ, ଗହମ ଏବଂ ୭ ଲକ୍ଷ ପରିବାର ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା ଚାଉଳ ପାଉଛନ୍ତି।
ମମତାଠାରୁ ହରିଶ୍ଚନ୍ଦ୍ର, ଆହାରଠାରୁ ମଧ୍ୟାହ୍ନଭୋଜନ, ପୋଷାକଠାରୁ ଲାପ୍‌ଟପ୍‌, ଚିକିତ୍ସା ଓ ଭ୍ରମଣ ସୁଯୋଗ, ଅଙ୍ଗନଓ୍ବାଡି, ମୋ ପୋଖରୀ, ଆବାସିକ ବିଦ୍ୟାଳୟର ନିଃଶୁଳ୍କ ଶିକ୍ଷା, ସ୍ବୟଂ ସହାୟିକା ଓ ଅନ୍ୟାନ୍ୟ ଉପକୃତଙ୍କ ସଂଖ୍ୟା ସ୍ବତଃ ଜଣାଏ ଯେ, ରାଜ୍ୟ ଲୋକସଂଖ୍ୟାର ୮୫ ଶତାଂଶ ଏକାଧିକ ସରକାରୀ ସହାୟତା ପାଉଛନ୍ତି। ଲୋକପ୍ରିୟତା ପାଇଁ ସଂସ୍କୃତିକୁ ବି ମାଧ୍ୟମ କରାଯାଉଛି। ହବିଷ୍ୟ ଯୋଜନାର ପରିକଳ୍ପନା ଓ ଆଦୃତି ଏହାର ଶ୍ରେଷ୍ଠ ନମୁନା। ହିସାବ କିନ୍ତୁ ଅଟକୁଛି ନିର୍ମାଣ ଶ୍ରମିକ ଓ କାଳିଆ ଯୋଜନାର ହିତାଧିକାରୀଙ୍କ ପାଖରେ। ଆତ୍ମସଫଳତା ପାଇଁ ନିର୍ମାଣ ଶ୍ରମିକ ସଂଘ ସମ୍ପାଦକଙ୍କର ପ୍ରସ୍ତାବ ସରକାର ଗ୍ରହଣ କରି ପ୍ରତ୍ୟେକ ନିର୍ମାଣ ଅଟକଳର ଏକ ଶତାଂଶ ଶ୍ରମିକ ସେସ୍‌ ଆଦାୟ କରୁଛନ୍ତି। ଏ ପର୍ଯ୍ୟନ୍ତ ଆଦାୟ ଶ୍ରମିକ ସେସ୍‌ ୨୧୦୦ କୋଟି ଟଙ୍କାରୁ ୧୮୦୦ କୋଟି ସରକାରୀ ଅର୍ଥ ରହିଛି। ରାଜ୍ୟରେ ୨୫ ଲକ୍ଷ ନିର୍ମାଣ ଶ୍ରମିକ ପରିବାରର ୧ କୋଟି ଲୋକଙ୍କୁ ଅର୍ଥନୈତିକ ସହାୟତା ଏହାର ଉଦ୍ଦେଶ୍ୟ ଥିବାରୁ ଜିଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ଦାମୀ ଗାଡ଼ି, ପୋଷାକ ଓ ମୋବାଇଲ ଫୋନ୍‌ଧାରୀ ଯୁବକ ଓ ମହିଳାଙ୍କ ଭିଡ଼ ରହୁଛି। ସରକାରୀ ଅର୍ଥରେ ନିର୍ବାଚନୀ ସଫଳତା ଦେଇଥିବାରୁ ସଂଘ ସମ୍ପାଦକଙ୍କର ରାଜନୈତିକ ଥଇଥାନ ଓ ପତିଆରା ବୃଦ୍ଧି ପାଇଛି। ପ୍ରାକ୍‌ ଆକଳନରେ ରାଜ୍ୟର ୨୬ ଲକ୍ଷ କୃଷି ଶ୍ରମିକ ଓ ୪୧ ଲକ୍ଷ କୃଷକ ଚିହ୍ନଟ ହୋଇଥିଲେ। ମାତ୍ର କାଳିଆ ଯୋଜନାରେ ୫୦ ଲକ୍ଷ କୃଷକ ଓ ୨୫ ଲକ୍ଷ କୃଷି ଶ୍ରମିକଙ୍କୁ ଉପକୃତ କରାଇବା ଲକ୍ଷ୍ୟରେ ପ୍ରଥମେ ୫୩ ଲକ୍ଷ ପରିବାରଙ୍କୁ ଅର୍ଥ ଦିଆଯାଇଛି। ପରିବାର ପିଛା ପାଞ୍ଚ ଜଣ ହିସାବରେ ହିତାଧିକାରୀଙ୍କ ସଂଖ୍ୟା ୩ କୋଟି ୭୫ ଲକ୍ଷ ହେଉଥିବା ବେଳେ ୧ କୋଟି ନିର୍ମାଣ ଶ୍ରମିକ ପରିବାର ସଦସ୍ୟଙ୍କୁ ମିଶାଇଲେ ୪ କୋଟି ୭୫ ଲକ୍ଷ ହେଉଥିବା ବେଳେ ରାଜ୍ୟ ଲୋକସଂଖ୍ୟା ୪ କୋଟି ୫୦ ଲକ୍ଷ ରହିଛି। ଅର୍ଥାତ୍‌ ରାଜ୍ୟ ଲୋକସଂଖ୍ୟାଠାରୁ ୨୫ ଲକ୍ଷ ଅଧିକ କେବଳ କୃଷି, ନିର୍ମାଣ ଶ୍ରମିକ ଓ କୃଷକଙ୍କ ପରିସଂଖ୍ୟାନର ସତ୍ୟତାକୁ ସ୍ବତଃ ପ୍ରଶ୍ନ କରୁଛି। କୃଷକଙ୍କ ଜୀବିକା ଓ କୃଷିର ଉନ୍ନତି ଯୋଜନାରେ ଶ୍ରମିକଙ୍କୁ ଅର୍ଥ ପ୍ରଦାନ କେବଳ ନିର୍ବାଚନୀ ସଫଳତାକୁ ସ୍ପଷ୍ଟ କରୁଛି। ଗରିବ ସୃଷ୍ଟି କରାଯାଇ ରାଜସ୍ବ ବିନିମୟରେ କ୍ଷମତା ପ୍ରାପ୍ତିର ଧାରା ଗୋଟିଏ ସ୍ବାଭିମାନୀ ଜାତି ମନରେ ଛତ୍ରଖିଆ ଭାବ ସୃଷ୍ଟି କରିସାରିଛି। ଟିକସଦାତାଙ୍କ ଅର୍ଥର ଅସତ୍‌ ବିନିଯୋଗ ମଧ୍ୟ ଜଳ ଜଳ ଦେଖାଯାଉଛି।
୧୧୩, ଗୁଣ୍ଡିଚା ବିହାର, ପୁରୀ, ମୋ-୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri