ସ୍କୁଲ ଅପମିଶ୍ରଣ ଓ ଆତଙ୍କିତ ଶିକ୍ଷକ

ଅଞ୍ଜନ ଚାନ୍ଦ
କିଛିଦିନ ତଳେ ଏଠାରେ ଗୋଟିଏ ଦୁଃଖଦ ଘଟଣା ଘଟିଲା। ଦୁଇଜଣ ସ୍କୁଲ ପିଲା ମଧ୍ୟାହ୍ନଭୋଜନ ବିରତି ବେଳେ ସ୍କୁଲ ପାଖ କେନାଲରେ ଖସିପଡ଼ିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନିଆଗଲା। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା। ମୃତ୍ୟୁଖବର ଶୁଣିବା ପରେ ଗାଁର ଲୋକମାନେ ଉତ୍‌କ୍ଷିପ୍ତ ହୋଇ ସ୍କୁଲକୁ ମାଡ଼ିଆସିଲେ। ଶିକ୍ଷକମାନଙ୍କୁ ଗାଳିଗୁଲଜ, ଠେଲାପେଲା କଲେ। ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ ତାଲା ପକାଇ ଦେଲେ। ନିକଟବର୍ତ୍ତୀ ଥାନାର ଜଣେ ମହିଳା ଅଧିକାରୀ ଚତୁରତାର ସହିତ ଲୋକମାନଙ୍କୁ ବୁଝାଇ ରାତି ନଅଟା ସମୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇଆସିଲେ। ସେହି ରାତିଯାକ ଏବଂ ତା’ ପରଦିନ ସେମାନେ ଥାନାରେ ରହିଲେ। ଆମେ ଦିନ ବାରଟା ସମୟରେ ସେଠାକୁ ଯାଇଥିଲୁ। ସେଠାରୁ ଗାଁ ଭିତରକୁ ଗଲୁ। ଠିକ୍‌ ସେତେବେଳେ ପିଲା ଦୁହିଁଙ୍କର ମୃତଦେହ ପୋଷ୍ଟମର୍ଟମ ହୋଇ ଗାଁକୁ ଫେରିଥିଲା। ଚାରିଆଡେ କାନ୍ଦବୋବାଳି। ତା’ ସହିତ ଶିକ୍ଷକମାନଙ୍କୁ ଭର୍ତ୍ସନା। ପରିସ୍ଥିତି ଅସମ୍ଭାଳ ଓ ହୃଦୟବିଦାରକ ଥିଲା। ଏକମାତ୍ର ପୁଅକୁ ହରାଇ ଶୋକାତୁର ହୋଇପଡିଥିବା ମା’ବାପାଙ୍କୁ ସାନ୍ତ୍ୱନା ଦେବା ପାଇଁ ଭାଷା ବୋଧହୁଏ କାହାରି ପାଖରେ ନ ଥିଲା।
ସେଠାରୁ ଆମେ ସ୍କୁଲ ପାଖକୁ ଗଲୁ। ତାହା ଗୋଟିଏ ନୋଡ଼ାଲ ସ୍କୁଲ। ପ୍ରାୟ ଦୁଇଶହ ମିଟର ଦୂରରେ ଥିବା ପ୍ରାଇମେରୀ ସ୍କୁଲଟିକୁ ହାଇସ୍କୁଲ ସହିତ ମିଶାଇ ଦିଆଯାଇଛି। ବିଶାଳ ପରିସର ଅଥଚ ପାଚେରି କିମ୍ବା ବାଡ଼ କିଛି ନାହିଁ। ମଧ୍ୟାହ୍ନଭୋଜନ ରୋଷେଇ ହାଇସ୍କୁଲରେ ହୁଏ। ପ୍ରାଇମେରୀ ପିଲାମାନେ ସେଠାକୁ ଯିବାଆସିବା କରନ୍ତି। ନିକଟରେ କେନାଲ, ଦୁଇପଟେ ପଥର ବସାଯାଇଛି। ବର୍ଷା ଦିନେ ପାଣି ଭର୍ତ୍ତିହୋଇ ରହିଛି। ଘଟଣା ଦିନ ହାଇସ୍କୁଲରୁ ମଧ୍ୟାହ୍ନଭୋଜନ ଖାଇ ପିଲାମାନେ ପ୍ରାଇମେରୀ ସ୍କୁଲକୁ ଫେରୁଥିଲେ। କେଜାଣି କେଉଁ କାରଣରୁ ସେ ପିଲା ଦୁୁହେଁ କେନାଲ ପାଖକୁ ଚାଲିଗଲେ। ପଥରରେ ଗୋଡ ଖସି ପାଣିରେ ପଡିଗଲେ। ଦୂରରୁ ଦେଖି ପିଲାମାନେ ପାଟିକରି ଉଠିଲେ। ପାଟି ଶୁଣି ଲୋକମାନେ ଧାଇଁ ଆସିଲେ। ପାଣିରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ପିଲାଦୁହେଁ ଜୀବନ ଫେରିପାଇଲେ ନାହିଁ ଏବଂ ସେଥିପାଇଁ ଦାୟୀ ହେଲେ ଶିକ୍ଷକ। ମାସାଧିକ ସମୟ ବିତିଗଲାଣି। ଏବେ ବି ସେଠାରେ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ଦୁଇଜଣ ଶିକ୍ଷକ ସସ୍‌ପେଣ୍ଡ ହୋଇଛନ୍ତି। କେତେଜଣ ଭୟରେ ସ୍କୁଲକୁ ଯାଉନାହାନ୍ତି। ବଦଳି ହୋଇଯିବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ବଦଳରେ କୌଣସି ଶିକ୍ଷକ ସେଠାକୁ ଯିବାକୁ ରାଜି ହେଉନାହାନ୍ତି।
ଉପଯୁକ୍ତ ଭିତ୍ତିଭୂମି ନ ଥାଇ ସ୍କୁଲଗୁଡ଼ିକୁ ଯେପରି ତରବରରେ ଅପମିଶ୍ରଣ କରାଯାଇଛି ତାହାର କୁପରିଣତିର ଏହା ଏକ ବାସ୍ତବ ନମୁନା। ଆହୁରି ଏମିତି ଅନେକ ସ୍କୁଲ ଅଛି ଯେଉଁଠି ହାଇସ୍କୁଲରୁ ଚାହିଁଲେ ଦିଶେନାହିଁ ପ୍ରାଇମେରୀ ସ୍କୁଲ। ଏସବୁ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କର କାଗଜ କାମ ଅଧିକ। ଦଶଟାରୁ ଚାରିଟା ନିଜ ଟେବୁଲ ଉପରେ ମୁହଁମାଡି ପଡ଼ିବାକୁ ହୁଏ। ପ୍ରାଇମେରୀ ସ୍କୁଲରେ କ’ଣ ଚାଲିଛି ତାହା ଦେଖିବାକୁ ସମୟ ମିଳେନାହିଁ। କେବେ କେମିତି ଛୋଟ ମୋଟ ଦୁର୍ଘଟଣା ଘଟେ। ଶିକ୍ଷକମାନେ ଆତଙ୍କିତ ଅବସ୍ଥାରେ ରୁହନ୍ତି।
ରାଜଧାନୀରେ ସଚିବଙ୍କଠାରୁ ବ୍ଲକ୍‌ରେ ଅତିରିକ୍ତ ଶିକ୍ଷାଧିକାରୀ ପର୍ଯ୍ୟନ୍ତ ଶିକ୍ଷା ବିଭାଗରେ ଅସଂଖ୍ୟ ଅଧିକାରୀ। ବର୍ଷଯାକ କେତେ ଯୋଜନା, କେତେ ନୀତିନିୟମ ଲାଗୁ ହେଉଛି। ଶିକ୍ଷା ବ୍ୟବସ୍ଥା ସୁଧୁରୁଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ ପର୍ଯ୍ୟବେକ୍ଷଣରେ ଯେତେବେଳେ ଦେଖାଯାଉଛି ଶିକ୍ଷାର ମାନ ଅଧିକ ହ୍ରାସ ପାଇଛି, ସବୁ ଦୋଷ ଶିକ୍ଷକମାନଙ୍କ ମୁଣ୍ଡ ଉପରେ ଲଦି ଦିଆଯାଉଛି। ବର୍ତ୍ତମାନ ଗଣଶିକ୍ଷାରେ ପ୍ରଚଳିତ କେତେକ ବିଚିତ୍ର ନୀତି ଦେଖନ୍ତୁ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କ୍ଲାସ୍‌ ପରୀକ୍ଷାରେ ଫେଲ କରାଯାଇପାରିବ ନାହିଁ କିନ୍ତୁ ଦଶମ ବୋର୍ଡ ପରୀକ୍ଷାରେ ସେମାନେ ଫେଲ୍‌ ହେଲେ ଶିକ୍ଷକଙ୍କ ଦରମା ବନ୍ଦ ହେବ। ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି ଦିଆଯିବ ନାହିଁ କିନ୍ତୁ ଯେଉଁ ବିଷୟରେ ପିଲା ଫେଲ ହେବେ ସେ ବିଷୟ ପଢାଉଥିବା ଶିକ୍ଷକମାନଙ୍କୁ ଦରମା ଦିଆଯିବ ନାହିଁ। ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି କିନ୍ତୁ ପରୀକ୍ଷା ଫଳ ଖରାପ ହେଲେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଇନ୍‌କ୍ରିମେଣ୍ଟ ବନ୍ଦ ହେବ। ପିଲାମାନେ ପଡ଼ିଆରେ ଖେଳିବେ କିନ୍ତୁ ଦୈବାତ୍‌ ପଡ଼ିଯାଇ ଆହତ ହେଲେ ଦାୟୀ ହେବେ ଶିକ୍ଷକ। ପିଲାମାନେ ବିଶୃଙ୍ଖଳିତ ହେବେ କିନ୍ତୁ ଶୃଙ୍ଖଳା ପାଇଁ ଶାସନ କଲେ ଶିକ୍ଷକ ନିଲମ୍ବିତ ହେବେ। ସ୍କୁଲରେ ବଗିଚା ହେବ, ସ୍କୁଲ ହତା ସଫା ରହିବ କିନ୍ତୁ ପିଲାମାନେ କୌଣସି କାମରେ ହାତ ଲଗାଇବେ ନାହିଁ। ସ୍କୁଲରେ ପୂଜା, ଉତ୍ସବ ହେବ, ପିଲାମାନେ ଭୋଜି ଖାଇବେ କିନ୍ତୁ ସେମାନେ ଚାନ୍ଦା ଦେବେ ନାହିଁ କି ସେଦିନ ମଧ୍ୟାହ୍ନଭୋଜନ ହେବନାହିଁ। ବିଚରା ଶିକ୍ଷକମାନଙ୍କର ଜୀବନ ଭୟଭ୍ରାନ୍ତିରେ ବିତୁଛି, ସେମାନେ ଉତ୍ତମ ଶିକ୍ଷାଦାନ କରିବେ କିପରି?
ଅଙ୍ଗାରଗାଡ଼ିଆ, ବାଲେଶ୍ୱର, ମୋ-୯୪୭୭୨୯୬୮୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri