ଦେଶାନ୍ତରୀ ଶିଶୁଙ୍କ ଶିକ୍ଷା ଅଧିକାର

ଘାସିରାମ ପଣ୍ଡା
ଦାରିଦ୍ର୍ୟ ହେତୁ ପଶ୍ଚିମ ଓଡିଶାର ଅନେକ ପରିବାର ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟର ଇଟାଭାଟିଗୁଡ଼ିକରେ କାମ କରିବାକୁ ଯାଆନ୍ତି। ଏଥିରେ ଛୋଟ ପିଲାମାନେ ମଧ୍ୟ ସାମିଲ ହୁଅନ୍ତି। କଞ୍ଚାମାଟିର ଇଟାକୁ ଓଲଟାଇ ଶୁଖେଇବାରେ ଏହି ପିଲାମାନେ କାମରେ ଆସନ୍ତି। ଧାଡି ହୋଇ ଶୁଖୁଥିବା ଇଟାର ମଝିରେ ଥିବା ଫାଙ୍କରେ ଗଲାବେଳେ ବା ଇଟା ଉପରେ ପାଦଦେଲେ ଇଟା ଭାଙ୍ଗିବାର ସମ୍ଭାବନା ନ ଥିବାରୁ ଏମାନଙ୍କୁ ବ୍ୟବହାର କରାଯାଏ। ଏହି କାରଣରୁ ବର୍ଷରେ ପ୍ରାୟ ଛଅମାସରୁ ଅଧିକ ସମୟ ପରିବାର ସହ ଦେଶାନ୍ତରୀ ହେଉଥିବାରୁ ପିଲାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହୁଅନ୍ତି। କେହି କେହି ଅଧାରୁ ପାଠ ଛାଡୁଥିବା ବେଳେ ଅନେକେ ମୂଳରୁ ବିଦ୍ୟାଳୟ ଯିବାର ସୁଯୋଗ ପାଆନ୍ତି ନାହିଁ।
ଜୀବିକା ପାଇଁ ଦେଶାନ୍ତରୀ ହେବା ଆଉ ପଶ୍ଚିମାଞ୍ଚଳରେ ସୀମିତ ହୋଇ ରହିନାହିଁ। ପ୍ରାୟତଃ ଓଡିଶାର ସବୁ ଅଞ୍ଚଳରୁ କର୍ମ ଅନ୍ବେଷଣରେ ସ୍ଥାନାନ୍ତର ଦେଖାଗଲାଣି। କାମ ଅନ୍ବେଷଣରେ ଦେଶାନ୍ତରୀ ହେଉଥିବା ଅନେକ ପରିବାର ନିଜ ବୟସ୍କ ମାତାପିତାଙ୍କ ପାଖରେ ଅବା ସମ୍ପର୍କୀୟଙ୍କ ଘରେ ପିଲାଙ୍କୁ ଛାଡି ଯାଉଛନ୍ତି, ନ ହେଲେ ନିଜ ସହ କର୍ମସ୍ଥଳୀକୁ ନେଇ ଯାଉଛନ୍ତି। ଉଭୟ କ୍ଷେତ୍ରରେ ପିଲା ବିଭିନ୍ନ କାରଣରୁ ବିଦ୍ୟାଳୟଠାରୁ ଦୂରେଇ ରହେ ଓ ଧୀରେ ଧୀରେ ପଢାରୁ ବିମୁଖ ହୁଏ।
ସମ୍ବିଧାନର ଧାରା ୨୧(କ) ସଂଶୋଧନ ହେଲା ପରେ ପ୍ରାଥମିକ ଶିକ୍ଷା ମୌଳିକ ଅଧିକାର ଭାବେ ଗଣାହେଉଛି। ୨୦୦୯ରେ ଶିକ୍ଷା ଅଧିକାର ଆଇନ ପ୍ରଣୟନ କରାଗଲା। ପ୍ରତ୍ୟେକ ଶିଶୁଙ୍କୁ ପ୍ରାକ୍‌ ପ୍ରାଥମିକଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ଦାୟିତ୍ୱ ରାଷ୍ଟ୍ର ଉପରେ ନ୍ୟସ୍ତ ରହିଲା। ଦେଶାନ୍ତରୀ ପରିବାରର ଶିଶୁମାନଙ୍କୁ ମଧ୍ୟ ପ୍ରାଥମିକ ଶିକ୍ଷାର ପରିସରକୁ ଆଣିବାର ପ୍ରୟାସ ସରକାରୀ ଓ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କରାଯାଉଛି। ହେଲେ ଏହା ପର୍ଯ୍ୟାପ୍ତ ଓ ଗୁଣାତ୍ମକ ହୋଇପାରୁନାହିଁ।
ପରିବାର ସହ ଦେଶାନ୍ତରୀ ହେଉଥିବା ଶିଶୁଙ୍କୁ ଗନ୍ତବ୍ୟ ସ୍ଥଳରେ ଶିକ୍ଷା ପ୍ରଦାନ ପାଇଁ କିଛି ଅଞ୍ଚଳରେ ଚେଷ୍ଟା ହୋଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ବେସରକାରୀ ଅନୁଷ୍ଠାନ ସ୍ବେଚ୍ଛାସେବୀ ଶିକ୍ଷକ ଓ ଅନ୍ୟାନ୍ୟ ସହୟତା ଯୋଗାଇ ଆସୁଛନ୍ତି। ଦେଶାନ୍ତରୀ ଶ୍ରମିକ ପରିବାର ପ୍ରାୟତଃ କର୍ମସ୍ଥଳୀରେ ହିଁ ରୁହନ୍ତି। ଏବେ ବି ପ୍ରତ୍ୟେକ ବର୍ଷ କର୍ମସ୍ଥଳୀର ଚିହ୍ନଟୀକରଣ ଓ ପ୍ରତ୍ୟେକ କର୍ମସ୍ଥଳୀରେ ଶିକ୍ଷା ବ୍ୟବସ୍ଥା ସମ୍ଭବ ହୋଇ ପାରିନାହିଁ। ବରଂ ଶିଶୁ ଦେଶାନ୍ତରୀ ହୋଇ ମାସାଧିକ କାଳ ଗାଁ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲେ ବି ଉପସ୍ଥାନ ଖାତାରୁ ନାଁ ହଟାଯାଉ ନାହିଁ। ଫଳତଃ ଦେଶାନ୍ତର ହେତୁ କେତେ ପିଲା ବିଦ୍ୟାଳୟ ବାହାରେ ଅଛନ୍ତି ଜାଣିବା ସମ୍ଭବ ହେଉନାହିଁ।
ବାଧ୍ୟବାଧକତାରେ ଦେଶାନ୍ତର ହେବାକୁ ପଶ୍ଚିମାଞ୍ଚଳରେ ଦାଦନ କୁହାଯାଏ। ଦାଦନ ପ୍ରବଣ କିଛି ଜିଲାରେ ପ୍ରଶାସନ ତରଫରୁ ଋତୁକାଳୀନ ଆବାସିକ ଶିକ୍ଷା ବ୍ୟବସ୍ଥା କରାଯାଏ। ଗାଁମାନଙ୍କରେ ଦାଦନ ଯିବାକୁ ଥିବା ପରିବାର ଓ ସେମାନଙ୍କର ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଏ। ସାମୟିକ ଭାବରେ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟକୁ ଆବାସିକ ବିଦ୍ୟାଳୟରେ ପରିଣତ କରାଯିବା ସହ ଏହି ଚିହ୍ନିତ ଶିଶୁମାନଙ୍କୁ ସେଠାରେ ରଖାଯାଇ ପାଠପଢାର ବ୍ୟବସ୍ଥା କରାଯାଏ। ଏହା ଅନେକ ପିଲାଙ୍କୁ ପରିବାର ସହ ଦେଶାନ୍ତରୀ ନ ହୋଇ ଆବାସିକ ବିଦ୍ୟାଳୟରେ ରହି ପ୍ରାଥମିକ ଶିକ୍ଷା ସମ୍ପନ୍ନ କରିବାରେ ସହାୟକ ହୋଇଛି। ଏହାସତ୍ତ୍ୱେ ଆହୁରି ଅନେକ ଶିଶୁ ଏହି ସୁରକ୍ଷା ବଳୟକୁ ଆସିପାରୁ ନାହାନ୍ତି।
ଋତୁକାଳୀନ ଆବାସିକ ବିଦ୍ୟାଳୟ ଉଭୟ ସଂଖ୍ୟା ଓ ସୁବିଧା ଦୃଷ୍ଟିରୁ ସମୁଦ୍ରକୁ ଶଙ୍ଖେ ପଣା ସଦୃଶ। ଦେଶାନ୍ତରୀ ଶିଶୁଙ୍କ ସଂଖ୍ୟା ତୁଳନାରେ ଏବେ ବି ଯଥେଷ୍ଟ ସଂଖ୍ୟାରେ ଋତୁକାଳୀନ ଆବାସିକ ବିଦ୍ୟାଳୟ ନାହିଁ। ସୁବର୍ଣ୍ଣପୁର ଭଳି ଅନେକ ଜିଲା ଦାଦନ ପ୍ରବଣ ହୋଇଥିଲେ ହେଁ ଏ ଯାଏ ଏହି ଜିଲାମାନଙ୍କରେ ଋତୁକାଳୀନ ଆବାସିକ ବିଦ୍ୟାଳୟ ଖୋଲିବାର କୌଣସି ପ୍ରସ୍ତାବ ନାହିଁ। ଏକ ଦିବାଧ୍ୟାୟୀ ବିଦ୍ୟାଳୟକୁ ସାମୟିକ ଭାବେ ଆବାସିକ ବିଦ୍ୟାଳୟରେ ପରିଣତ କରାଯାଏ। ଏଣୁ ଆବାସିକ ବିଦ୍ୟାଳୟ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି, ସୁବିଧା ଓ ସୁରକ୍ଷା ଏଠାରେ ପ୍ରାୟତଃ ଉପଲବ୍ଧ ନ ଥାଏ। ଏହା ଅନେକଙ୍କୁ ନିଜ ପିଲାଙ୍କୁ ଏଠି ଛାଡି ଦାଦନ ଯିବା ପାଇଁ ନିରୁତ୍ସାହିତ କରୁଛି।
ଯେଉଁ ଅନୁଷ୍ଠାନରେ ଶିଶୁ ପଢୁଛି ବା ରହୁଛି ସେଠାରେ ଶିଶୁ ପାଇଁ ସୁରକ୍ଷିତ ପରିବେଶ ଯୋଗେଇ ଦେବା ପାଇଁ ୨୦୧୪ ଅଗଷ୍ଟ ୨୩ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ସେହି ଅନୁଯାୟୀ ପ୍ରତ୍ୟେକ ଅନୁଷ୍ଠାନ ନିଜର ଏକ ଶିଶୁ ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତ କରିବା ସହ ଅନୁଷ୍ଠାନର ମୁଖ୍ୟଙ୍କୁ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଘୋଷଣା କରିବେ। ଅନୁଷ୍ଠାନମାନେ ଶିଶୁମାନଙ୍କ ଅସୁବିଧାଗୁଡ଼ିକର ଏକ ରିପୋର୍ଟ ପ୍ରସ୍ତୁତ କରି ତାହା ଦୂର କରିବା ପାଇଁ କାର୍ଯ୍ୟ କରିବେ। ପ୍ରତ୍ୟେକ କର୍ମଚାରୀଙ୍କୁ ଶିଶୁ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ ଓ ସେମାନେ ଏହାକୁ ପାଳନ କରିବା ନେଇ ଅଙ୍ଗୀକାରବଦ୍ଧ ହେବେ। ଋତୁକାଳୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଏହାକୁ ଏ ପର୍ଯ୍ୟନ୍ତ ଗୁରୁତ୍ୱ ଦିଆଯାଇ ନାହିଁି।
ରାଜ୍ୟ ସରକାର ଶିଶୁ ଗୃହମାନଙ୍କ ପାଇଁ ଏକ ମାନକ ନିର୍ଦ୍ଧାରଣ କରିଛନ୍ତି। ଏହାଦ୍ୱାରା ପିଲାଙ୍କ ସର୍ବନିମ୍ନ ଆବଶ୍ୟକତା, ସ୍ବାଚ୍ଛନ୍ଦ୍ୟକୁ ସୁନିଶ୍ଚିତ କରାଯାଇ ପାରୁଛି। ଋତୁକାଳୀନ ଆବାସିକ ବିଦ୍ୟାଳୟରେ ମଧ୍ୟ ଏହି ମାନକକୁ ଗ୍ରହଣ ଓ ଅନୁପାଳନ କରାଯିବାର ଆବଶ୍ୟକତା ରହିଛି।
ସୁବର୍ଣ୍ଣପୁର, ମୋ -୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri