ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର ଛାତ ଢଳେଇ କାମ ଚାଲିଥିବା ବେଳେ ରବିବାର ସକାଳେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ରାଜମିସ୍ତ୍ରୀ ଜଣକ ହେଲେ ଜି.ନାରାୟଣ ଦୋରା(୨୨)। ସକାଳେ ଅନ୍ୟ ଶ୍ରମିକମାନଙ୍କ ସହ ରାଜମିସ୍ତ୍ରୀ ଜଣକ ଛାତ ଉପରେ ଲୁହାଛଡ଼ ସେଣ୍ଟ୍ରିଂ କରୁଥିଲେ। ଘର ଉପର ଦେଇ ଯାଇଥିବା ବିଦ୍ୟୁତ୍ତାର ପ୍ରତି ତାଙ୍କ ନଜର ନ ଥିଲା। ଅସାବଧାନତା କାରଣରୁ ରାଜମିସ୍ତ୍ରୀ ହାତରେ ଧରିଥିବା ଲୁହାଛଡ଼ରେ ବିଦ୍ୟୁତ୍ ପ୍ରବାହିତ ହେବା କାରଣରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


