Posted inଖେଳ

ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ: ଜାପାନ କଳା, ସଂସ୍କୃତିର ଝଲକ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଫାଙ୍କା ଷ୍ଟାଡିୟମରେ ଅଲିମ୍ପିକ୍ସର ୩୨ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଛି। ସ୍ଥାନୀୟ ଜାପାନ ନ୍ୟାଶନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ଉତ୍ସବ କିନ୍ତୁ ଅନ୍ୟ ସଂସ୍କରଣଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସାବ୍ୟସ୍ତ ହୋଇଛି। ପ୍ରଥମ ଥର ପାଇଁ ବିନା ଦର୍ଶକରେ ଆରମ୍ଭ ହୋଇଛି ଏହି ଅଲିମ୍ପିକ୍ସ। ୧୨୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅଯୁଗ୍ମ ସଂଖ୍ୟା ବର୍ଷରେ ଅଲିମ୍ପିକ୍ସ ଆୟୋଜନ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଜାପାନର ଭବ୍ୟ କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଜାପାନ ସମ୍ରାଟ ନାରୁହିତୋ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ ଓ ଅନ୍ୟ ବିଶ୍ୱସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍‌ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ନୋବେଲ ଶାନ୍ତି ପୁରସ୍କାର ଜିତିଥିତ୍ବା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ ମଧ୍ୟ ସ୍ବତନ୍ତ୍ର ଅଲିମ୍ପିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜାପାନ ମହିଳା ଟେନିସ ତାରକା ନାଓମି ଓସାକା ଅଲିମ୍ପିକ କଲଡ୍ରନ୍‌ରେ ଜ୍ୟୋତି ପ୍ରଜ୍ୱଳନ କରି ଔପଚାରିକ ଭାବେ ଏହି କ୍ରୀଡ଼ାର ଶୁଭାରମ୍ଭ କରିଥିଲେ।
ସାଧାରଣତଃ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ମୁଖ୍ୟ ଆକର୍ଷଣ ହୋଇଥାଏ। କିନ୍ତୁ ଏଥର କରୋନା କାରଣରୁ କେବଳ ୧୦୦୦ ଜଣ ଖେଳାଳି ଓ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ୩୫୦ କୋଟି ଲୋକ ଟିଭି, ସ୍ମାର୍ଟ ଫୋନ୍‌, ଲାପ୍‌ଟପ ଭଳି ଇଲେକ୍‌ଟ୍ରୋନିକ୍ସ ଡିଭାଇସ୍‌ରେ ଏହି ଉତ୍ସବ ଦେଖିଛନ୍ତି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅନୁମାନ କରିଛି। ୧୮୯୬ରେ ଅନୁଷ୍ଠିତ ପ୍ରଥମ ଅଲିମ୍ପିକ୍ସରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ଦେଖିବାକୁ ମିଳିଥିଲା। ଏଥର ମାର୍ଚ୍ଚପାଷ୍ଟରେ ୨୧ ନମ୍ବରରେ ଭାରତୀୟ ଦଳ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲା। ଖେଳାଳି ଓ ଅଧିକାରୀଙ୍କୁ ମିଶାଇ ୨୫ ଜଣିଆ ଭାରତୀୟ ମାର୍ଚ୍ଚପାଷ୍ଟରେ ଅଂଶଗ୍ରହଣ କରିଥିଲେ। ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ମହିଳା ବକ୍ସିଂ ଲିଜେଣ୍ଡ ମେରିକମ୍‌ ଭାରତୀୟ ପରେଡର ନେତୃତ୍ୱ ନେଇଥିଲେ। ଏହି ଦୁଇ ଖେଳାଳି ତ୍ରିରଙ୍ଗା ହାତରେ ଧରି ଆଗକୁ ବଢିଥିଲେ। ପରେଡରେ ଶୁଟିଂ, ବ୍ୟାଡ୍‌ମିଣ୍ଟନ, ଆର୍ଚେରୀ ଓ ହକି ଖେଳାଳିମାନେ ଭାଗ ନେଇ ନ ଥିଲେ। ଏକମାତ୍ର ହକି ଖେଳାଳିଭାବେ ମନପ୍ରୀତ ଏଥିରେ ଭାଗ ନେଇଥିଲେ। ଅନ୍ୟପଟେ ମେରିକମ୍‌ଙ୍କ ସହିତ ଅନ୍ୟ ବକ୍ସରମାନେ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ। କାଉଣ୍ଟ ଡାଉନ୍‌ ଜିରୋରେ ପହଞ୍ଚିବା ପରେ ଆତସବାଜିରେ ଷ୍ଟାଡିୟମ ଝଲସି ଉଠିଥିଲା। ରଙ୍ଗାରଙ୍ଗ ଆଲୋକ ଓ ଆତସବାଜିରେ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ବେଶ୍‌ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଜାପାନ ସଙ୍ଗୀତ ଓ ଭିଡିଓ ଗେମ୍‌ର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଦର୍ଶକଙ୍କ ଅନୁପସ୍ଥିତି ଏକ ଅଜବ ପ୍ରକାର ନୀରବତା ସୃଷ୍ଟି କରିଥିଲା ଓ ଏହା ସହଜରେ ବାରିହୋଇ ପଡ଼ିଥିଲା। ମାର୍ଚ୍ଚପାଷ୍ଟରେ ପୁରାତନ ଅଲିମ୍ପିକ୍ସର ଘର କୁହାଯାଉଥିବା ଗ୍ରୀସ୍‌ ଦଳ ପ୍ରଥମେ ଷ୍ଟାଡିୟମରେ ପ୍ରବେଶ କରିଥିଲା ଓ ଶେଷରେ ଜାପାନ ଦଳ ଏଣ୍ଟ୍ରି କରିଥିଲା। ଜାପାନର ପ୍ରସିଦ୍ଧ ଗାୟକ ମିସିଆ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଜେମୋଟ୍ରିକ୍‌ ଶେପ୍‌ ଅଙ୍କାଯିବାର ଏକ ଭିଡିଓରୁ ଶୋ’ ଆରମ୍ଭ ହୋଇଥିଲା। ପଡିଆର କେନ୍ଦ୍ରରେ ଜଣେ ମହିଳା ଆଥ୍‌ଲେଟ ରହିଥିଲେ ଓ ତାଙ୍କ ହାତ ମାଟିରେ ରହିଥିଲା। ତେବେ ଯେତେବେଳେ ସେ ଉଠିଥିଲେ ତାଙ୍କ ଛାଇ ଷ୍ଟାଡିୟମ ସାରା ପାଖୁଡା ପରି ମେଲି ହୋଇଯାଇଥିଲା। ୮ଜଣ ପିଲା ଜାପାନ ପତାକା ଧରି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ।
ଏଥର ଅଲିମ୍ପିକ୍ସରେ ଶରଣାର୍ଥୀ ଦଳ ସମେତ ୨୦୫ଟି ଦେଶର ମୋଟ୍‌ ୧୧, ୨୮୩ ଆଥ୍‌ଲେଟ ଅଂଶଗ୍ରହଣ କରିଛନ୍ତି। ୩୩ଟି କ୍ରୀଡ଼ାରେ ମୋଟ ୩୩୯ ସ୍ବର୍ଣ୍ଣ ପଦକ ପାଇଁ ଆଥ୍‌ଲେଟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଷ୍ଟାଡିୟମ ବାହାରେ ଅଲିମ୍ପିକ୍ସ ଆୟୋଜନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥର ଅଲିମ୍ପିକ୍ସରେ ଭାରତର ୧୨୪ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିଛନ୍ତି। ଏଥିରେ ୬୯ ପୁରୁଷ ଓ ୫୫ ମହିଳା ସାମିଲ ରହିଛନ୍ତି। ୮୫ଟି ପଦକ ପାଇଁ ଭାରତୀୟ ଖେଳାଳିମାନେ ମୁକାବିଲାରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri