ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପଣ୍ଡିତ ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ମଧୁସୂଦନ ଦାସ, ରମାଦେବୀ, ମାଳତୀ ଚୌଧୁରୀ, ମୁରଲୀଧର ଜେନା, ବାଞ୍ଛାନିଧି ମହାନ୍ତି, ଚକ୍ରଧର ବେହେରା, ସନ୍ଥ ବେହେରା ଓ ଅନେକ ନେତୃବର୍ଗ।
ଓଡ଼ିଶାର ଯେଉଁ କେତେକ ସ୍ଥାନ ସ୍ବାଧୀନତା ଆନ୍ଦୋଳନର ଗୁରୁତ୍ୱ ବହନ କରେ ସେଥିମଧ୍ୟରେ ରହିଛି ଇରମ, ଲୁଣିଆ, ତୁଡ଼ିଗଡ଼ିଆ, ବରି, କଳାମାଟିଆ, ପାପଡ଼ାହାଣ୍ଡି, ରଣପୁର, ଢେଙ୍କାନାଳ, ନିମାପଡ଼ା, ଇଞ୍ଚୁଡ଼ି, ଖୋର୍ଦ୍ଧା, କେନ୍ଦୁଝର ଇତ୍ୟାଦି। ସ୍ବାଧୀନତା ଆନ୍ଦୋଳନରେ ଶହୀଦମାନଙ୍କ ରକ୍ତରେ ରଞ୍ଜିତ ହୋଇଥିଲା ଇରମ। ଏହାର ମୁଖ୍ୟ ସେନାପତି ଥିଲେ କ୍ରାନ୍ତିକାରୀ ଜାତୀୟ କବି ବାଞ୍ଛାନିଧି ମହାନ୍ତି। ତାଙ୍କ ସହିତ ଥିଲେ କମଳା ପ୍ରସାଦ କର, ଗଣେଶ ପ୍ରସାଦ ତ୍ରିପାଠୀ, ଗୌରାଙ୍ଗ ମହାନ୍ତି, ଚକ୍ରଧର ବେହେରା ଓ ଅନ୍ୟମାନେ। ଇରମ ଭୂଖଣ୍ଡକୁ ଚକଡ଼ା କୁହାଯାଉଥିଲା। କାରଣ ଏହା କାଂଶ ବାଂଶ ଓ ତା’ର ଶାଖାନଦୀ ଗମେଇ ପରିବେଷ୍ଟିତ ହୋଇ ବଙ୍ଗୋପସାଗରରେ ପଡ଼ିଛି। ଗୋରା ଦାରୋଗାମାନେ ଏହା ମଧ୍ୟକୁ ଆସିବା ଆଦୌ ସହଜ ନ ଥିଲା। ସ୍ବାଧୀନତା ଆନ୍ଦୋଳନ ଘମାଘୋଟ ଚାଲିଥିବା ସମୟରେ ବସନ୍ତ ରୋଗରେ ପୀଡ଼ିତ ହୋଇ ବାଞ୍ଛାନିଧିବାବୁ ମାତ୍ର ୪୨ ବର୍ଷରେ ଏପ୍ରିଲ ୧୯୩୮ରେ ସ୍ବର୍ଗାରୋହଣ କରିଥିଲେ। ଏହା ସାରା ରାଜ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ମାତ୍ର ଦେଶ ମାତୃକାର ମୁକ୍ତିର ନନ୍ଦିଘୋଷ ଅଟକି ନ ଥିଲା। ତାଙ୍କ ପ୍ରମୁଖ ସହଯୋଗୀ କମଳା ପ୍ରସାଦ କର (ଶଙ୍ଖାରୁ) ଓ ଅନ୍ୟମାନେ ଆନ୍ଦୋଳନକୁ ଚାଲୁରଖିବା ସହିତ ଆଗକୁ ବଢ଼ାଇଥିଲେ।
୧୯୪୨ରେ ମହାତ୍ମାଙ୍କର ଭାରତଛାଡ଼ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ କମଳାବାବୁଙ୍କ ନେତୃତ୍ୱରେ ୨୮ ସେପ୍ଟେମ୍ବର ୧୯୪୨ ଇରମ ମେଳନ ପଦାରେ ସ୍ବାଧୀନତା ଉପରେ ଚର୍ଚ୍ଚା ପାଇଁ ସଭା ଆହ୍ବାନ କରାଯାଇଥିଲା। ଦେଶର ମୁକ୍ତି ପାଇଁ ଆଖପାଖ ପ୍ରାୟ ୨୦ଖଣ୍ଡ ଗାଁରୁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ। କମଳାବାବୁ ଓ ଅନ୍ୟମାନେ ମଞ୍ଚାସୀନ ହୋଇ ଆରମ୍ଭ କରିଥିଲେ ଉଦ୍ବୋଧନ। ବାସୁଦେବପୁର ଥାନାରୁ ଗୋରା ଦାରୋଗାମାନେ ଆଗରୁ ଆସି ଇରମ ଜମିଦାରଙ୍କ ଘରେ ଥିଲେ ଓ ସଭା କରିବା ପାଇଁ ବାରଣ କଲେ। ମାତ୍ର ସ୍ବାଧୀନତା ଲିପ୍ସୁ ଜାତୀୟ ଚେତନାରେ ମସ୍ଗୁଲ ନେତା ଓ ଜନତାମାନେ ବାରଣ ମାନି ନ ଥିଲେ। ଶଙ୍ଖଧ୍ୱନି ସହିତ ବିଭିନ୍ନ ନାରା ଦେଇଥିଲେ। ଫଳରେ ଗୁଳି ଚାଲିଥିଲା। ଏଥିରେ ୨୯ ଜଣ ଜନତା ଶହୀଦ ହେବା ସହିତ ଶତାଧିକ ଲୋକ ଗୁଳିବିଦ୍ଧ ହୋଇ ରକ୍ତ ଜୁଡୁବୁଡୁ ହୋଇ ପାଣି ପାଣି ଚିତ୍କାର କରୁଥିଲେ ଓ ପାଣି ମଧ୍ୟ ପାଇ ନ ଥିଲେ। ସମବେତ ଜନତା ଛତ୍ରଭଙ୍ଗ ଦେଇଥିଲେ। ମେଳନ ପଦା ଶୂନ୍ଶାନ୍। ରାତ୍ରିର କଳା ଅନ୍ଧାର ମାଡ଼ି ଆସିଥିଲା। ଶବ ଉପରେ ଶବ ଭାଡ଼ି ଦିଆଯାଇଥିଲା। ମାତ୍ର ପରିବାରଙ୍କୁ ଶବ ସତ୍କାର ପାଇଁ ହସ୍ତାନ୍ତର କରାଯାଇ ନ ଥିଲା।
ବାତ୍ୟା ଆସି ଧ୍ୱଂସର ଲୀଳା ରଚି ଚାଲିଯାଏ। ୧୯୪୨ ସେପ୍ଟେମ୍ବର ୨୮ କାଳରାତ୍ରି ଚାଲିଯାଇଥିଲା। ମାତ୍ର ପ୍ରାୟ ଏହି ୨୦ଖଣ୍ଡ ଗାଁରେ ଆତ୍ମୀୟ ସ୍ବଜନଙ୍କୁ ହରାଇ କ୍ରନ୍ଦନର ସ୍ବର ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଥିଲା। ଭାରତ ସ୍ବାଧୀନ ହେଲା। ଇରମ ମେଳନ ପଦାରେ ଆଜି ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ ହୋଇଛି ଓ ଶହୀଦମାନଙ୍କ ନାମ ମଧ୍ୟ ଖୋଦେଇ ହୋଇଛି। ମାତ୍ର ଯେଉଁମାନେ ଶହୀଦ ବା ଅକର୍ମଣ୍ୟ ହୋଇଥିଲେ, ସ୍ବାଧୀନ ଦେଶ ସେମାନଙ୍କ ପରିବାରକୁ କେତେ ସୁବିଧା, ସୁଯୋଗ ଓ ସମ୍ମାନ ଦେଇଛି, ତାହା ସବୁଦିନ ପାଇଁ ନିଶ୍ଚୟ ଚର୍ଚ୍ଚାର ବିଷୟ ହୋଇ ରହିଆସିଅଛି। ବର୍ଷୀୟାନ୍, କ୍ରାନ୍ତିକାରୀ ବୈଲୋଚନ ଜେନାଙ୍କ ଉଦ୍ୟମ ଓ ସଭାପତିତ୍ୱରେ ଶହୀଦ ତୀର୍ଥଯାତ୍ରୀ, ବାସୁଦେବପୁର, ବାଞ୍ଛାନିଧି ସ୍ମୃତି ସଂସଦ, ଭୁବେନଶ୍ୱର, ସ୍ମୃତିରକ୍ଷା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।
ନିଶାକର ରାଉତ
ମୋ: ୭୦୦୮୨୩୯୪୫୪

