ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ ଦିନସାରା ଶ୍ରମକରି ଯେତିକି ଟଙ୍କା ରୋଜଗାର କରନ୍ତି, ସେହି ଟଙ୍କାରେ ଯଦି ଘରର ଆବଶ୍ୟକତା ପୂରଣ ନ ହୁଏ, ତେବେ ତାଙ୍କର ଶ୍ରମର ମୂଲ୍ୟ ମଧ୍ୟ ତା’ ପାଖରେ ଅପୂର୍ଣ୍ଣ ଲାଗେ। ଚାଷୀର ଅବସ୍ଥା ମଧ୍ୟ ଏଠାରେ ଚିନ୍ତାଜନକ। ଯେଉଁ ଚାଷୀ ମାଟିର ଛାତି ଚିରି ଧାନ, ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ଉତ୍ପାଦନ କରେ, ସେ ମଧ୍ୟ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିର ଚାପ ଅନୁଭବ କରେ। ବିହନ, ସାର, କୀଟନାଶକ, ଜଳସେଚନ, ଶ୍ରମ ଓ ପରିବହନ ଆଦିର ଖର୍ଚ୍ଚ ବଢ଼ିଲେ ଚାଷର ମୋଟ ଖର୍ଚ୍ଚ ବଢ଼ିଯାଏ। ତଥାପି ଚାଷୀ ନିଜ ଉତ୍ପାଦର ନ୍ୟାୟସଙ୍ଗତ ମୂଲ୍ୟ ସବୁବେଳେ ପାଇପାରେ ନାହିଁ। ଏକ ପଟେ ଉପଭୋକ୍ତା ଅଧିକ ଦାମରେ କିଣୁଛି, ଅନ୍ୟ ପଟେ ଉତ୍ପାଦକ ତା’ର ଉତ୍ପାଦର ଯଥୋଚିତ ମୂଲ୍ୟ ନ ପାଇବାର ଅଭିଯୋଗ କରୁଛି। ଏହି ବିରୋଧାଭାସ ଆମ ବଜାର ବ୍ୟବସ୍ଥାର ଏକ ଗଭୀର ସମସ୍ୟାକୁ ସୂଚାଏ।
ମହଙ୍ଗାର ପ୍ରଭାବ ଖାଦ୍ୟ ଥାଳିରୁ ଆରମ୍ଭହୋଇ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ଛୁଇଁଯାଏ। ଯାତାୟାତ ଖର୍ଚ୍ଚ ବଢ଼ିଲେ ଚାକିରି, ବ୍ୟବସାୟ ଓ ଶିକ୍ଷା ପାଇଁ ଯିବା ଆସିବାର ଖର୍ଚ୍ଚ ବଢ଼େ। ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ବଢ଼ିଲେ ପରିବାରର ଅନ୍ୟାନ୍ୟ ଆବଶ୍ୟକତା ସଙ୍କୁଚିତ ହୋଇଯାଏ। ମହଙ୍ଗାର ଆଉ ଏକ ପ୍ରଭାବ ହେଉଛି ସଞ୍ଚୟ ଉପରେ। ଯେତେବେଳେ ଆୟର ବଡ଼ ଅଂଶ ଦୈନନ୍ଦିନ ଖର୍ଚ୍ଚରେ ଚାଲିଯାଏ, ସେତେବେଳେ ଭବିଷ୍ୟତ ପାଇଁ ସଞ୍ଚୟ କରିବା କଷ୍ଟକର ହୋଇପଡ଼େ। ଅସୁସ୍ଥତା, ଦୁର୍ଘଟଣା, ପିଲାଙ୍କ ଉଚ୍ଚଶିକ୍ଷା କିମ୍ବା ଅନ୍ୟ କୌଣସି ଅପ୍ରତ୍ୟାଶିତ ଖର୍ଚ୍ଚ ଆସିଲେ ପରିବାର ଆର୍ଥିକ ଚାପରେ ପଡ଼ିପାରେ। ଏପରି ସ୍ଥିତି ଦୀର୍ଘ ସମୟ ରହିଲେ ପରିବାରର ଆର୍ଥିକ ସୁରକ୍ଷା ମଧ୍ୟ ଦୁର୍ବଳ ହୋଇପାରେ।
ତେବେ ଦରଦାମ ବୃଦ୍ଧିର କାରଣ କ’ଣ? ଏହାର ଉତ୍ତର ଏକ ମାତ୍ର କାରଣରେ ମିଳେ ନାହିଁ। କୌଣସି ଦ୍ରବ୍ୟର ଉତ୍ପାଦନ କମିଯିବା, ଚାହିଦା ବଢ଼ିବା, ଯୋଗାଣ ବ୍ୟବସ୍ଥାରେ ବାଧା, ପ୍ରାକୃତିକ ବିପର୍ଯ୍ୟୟ, ପରିବହନ ଖର୍ଚ୍ଚ ବୃଦ୍ଧି, ଇନ୍ଧନ ମୂଲ୍ୟର ପରିବର୍ତ୍ତନ ଆଦି ବିଭିନ୍ନ କାରଣ ଦରଦାମ ଉପରେ ପ୍ରଭାବ ପକାଇପାରେ। ବନ୍ୟା, ମରୁଡ଼ି, ଅତିବୃଷ୍ଟି ଭଳି ପ୍ରାକୃତିକ ପରିସ୍ଥିତି ଫସଲ ଉତ୍ପାଦନକୁ ପ୍ରଭାବିତ କଲେ ବଜାରରେ ଯୋଗାଣ କମିପାରେ। ଯୋଗାଣ କମିଲେ ଦର ବଢ଼ିବା ସମ୍ଭାବନା ଥାଏ। ଏହା ସହ କେତେକ ସମୟରେ ମହଜୁଦକାରୀ, କୃତ୍ରିମ ଅଭାବ ସୃଷ୍ଟି ଓ କଳାବଜାର ଭଳି ଅସାଧୁ ପ୍ରବୃତ୍ତି ମଧ୍ୟ ସମସ୍ୟାକୁ ଗୁରୁତର କରିପାରେ। ଆବଶ୍ୟକ ସାମଗ୍ରୀକୁ ଅଟକାଇ ରଖି ଅଧିକ ଦାମରେ ବିକ୍ରିକରିବା ଏକ ଅନୈତିକ ବ୍ୟବସାୟିକ ପ୍ରବୃତ୍ତି। ଏହା ଉପଭୋକ୍ତାଙ୍କୁ ଅସୁବିଧାରେ ପକାଇବା ସହ ସମଗ୍ର ବଜାର ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ମଧ୍ୟ ଦୁର୍ବଳ କରିପାରେ।
ଏହି ସ୍ଥିତିରେ ଅର୍ଥନୈତିକ ଅଭିବୃଦ୍ଧି ସହ ଦରଦାମ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ। ଏକ ଦେଶର ଅର୍ଥନୀତି ବୃଦ୍ଧି ପାଇବା ନିଶ୍ଚିତ ଭାବେ ଆଶାର କଥା। କିନ୍ତୁ ଯଦି ଅର୍ଥନୈତିକ ଅଭିବୃଦ୍ଧିର ସମାନ୍ତରାଳରେ ସାଧାରଣ ଲୋକଙ୍କ ଜୀବନଯାପନ ଖର୍ଚ୍ଚ ଏତେ ବଢ଼ିଯାଏ ଯେ ସେମାନେ ମୌଳିକ ଆବଶ୍ୟକତା ପୂରଣରେ ଅସୁବିଧା ଭୋଗନ୍ତି, ତେବେ ସେହି ଅଭିବୃଦ୍ଧିର ସାମାଜିକ ଅର୍ଥ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଦରଦାମ ସ୍ଥିର ରଖିବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଉତ୍ପାଦନ ବୃଦ୍ଧି ଓ ନିରବଚ୍ଛିନ୍ନ ଯୋଗାଣ। କୃଷିକୁ ଅଧିକ ସୁଦୃଢ଼ କରିବା, ଚାଷୀଙ୍କୁ ଆବଶ୍ୟକ ସହାୟତା ଦେବା, ଉନ୍ନତ ବିହନ ଓ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା, ଜଳସେଚନ ସୁବିଧା ବଢ଼ାଇବା ଓ ଉତ୍ପାଦିତ ସାମଗ୍ରୀର ଠିକ୍‌ ସଂରକ୍ଷଣ ବ୍ୟବସ୍ଥା କରିବା ଦରକାର। ଚାଷୀ ଓ ଉପଭୋକ୍ତାଙ୍କ ମଧ୍ୟରେ ଥିବା ଦୀର୍ଘ ବଜାର ଶୃଙ୍ଖଳାକୁ ଅଧିକ ସୁସଂଗଠିତ କରିପାରିଲେ ମଧ୍ୟ ଦରଦାମରେ ସ୍ଥିରତା ଆସିପାରେ।
ସରକାରଙ୍କ ଭୂମିକା ଏଠାରେ ଗୁରୁତ୍ୱପୂର୍ଣ୍ଣ। ବଜାର ଉପରେ ନିୟମିତ ନଜର, ଅସାଧୁ ମହଜୁଦକାରୀ ଓ କଳାବଜାରକାରୀଙ୍କ ବିରୋଧରେ ଆଇନସମ୍ମତ ପଦକ୍ଷେପ, ଆବଶ୍ୟକ ସାମଗ୍ରୀର ଯୋଗାଣ ସୁନିଶ୍ଚିତ କରିବା, ଉପଭୋକ୍ତା ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ବଜାର ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଚାଷୀଙ୍କୁ ଉତ୍ପାଦନର ଯଥୋଚିତ ମୂଲ୍ୟ ଏବଂ ଉପଭୋକ୍ତାଙ୍କୁ ଯୁକ୍ତିସଙ୍ଗତ ଦାମ-ଏହି ଦୁଇଟି ଦିଗ ମଧ୍ୟରେ ସମନ୍ବୟ ରହିବା ଦରକାର। ମହଙ୍ଗା ନିୟନ୍ତ୍ରଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବ୍ୟବସାୟୀଙ୍କର ମଧ୍ୟ ନୈତିକ ଦାୟିତ୍ୱ ରହିଛ। ବ୍ୟବସାୟ ଲାଭ ପାଇଁ ହେଲେ ମଧ୍ୟ ଅତ୍ୟଧିକ ଲାଭର ଲୋଭରେ ସାଧାରଣ ଲୋକଙ୍କ ଅସୁବିଧାର ସୁଯୋଗ ନେବା ଉଚିତ ନୁହେଁ। ଅନ୍ୟପକ୍ଷରେ ଉପଭୋକ୍ତାମାନେ ସଚେତନ ହେବା ଆବଶ୍ୟକ। ଅନାବଶ୍ୟକ ଭାବେ ଅଧିକ ସାମଗ୍ରୀ କିଣି ମହଜୁଦ କରିବା ଦ୍ୱାରା କୃତ୍ରିମ ଚାହିଦା ବଢ଼ିପାରେ। ତେଣୁ ସଚେତନ କ୍ରୟ ଓ ସଂଯମୀ ବ୍ୟବହାର ଜରୁରୀ।
ମହଙ୍ଗା ମାଡ଼ ଆମକୁ ଏକ ଗଭୀର ସତ୍ୟ ସାମ୍ନାରେ ଠିଆ କରାଇଛି-ଦେଶର ଅର୍ଥନୀତିର ପ୍ରକୃତ ଚେହେରା କେବଳ ବଜାରର ବଡ଼ ବଡ଼ ସଂଖ୍ୟାରେ ନୁହେଁ, ଘରର ହାଣ୍ଡିରେ ମଧ୍ୟ ଦେଖାଯାଏ। ଜଣେ ଶ୍ରମିକଙ୍କ ଥାଳିରେ କେତେ ଖାଦ୍ୟ ଅଛି, ଜଣେ ଗୃହିଣୀ ମାସ ଶେଷରେ କେତେ ଟଙ୍କା ବଞ୍ଚାଇପାରୁଛନ୍ତି, ଜଣେ ଚାଷୀ ନିଜ ଉତ୍ପାଦର ଯଥୋଚିତ ମୂଲ୍ୟ ପାଉଛନ୍ତି କି ନାହିଁ-ଏସବୁ ମଧ୍ୟ ଅର୍ଥନୈତିକ ସୁସ୍ଥତାର ଗୁରୁତ୍ୱପୂର୍ଣ୍ଣ ଚିତ୍ର।
ଆମେ ଏମିତି ଏକ ସମାଜ ଚାହୁଁ, ଯେଉଁଠି ବଜାରର ଦର ବଢ଼ିବା ଖବର ଶୁଣି ଗରିବର ହୃଦୟ ଥରି ଉଠିବ ନାହିଁ; ଯେଉଁଠି ଗୃହିଣୀଙ୍କୁ ହାଣ୍ଡିର ଢାଙ୍କୁଣି ଖୋଲିବା ପୂର୍ବରୁ ୧୦ଥର ହିସାବ କରିବାକୁ ପଡ଼ିବ ନାହିଁ; ଯେଉଁଠି ଚାଷୀ ମାଟିରେ ଝାଳ ଢାଳି ଉତ୍ପାଦନକରି ମଧ୍ୟ ନିଜ ଘରର ହାଣ୍ଡିକୁ ଖାଲି ରଖିବେ ନାହିଁ। ବିକାଶର ଆଲୋକ ସେତେବେଳେ ହିଁ ପ୍ରକୃତ ଆଲୋକ ହେବ, ଯେତେବେଳେ ତାହାର ଉଷ୍ମତା ସମାଜର ଶେଷ ଧାଡ଼ିରେ ଠିଆହୋଇଥିବା ମଣିଷଟିଏ ମଧ୍ୟ ଅନୁଭବ କରିପାରିବ।
ତେଣୁ ହାଣ୍ଡିଶାଳରେ ମହଙ୍ଗା ମାଡ଼ ଆମ ସମୟର ଏକ ଜ୍ୱଳନ୍ତ ବାସ୍ତବତା। ଏହାର ସମାଧାନ ପାଇଁ ଉତ୍ପାଦନ ବୃଦ୍ଧି, ସୁଚାରୁ ଯୋଗାଣ, ସୁଦୃଢ଼ ବଜାର ବ୍ୟବସ୍ଥା, ଚାଷୀଙ୍କ ସୁରକ୍ଷା, ଉପଭୋକ୍ତା ସଚେତନତା ଓ ସରକାରୀ ନିରୀକ୍ଷଣ-ସବୁକିଛିର ସମନ୍ବିତ ପ୍ରୟାସ ଆବଶ୍ୟକ।
ମୋ: ୭୯୭୮୧୫୧୭୧୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?