ହାର୍‌ ମାନିବା ନାହିଁ

ନିରନ୍ତର ସାଧନା ଓ ପ୍ରଚେଷ୍ଟା ପରେ ମଧ୍ୟ ବେଳେବେଳେ କାର୍ଯ୍ୟରେ ସଫଳତା ମିଳି ନ ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତି ନିରାଶ ହୋଇ ଚେଷ୍ଟା ଛାଡ଼ିଦିଏ କିମ୍ବା ହାର୍‌ ମାନିଯାଏ। କାର୍ଯ୍ୟଟିକୁ ଅସମ୍ଭବ ମନେକରି ପଛଘୁଞ୍ଚା ଦିଏ ଅଥବା ଭାଗ୍ୟରେ ନାହିଁ ବୋଲି ମନକୁ ବୁଝେଇଦିଏ। ସତ କହିବାକୁ ଗଲେ, ଏହା ହିଁ ଥାଏ ପ୍ରକୃତ ପରୀକ୍ଷାର ବେଳ; ଧୈର୍ଯ୍ୟ ଓ ଏକାଗ୍ରତାର ପରୀକ୍ଷା। ଯେଉଁ ବ୍ୟକ୍ତି ଧୈର୍ଯ୍ୟର ସହ ପୁଣିଥରେ ନୂଆ ଉତ୍ସାହ ନେଇ କାମ କରିବାକୁ ଇଚ୍ଛା କରେ, ସେ ପ୍ରତ୍ୟକ୍ଷ ଭାବରେ କାମଟିକୁ ପୂରା କରି ନ ପାରିଲେ ମଧ୍ୟ ପରୋକ୍ଷ ଭାବେ କାହାର ସାହାଯ୍ୟ ପାଇ କିମ୍ବା ସେ କାମଟିକୁ ଶେଷ କରିବାରେ ସଫଳ ହୁଏ। ଏହାକୁ ବୁଝାଇବାକୁ ଯାଇ ଗୋଟିଏ ଛୋଟ କାହାଣୀ।
ପୋଖରୀ କୂଳରେ ବସିଥିବା ଜଣେ ବ୍ୟକ୍ତି ଥରେ ପକ୍ଷୀଟିଏକୁ ବାରମ୍ବାର ପାଣିରେ ବୁଡ଼ି ଉଠିବାର ଦେଖିଲେ। ତାଙ୍କ ମନରେ ଘଟଣାଟି ବିଷୟରେ ଜାଣିବାକୁ କୌତୂହଳ ଜାତ ହେଲା। ସେ ଅତି ନିକଟକୁ ଯାଇ ପ୍ରକୃତ ଘଟଣାଟି ବୁଝି ଜାଣିପାରିଲେ ଯେ ପକ୍ଷୀର ଶାବକଟି ପୋଖରୀରେ ପଡ଼ିଯାଇଛି। ତାକୁ ରକ୍ଷା କରିବା ପାଇଁ ସେ ବାରମ୍ବାର ପାଣିରେ ପଶି ନିଜକୁ ଓଦା କରିବା ପରେ କୂଳକୁ ଆସି ପରରୁ ପାଣିଝାଡ଼ି ତାକୁ ଶୁଖାଇ ପୁଣି ପାଣିରେ ପଶୁଛି। ପକ୍ଷୀଟି ପୋଖରୀକୁ ଶୁଖାଇବାର ଅସମ୍ଭବ ପ୍ରୟାସରେ ଲିପ୍ତ ଅଛି। ଅସମ୍ଭବ ମନେହେଉଥିବା କାମଟିକୁ ସେ ନ ଥକି, ନ ହାରି କରିଚାଲିଛି। ଏହାପରେ ସେ ନିଜେ ଯାଇ ପକ୍ଷୀ ଶାବକକୁ ପାଣିରୁ ଉଦ୍ଧାର କଲେ। ପକ୍ଷୀ ପାଇଁ ଅସମ୍ଭବ ପ୍ରାୟ କାର୍ଯ୍ୟଟି ଅନ୍ୟ କାହା ଦ୍ୱାରା ସଫଳ ହେଲା, କାରଣ ତା’ର ନିରନ୍ତର ଚେଷ୍ଟା ଓ ପରିଶ୍ରମ ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କଲା ଏବଂ ସେ ସାହାଯ୍ୟ କଲେ।
କାହାଣୀ କହିବାର ଅଭିପ୍ରାୟ ଏହା ଯେ, ନିଜର ଚେଷ୍ଟା, ସାଧନା ବିଫଳ ହେଉଛି ଭାବି ନିରାଶ ହୋଇ ବସିପଡ଼ିଲେ କିମ୍ବା ଦୁଃଖରେ ଭାଙ୍ଗିପଡ଼ିଲେ ହେବନାହିଁ। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉପାୟରେ ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ। ପିଲାମାନେ କୌଣସି ପ୍ରତିଯୋଗିତା କିମ୍ବା ପରୀକ୍ଷାରେ ସଫଳତା ପାଇବାର କଥା ଉଦାହରଣ ରୂପେ ନିଆଯାଉ। ଅନେକ ସମୟରେ ବହୁତ ପଢ଼ି ମଧ୍ୟ ବିଫଳତାର ସ୍ବାଦ ଚାଖିବାକୁ ହୋଇଥାଏ। ମାତ୍ର ସେଥିରେ ନିରୁତ୍ସାହିତ ନ ହୋଇ ଚେଷ୍ଟା ଜାରି ରଖିବାକୁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗୁରୁଜନମାନେ ପରାମର୍ଶ ଦେବା ଉଚିତ୍‌। ସ୍ନେହବୋଳା କଥା କେଇପଦ ସହିତ ଠିକ୍‌ ମାର୍ଗଦର୍ଶନ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବାର କ୍ଷମତା ରଖେ। ପରିଶ୍ରମର ମୂଲ୍ୟ ଯେ ଖୁବ୍‌ଶୀଘ୍ର ମିଳିବ, ଏହି ବିଶ୍ୱାସ ଜନ୍ମେଇବା ପାଇଁ ସେମାନଙ୍କ ପାଖରେ ସେପରି ସହୃଦୟ ବ୍ୟକ୍ତିଙ୍କ ଉପସ୍ଥିତିର ଆବଶ୍ୟକତା ନିଶ୍ଚିତରୂପେ ରହିଛି ଓ ରହିଥିବ। ୧oooରୁ ଅଧିକ ଉଦ୍ଭାବନ କରିଥିବା ଥୋମାସ୍‌ ଏଡିସନଙ୍କୁ ପିଲାଦିନେ ଶିକ୍ଷକମାନେ ସ୍ବଳ୍ପବୁଦ୍ଧିସମ୍ପନ୍ନ କହି ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ କରିଥିଲେ। ମାତ୍ର ତାଙ୍କ ମା’ ନିଜେ ଘରେ ନିଜ ଉଦ୍ୟମରେ ତାଙ୍କୁ ଶିକ୍ଷା ଯୋଗାଇ ଦେଇଥିଲେ, ଯାହାର ପରିଣାମ ଆଜି ସମଗ୍ର ବିଶ୍ୱରେ ଥୋମାସ୍‌ ଏଡିସନ ଚର୍ଚ୍ଚିତ ଏବଂ ପୂରା ବିଶ୍ୱବାସୀ ତାଙ୍କ ଉଦ୍ଭାବିତ ଉପକରଣଗୁଡ଼ିକ ଦ୍ୱାରା ଉପକୃତ ହେଉଛନ୍ତି।
ଅସଫଳତା ଭୋଗିଥିବା ବ୍ୟକ୍ତି ଏହାକୁ ସଫଳତାର ବିରୋଧୀ ନ ଭାବି, ତା’ର ଗୋଟିଏ ଅଂଶ ଭାବିବା ଠିକ୍‌ ହେବ। ବାସ୍ତବରେ କହିବାକୁ ଗଲେ ସଫଳତା ଓ ଅସଫଳତା କେବଳ ଆମ ମନର ସ୍ଥିତି ମାତ୍ର। ଜୀବନରେ ଅନେକ ପରୀକ୍ଷା ଆସିବ ଏବଂ ପ୍ରତ୍ୟେକ ପରୀକ୍ଷାରେ ସଫଳ ହେବା ପାଇଁ ଆମେ ଚେଷ୍ଟିତ ରହିବା। ଏମିତି ବି ହେବ, ଆମକୁ ପଛରେ ପକେଇ ଅନ୍ୟ କିଏ ଜିତିଯିବ। ଏହାକୁ ନିଜର ପରାଜୟ ନ ଭାବି ଆହୁରି ଅଧିକ ପରିଶ୍ରମ କରିବା ଉଚିତ। କାରଣ ଆମର ପରାଜୟ ତେବେ ହୁଏନାହିଁ, ଯେବେ ଅନ୍ୟ ଜଣେ ଜିତିଯାଏ। ବରଂ ସେତେବେଳେ ହୁଏ, ଯେବେ ଆମେ ନିଜେ ପରାଜୟ ସ୍ବୀକାର କରୁ। ଠିକ୍‌ ସେହିପରି ଜଣେ ବ୍ୟକ୍ତି ସେତେବେଳେ ଅସଫଳ ହୁଏ ନାହିଁ, ଯେବେ ସେ ତା’ର ଲକ୍ଷ୍ୟକୁ ପାଇପାରେ ନାହିଁ, ବରଂ ସେ ସେତେବେଳେ ଅସଫଳ ହୁଏ, ଯେବେ ସେ ଚେଷ୍ଟା କରିବା ହିଁ ବନ୍ଦ କରିଦିଏ। ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. କଲାମ କହିଥିଲେ, ”ଜଣେ ସଫଳତାର କାହାଣୀ ପଢ଼ିଲେ କେବଳ ଏକ ବାର୍ତ୍ତା ପାଇବ, କିନ୍ତୁ ଅସଫଳତାର କାହାଣୀ ପଢ଼ିଲେ ସଫଳତା ପାଇବା ପାଇଁ କିଛି ଧାରଣା ପାଇ ପାରିବ। ସଫଳତା ପାଇବାକୁ ହେଲେ ଅସଫଳତାର ଅନୁଭୂତି ମଧ୍ୟ ରହିଥିବା ଆବଶ୍ୟକ।“
ଏଣୁ ଅକୃତକାର୍ଯ୍ୟ ହେଲେ କିମ୍ବା ବିଫଳତା ଲାଭକଲେ ସେଥିରେ ମ୍ରିୟମାଣ ନ ହୋଇ ପୁଣିଥରେ ସେହି କାମକୁ ନୂଆ ଉପାୟରେ କରିବାର ପ୍ରୟାସ କରିବାକୁ ହେବ। ଭାବିବାକୁ ହେବ ଯେ ଏହା ଭାଙ୍ଗିପଡ଼ିବା ନୁହେଁ ବରଂ ସଳଖି ଠିଆହେବାର ବେଳ। ମନେ ରଖିବାକୁ ହେବ ଯେ, ଆମେ ଜୀବନ ତମାମ୍‌ ଚେଷ୍ଟା କରିଚାଲିଥିବା ଏବଂ କେବେହେଲେ ହାର୍‌ ମାନିବା ନାହିଁ। ହାର୍‌ ସ୍ବୀକାର କରିବା ବନ୍ଦ କରିଦେଲେ ସଫଳତା ନିଶ୍ଚୟ ଦିନେ ହାତ ବଢ଼େଇ ପାଖକୁ ଡାକିବ।

  • ଶ୍ରୁତକୀର୍ତ୍ତି ତ୍ରିପାଠୀ
    ମୋ: ୬୩୭୦୫୧୬୪୭୮

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri