ଛାମୁ ଯାହା ଦେଲେ ହରଷେ

ତୁଷାରକାନ୍ତ
ସ୍ବାଧୀନତା ପୂର୍ବ ରାଜରାଜୁଡ଼ାଙ୍କ ସମୟର ଶାସନ ବେଳେ ନୟାଗଡ଼ ରାଜାଙ୍କର ରାଜକବି ଥିଲେ ଯଦୁମଣି ମହାପାତ୍ର। ତାଙ୍କ ପ୍ରତ୍ୟୁପତ୍ନ୍ନମତିତାରେ ପ୍ରୀତ ହୋଇ ରାଜା ତାଙ୍କୁ ଜମି ଖଣ୍ଡିଏ ଦେଇଥିଲେ। ଅନେକ ଦିନ ପରେ ରାଜା ଥରେ ପଚାରିଲେ, ”କ’ଣ ମହାପାତ୍ରେ ଖୁସି ତ?“ ମହାପାତ୍ରେ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ ”ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ। ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।“ ଅର୍ଥାତ୍‌ ରାଜା ତାଙ୍କୁ ଏପରି ଜମି ଖଣ୍ଡିଏ ଦେଇଥିଲେ ଯାହା ଅତ୍ୟନ୍ତ ଅନୁର୍ବର ଥିଲା, ଯେଉଁଥିରେ କି ଯେଉଁଠି ନାଇଁ ସେଠି ମନକୁ ବଢ଼ୁଥିବା ଚାକୁଣ୍ଡା ଗଛ ବି ଉଠେ ନାହିଁ।
ରାଜତନ୍ତ୍ର ଯାଇ ଗଣତନ୍ତ୍ର ଆସିଲା। କିନ୍ତୁ ରାଜାଙ୍କ ପାଟବସ୍ତ୍ର, ଥାଟ ଓ ଭାଟଙ୍କ ଦ୍ୱାରା ସ୍ତୁତିଗାନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରିଗଣଙ୍କ ପାଖକୁ ଚାଲିଆସିଲା। ରାଜାଙ୍କ ଗସ୍ତ ବେଳର ଥାଟବାଟ ଭଳି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଗସ୍ତକାଳରେ ସେଇ ପ୍ରଣାଳୀ ଅନୁସୃତ ହେଲା, କେବଳ ସେକାଳର ହାତୀଘୋଡ଼ା, ଏକାଳକୁ ବିଭିନ୍ନ ପ୍ରକାର ଗାଡ଼ିକୁ ବଦଳିଗଲା ଯାହା। ନୟାଗଡ଼ ରାଜା ଯଦୁମଣି ମହାପାତ୍ରଙ୍କୁ ପଚାରିଥିବା ‘କ’ଣ ମହାପାତ୍ରେ ଖୁସି ତ!’ ଧାରାରେ ଆମ ପ୍ରଧାନମନ୍ତ୍ରୀ ‘ଅଚ୍ଛେଦିନ୍‌ ଆୟେଗା’ କହିଲା ବେଳକୁ ଆମ ମୁଖ୍ୟମନ୍ତ୍ରୀ କହିଲେ ‘ଆପଣ ଖୁସି ତ!’ ରାଜାଙ୍କ ଦ୍ୱାରା ମହାପାତ୍ରଙ୍କୁ ଚାକୁଣ୍ଡା ଗଛ ଉଠୁ ନ ଥିବା ଜମି ଖଣ୍ଡେ ମିଳିଲା ଭଳି, ଆମ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟରୁ ମୋତେ କିପରି କିଛି ଉତ୍ତର ନ ଥିବା ଚିଠିଖଣ୍ଡିଏର ନକଲ ମିଳିଥିଲା, ତାହାର ବିବରଣୀ ନିମ୍ନରେ।
କେହି ଜଣେ କହିଥିଲେ, ‘ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ତାହା ପାଣି ପାଇଁ ହେବ’। କିନ୍ତୁ ସାରା ପୃଥିବୀରେ ଯେପରି ବାୟୁମଣ୍ଡଳର ପରିବର୍ତ୍ତନ ହେଉଛି, ସେଥିରେ ପିଇବାକୁ ପାଣି ଥିଲେ ତ ଯୁଦ୍ଧରେ ଭାଗ ନେଇଥିବା ଯବାନମାନେ ଜୀବନ ଧରି ଯୁଦ୍ଧ କରିବେ! ଅତଏବ, ଯୁଦ୍ଧ ନ ହୋଇ ସେଥିରେ ହେବାକୁ ଥିବା ଜୀବନହାନି ବିନା ପାଣିରେ ହେବ। ୨୦୩୦ ବେଳକୁ ଆମ ଦେଶରେ ୧୫୦୦ ବିଲିୟନ୍‌ କ୍ୟୁବିକ୍‌ ମିଟର ପାଣିର ଆବଶ୍ୟକତା ପଡ଼ିବ, କିନ୍ତୁ ମିଳିବ ମାତ୍ର ୭୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର। ଆମ ଦେଶର ୨୮୭ ବ୍ଲକ୍‌ରେ ଜଳସ୍ତର ଆଉ ନାହିଁ। ନୀତି ଆୟୋଗର ଆକଳନ ଅନୁସାରେ ୨୦୨୦ (ଆସନ୍ତା ବର୍ଷ) ବେଳକୁ ୪୧ଟି ସହରରେ ପାଣି ମିଳିବ ନାହିଁ। ଆମେ ଓଡ଼ିଶାବାସୀ, ବିଶେଷକରି ଉପକୂଳବର୍ତ୍ତୀ ଓ ନଦୀତଟବର୍ତ୍ତୀ ଅଞ୍ଚଳର ଲୋକେ ଭାବୁଛୁ ଯେ ଏ କଷ୍ଟ ଆମକୁ ସାମ୍ନା କରିବାକୁ ପଡ଼ିବନି, ଯାହା ଏକ ଭ୍ରାନ୍ତ ଧାରଣା।
ତେଣୁ ପାଣି ସମସ୍ୟା ବାବଦରେ ଯେତେବେଳେ କିଛି ତଥ୍ୟ ପାଏ, ତାହା ମୋତେ ବ୍ୟଥିତ କରିଥାଏ ଓ ମୁଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତାହା ଜଣାଇଥାଏ। ୨୦୧୭ ମସିହାରେ ବ୍ରାହ୍ମଣୀ ତଥା ଇବ୍‌ନଦୀର ଜଳ ସମସ୍ୟା ଉପରେ ଦୁଇଟି ଲେଖା ପଢ଼ି ତାହାକୁ ଇଂଲିଶକୁ ଅନୁବାଦ କରି ମୁଖ୍ୟମନ୍ତ୍ରୀଙ୍କ ଘରେ ତା୨୮ା୦୪ା୨୦୧୭ରେ ଦେଇ ଆସିଥିଲି। ମହାନଦୀ ଉପରେ ଗୋଟିଏ ଇଂଲିଶ ଲେଖାକୁ ବି ସେଥିରେ ଯୋଡ଼ିଥିଲି। ପୂର୍ବରୁ ପଠେଇଥିବା ଜନସ୍ବାର୍ଥ ସମ୍ବଳିତ ଅନେକ ଚିଠିର ଉତ୍ତର ବା ପ୍ରାପ୍ତିସ୍ବୀକାର ମିଳି ନ ଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମୋ ଚିଠିଟି ସଚିବାଳୟର ଜଳସମ୍ପଦ ବିଭାଗକୁ ପଠାଯାଇଥିଲା। ଜଳସମ୍ପଦ ବିଭାଗ ତରଫରୁ ତାହାକୁ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପାଖକୁ ପଠାଯାଇ ଲେଖାରେ ଥିବା ବିଷୟବସ୍ତୁ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଚିଠି ତା୧୬ା୧୦ା୨୦୧୭ରେ ପଠାଯାଇଥିଲା। ଏହି ଚିଠିର ନକଲ ମୋତେ ଦିଆଯାଇଥିଲା। ସେହି ଚିଠିରେ ବୈତରଣୀ ନଦୀର ନାମ ଉଲ୍ଲେଖ ଥିଲା, ଯଦିଓ ମୁଁ ଦେଇଥିବା ଲେଖାଗୁଡ଼ିକରେ ବ୍ରାହ୍ମଣୀ, ଇବ୍‌ ଓ ମହାନଦୀ ବାବଦରେ ଉଲ୍ଲେଖ ଥିଲା ଓ ବୈତରଣୀର ନାମଗନ୍ଧ ନ ଥିଲା।
ନୟାଗଡ଼ ରାଜା ସିନା ବର୍ଷକରେ ବ୍ୟବହାରଯୋଗ୍ୟ ନ ଥିବା ଜମି ଖଣ୍ଡିଏ ଦେଇଥିଲେ, ମୁଁ କିନ୍ତୁ ମାତ୍ର ୬ ମାସରେ ଚିଠିର ନକଲଟିଏ ପାଇ ଖୁସି ହୋଇଥିଲି। କିନ୍ତୁ ମାସ ପରେ ମାସ ବିତି ଚାଲିଲେ ମଧ୍ୟ ସର୍ବୋଚ୍ଚ ଯନ୍ତ୍ରୀ କି ପ୍ରକାର ଉତ୍ତର ଦେଲେ ତଥା ସରକାର ତା’ ଉପରେ କ’ଣ ଯୋଜନା କଲେ, ସେ ବାବଦରେ ମୋତେ କିଛି ତଥ୍ୟ ଦିଆଗଲା ନାହିଁ। ଯଦୁମଣି ବର୍ଷେ ଅପେକ୍ଷା କରିଥିବା ଧାରାରେ ମୁଁ ବର୍ଷେ ପରେ ସେ ଚିଠିଟି ଦସ୍ତଖତ କରିଥିବା ହାକିମଙ୍କୁ ଫୋନ୍‌ ଯୋଗେ କ’ଣ ହେଲା ବୋଲି ପଚାରନ୍ତେ, ସେ କହିଥିଲେ, ‘ମୁଁ ଦେଖୁଛି’। କିନ୍ତୁ ସେ ଦେଖା, ଦେଖାରେ ରହିଗଲା। ତା’ପରେ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ବିଭାଗ ସଚିବ ଓ ଚିଠିକୁ ଦସ୍ତଖତ କରିଥିବା ଯୁଗ୍ମ ସଚିବ ମହୋଦୟଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ। ଏହି ପ୍ରକ୍ରିୟାର ଶେଷ ଚିଠିଟି ତା୨୦ା୦୫ା୨୦୧୯ରେ ୫୪ ଟଙ୍କା ଖର୍ଚ୍ଚ କରାଯାଇ ସ୍ପିଡ୍‌ ପୋଷ୍ଟ ଯୋଗେ ସେହି ତିନିଜଣଙ୍କୁ ପଠାଯାଇଥିଲା, ଯେଉଁଥିରେ କି ଅନ୍ତତଃ ପ୍ରାପ୍ତିସ୍ବୀକାର ପାଇଁ ନିବେଦନ ଥିଲା। ଉତ୍ତର ମିଳିବା ଦୂରେ ଥାଉ, ଚିଠିଟିର ପ୍ରାପ୍ତିସ୍ବୀକାର ବି କରାଗଲା ନାହିଁ।
କବି ଯଦୁମଣି ମହାପାତ୍ର ବ୍ୟବହାର ଅନୁପଯୁକ୍ତ ଜମି ଖଣ୍ଡେ ପାଇଥିଲା ଭଳି ମୁଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିର ନକଲ ଖଣ୍ଡେ ପାଇଛି ଯାହା। ମହାପାତ୍ରଙ୍କୁ ନୟାଗଡ଼ ରାଜା ତା’ପରେ ଭଲ ଜମି ଖଣ୍ଡିଏ ଦେଇଥିଲେ କି ନାହିଁ ସେ ବାବଦରେ କୌଣସି ତଥ୍ୟ ନାହିଁ। କିନ୍ତୁ ମୋ କ୍ଷେତ୍ରରେ ବର୍ତ୍ତମାନର ଗଣତନ୍ତ୍ରର ରାଜା ଓ ମନ୍ତ୍ରିଗଣ କୌଣସି ତଥ୍ୟ ଦେଲେନାହିଁ।
ମୋ- ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri