ଏଥର ଶ୍ରୀକୃଷ୍ଣ

ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣା ୬ ଡିସେମ୍ବର ୨୦୨୧ରେ ୨୯ ବର୍ଷରେ ପହଞ୍ଚତ୍ଛି। ୫ ଅଗଷ୍ଟ ୨୦୨୦ରେ ଭୂମିପୂଜନ ହେବା ପରେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ଉତ୍ତରପ୍ରଦେଶର ଅନ୍ୟ ଏକ ଧାର୍ମିକ ସହର ମଥୁରା ଏବେ ଅଯୋଧ୍ୟା ଘଟଣାର ପୁନରାବୃତ୍ତି କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛିି। ୪ଟି ଦକ୍ଷିଣପନ୍ଥୀ ଗୋଷ୍ଠୀ ଅଖିଳ ଭାରତ ହିନ୍ଦୁ ମହାସଭା, ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମାଣ ନ୍ୟାସ, ନାରାୟଣୀ ସେନା ଓ ଶ୍ରୀକୃଷ୍ଣ ମୁକ୍ତି ଦଳ ଡିସେମ୍ବର ୬ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ଅନୁମତି ମାଗିଥିଲେ। ଅବଶ୍ୟ ତାହାକୁ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଦେଇଛି। ତେବେ ଯେଉଁ ବିଷୟ ଏବେ ସମସ୍ତଙ୍କୁ ବ୍ୟଥିତ କରିବା କଥା ତାହା ହେଲା ଏହି ଦକ୍ଷିଣପନ୍ଥୀ ଗୋଷ୍ଠୀ ମଥୁରାରେ ଥିବା ଏକ ମସ୍‌ଜିଦ୍‌ରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅବସ୍ଥାପିତ କରିବାକୁ ଚାହୁଁଛି। ସେହିଠାରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ବୋଲି ଏମାନେ ଦାବି କରିଛନ୍ତି। ଏକ ଗୋଷ୍ଠୀ କହିଛି ଯେ ସମ୍ପୃକ୍ତ ଶାହି ଇଦ୍‌ଗାକୁ ମହାଜଳାଭିଷେକ କରାଯିବା ପରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ସମ୍ଭବତଃ ଏଭଳି ଚିନ୍ତାଧାରା ପୋଷଣ କରୁଥିବା ବ୍ୟକ୍ତିମାନେ ଜିଦ୍‌ କରୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ସେହି ଇଦ୍‌ଗାରେ ବୋଲି ଏବେ ଦାବି କରାଯିବା ପଛରେ ଏକ ବଡ଼ ଲକ୍ଷ୍ୟ ରହିଥିବା ଅନୁମାନ କରାଯାଇପାରେ। ଆସନ୍ତାବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ହିନ୍ଦୁତ୍ୱ ଚିନ୍ତାଧାରାକୁ ପୁନଶ୍ଚ ଭୋଟରଙ୍କ ମନରେ ପଶାଇବାକୁ ଯାଇ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ସାହାରା ନେଇଛି ବୋଲି ଆଲୋଚନା ହେଉଛି। ସେଠାକାର ଭାଜପା ସରକାର କର୍ମ ବଡ଼ ବୋଲି ଭାଷଣ ଦେଇଚାଲିଥିଲେ। ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନର ଦୃଢ଼ ପ୍ରମାଣ ବିକାଶ ବୋଲି କୁହାଯାଇଥିଲା। ପୁଣି ଯୋଗୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସପ୍ରେସ ଓ୍ବେ, ସ୍କୁଲ, ଆବାସ ଯୋଜନା ବିଷୟ ଉଠାଇ ଭୋଟ୍‌ ପାଇବାକୁ ପ୍ରଥମେ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ଯୋଗୀଙ୍କ ଶାସନ ସମୟରେ ସମ୍ପୂର୍ଣ୍ଣ ଭାବେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଯିବା, କରୋନା ସମୟରେ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଘଟିବା ଓ ଶେଷରେ କୃଷକ ଆନ୍ଦୋଳନ ଚପାଇ ଦେବା ଲାଗି ହୋଇଥିବା ପ୍ରୟାସର ଅଂଶସ୍ବରୂପ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଆଦି ଘଟଣା ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦିତ କରିଦେଇଛି। ଏଭଳି ସମୟରେ ସମାଜବାଦୀ ପାର୍ଟି(ଏସ୍‌ପି) ଓ ବହୁଜନ ସମାଜପାର୍ଟି (ବିଏସ୍‌ପି) ଜାତି ସମୀକରଣ ପରିବର୍ତ୍ତେ ବିକାଶ ପ୍ରସଙ୍ଗ ଉଠାଇବା ସହ ଠାକୁରାଣୀଠାକୁରଙ୍କୁ ଅସ୍ତ୍ରକରି ଭୋଟରଙ୍କୁ ଆକୃଷ୍ଟ କରି ଲୋକଙ୍କ ସହ ଯୋଡ଼ି ହେବା କାର୍ଯ୍ୟ ଚଳାଇଛନ୍ତି। ତତ୍‌ସହିତ କଂଗ୍ରେସର ଆକ୍ରମଣ ମିଶିଯାଉଥିବା ହେତୁ ଭାଜପା ତା’ର ରଣନୀତି ବଦଳାଇଥାଇପାରେ। ସେଥିପାଇଁ ଭାଜପାର ମୁଖ୍ୟ ନିର୍ବାଚନୀ ଅସ୍ତ୍ର ରହିଆସିଥିବା ‘ହିନ୍ଦୁତ୍ୱ’କୁ ପୁଣି ପ୍ରୟୋଗ କରି ‘ମଥୁରା’ରେ ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଅନ୍ୟତମ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଚାହିଁଥାଇପାରେ।
ଏବର ଭାରତୀୟ ରାଜନୀତିକୁ ଦେଖିଲେ ଜାତୀୟ ସ୍ତରରେ ଏକ ଶକ୍ତିଶାଳୀ ବିରୋଧୀ ରାଜନୈତିକ ଦଳ ବା ମେଣ୍ଟ ସୃଷ୍ଟି ହୋଇପାରୁନାହିଁ। ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଭାଜପାର ବିକଳ୍ପ ବୋଲି ଯେଉଁ କ୍ଷୀଣ ଆଶା ଟିକକ ଥିଲା, ତାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ପରେ ସେଥିରେ ଘୁଣ ଲାଗିଗଲା ଭଳି ପ୍ରତୀୟମାନ ହେଉଛି। କଂଗ୍ରେସ ଭିତରେ ଗଭୀର ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଭାଜପା ସମ୍ଭବତଃ ବୁଝିଗଲାଣି ଯେ, ଏହା ହେଉଛି ପାର୍ଟି ପାଇଁ ଆଉ ଏକ ପ୍ରକୃଷ୍ଟ ସମୟ; ଯେଉଁଥିରେ ହିନ୍ଦୁତ୍ୱ କାର୍ଡ ଖେଳିଲେ ସଫଳତା ମିଳିପାରିବ। ପୁଣି ଧର୍ମଭୀରୁ ଲୋକଙ୍କ ଆଗରେ ଶ୍ରୀରାମଙ୍କ ଭଳି ଶ୍ରୀକୃଷ୍ଣଙ୍କୁ ଥୋଇଦେଲେ ଭାଜପାର ଆସନ ସଂଖ୍ୟା ବଢ଼ିଯାଇପାରେ। ନିକଟରେ ଶେଷ ହୋଇଥିବା କେତେକ ଉପନିର୍ବାଚନରେ ଭାଜପାର ପ୍ରଦର୍ଶନ କମିଯାଇଥିବା ଦେଖାଯାଇଛି। ସେହିପରି ଭାରତୀୟ ଗଣତନ୍ତ୍ର ପାକଳ ହେଉଥିବାରୁ ଧର୍ମ ଅପେକ୍ଷା ସକାରାତ୍ମକ କର୍ମ କରି ଦେଶର ବିକାଶ ଆଣିପାରୁଥିବା ରାଜନୈତିକ ଦଳକୁ ଭୋଟର ବାଛିବେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ଏଥର ଶ୍ରୀକୃଷ୍ଣଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଅଣାଯାଇଥିବାରୁ ତା’ର ପରିଣତି ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ କ’ଣ ରହିବ, ତାହା କେବଳ ଭୋଟରଙ୍କୁ ଜଣା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri