ଲୋଇସିଂହା,୨୩।୮(ସୁଶାନ୍ତ ବାରିକ)-ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ପକ୍ଷରୁ ସାଲେଭାଟ-ମୂର୍ଶୁଣ୍ଡି ରାସ୍ତାରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ଏକ କାର ଧରାପଡିଛି। ଲୋଇସିଂହା ପୋଲିସ ପ୍ରାୟ ୧୨ କିମି ଗୋଡ଼ାଇ ସମ୍ପୃକ୍ତ ଗାଡ଼ିକୁ ଧରିଛି। ଫେରାର ଚାଲାଣକାରୀଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ ଶନିବାର ଏକ କାର ନଂ. ଓଡ଼ି ୩୩ ଏଏଲ ୭୨୨୩ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଲୋଇସିଂହା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୁବର୍ଣ୍ଣପୁର ଜିଲା ତରଭା ଅଞ୍ଚଳରୁ ଜାତୀୟ ରାଜପଥ ଦେଇ ଉକ୍ତ କାରଟି ଆସୁଥିବା ନେଇ ସୂଚନା ପାଇ ଲୋଇସିଂହା ଥାନା ଅଧିକାରୀ ଯାଜ୍ଞସେନୀ ନାୟକଙ୍କ ନେତୃତ୍ୱରେ ଦୁଇଟି ଟିମ ବିଭିନ୍ନ ଛକରେ ଜଗି ରହିଥିଲେ। ହେଲେ ପୋଲିସକୁ ଦେଖି ଉକ୍ତ କାରଟି ବରଗଡ ପଟକୁ ଦ୍ରୁତ ଗତିରେ ଫେରାର ମାରିଥିଲା। ଉକ୍ତ ଗଞ୍ଜେଇ ବୋଝେଇ କାରଟି ସାଲେଭଟାରୁ ମୁର୍ଷୁଣ୍ଡି ରାସ୍ତାରେ ଫେରାର ହେବାକୁ ଉଦ୍ୟମବେଳେ ରାସ୍ତା ଭୁଲିଯାଇ ଏକ ନାଳ ପାର୍ଶ୍ୱକୁ ଚାଲିଯାଇଥିଲା। ହେଲେ ଚାଲାଣକାରୀ ରାସ୍ତା ନ ପାଇ ଗାଡ଼ିକୁ ଛାଡ଼ି ଚମ୍ପଟ ମାରିଥିଲେ।
ଲୋଇସିଂହା ପୋଲିସ କାରକୁ ଜବତ କରିଛି। ମାଜିିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିରେ ଥିବା ଗଞ୍ଜେଇ ମାପ ହେଲା ପରେ କେତେ ଅଛି ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏହି ଗାଡ଼ିକୁ ଏସ୍କର୍ଟ କରୁଥିବା ଏକ ଗାଡ଼ିକୁ ତରଭା ପୋଲିସ ଅଟକ ରଖିଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା କାରର ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି । ଉକ୍ତ କାରରେ ଓକିଲଙ୍କ ଷ୍ଟିକର ରହିଥିବା ଦେଖିବାକୁ ମିଳିଛି ।


