Posted inରାଜ୍ୟ

ନିଦ ହଜାଇଛି ଘାଇ

ଭୁବନେଶ୍ୱର,୧୮ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ପରିସ୍ଥିତି ଗମ୍ଭୀର ରହିଛି। ଆସନ୍ତା ୩ରୁ ୪ ଦିନ ବନ୍ୟା ପରିସ୍ଥିତି ଜଟିଳ ରହିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ମହାନଦୀର ନରାଜ, ଦେବୀ ନଦୀର ଆଳିପିଙ୍ଗଳ, ଇବ୍‌ ନଦୀର ସୁନ୍ଦରଗଡ଼, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ହ୍ରାସ ପାଇବା ଆରମ୍ଭ କରିଛି। ତେବେ କୁଶଭଦ୍ରା, ବ୍ରାହ୍ମଣୀ, ବଂଶଧାରା ଓ ଋଷିକୁଲ୍ୟା ନଦୀର ବନ୍ୟା ଜଳ ବୃଦ୍ଧି ପାଉଛି। ମହାନଦୀର ଉପରମୁଣ୍ଡରେ ବର୍ଷା କମି ଯାଇଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ପ୍ରବେଶ କରୁଥିବା ବନ୍ୟା ପାଣିି ହ୍ରାସ ପାଇଛି। ମହାନଦୀରେ ପ୍ରବଳ ବନ୍ୟା ଯୋଗୁ ଯାଜପୁର, କଟକ, ପୁରୀ, ଜଗତ୍‌ସିଂହପୁର ଜିଲାର କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଅନ୍ୟ କେତେକ ସ୍ଥାନରେ ଘଳିଆ ପଡୁଥିବା ସୂଚନା ମିଳିଛି, ଯାହାକି ଚିନ୍ତାର କାରଣ ସାଜିଛି। ମହାନଦୀ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ନିଦ ଏକ ପ୍ରକାର ହଜି ଯାଇଛି। ଅପରପକ୍ଷରେ ଗତ ଦୁଇ ଦିନରେ ରାଜ୍ୟରେ ମୋଟ ୪ଟି ଘାଇ ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ପୁରୀ ଓ ଖୋର୍ଦ୍ଧା ଜିଲାରେ ୨ଟି ଘାଇ ହୋଇଥିବାବେଳେ ବୁଧବାର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ କୁଜଙ୍ଗ ବ୍ଲକରେ ଆଉ ୨ଟି ଘାଇ ସୃଷ୍ଟି ହୋଇଛି। ସେଥିମଧ୍ୟରେ ମହାନଦୀର ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ଏବଂ ପାଇକା ନଦୀର କାଠକୋଟ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାବେଳେ ପାଇକା ନଦୀର କାଠକୋଟ ଗାଁ ନିକଟରେ ମଧ୍ୟ ପ୍ରାୟ ୩୦ ଫୁଟର ଘାଇ ହୋଇଛି। ଏଥିଯୋଗୁ ୧୨ଟି ପଞ୍ଚାୟତରେ ବନ୍ୟାପାଣି ପ୍ରବେଶ କରିଛି। ତିର୍ତ୍ତୋଲ ବ୍ଲକର ୯ ଓ କୁଜଙ୍ଗ ବ୍ଲକର ୩ ପଞ୍ଚାୟତ ଜଳମଗ୍ନ ହୋଇଥିବା ସୂଚନା ମିଳିଛି।

କୁଶଭଦ୍ରାରେ ଘାଇ
ବନ୍ୟା ଯୋଗୁ ପୁରୀ ଜିଲାର ନିମାପଡ଼ା, ଗୋପ, ଡେଲାଙ୍ଗ, ପିପିଲି ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୋପ ବେଦପୁର ପଞ୍ଚାୟତ ଖଣ୍ଡିଆକୁଦଠାରେ କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ ହୋଇଛି। ଫଳରେ ସ୍ଥାନୀୟ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା, ଡଭାର ନୂଆଖୋଲମରା ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି । ଜିଲାପାଳଙ୍କ ସମେତ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ନିମାପଡ଼ା-ଭୁବନେଶ୍ୱର ରାସ୍ତାରେ ୨ ଫୁଟର ପାଣି
ଧନୁଆ ନଦୀ ବନ୍ୟା ଜଳ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାର ଗରପଦାଠାରେ ଦୁଇ ଫୁଟ ଉଚ୍ଚରେ ଚାଲୁଛି। ନିମାପଡ଼ା-ବଳଙ୍ଗା ରାସ୍ତାର ଧନୁଆ ଛକ ମୁଖ୍ୟରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଉଭୟ ପଟୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାଜୁଆ ନଦୀରେ ଘାଇ
ପିପିଲି ଅନ୍ତର୍ଗତ ରାଜୁଆ ନଦୀର ଗଡ଼ସାନପୁଟୁର ପଞ୍ଚାୟତର ଲୋକାପାଳ, ହଳଦିଆପଡ଼ା ଓ ତିରୁମଲ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ସେହିପରି ଡେଲାଙ୍ଗ ଏବଂ କଣାସ ବ୍ଲକର ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି। କଣାସ ବ୍ଲକର ମକରା ଏବଂ ରାଜୁଆ ନଦୀର ଦୁଇଟି ସ୍ଥାନରେ ଘାଇ ହେବା ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ସେପଟେ ପିପିଲିରେ ମାଧିପୁର ଏବଂ କଣ୍ଟି ଯୋର ବନ୍ୟାଜଳ ଯୋଗୁ ଭାରତୀପୁର ପଞ୍ଚାୟତର ଜମ୍ବିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ରାସ୍ତା ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।

୨୪ ଘଣ୍ଟାରେ ମହାନଦୀର ଜଳସ୍ତର ଖସିବ
ବୁଧବାର ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି, ୪ଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ, ବ୍ୟାକ୍‌ ୱାଟର। ବୁଧବାର ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୫୫୦ ସ୍କୁଲ ପିଲାଙ୍କ ସମେତ ୭୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ଆଠଗଡ଼ରେ ଛେଳି ଚରାଇବାକୁ ଯାଇ ନଦୀ ମଝିରେ ଫସିଯାଇଥିବା ବାପ-ପୁଅଙ୍କୁ ଉଦ୍ଧାର କରାଯାଇଛି। ୨୦୧୧ ପରେ ଛଡ଼ାଯାଇଥିବା ବନ୍ୟା ପାଣିଠାରୁ ଚଳିତ ବର୍ଷ ଅଧିକ ପାଣି ନଦୀଗୁଡିକରେ ଛଡ଼ାଯାଇଛି। ୨୦୧୧ ପରେ ମହାନଦୀରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ା ଯାଇଥିବାବେଳେ ଚଳିତବର୍ଷ ୧୨ ଲକ୍ଷ କ୍ୟୁସେକ୍‌ ପାଣି ଛଡ଼ାଯାଇଛି। ପାଣି ଅଧିକ ଛଡ଼ା ଯାଉଥିବାରୁ ଘଳିଆ ଉପରେ ସତର୍କ ନଜର ରଖି ଆବଶ୍ୟକ ମରାମତି କରିବାକୁ ଜଳସମ୍ପଦ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ମୁଣ୍ଡଳିରେ ବୁଧବାର ସକାଳ ପର୍ଯ୍ୟନ୍ତ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ା ଯାଇଥିଲା। ଗୁରୁବାର ସକାଳ ସୁଦ୍ଧା ଏହି ପାଣି ଖଲାସ ହୋଇଯିବା ସମ୍ଭାବନା ରହିଛି। ଏହି ପାଣି ଯିବା ପାଇଁ ୯ ଘଣ୍ଟା ସ୍ଥାନରେ ୧୨ ଘଣ୍ଟା ସମୟ ନେଉଛି। ପୂର୍ବାହ୍ନ ୧୦ଟା ପରେ ମୁଣ୍ଡଳିଠାରେ ବନ୍ୟା ପାଣି ସ୍ତର ୧୭ ହଜାର କ୍ୟୁସେକ୍‌ କମିଛି। ଏହା ୨୫ ହଜାର କ୍ୟୁସେକ୍‌କୁ ଖସିଯିବ । ଏବେ ହୀରାକୁଦରୁ ୬ ଲକ୍ଷ ୭୯ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ତେଲ ନଦୀର ପାଣି ୨ ଲକ୍ଷ କ୍ୟୁସେକ୍‌ ତଳକୁ ଖସି ଆସିବ ବୋଲି ଆଶା ଥିଲା। ହେଲେ ଏହା ହେଲା ନାହିଁ। ଏହା ବର୍ତ୍ତମାନ ୧.୮୫ କ୍ୟୁସେକକୁ ଖସି ଆସିଛି। ତେବେ ଖଇରାମାଳ ଦେଇ ବନ୍ୟାର ମୁଖ୍ୟ ସ୍ରୋତ ପାଣି ବହି ଯାଇଛି। ଆଗକୁ ମହାନଦୀର ପାଣି କମିବ। ୨୪ ଘଣ୍ଟା ପରେ କଟକ ମୁଣ୍ଡଳିଠାରେ ମଧ୍ୟ ପାଣି ଖସିବ ବୋଲି ଏସ୍‌ଆରସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri