ଶିକ୍ଷକରୁ ମୁଖ୍ୟମନ୍ତ୍ରୀ

ସମୟଟି ଥିଲା ପ୍ରାୟ ୧୯୯୩ ମସିହାର କଥା। ସଦ୍ୟ କଲେଜରୁ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ମୋହନ, ମନରେ ଅସରନ୍ତି ଆଶା, କିଛି ଗୋଟାଏ କରିବେ। କାରଣ ଘରର ପରିସ୍ଥିତି ଯାହା, ସେଥିରେ ବାପାଙ୍କ ଉପରେ ବୋଝ ନ ହେବାକୁ ମନେ ମନେ ସ୍ଥିର କରିଥାଆନ୍ତି। ଯେପରି ହେଉ ବାପାଙ୍କୁ ଘର ଖର୍ଚ୍ଚରେ ‘ସେତୁବନ୍ଧରେ ଗୁଣ୍ଡୁଚି’ ଭଳି ଟିକିଏ ସାହାଯ୍ୟ କରିବେ। ତେବେ କିଏ ଏହି ମୋହନ? କାହିଁକି ତାଙ୍କ ସମ୍ପର୍କରେ ଏହି ଚର୍ଚ୍ଚା! ସେକଥା ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିନେବା ତାଙ୍କ ସମ୍ପର୍କରେ ଆଉ କିଛି ତଥ୍ୟ।
କାମ ଖୋଜୁଥିବା ମୋହନଙ୍କୁ ମିଳିଗଲା ଜଣେ ଶିକ୍ଷକର ଚାକିରି। କେନ୍ଦୁଝର ଜିଲା ଝୁମ୍ପୁରାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଥମିକ ଗୁରୁଜୀଙ୍କ ଚାକିରି। ଆଉ ଦରମା ଥିଲା ମାସିକ ୩ ଶହ ଟଙ୍କା ମାତ୍ର। ଏତିକି ଟଙ୍କାରେ ଜଣେ କେମିତି ଚଳୁଥିବ, ଥରେ ଚିନ୍ତାକଲେ ଦେଖି! ଆଜ୍ଞା ହଁ, ସେ ହେଉଛନ୍ତି ଆଜି ଆମ ରାଜ୍ୟରେ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଆଖ୍ୟା ପାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲ୍ୟକାଳରୁ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷକରି ବଡ଼ ହୋଇଥିବା ମୋହନ ବାସ୍ତବରେ ସମବୟସ୍କ ସହପାଠୀମାନଙ୍କ ପାଇଁ ଥିଲେ ଜଣେ ବନ୍ଧୁ ଓ ପଥ ପ୍ରଦର୍ଶକ। ଯଦି କେବେ କେହି ରୋଗରେ ପଡୁଥିଲେ, ଲୋଡ଼ା ହେଉଥିଲେ ମୋହନ। ଯଦି କେହି ପାଠ ବୁଝିପାରୁ ନ ଥିଲେ, ଲୋଡ଼ା ହେଉଥିଲେ ମୋହନ, ଆଉ ଯଦି କାହାରି ଘରେ ଭୁଲ୍‌ ବୁଝାମଣାରୁ କଳି ଲାଗୁଥିଲା, ସମାଧାନ ପାଇଁ ଯିଏ ଆଗକୁ ବାହାରୁଥିଲେ, ସେ ହେଉଛନ୍ତି ମୋହନ, ଆଜିର ମୁଖ୍ୟମନ୍ତ୍ରୀ। ବାସ୍ତବିକ, ନେତୃତ୍ୱ ନେବା ତାଙ୍କ ରକ୍ତରେ ଯେପରି ଭରି ରହିଥିଲା।
ଗୁରୁଜୀ ହେବାର ୬ ମାସ ପୂର୍ବରୁ ସେ ଟ୍ୟୁଶନ କରୁଥିଲେ। ସେଥିରୁ ମାସକୁ ପ୍ରାୟ ଦେଢଶହ ଟଙ୍କା ରୋଜଗାର କରୁଥିଲେ ଓ ସେହି ସ୍ବଳ୍ପ ଆୟରେ ନିଜକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ। ସେହି ସମୟରେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସାକ୍ଷାତ୍‌କାର ଜରିଆରେ ଗୁରୁଜୀ ଭାବେ ନିଯୁକ୍ତି ପାଇଲେ। ସକାଳୁ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଯାଇ ୪ଟା ବେଳକୁ ଛୁଟି ହେବା ପରେ ମଧ୍ୟ ସେ ଘରକୁ ଫେରିପାରୁ ନ ଥିଲେ। କାରଣ ସ୍କୁଲ ଛୁଟି ପରେ କ’ଣ ଦିଇଟା ପାଟିରେ ପକାଇ ସେ ଟ୍ୟୁଶନ ପଢ଼ାଇବାକୁ ପହଞ୍ଚିଯାଉଥିଲେ ପିଲାମାନଙ୍କ ଘରେ। ଏହି ଧାରା ବେଶ୍‌ କିଛିଦିନ ଧରି ଚାଲିଥିଲା। ପରେ ୧୯୯୭ ମସିହାରେ ସେ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ଜିତିବା ପରେ ଶିକ୍ଷାଦାନ ପ୍ରତି ସମୟ ଦେଇପାରି ନ ଥିଲେ। ଶେଷରେ ବାଧ୍ୟହୋଇ ତାଙ୍କୁ ଶିକ୍ଷକତା ଛାଡ଼ିବାକୁ ପଡ଼ିଥିଲା। ସେ ସରପଞ୍ଚ ଭାବେ ମାତ୍ର ୩ ବର୍ଷ ସେବା ପ୍ରଦାନ କରିବା ପରେ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଟିକେଟ ପାଇ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓ ଜୟଯୁକ୍ତ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ମୋହନ ଥିଲେ ସର୍ବ କନିଷ୍ଠ ବିଧାୟକ।
ତେବେ ସେ ସିନା ଶିକ୍ଷକତାକୁ ଛାଡ଼ିଦେଲେ, ହେଲେ ଶିକ୍ଷକତା କ’ଣ ତାଙ୍କୁ ଛାଡ଼ିପାରିଲା ? ଆଜି ମଧ୍ୟ ସୁଯୋଗ ପାଇଲେ ସେ ପିଲାଙ୍କୁ ପଢ଼ାଇବା ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ଗାଁରେ ଯେତେବେଳେ ସେ ପ୍ରାଥମିକ ଶ୍ରେଣୀରେ ପଢୁଥିଲେ, ସେତେବେଳେ ତାଙ୍କର ସେଠାରେ ଥିଲେ ଅନେକ ସାଙ୍ଗ। ସେମାନଙ୍କ ମଧ୍ୟରୁ ଆଦିକନ୍ଦ ନାଏକ ହେଉଛନ୍ତି ଜଣେ। ଆଦିକନ୍ଦଙ୍କ କହିବା କଥା, ମୁଁ ରାଇକଳା ପ୍ରାଥମିକ ବିଦ୍ୟାଳୟରେ ୧୯୭୭ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଅର୍ଥାତ୍‌ ୧ମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ମୋହନଙ୍କ ସହିତ ପାଠ ପଢ଼ିଥିଲି। ଅନ୍ୟ ସାଧାରଣ ପିଲାଙ୍କ ଭଳି ବୋହୂଚୋରି, ଧାଁ ଦୌଡ଼, ଫୁଟ୍‌ବଲ ଇତ୍ୟାଦି ସବୁ ଖେଳୁଥିଲୁ। ଆମେ ପଢ଼ିବା ସମୟରେ ଜଗତମୋହନ ନାଏକ ସାର୍‌ ମୋହନ ଘରକୁ ଟ୍ୟୁଶନ ପଢ଼ାଇବାକୁ ଆସୁଥିଲେ। ତେବେ ସେ ମୋହନର ଘରୋଇ ଶିକ୍ଷକ ନ ଥିଲେ। ମୋହନର ଘର ଅବସ୍ଥା ମଧ୍ୟ ଘରୋଇ ଟ୍ୟୁଶନ ହେବା ପରି ସେତେଟା ସ୍ବଚ୍ଛଳ ନ ଥିଲା। ତେବେ ସାର୍‌ ତାଙ୍କ ଘରକୁ ଆସିବାର କାରଣ ହେଲା, ମୋହନର ଘର ଥିଲା ଗାଆଁର କେନ୍ଦ୍ରସ୍ଥଳରେ। ସମସ୍ତଙ୍କ ଘରଠାରୁ ମଝିଆ ମଝି ସ୍ଥାନରେ ଥିବାରୁ ସେଠାକୁ ଜଗତମୋହନ ସାର୍‌ଙ୍କୁ ଆସିବା ମଧ୍ୟ ସୁବିଧା ହେଉଥିଲା। ଆମେ ମଧ୍ୟ ସେଠାକୁ ପଢ଼ିବାକୁ ଯାଉଥିଲୁ। ମୋହନ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ପାଠପଢ଼ା ସାରି ଝୁମ୍ପୁରା ଉଚ୍ଚ ବିଦ୍ୟାଳୟକୁ ୮ମ ଶ୍ରେଣୀରେ ପଢ଼ିବାକୁ ଚାଲିଗଲା। ମୁଁ ରାଇକଳା ହାଇସ୍କୁଲରେ ହିଁ ପଢ଼ିଲି।
ମୋହନଙ୍କ ଅନ୍ୟ ଜଣେ ସାଙ୍ଗ ଧ୍ରୁବଚରଣ ବାରିକ ପିଲାଦିନେ ତାଙ୍କ ସହ ବିଦ୍ୟାଳୟରେ ଘଟିଥିବା ଏକ ନିଆରା ଅଭିଜ୍ଞତା ବର୍ଣ୍ଣନାକରି ବସନ୍ତି। ଅତୀତର ସ୍ମୃତି ରୋମନ୍ଥନକରି ସେ କହନ୍ତି, ବିଦ୍ୟାଳୟକୁ ସେତେବେଳେ ଧନୁଷ୍ଟଙ୍କାର ରୋଗର ଟିକା ଦେବାପାଇଁ ଡାକ୍ତରୀ ଟିମ୍‌ ପ୍ରତିବର୍ଷ ଆସୁଥିଲେ।
ଆମେ ଡିବିରି ନିଆଁରେ ଇଞ୍ଜେକ୍ସନ ଛୁଞ୍ଚି ଲାଲ ଟକ୍‌ ଟକ୍‌ ହୋଇ ତାତି ଉଠୁଥିବା ଦେଖି ଆତଙ୍କରେ ଶିହରିଉଠୁଥିଲୁ। କିଭଳି ଉକ୍ତ ଡାକ୍ତରୀ ଦଳର ଅନ୍ୟମନସ୍କତାର ସୁଯୋଗ ନେଇ ସେଠାରୁ ଖସିଯିବୁ, ସେହି ଚିନ୍ତାରେ ରହୁଥିଲୁ। କେହି କେହି ପଛ ଦରଜା ବାଟଦେଇ ନିକଟସ୍ଥ ଜଙ୍ଗଲକୁ ଧାଇଁ ଯାଇ ସେଠାରେ ଛପିଯାଉଥିଲେ। ମାତ୍ର ମୋହନ ସେ ବୟସରେ ମଧ୍ୟ ଏସବୁକୁ ଖାତିର କରୁ ନ ଥିଲା। ଓଲଟି ଆମମାନଙ୍କୁ ବୁଝାଉଥିଲା, ଧନୁଷ୍ଟଙ୍କାର ଟିକା ନେବା ଶରୀର ପାଇଁ ଭଲ। ଏହା କ୍ଷଣିକ ପାଇଁ ଆମକୁ କଷ୍ଟଦେବ ସତ, ମାତ୍ର ସବୁଦିନ ପାଇଁ ନୀରୋଗ ରଖିବାରେ ସହାୟକ ହେବ। ଆଶ୍ଚର୍ଯ୍ୟ, ଯେଉଁ ବୟସରେ ଆମେ ସମସ୍ତେ ଇଞ୍ଜେକ୍ସନ ଛୁଞ୍ଚିକୁ ଦେଖିଲେ ଭୟରେ ଛାନିଆ ହୋଇଉଠୁ, ସେହି ବୟସରେ ରାଇକଳା ଭଳି ଜଙ୍ଗଲ ପରିବେଷ୍ଟିତ ନିପଟ ମଫସଲ ଗାଁର ଜଣେ କୁନି ପିଲା ମନରେ ଏତେ ସାହସ ଆସିଲା କେଉଁଠୁ ? କହିବା ବାହୁଲ୍ୟ, ସାଙ୍ଗମାନେ ମୋହନର କଥାକୁ ବୁଝିଯାଇଥିଲେ। ଆଉ ଧୀରସ୍ଥିର ଭାବରେ ଟିକା ନେଇଥିଲେ। ଧ୍ରୁବ ଆଜି ମନେପକାନ୍ତି, ସେହି ଟିକା ଦ୍ୱାରା ମୋ ହାତରେ ଏକ ଚିହ୍ନ ସବୁଦିନ ପାଇଁ ରହିଯାଇଥିଲା ସତ, ମାତ୍ର ଧନୁଷ୍ଟଙ୍କାର ଭଳି ରୋଗରେ ମୁଁ କେବେ ବି ଆକ୍ରାନ୍ତ ହୋଇନାହିଁ, ମୋର ସାଙ୍ଗମାନେ ମଧ୍ୟ। ହୁଏତ ଏହି ଘଟଣା ହିଁ ମୋହନଙ୍କ ମଧ୍ୟରେ ଯେ ନେତୃତ୍ୱ ନେବାର ଦକ୍ଷତାଟି ଅଙ୍କୁରିତ ହେଉଛି, ତାହା ଏହି ଘଟଣାଟି ପ୍ରତିପାଦିତ କରିଥିଲା।
ଗାଁରେ ମୋହନଙ୍କ ବାବଦରେ ଲୋକେ କଥା ହେବାର ଅନେକ ଲୋକ ଶୁଣିଥିଲେ,ଗୁନାରାମର ପୁଅଟି ନିଶ୍ଚେ ଦିନେ ବଡ଼ ମଣିଷ ହେବ। କାରଣ ଅନ୍ୟମାନଙ୍କଠାରୁ ତା’ର ମୁଣ୍ଡଟି ଟିକିଏ ବଡ଼। ହୁଏତ ସେମାନଙ୍କ ସେହି ଅଦୃଶ୍ୟ ଆଶୀର୍ବାଦ ହିଁ ‘ବଡ଼ମୁଣ୍ଡିଆ’ ମୋହନକୁ ଜଣେ ଟ୍ୟୁଶନ କରୁଥିବା ଏବଂ ମାସକୁ ମାତ୍ର ୩ ଶହ ଟଙ୍କା ଦରମା ପାଉଥିବା ଶିଶୁମନ୍ଦିର ଶିକ୍ଷକରୁ ନେଇ ସାଢ଼େ ୪କୋଟି ଲୋକଙ୍କ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଲା।
ଲେଖକ- ହିତାଂଶୁ ଶେଖର ମହାନ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri