ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର ଅର୍ଥ ହେଉଛି ଗଛ କେବେ ବି ନିଜ ଫଳ ନିଜେ ଖାଏ ନାହିଁ। ନଦୀ ନିଜ ପାଖରେ ନିଜର ଜଳ ରଖିପାରେ ନାହିଁ। ଠିକ୍‌ ସେହିପରି ସନ୍ଥ ସ୍ବଭାବର ଲୋକମାନେ ମଧ୍ୟ ନିଜ ସ୍ବାର୍ଥକୁ ପ୍ରାଥମିକତା ନ ଦେଇ ସବୁବେଳେ ଅନ୍ୟମାନଙ୍କ ସେବା ଲାଗି ତତ୍ପର ରହିଥା’ନ୍ତି। ସେମାନେ ନିଜ ଜୀବନକୁ ଲୋକ କଲ୍ୟାଣ ପାଇଁ ସମର୍ପି ଦିଅନ୍ତି। ଶହ ଶହ ବର୍ଷ ଧରି ଆମର ମହାପୁରୁଷମାନେ ଆମକୁ ଶିଖାଇଛନ୍ତି ଯେ ମାନବତାର କଲ୍ୟାଣ ପାଇଁ ସମର୍ପିତ ଜୀବନର ମହତ୍ତ୍ୱ ବ୍ୟକ୍ତିଗତ ଉପଲବ୍ଧିଠାରୁ ଢେର୍‌ ଅଧିକ ହୋଇଥାଏ। ଅଶୋକ ସିଂଘଲ ଜୀଙ୍କ ଜୀବନ ଏହି ଭାବନାର ପୁଣ୍ୟ ଉଦାହରଣ।
୨୭ ଡିସେମ୍ବରଠାରୁ ଆମେ ସ୍ବର୍ଗତ ଅଶୋକ ସିଂଘଲ ଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ଜଣେ ମହାପୁରୁଷଙ୍କୁ ସମ୍ମାନ ଜଣାଇବା ଲାଗି ଏହା ଏକ ସୁଅବସର। ସେ ଆଧ୍ୟାତ୍ମିକ ସାଧନା, ସାଂସ୍କୃତିକ ଜାଗରଣ ଏବଂ ଅନେକ ଦଶନ୍ଧି ଧରି ସମର୍ପିତ ଭାବନା ନେଇ ସମାଜ ଏବଂ ସଂଗଠନର କାମ ଆଗକୁ ବଢ଼ାଇଥିଲେ।
ସ୍ବର୍ଗୀୟ ଅଶୋକ ଜୀଙ୍କ ସହିତ ଦୀର୍ଘ ସମୟ ଧରି କାମ କରିବା, ତାଙ୍କଠାରୁ ଶିଖିବା, ତାଙ୍କ ସହ କଥା ହେବା ଏବଂ ତାଙ୍କଠାରୁ ସ୍ନେହ ପାଇବାର ସୌଭାଗ୍ୟ ମୋତେ ମିଳିଥିଲା। ୧୯୮୧ର ଗୋଟିଏ ଘଟଣା ମୋର ମନେପଡ଼ୁଛି। ସେତେବେଳେ ମୁଁ ଜଣେ ଯୁବ କାର୍ଯ୍ୟକର୍ତ୍ତା ଭାବେ ସଂଗଠନରୁ ମିଳିଥିବା ଦାୟିତ୍ୱ ନିର୍ବାହ କରୁଥିଲି। ସେତେବେଳେ ଅଶୋକ ଜୀ ମୋତେ ଗୋଟିଏ ପତ୍ର ଲେଖିଥିଲେ। ସେହି ପତ୍ରରେ ସେ ଆଗକୁ ଆସୁଥିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଏବଂ ମୋତେ କିଛି ଦାୟିତ୍ୱ ଅର୍ପଣ କରିଥିଲେ। ସେତେବେଳେ ଅଶୋକ ସିଂଘଲଙ୍କଠାରୁ ପତ୍ର ପାଇବା ମୋ ପାଇଁ ଏକ ବିଶେଷ ସ୍ମରଣୀୟ ଘଟଣା ଥିଲା।
ମୁଁ ତାଙ୍କୁ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଦିନ ରାତି କାମ କରୁଥିବାର ଦେଖିଛି। ସେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଲମ୍ବା ଏବଂ କଠିନ ଯାତ୍ରା କରୁଥିଲେ। ଗୁଜରାଟର ଆଦିବାସୀ ଅଞ୍ଚଳକୁ ଯିବା ପାଇଁ ସେ ବେଶି ଭଲ ପାଉଥିଲେ। ସମାଜର ବଞ୍ଚିତ ଏବଂ ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ କଲ୍ୟାଣ ପାଇଁ କ’ଣ କରାଯାଇପାରିବ ତାକୁ ନେଇ ସେ ସବୁବେଳେ ଚିନ୍ତା କରୁଥିଲେ। ଦେଶରେ କେବେ କୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ଅଶୋକ ସିଂଘଲ ଜୀ ସବୁବେଳେ ସେଠାରେ ପହଞ୍ଚି ଯାଉଥିବା ଏବଂ ପ୍ରଭାବିତ ଲୋକଙ୍କ ସହାୟତା କରୁଥିବା କାର୍ଯ୍ୟକର୍ତ୍ତାମାନଙ୍କର ମାର୍ଗଦର୍ଶନ କରୁଥିଲେ। ୨୦୦୧ରେ କଚ୍ଛରେ ଆସିଥିବା ଭୂମିକମ୍ପ ପରେ ତାଙ୍କ ସହିତ ମୋର ଅନୁଭୂତି ଅବିସ୍ମରଣୀୟ ଥିଲା।
ଆଦରଣୀୟ ଅଶୋକ ଜୀ ଅତ୍ୟନ୍ତ ପ୍ରତିଷ୍ଠିତ ଏବଂ ସମୃଦ୍ଧ ପରିବାରରୁ ଆସିଥିଲେ। ତାଙ୍କ ପିତା ଶ୍ରୀ ମହାବୀର ଜୀଙ୍କର ଜଣେ ପ୍ରଶାସକ ରୂପେ ସ୍ବତନ୍ତ୍ର ପରିଚୟ ରହିଥିଲା। ତାଙ୍କର ଜଣେ ଭାଇ ଶ୍ରୀ ବି.ପି. ସିଂଘଲ ଜୀ ପୋଲିସ ଅଧିକାରୀ ଥିଲେ ଏବଂ ପରେ ସାଂସଦ ମଧ୍ୟ ହୋଇଥିଲେ। ଆଉ ଜଣେ ଭାଇ ଶ୍ରୀ ଭି.ପି. ସିଂଘଲ ନୂଆ ରାଜ୍ୟ ଭାବେ ତ୍ରିପୁରା ଗଠନ ହେବା ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ହୋଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ବାଣିଜ୍ୟ ଏବଂ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିଲେ। କିନ୍ତୁ ଆରମ୍ଭରୁ ଅଶୋକ ସିଂଘଲ ଜୀଙ୍କର ଅନ୍ୟ କ୍ଷେତ୍ରରେ ରୁଚି ରହିଥିଲା। ଖୁବ୍‌ କମ୍‌ ବୟସରୁ ଅଶୋକ ସିଂଘଲ ଜୀଙ୍କଠାରେ ଅନ୍ୟମାନଙ୍କ ପ୍ରତି କରୁଣା ଓ ସେବାର ଅଦ୍ଭୁତ ଭାବନା ଦେଖିବାକୁ ମିଳୁଥିଲା। ସେ ଚାହୁଁଥିଲେ ଭାରତର ପୁନରୁତ୍ଥାନ। ମା’ ଭାରତୀର ସନ୍ତାନମାନେ ଗୌରବଶାଳୀ ଉପଲବ୍ଧି ହାସଲ କରନ୍ତୁ ବୋଲି ତାଙ୍କ ମନରେ ଇଚ୍ଛା ରହିଥିଲା। ପ୍ରୟାଗରାଜରେ ବାଲ୍ୟକାଳ କଟାଇଥିବା ଅଶୋକ ଜୀ ଅନେକ ସମୟ ସଂଗମ ତଟରେ ବସି ବିତାଉଥିଲେ। ନଦୀ ପ୍ରତି ତାଙ୍କର ସ୍ବାଭାବିକ ଆକର୍ଷଣ ରହିଥିଲା। ସେଠାକୁ ଆସୁଥିବା ସାଧୁ-ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ପ୍ରତି ମଧ୍ୟ ତାଙ୍କର ବହୁତ ଆତ୍ମୀୟ ଭାବନା ରହିଥିଲା। ଏହାଦ୍ୱାରା ଭାରତର ସାଂସ୍କୃତିକ ପରମ୍ପରା ବିଷୟରେ ତାଙ୍କର ଜ୍ଞାନ ବୃଦ୍ଧି ହୋଇଥିଲା। ଏହାଦ୍ୱାରା ସମାଜ ପାଇଁ କିଛି କରିବା ଲାଗି ତାଙ୍କର ସଂକଳ୍ପ ଆହୁରି ଦୃଢ଼ ହୋଇଥିଲା। ଅନ୍ୟମାନଙ୍କ ପାଇଁ ବଞ୍ଚିବାର ଏକ ଆଗ୍ରହ ତାଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘକୁ ନେଇ ଆସିଥିଲା। ତାଙ୍କୁ ଯେଉଁ ଦାୟିତ୍ୱ ମିଳିଲା, ତାକୁ ସେ ସମ୍ପୂର୍ଣ୍ଣ ଉତ୍ସାହ, ଶୃଙ୍ଖଳା ଏବଂ ନିଷ୍ଠାର ସହିତ ନିର୍ବାହ କରିଥିଲେ।
ଶ୍ରୀ ଅଶୋକ ସିଂଘଲ ଜୀ ନିଜର ନିରନ୍ତର ପ୍ରୟାସ ଏବଂ କଠିନ ପରିଶ୍ରମ ବଳରେ ଅନେକ ସଂସ୍ଥା ଓ ଆନ୍ଦୋଳନକୁ ମଜଭୁତ କରିଥିଲେ। ନିଜର ଓଜସ୍ବୀ ବାଣୀ ଏବଂ ଅଦ୍ଭୁତ ଅଭିବ୍ୟକ୍ତି ଶୈଳୀ ବଳରେ ସେ ସମ୍ପୂର୍ଣ୍ଣ ସଭାକୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ। ନିଜର ସାଥୀ କାର୍ଯ୍ୟକର୍ତ୍ତାଙ୍କୁ ସେ ଅଧିକ ସ୍ନେହ କରୁଥିଲେ। ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ତାଙ୍କର ସରଳତା ଦ୍ୱାରା ବିଶେଷ ପ୍ରଭାବିତ ହେଉଥିଲେ। ସନ୍ଥ ସମାଜ ସହିତ ତାଙ୍କର ସମ୍ପର୍କ ବହୁତ ପ୍ରଗାଢ଼ ଥିଲା। ସାରା ଦେଶରେ ସାଧୁ-ସନ୍ଥଙ୍କ ମଧ୍ୟରେ ତାଙ୍କର ଯଥେଷ୍ଟ ସମ୍ମାନ ଥିଲା। ସନ୍ଥମାନେ ତାଙ୍କର ପରାମର୍ଶକୁ ଗୁରୁତ୍ୱ ଦେଉଥିଲେ ଏବଂ ତାଙ୍କ କଥାକୁ ସମ୍ପୂର୍ଣ୍ଣ ଆଦର ସହକାରେ ଶୁଣୁଥିଲେ।
ମୋର ଦୁଇଟି ଘଟଣା ମନେପଡ଼ୁଛି, ଯେଉଁଥିରୁ ଶ୍ରୀ ଅଶୋକ ସିଂଘଲଙ୍କ ବିରାଟ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ। ପ୍ରଥମ ଘଟଣାଟି ୧୯୯୩ ମସିହାର। ବିଶ୍ୱ ହିନ୍ଦୁ ପରିଷଦ ସ୍ବାମୀ ବିବେକାନନ୍ଦଙ୍କ ଶିକାଗୋ ଅଭିଭାଷଣର ୧୦୦ ବର୍ଷ ପୂରଣ ହେବା ଉପଲକ୍ଷେ ଆମେରିକାରେ ଗୋଟିଏ ସମ୍ମିଳନୀ ଆୟୋଜନ କରିଥିଲା। ବିଦେଶରେ ଏପରି ଭବ୍ୟ ସମ୍ମିଳନୀର ଦୂରଦୃଷ୍ଟି, ଯୋଜନା, ପ୍ରସ୍ତୁତି ଏବଂ ବିଭିନ୍ନ ସଂଗଠନକୁ ଗୋଟିଏ ମଞ୍ଚରେ ଏକାଠି କରିବାର ଭଗୀରଥ ପ୍ରୟାସ ଶ୍ରୀ ଅଶୋକ ଜୀଙ୍କ ଅସାଧାରଣ ସାଂଗଠନିକ କୌଶଳର ପରିଚୟ ଦେଇଥିଲା।
ଆଉ ଗୋଟିଏ ଘଟଣା ୨୦୦୦ ମସିହାର। ସେତେବେଳେ ତ୍ରିନିଦାଦ ଓ ଟୋବାଗୋର ପୋର୍ଟ ଅଫ୍‌ ସ୍ପେନ୍‌ଠାରେ ବିଶ୍ୱ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେତେବେଳେ ମୁଁ ମଧ୍ୟ ସେଠାରେ ଥିଲି। ଅଶୋକ ସିଂଘଲ ଜୀଙ୍କ ଉପସ୍ଥିତି ଅନ୍ୟ ପ୍ରତିନିଧିମାନଙ୍କୁ କେତେ ଉତ୍ସାହିତ କରୁଥିଲା ତାହା ମୁଁ ପ୍ରତ୍ୟକ୍ଷ ଭାବେ ଦେଖିଥିଲି। ମୋ ଉଦ୍‌ବୋଧନ ପରେ ସେ ଯେପରି ଭାବେ ମୋତେ ପ୍ରଶଂସା କରିଥିଲେ, ତାହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣତାପୂର୍ଣ୍ଣ ଅନୁଭୂତି ଥିଲା। ତାଙ୍କ ପ୍ରୋତ୍ସାହନ କିଭଳି ଭାବେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଭରି ଦେଇଥାଏ ତାହା ମୁଁ ପୁଣିଥରେ ଅନୁଭବ କରିପାରିଥିଲି।
ରାମ ଜନ୍ମଭୂମି ଆନ୍ଦୋଳନରେ ଶ୍ରୀ ଅଶୋକ ସିଂଘଲ ଜୀଙ୍କ ଐତିହାସିକ ଭୂମିକାକୁ ସ୍ମରଣ ନ କଲେ ତାଙ୍କ ବିଷୟରେ କୌଣସି ଆଲୋଚନା ଅପୂର୍ଣ୍ଣ ରହିଯିବ। ୧୯୯୧ର ବୋଟ୍‌ କ୍ଲବ୍‌ ଶୋଭାଯାତ୍ରାରେ ସେ ଦେଇଥିବା ଓଜସ୍ବୀ ସମ୍ବୋଧନକୁ କିଏ ଭୁଲି ପାରିବ? ଆହୁରି, ଆନ୍ଦୋଳନ ଚରମ ସ୍ଥିତିରେ ପହଞ୍ଚିବା ସମୟରେ ଲହୁଲୁହାଣ ଏବଂ ଆହତ ଅବସ୍ଥାରେ ଅଶୋକ ଜୀଙ୍କ ସେହି ଐତିହାସିକ ଫଟୋଚିତ୍ରର ସ୍ମୃତିକୁ ପ୍ରାୟତଃ ସମସ୍ତେ ମନେରଖିଥିବେ। ଆଜି ଅଯୋଧ୍ୟାରେ ଯେଉଁ ଭବ୍ୟ ରାମ ମନ୍ଦିର ରହିଛି ତା’ ପଛରେ ଅଶୋକ ଜୀଙ୍କ ଭଳି ମହାପୁରୁଷଙ୍କର ନିଃସ୍ବାର୍ଥପର ସମର୍ପଣ ରହିଛି, ଯାହାକୁ ସାକାର କରିବା ଲାଗି ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥିଲେ। ଆଜି ଯଦି ଅଶୋକ ଜୀ ଆମ ଗହଣରେ ଥାଆନ୍ତେ ତା’ହେଲେ ଅଯୋଧ୍ୟାରେ ରାମ ମନ୍ଦିର ଦେଖି ସେ ସବୁଠୁ ଅଧିକ ଭାବପ୍ରବଣ ଏବଂ ପ୍ରସନ୍ନ ହୋଇଥାନ୍ତେ।
ସ୍ବର୍ଗୀୟ ଅଶୋକ ସିଂଘଲ ଜୀଙ୍କ ବିଚାର ଅତ୍ୟନ୍ତ ସ୍ପଷ୍ଟ ଥିଲା। ସମାଜରେ ସଂହତି ସହିତ ଭ୍ରାତୃତ୍ୱ ଭାବର ବାର୍ତ୍ତା ମଜଭୁତ ହେବା ଉଚିତ ବୋଲି ସେ ବିବେଚନା କରୁଥିଲେ। ସେ ସାମାଜିକ ଏକତା ଏବଂ ସମାନତା ପାଇଁ ନିରନ୍ତର କାମ କରିଥିଲେ। ସମାଜରେ କୌଣସି ପ୍ରକାରର ଭେଦଭାବ ରହିବା ଉଚିତ ନୁହେଁ ବୋଲି ତାଙ୍କର ସ୍ପଷ୍ଟ ମତ ଥିଲା। ପ୍ରତ୍ୟେକ ବ୍ୟକ୍ତି ସମାନ ଗରିମା ଏବଂ ସମ୍ମାନର ହକଦାର ଅଟନ୍ତି। ଏହି କାରଣରୁ ସେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଇଟା ରଖିବାକୁ ନେଇ ନିଜର ବିଚାରକୁ ଖୁବ୍‌ ସ୍ପଷ୍ଟ ଭାବେ ରଖିଥିଲେ। ସେ ହିଁ କହିଥିଲେ ଯେ ଏହି ପୁଣ୍ୟ କାର୍ଯ୍ୟ ବିହାରର ଜଣେ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଏବଂ ବଞ୍ଚିତ ବର୍ଗର ପ୍ରତିନିଧିତ୍ୱ କରୁଥିବା କାମେଶ୍ୱର ଚୌପାଲଙ୍କ ହାତରେ ହେବା ଉଚିତ। କାଶୀରେ ଗୋଟିଏ ଧର୍ମ ସଂସଦ ସମୟରେ ସେ ଡୋମ ରାଜାଙ୍କୁ ସମ୍ମାନିତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ଏବଂ ଅନେକ ସାମାଜିକ ଅଭିଯାନରେ ତାଙ୍କ ସହ ମିଶି କାମ କରିଥିଲେ।
ରାଷ୍ଟ୍ର ନିର୍ମାଣ ସହ ଶ୍ରୀ ଅଶୋକ ସିଂଘଲ ଜୀଙ୍କ ଏପରି ଦୁଇଟି ପ୍ରିୟ କ୍ଷେତ୍ର ଥିଲା ଯାହା ତାଙ୍କ ହୃଦୟର ଅତି ନିକଟତର ଥିଲା। ଶିକ୍ଷା, ବିଶେଷକରି ବୈଦିକ ଶିକ୍ଷା ଏବଂ ସଙ୍ଗୀତ, ଏହି ଦୁଇଟି କ୍ଷେତ୍ର ପ୍ରତି ତାଙ୍କର ଗଭୀର ରୁଚି ରହିଥିଲା। ମୁଁ ଯେଉଁ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛି ସେହି ଶାଶ୍ୱତ କାଶୀ ଶ୍ରୀ ଅଶୋକ ସିଂଘଲ ଜୀଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ବାରାଣସୀର ସାଂସଦ ଭାବେ ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ସେ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ। ସେ ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ସହ ଗଭୀର ଭାବେ ଜଡ଼ିତ ଥିଲେ। ଏହା ଉପାନ୍ତ ଗାଁ, ବିଶେଷକରି ଜନଜାତି ସମ୍ପ୍ରଦାୟ ନିକଟରେ ମୌଳିକ ଶିକ୍ଷା ପହଞ୍ଚାଇବାରେ ସହାୟକ ହୋଇଥିଲା। ସେ ଜଣେ ଭଲ ପାଠକ ଏବଂ ଶ୍ରୋତା ମଧ୍ୟ ଥିଲେ। ସେ ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ସବୁବେଳେ ପୁସ୍ତକ ପଢ଼ିବା ଲାଗି ଅନୁପ୍ରାଣିତ କରୁଥିଲେ।
ଅଶୋକ ଜୀ କେତେ ସୁନ୍ଦର ଗୀତ ଗାଉଥିଲେ ତାହା ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକମାନେ କହିପାରିବେ। ନାଗପୁରରେ ଅନୁଷ୍ଠିତ ବୈଠକଗୁଡ଼ିକ ବିଷୟରେ ମୋର ମନେରହିଛି ଯେଉଁଥିରେ ସେ ‘ଏକକ ସଙ୍ଗୀତ’ ଗାଉଥିଲେ। ତାଙ୍କର ଗାୟନଶୈଳୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲା ଏବଂ ସମ୍ପୂର୍ଣ୍ଣ ବୈଠକରେ ନୂତନ ଉତ୍ସାହ ଭରି ଦେଉଥିଲା। ୨୦୧୫ରେ ତାଙ୍କର ୯୦ତମ ଜୟନ୍ତୀ ସମାରୋହରେ ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ‘ହେ ମାତୃଭୂମି ମୋର, ହେ ପିତୃଭୂମି ମୋର’ ଗାଇ ସମସ୍ତଙ୍କୁ ଚମତ୍କୃତ କରି ଦେଉଥିଲେ।
ସ୍ବର୍ଗତ ଅଶୋକ ସିଂଘଲ ଜୀ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏହି ମହାନ୍‌ ରାଷ୍ଟ୍ରର ଉତ୍କର୍ଷ ପାଇଁ ସ୍ବପ୍ନ ଦେଖୁଥିଲେ। ତାଙ୍କ ଆଦର୍ଶରୁ ଆଜି ମଧ୍ୟ ଆମକୁ ପ୍ରେରଣା ମିଳିଥାଏ। ତାଙ୍କର ଜନ୍ମ ଶତବାର୍ଷିକୀର ଏହି ପବିତ୍ର ଅବସରରେ, ଅଧିକରୁ ଅଧିକ ଯୁବପିିଢ଼ି କିଭଳି ତାଙ୍କର ବିଶାଳ ବ୍ୟକ୍ତିତ୍ୱ ଏବଂ ମହାନତା ସହ ପରିଚିତ ହୁଅନ୍ତୁ, ସେଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଉଚିତ। ଆସନ୍ତୁ, ଆମେ ଆମ ରାଷ୍ଟ୍ର ଓ ଦେଶବାସୀଙ୍କ ପାଇଁ ଅଶୋକ ସିଂଘଲ ଜୀଙ୍କ ସ୍ବପ୍ନକୁ ସାକାର କରିବାର ସଂକଳ୍ପକୁ ପୁଣିଥରେ ଦୋହରାଇବା।

ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?