ଚାଷୀ ଯେଉଁ ତିମିରେକୁ ସେଇ ତିମିରେ

ହରିହର ତ୍ରିପାଠୀ

ଦେଶରେ କୃଷକକୁ ସବୁଠାରୁ ସ୍ବାଭିମାନୀ ବୋଲି କୁହାଯାଏ। ସେ ସ୍ବାଧୀନ, ସେ କାହା ଉପରେ ନିର୍ଭର କରେ ନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ନିଜର ଜମିରେ ସୁନାର ଫସଲ ଫଳାଏ। ଏମିତି ଅନେକଗୁଡିଏ ପ୍ରଶଂସାରେ ସମସ୍ତେ ପୋତିପକାନ୍ତି କୃଷକକୁ। ହେଲେ କୃଷକର ଆର୍ଥିକ ସ୍ଥିତି ଏ ଦେଶରେ କେତେ ଯେ ଦୟନୀୟ ସେକଥା କେହି କଳ୍ପନା ବି କରିପାରିବେ ନାହିଁ। ଦିନକୁ ଜଣେ ଚାଷୀ ଯାହା ରୋଜଗାର କରେ ତାହା ଜଣେ ମୂଲିଆର ଦୈନିକ ମଜୁରିଠାରୁ ମଧ୍ୟ କମ୍‌! ସ୍ବାଧୀନତା ପରଠାରୁ ବିଭିନ୍ନ ସମୟରେ ବିଭିନ୍ନ ସରକାର ଚାଷୀର ଆୟ ଦ୍ୱିଗୁଣିତ, ବହୁଗୁଣିତ କରିବା ଲାଗି କହିଆସୁଛନ୍ତି। ମାତ୍ର ସେ ପ୍ରକାର ହିସାବରେ ଚାଷୀକୁ କିଛି ବି ଲାଭ ମିଳିନି। ଏବେ ବି ଏ ଦେଶର ଚାଷୀଟିଏ ସମାଜର ସବୁବର୍ଗ ଓ ଜୀବିକାର ଲୋକଙ୍କଠାରୁ କମ୍‌ ରୋଜଗାର କରେ।
ଚାଷୀର ଆୟ ବଢାଇବାକୁ ସରକାରମାନେ ଯୋଜନା କରି ଆସୁଛନ୍ତି। ତେବେ ବାସ୍ତବରେ ଏହିସବୁ ଯୋଜନାରେ ଚାଷୀର ଆୟ ବଢୁଛି କି ନାହିଁ ସେକଥା କେହି ବି କହିପାରିବେ ନାହିଁ। କାରଣ ଆମର ଦୁର୍ଭାଗ୍ୟ ହେଲା ଆମର ଚାଷୀମାନେ ହିସାବରେ ବଡ଼ ଦୁର୍ବଳ। ଯେତେବେଳେ ସରକାରଙ୍କ ନିକଟରୁ ବିଭିନ୍ନ ଯୋଜନାରେ କିଛି ସିଧାସଳଖ ତାଙ୍କ ଆକାଉଣ୍ଟରେ ପାଉଛନ୍ତି ସେତେବେଳେ ତାଙ୍କର ସବୁ ହିସାବ ଭୁଲ୍‌ଭାଲ ହୋଇଯାଉଛି। ସେମାନେ ଏକଥା ବି ଭୁଲିଯାଉଛନ୍ତି ବର୍ଷକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶାଇ ଚାଷୀଟିଏ ମାତ୍ର ୧୬ ହଜାର ଟଙ୍କା ସହାୟତା ପାଇଲାବେଳେ ଦେଶରେ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀଟିର ଦରମା ସର୍ବନିମ୍ନ ୧୮ ହଜାର ଟଙ୍କା। ଏଇ ସରକାରୀ ଅର୍ଥକୁ ସେ ତା’ର ଚାଷରେ ଲଗାଇ ମାସକୁ ସର୍ବନିମ୍ନ ୧୮ ହଜାର ଟଙ୍କା ରୋଜଗାର କରିବା ଏକ ଦିବାସ୍ବପ୍ନ। ସେଇଥିଲାଗି ସବ୍‌ସିଡି ପଇସାକୁ ସେ ଚାଷରେ ଯେତେ ନ ଲଗାଏ ତା’ଠାରୁ ଅଧିକ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଏ।
ଏବେ ସରକାର ଚାଷୀର ଆୟ ବଢାଇବାକୁ ବଜାର ବ୍ୟବସ୍ଥାରେ ସୁଧାର ଆଣିବାକୁ କୃଷି ବିଧେୟକ ଆଣିଛନ୍ତି। ସରକାର କହୁଛନ୍ତି ବିଧେୟକକୁ ନେଇ ବିରୋଧୀ ଦଳଗୁଡିକ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର ଅଧିକ ସଶକ୍ତ କରିବା ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସେମାନଙ୍କ ଫସଲକୁ ସହଜରେ ଓ ଅଧିକ ମୂଲ୍ୟରେ ବିକ୍ରି କରିବାର ସୁବିଧା, ସୁରକ୍ଷା ଓ ପ୍ରୋତ୍ସାହନ ପ୍ରଦାନ ଲାଗି ଉକ୍ତ ବିଲ୍‌ରେ କୁଆଡ଼େ ବ୍ୟବସ୍ଥା କରାଯାଇଛି। ମାତ୍ର ବିରୋଧୀଙ୍କ କହିବା କଥା କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇଥିବା ବିଧେୟକ ଦେଶର କୃଷକମାନଙ୍କ ଲାଗି ମୃତ୍ୟୁର ପରୱାନା। ପ୍ରଶ୍ନ ଉଠୁଛି ଏହି ବିଲ୍‌ ଜରିଆରେ ସରକାର ଆପଣାଇଥିବା ବ୍ୟବସ୍ଥା ଆମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅର୍ଦ୍ଧଶତାବ୍ଦୀ ତଳୁ ପ୍ରଚଳିତ ହୋଇଛି। ମାତ୍ର ଦେଖାଯାଇଛି ସେସବୁ ଦେଶରେ କୃଷିକ୍ଷେତ୍ର ଲାଗି ଯେଉଁ ବଜାର ନୀତି ଗ୍ରହଣ କରାଯାଇଥିଲା ତାହା ବିଫଳ ହୋଇଛି। ବରଂ କୃଷକଙ୍କ ଉପରେ ଋଣର ପରିମାଣ ବହୁଗୁଣିତ ହୋଇଛି, ଏମିତି କି କୃଷକ ଆତ୍ମହତ୍ୟା ମଧ୍ୟ ବଢିବାରେ ଲାଗିଛି। ଆମେରିକା ତଥା ୟୁରୋପୀୟ ଦେଶଗୁଡ଼ିକରେ ବଡ଼ବଡ଼ କମ୍ପାନୀଙ୍କ ଲାଗି ଖାଦ୍ୟଶସ୍ୟ ଗଚ୍ଛିତ କରିବାର ନିୟନ୍ତ୍ରଣ ନାହିଁ। କଣ୍ଟ୍ରାକ୍ଟ ଫାର୍ମିଂ ଓ ମୁକ୍ତ ବଜାର ମଧ୍ୟ ଅଛି। ସାରା ଦୁନିଆ ସେ ଦେଶର କୃଷକ ଲାଗି ବଜାର। ସେଠାକାର କୃଷକ ଦୁନିଆର ଯେକୌଣସି ଜାଗାରେ ନିଜର ବ୍ୟବସାୟ କରିପାରେ। ଏହା ସତ୍ତ୍ୱେ ବି ସେଠାରେ କୃଷି ଉପରେ ଭୟଙ୍କର ସଙ୍କଟ ରହିଛି। ଜଣାଯାଇଛି ଫ୍ରାନ୍ସରେ ବର୍ଷକ ମଧ୍ୟରେ ୫୦୦ କୃଷକ ଆତ୍ମହତ୍ୟା କରିଛନ୍ତି। ଆମେରିକାରେ ୧୯୭୦ରୁ ଆଜି ପର୍ଯ୍ୟନ୍ତ ୯୩ ପ୍ରତିଶତ ଡାଇରୀ ଫାର୍ମ ବନ୍ଦ ହୋଇଯାଇଛି। ଇଂଲଣ୍ଡରେ ୩ ବର୍ଷରେ ୩୦ହଜାର ଡାଇରୀ ଫାର୍ମ ବନ୍ଦ ହୋଇଛି। ଆମେରିକା, ୟୁରୋପ ଏବଂ କାନାଡାରେ କେବଳ କୃଷି ଓ କୃଷକ ସବ୍‌ସିଡିକୁ ଆଧାର କରି ବଞ୍ଚତ୍ଛନ୍ତି। ତାଜା ଖବର ଅନୁସାରେ ପ୍ରତିବର୍ଷ ୨୪୬ ଅରବ ଡଲାରର ସବ୍‌ସିଡି ଧନୀ ଦେଶମାନେ ନିଜ ନିଜର କୃଷକଙ୍କୁ ଦେଉଛନ୍ତି। ସେଠାରେ ବଜାରଗୁଡ଼ିକ ଯଦି କୃଷି ଓ କୃଷକଙ୍କ ସହାୟତା କରୁଥାନ୍ତା ତେବେ ଏତେ ପରିମାଣର ସବ୍‌ସିଡିର ଆବଶ୍ୟକତା ପଡ଼ନ୍ତା କି? ଏଭଳିସ୍ଥିତିରେ ଆମେ ଏବେ କୃଷକମାନଙ୍କ ନିମନ୍ତେ ଯେଉଁ ମୁକ୍ତ ବଜାରର ପଶ୍ଚିମୀ ମଡେଲ ଆପଣାଇବାକୁ ଯାଉଛି ତାହା ଆମଲାଗି ଉପଯୋଗୀ ସାବ୍ୟସ୍ତ ହେବ ତ?
୨୦୦୬ ମସିହାରେ ବିହାରରେ କୃଷିଜାତ ସାମଗ୍ରୀ ବଜାର କମିଟି ଆକ୍ଟକୁ ଉଠାଇ ଦିଆଗଲା।
କୁହାଗଲା ଯେ ଏହାଦ୍ୱାରା ଘରୋଇ ନିବେଶ ବଢିବ, ଘରୋଇ ବଜାର ହେବା ଫଳରେ କୃଷକଙ୍କୁ ଅଧିକ ଲାଭ ମିଳିବ। ଆଜି ବିହାରରେ ଯେଉଁ ଖାଦ୍ୟଶସ୍ୟ ପାଇଁ ଚାଷୀକୁ ୧୩୦୦ ଟଙ୍କା ମିଳୁଛି ପଞ୍ଜାବରେ ଚାଷୀକୁ ମିଳୁଛି ୧୯୨୫ ଟଙ୍କା।
ସରକାର କହୁଛନ୍ତି ଯେ, ଆମେ ଏପିଏମ୍‌ସିକୁ ଛୁଇଁ ନାହୁଁ ଏବଂ ଏମ୍‌ଏସ୍‌ପି ମଧ୍ୟ ଚାଲୁ ରହିବ । ମାତ୍ର କୃଷକମାନଙ୍କୁ ଡର ଯେ ଯେତେବେଳେ କୃଷିଜାତ ସାମଗ୍ରୀ ବଜାର କମିଟିରେ ବ୍ୟବସାୟ କମ୍‌ ହେବ ସେତେବେଳେ ଏମ୍‌ଏସ୍‌ପିି ମଧ୍ୟ କମିବ। ଶାନ୍ତକୁମାର କମିଟି କହିଛି ଯେ, ଦେଶର ମାତ୍ର ୬ ପ୍ରତିଶତ କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଫାଇଦା ମିଳିଥାଏ ଏବଂ ୯୪ ପ୍ରତିଶତ କୃଷକ ମୁକ୍ତ ବଜାର ଉପରେ ନିର୍ଭର କରିଥାନ୍ତି। ଏହା ସ୍ପଷ୍ଟ ଯେ ଯଦି ମୁକ୍ତ ବଜାର ଉପଯୋଗୀ ସାବ୍ୟସ୍ତ ହେଉଥାନ୍ତା ତେବେ ଆଜି ଦେଶର କୃଷକର ଏତେ ସମସ୍ୟା କାହିଁକି ରହିଥାନ୍ତା?
ଏକ ରିପୋର୍ଟ ଅନୁସାରେ ୨୦୦୦ରୁ ୨୦୧୬ ଭିତରେ ଭାରତର କୃଷକ ୪୫ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। କାରଣ ସେମାନଙ୍କୁ ଉଚିତ ମୂଲ୍ୟ ମିଳିନାହିଁ। ଆର୍ଥିକ ସର୍ବେକ୍ଷଣ ୨୦୧୬ ଅନୁସାରେ ଦେଶର ୧୭ଟି ରାଜ୍ୟ ବା ଅଧାରୁ ଅଧିକ ରାଜ୍ୟରେ କୃଷକ ପରିବାରର ବାର୍ଷିକ ଆୟ ବର୍ଷକୁ ୨୦ ହଜାର ଟଙ୍କା ମାତ୍ର । ପ୍ରଶ୍ନ ହେଉଛି ଏତେ କମ୍‌ ପଇସାରେ କୃଷକ ପରିବାର କେମିତି ବଞ୍ଚତ୍ବ? ଏବେ ସରକାର ୫ ବର୍ଷଲାଗି କଣ୍ଟ୍ରାକ୍ଟ ଫାର୍ମିଂକୁ ମଧ୍ୟ ଅନୁମତି ଦେଲେ। ଏଥିରେ ଉତ୍ପାଦନର ମୂଲ୍ୟ ପ୍ରଥମରୁ ସ୍ଥିର ହେବ। ଯଦି କୌଣସି ସମସ୍ୟା ଉପୁଜେ ତେବେ କୃଷକ କମ୍ପାନୀ ନିକଟକୁ ଯିବ। କହିବା ଅନାବଶ୍ୟକ ସରକାର ସବୁବେଳେ ଚାଷରେ ମୁଣ୍ଡ ପୂରାଇଥିବା କର୍‌ପୋରେଟ୍‌ମାନଙ୍କ କଥା ଆଗ ଶୁଣିବେ। ଅନ୍ୟଏକ ବଡ଼ କଥା ହେଲା ଯେ କେତେକ ଖାଦ୍ୟଶସ୍ୟର ଗଚ୍ଛିତକରଣର ସୀମା ହଟାଇ ଦିଆଯାଇଥିବାରୁ କଳାବଜାରର ବାଟ ଖୋଲିଯିବ। ଏହାଦ୍ୱାରା କୃଷକଙ୍କୁ କ’ଣ ଲାଭ ମିଳିବ ଜଣାପଡ଼ୁନି। ଆମେରିକାରେ ୱାଲମାଟ୍‌ ଭଳି ବଡ଼ କମ୍ପାନୀମାନେ ଅଛନ୍ତି। ସେମାନେ କେତେ ଖାଦ୍ୟଶସ୍ୟ ନିୟନ୍ତ୍ରଣ କରିବେ ତା’ ଉପରେ କୌଣସି ଲଗାମ୍‌ ନାହିଁ, ମାତ୍ର ସେଠାରେ କୃଷକଙ୍କୁ କୌଣସି ଲାଭ ହୋଇଛି କି ? ଆମେରିକାରେ କୃଷକମାନଙ୍କୁ ମିଳୁଥିବା ସବ୍‌ସିଡି ୬୦ ହଜାର ଡଲାର; ଯେତେବେଳେ କି ଭାରତରେ ଏହା ମାତ୍ର ୨ଶହ ଡଲାର। ଖୋଲାବଜାର ସତ୍ତ୍ୱେ ସେଠାରେ କୃଷକଙ୍କ ଲାଗି ଏତେ ସବ୍‌ସିଡିର ଆବଶ୍ୟକତା କାହିଁକି ପଡ଼ୁଛି? ନୂତନ ଯୋଜନା ଅନୁସାରେ ସମସ୍ତେ କହୁଛନ୍ତି କୃଷକଙ୍କୁ ବେଶ୍‌ ଭଲ ମୂଲ୍ୟ ମିଳିବ। ଭଲମୂଲ୍ୟ କହିଲେ, ଏମ୍‌ଏସ୍‌ପିଠାରୁ ଅଧିକ ହେବା ଦରକାର। ତେବେ ଏମ୍‌ଏସ୍‌ପିକୁ ସାରାଦେଶରେ ଆଇନଗତଭାବେ ଏକା କରାଯାଉନି କାହିଁକି?
କୃଷକକୁ ସେତେବେଳେ ସ୍ବାଧୀନତା ମିଳିବ ଯେତେବେଳେ ସେ ଭାବିବ ଦେଶର ଯେଉଁସ୍ଥାନରେ ମୁଁ ମୋର ଖାଦ୍ୟଶସ୍ୟ ବିକିବି ମତେ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବ। ସେମାନଙ୍କ ହାତକୁ ଅଧିକ ପଇସା ଆସିବ ତ ଅର୍ଥନୀତି ସୁଦୃଢ ହେବ। ଯଦି ସରକାର ସାରାଦେଶରେ ନୂ୍ୟନତମ ସମର୍ଥନ ମୂଲ୍ୟର ବ୍ୟବସ୍ଥା କରିପାରନ୍ତେ ତେବେ କୃଷକଙ୍କୁ ୮୦ ପ୍ରତିଶତ ଫସଲର ମୂଲ୍ୟ ମିଳିପାରନ୍ତା। ମାତ୍ର ସରକାର ତାହା କରିପାରୁ ନାହାନ୍ତି।
ମୋ:୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri