ଦୂରଦର୍ଶନର କସରତ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଆଜକୁ ଅନେକ ବର୍ଷ ହେଲା, ବିଶେଷତଃ ଡିଜିଟାଲ ମିଡିଆର ଆଗମନ ପରେ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ କେବଳ ଅତୀତକୁ ଝୁରିହେଉଛି। ସରକାର ପରେ ସରକାର ଏହାର ପ୍ରାସଙ୍ଗିକ ହୋଇ ରହିବାର ଚେଷ୍ଟାକୁ ବିଫଳ କରିଆସିଛନ୍ତି, କାରଣ ସେମାନେ ଏହି ପ୍ରସାରଣକାରୀ ସଂସ୍ଥାକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ଚାହିଁଲେ ନାହିଁ। ଏହି ପୁରୁଣା ସଂସ୍ଥାକୁ ବଞ୍ଚେଇ ରଖିବା ପାଇଁ ଏବେ ଆଉ ଥରେ ଚେଷ୍ଟା ହେବା ପରି ମନେହେଉଛି। ପ୍ରାପ୍ତ ସୂଚନା ଅନୁସାରେ ଦୂରଦର୍ଶନର ପୁନର୍ଗଠନ ଓ ନବୀକରଣ କରି ଏହାର ସୃଜନଶୀଳ ଶକ୍ତିକୁ ପୁନରୁଜ୍ଜୀବିତ କରାଯିବ। ଏଥିପାଇଁ ଏକ ଅନୁସନ୍ଧାନ ଓ ଚୟନ କମିଟି ଗଠନ କରାଯାଇଛି। ପ୍ରସାରଭାରତୀ ଅଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ ଏହାର ମୁଖ୍ୟ ଅଛନ୍ତି ଏବଂ ତାଙ୍କୁ ମୁଖ୍ୟ ବିଷୟବସ୍ତୁ ଅଧିକାରୀ (କଣ୍ଟେଣ୍ଟ ଅଫିସର) ଓ ଚାନେଲ ମୁଖ୍ୟ ପଦ ପାଇଁ ଯୋଗ୍ୟ ପ୍ରଫେସନାଲମାନଙ୍କୁ ବାଛିବା କ୍ଷମତା ଦିଆଯାଇଛି। ଦୂରଦର୍ଶନ ନେଟ୍‌ଓ୍ବର୍କରେ ବିଭିନ୍ନ କାର୍ଯ୍ୟକ୍ରମ କେମିତି ଚାଲିବ, ସେଥିପାଇଁ ମୁଖ୍ୟ ବିଷୟବସ୍ତୁ ଅଧିକାରୀ ଦାୟୀ ରହିବେ। ପ୍ରସାରଭାରତୀର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ମଧ୍ୟ ସେମାନଙ୍କର ଦାୟିତ୍ୱ ଭିତରେ ରହିବ। ପ୍ରତ୍ୟେକ ଚାନେଲକୁ ଜଣେ ଜଣେ ବିଷୟବସ୍ତୁ ମୁଖ୍ୟ (କଣ୍ଟେଣ୍ଟ ହେଡ୍‌) ପରିଚାଳନା କରିବେ। ତା’ହେଲେ ଦୂରଦର୍ଶନର ଜାତୀୟ ଓ ଆଞ୍ଚଳିକ ଚାନେଲଗୁଡ଼ିକର କାର୍ଯ୍ୟକ୍ରମଗୁଡ଼ିକରେ ଆମେ କ’ଣ ଆଗକୁ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ପାଇବା? କ୍ୱଚିତ୍‌ ଲୋକ ଏହା ଉପରେ ବାଜି ଲଗାଇପାରିବେ।
ଆଗକୁ ଅଧିକ ପରିବର୍ତ୍ତନ
ମୋଦି ସରକାର ୬୧ ପ୍ରକାର ପ୍ରଶାସନିକ ସେବାକୁ କମାଇ ତିନି ବା ଚାରି ପ୍ରକାରରେ ସୀମିତ ରଖିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଗତବର୍ଷ ନୀତି ଆୟୋଗ ଏହି ସଂଖ୍ୟାକୁ କମାଇବା ପାଇଁ ସୁପାରିସ କରିଥିଲା ଏବଂ ସରକାର ସକ୍ରିୟଭାବେ ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ବିଚାର କରୁଛନ୍ତି। ନିକଟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଏକ ପାଞ୍ଚବର୍ଷିଆ ଭିଜନ୍‌ ଡକୁମେଣ୍ଟ ପ୍ରସ୍ତୁତ କରିଛି, ଯେଉଁଥିରେ ସରକାରର ଉତ୍ତମ ପରିଚାଳନା ତଥା ଲୋକଙ୍କୁ ଉତ୍ତମ ସରକାରୀ ସେବା ପ୍ରଦାନ ପାଇଁ ପ୍ରଶାସନିକ ସେବାଗୁଡ଼ିକର ପ୍ରକାରଭେଦକୁ କମାଇବା ଲାଗି ଗୁରୁତ୍ୱ ଦିଆଯାଇଛି। ଦଳେ ଲୋକ ବିଶ୍ୱାସ କରୁଛନ୍ତି ଯେ, ସରକାର ସମସ୍ତ ଅଣପ୍ରଯୁକ୍ତିଗତ ସେବାକୁ ଆଇଏଏସ୍‌, ସମସ୍ତ ପୋଲିସ ଓ ସୁରକ୍ଷା ସମ୍ବନ୍ଧିତ ସେବାକୁ ଆଇପିଏସ୍‌ କିସମ ଭିତରେ ରଖିପାରନ୍ତି ଏବଂ ସମସ୍ତ ପ୍ରଯୁକ୍ତିଗତ ବା ବୈଷୟିକ ସେବାକୁ ଭାରତୀୟ ବୈଷୟିକ ସେବା (ଇଣ୍ଡିଆନ୍‌ ଟେକ୍ନିକାଲ୍‌ ସର୍ଭିସ୍‌) କିସମରେ ରଖିପାରନ୍ତି। କିନ୍ତୁ ଅନ୍ୟ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତଥାପି ଏ ସମ୍ପର୍କରେ ନିଶ୍ଚୟ କରି କିଛି ଅନୁମାନ କରିବା ଲାଗି ଏବେ ସମୟ ଆସିନି ଏବଂ ସରକାର କ’ଣ କରିବେ ତାହା ବାସ୍ତବରେ ଏବେ କହିହେବ ନାହିଁ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଗ୍ରୁପ୍‌ ‘ଏ’ ବାବୁମାନେ କ’ଣ ସରକାରଙ୍କର ଏ ଚିନ୍ତାଧାରାକୁ ସ୍ବାଗତ କରିବେ? ଆଉ କିଛି ସପ୍ତାହ ପରେ ତାହା ଜଣାପଡ଼ିବ। ଏ ସମ୍ପର୍କରେ କିଛି ଅଗ୍ରଗତି ବିଷୟରେ ଜାଣିବା ପାଇଁ ପାଠକେ ଏହି ସ୍ତମ୍ଭ ଉପରେ ନଜର ରଖିଥାଆନ୍ତୁ।
ସିଆର୍‌ପିଏଫ୍‌ ବାବୁଙ୍କ ଆବେଦନ
ପାଞ୍ଚ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଆର୍‌ପିଏଫ୍‌)ର ବରିଷ୍ଠ ବାବୁମାନେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଗରେ ସେମାନେ ଆଇପିଏସ୍‌ ଅଫିସରମାନଙ୍କ ଦ୍ୱାରା ଚାକିରିର ବିଭିନ୍ନ ସୁବିଧା ସୁଯୋଗ ପାଇବାରେ ପାତରଅନ୍ତରର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଉକ୍ତ ବାବୁମାନେ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ସଦ୍ୟ ଆଦେଶନାମା ଏବଂ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ସତ୍ତ୍ୱେ ସେମାନଙ୍କୁ ସଂଗଠିତ ସେବା ସୁବିଧା ପ୍ରଦାନ କରିବା ତଥା ସୁପର୍‌ଭାଇଜର ପାହ୍ୟାରେ ଅଧିକ ଅଣ-ଆଇପିଏସ୍‌ ପଦବୀ ମଞ୍ଜୁର କରିବାରେ ସେମାନଙ୍କ ମୁଖ୍ୟାଳୟ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ସାମାଜିକ ଗଣମାଧ୍ୟମ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସିଆର୍‌ପିଏଫ୍‌ ବାବୁମାନେ ଅମିତ ଶାହଙ୍କ ଆଗରେ ସେମାନଙ୍କ ନିଯୁକ୍ତି ନିୟମରେ ପରିବର୍ତ୍ତନ କରିବା ଏବଂ ସଂଗଠିତ କେନ୍ଦ୍ରୀୟ ସେବା ଢାଞ୍ଚାରେ ଏକ ସଦ୍ୟ କ୍ୟାଡର ସମୀକ୍ଷା କରିବା ଲାଗି ଠୋସ୍‌ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ନୂଆ ନିଯୁକ୍ତି ନିୟମ ପ୍ରବର୍ତ୍ତନ ହେଲେ ଏହି ବାବୁମାନେ ସୁପର୍‌ଭାଇଜର ପାହ୍ୟାରେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇପାରିବେ, ଯାହା ବର୍ତ୍ତମାନ ମୁଖ୍ୟତଃ ଆଇପିଏସ୍‌ ଅଫିସରମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଯାହା ଜଣାଯାଏ, ସିଆର୍‌ପିଏଫ୍‌ ମୁଖ୍ୟାଳୟ ବର୍ତ୍ତମାନ ସମ୍ଭବତଃ ଧୀରଗତିରେ କାର୍ଯ୍ୟ କରୁଛି କିମ୍ବା ସିଆର୍‌ପିଏଫ୍‌ ବାବୁମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ଲାଗି କୁଣ୍ଠା ପ୍ରକାଶ କରୁଛି, କାରଣ ଏହାଦ୍ୱାରା ଡେପୁଟେଶନରେ ଏହି ବାହିନୀଗୁଡ଼ିକରେ ଯୋଗ ଦେଉଥିବା ଆଇପିଏସ୍‌ ଅଫିସରମାନଙ୍କର କର୍ମଜୀବନର ସାଫଲ୍ୟ ବ୍ୟାହତ ହେବ। ପୂର୍ବରୁ ସିଆର୍‌ପିଏଫ୍‌, ସିଆଇଏସ୍‌ଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ପରି କ୍ୟାଡର ଅଫିସରମାନଙ୍କୁ ଅଣକାର୍ଯ୍ୟାତ୍ମକ ଆର୍ଥିକ ପଦୋନ୍ନତି ଦେବା ଏବଂ ସେମାନଙ୍କୁ ସଂଗଠିତ ଗ୍ରୁପ୍‌ ଏ ସେବା କିସମ ଅନ୍ତର୍ଭୁକ୍ତ କରିବା ପାଇଁ ମୋଦି ସରକାର ଘୋଷଣା କରିଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri