ବ୍ୟକ୍ତିନିଷ୍ଠ ଜୀବନସ୍ରଷ୍ଟା

ଅକ୍ଟୋବର ୬। ନିଜ ରୋଷଶାଳାରେ ଥିବା ରେଡିଓ ପାଖକୁ ସେ ଗଲେ ଓ ତାହାକୁ ଖୋଲି ସେଦିନର ମୁଖ୍ୟ ଖବର କ’ଣ ଅଛି ବୋଲି ଶୁଣିବାକୁ ଚାହିଁଲେ। ପ୍ରଥମ ଖବର ଥିଲା-୨୦୨୨ ବର୍ଷର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସୀ ଲେଖିକା ଏନି ଅର୍ନାଉ। ଏହା ଶୁଣିବା ପରେ ସେ ଆତ୍ମବିଭୋର ହୋଇଗଲେ। ତାଙ୍କୁ ଅନୁଭବ ହୋଇଥିଲା ସେ ମରୁଭୂମିରେ ଏକଲା ଚାଲୁଛନ୍ତି। ଆକାଶ ତାଙ୍କ ସହ କଥା ହେଉଛି ଓ ସଫଳତା ବିଷୟରେ ସୂଚନା ଦେଉଛି। ଏକ ଚାନେଲକୁ ସାକ୍ଷାତ୍‌କାର ଦେଇ ଏନି ଏଭଳି ଭାବେ ଖୁସି ବ୍ୟକ୍ତ କରିଥିବା ବିଷୟ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି। ଏଥିସହିତ ଯୁବ ଲେଖକଙ୍କ ପ୍ରତି ସେ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ମଧ୍ୟ ସାହିତ୍ୟ ପରିମଣ୍ଡଳରେ ଏକ ଗୁଞ୍ଜରଣ ସୃଷ୍ଟି କରିଛି। ସେ ପରାମର୍ଶ ଦେଉଛନ୍ତି- ‘କେବେ ହେଲେ ଚମତ୍କାର ଲେଖା ଲେଖିବାକୁ ଚେଷ୍ଟା କରିବ ନାହିଁ। ବରଂ ସହଜ ଓ ସର୍ବବୋଧଗମ୍ୟ ଲେଖିବା ସକାଶେ ଆଗ୍ରହୀ ହୁଅ’। ବ୍ୟକ୍ତିଗତ ଜୀବନର ଦୁଃଖ, ଜଞ୍ଜାଳ, ସମାଜର ସମସ୍ୟାକୁ ଅତି ସରଳ ଭାଷାରେ ପାଠିକାପାଠକଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇଥିବାରୁ ୮୨ ବର୍ଷୀୟା ଏନି ଉତ୍ତରପିଢ଼ିକୁ ଏହିଭଳି ଭାବେ ସୃଜନକର୍ମରେ ଲୀନ ହେବାକୁ ଆହ୍ବାନ ଦେଇଛନ୍ତି। ୧୯୦୧ରୁ ସାହିତ୍ୟ କ୍ଷେତ୍ରରେ ନୋବେଲ ଦିଆଯାଇ ଆସୁଥିବା ବେଳେ ଏନି ୧୭ତମ ମହିଳା ଭାବେ ଏଭଳି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ଏଥିସହିତ ସେ ଫ୍ରାନ୍ସର ପ୍ରଥମ ମହିଳା ଭାବେ ସାହିତ୍ୟରେ ନୋବେଲ ପାଇବାର ଗୌରବ ଅର୍ଜନ କରିଛନ୍ତି।
ଫ୍ରାନ୍ସର ଲିଲିବୋନ୍‌ରେ ଜନ୍ମିତ ଏନି ଇଭେଟ୍‌ରେ ବଢ଼ିଥିଲେ। କାରଣ ସେହିଠାରେ ତାଙ୍କ ମାତାପିତା ଏକ କାଫେ ଓ ତେଜରାତି ଦୋକାନ ଚଳାଉଥିଲେ। ୧୯୬୦ରେ ସେ କିଛି ଅଭିଜ୍ଞତା ଅର୍ଜନ କରିବା ଲାଗି ଲଣ୍ଡନ ଚାଲିଯାଇଥିଲେ ଓ ସେଠାରେ ‘ଅଉ ଫେର୍‌’ (ଖାଦ୍ୟ, ଏକ କୋଠରି ଓ କିଛି ହାତଖର୍ଚ୍ଚ ଲାଗି ଜଣେ ବିଦେଶୀ ମହିଳା କୌଣସି ଘରୋଇ ବା ଶିଶୁଯତ୍ନ କାର୍ଯ୍ୟରେ ନିୟୋଜିତ ହେବା) ଭାବେ ସମୟ ବିତାଇଥିଲେ। ପରେ ସେ ଫ୍ରାନ୍ସ ଫେରିଆସି ରୋଆନ୍‌ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ ଓ ପରବର୍ତ୍ତୀ ସମୟରେ ସ୍କୁଲ ଶିକ୍ଷୟିତ୍ରୀ ହୋଇଥିଲେ। ୧୯୭୧ରେ ସେ ଆଧୁନିକ ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କରିବା ପରେ କଲେଜରେ ଅଧ୍ୟାପନା କରିଥିଲେ। ସେ କଲେଜ ପଢ଼ୁଥିବାବେଳେ ସୃଜନମନସ୍କ ହୋଇଥିଲେ। ପାଣ୍ଡୁଲିପି ଧରି ପ୍ରକାଶକଙ୍କ ନିକଟରେ ପହଞ୍ଚତ୍ବା ପରେ ତାଙ୍କୁ ବିଦ୍ରୂପ କରାଯାଇଥିଲା। କମ୍‌ ବୟସରୁ ବେଶି ଉଚ୍ଚାକାଂକ୍ଷୀ ହୁଅ ନାହିଁ ବୋଲି କୁହାଯାଇଥିଲା। ଏତିକିରେ ସେ ଲେଖା ବନ୍ଦ କରିଦେଇଥିଲେ। ଯେତେବେଳେ ତାଙ୍କୁ ୩୦ ବର୍ଷ ବୟସ ହେଲା ଓ ବିବାହ କରି ଦୁଇ ସନ୍ତାନର ଜନନୀ ହେଲେ ସେତେବେଳେ ସେ ସ୍ବତଃସ୍ଫୂର୍ତ୍ତ ଗଳ୍ପ ଓ ଉପନ୍ୟାସରେ ଶବ୍ଦ ପ୍ରସବ କରିଚାଲିଲେ। ଆଜି ୮୨ ବର୍ଷ ଯାଏ ସେହି ଧାରା ଜାରି ରହିଛି। ୧୯୭୪ରେ ତାଙ୍କ ସୃଷ୍ଟିର ପ୍ରଥମ ଭେଟି ଥିଲା- ‘କ୍ଲିନ୍‌ଡ ଆଉଟ୍‌’। ଲେଖାଲେଖି କରିବା ବେଳେ ତାଙ୍କ ସ୍ବାମୀ ଫିଲିଫେ ଅର୍ନଉ ତାଙ୍କୁ ଉପହାସ କରୁଥିଲେ। ନିଜ ଲେଖାକୁ ଲୁଚାଇବାକୁ ଯାଇ ଏନି ଏକ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରୁଥିବା ଛଳନା କରିଥିଲେ। କିନ୍ତୁ ଯେତେବେଳେ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଲା ସେଥିରେ ସ୍ବାମୀ ରାଗିଯାଇ କହିଥିଲେ-ତୁମେ ଗୋପନରେ ଏକ ବହି ଲେଖିବାକୁ ସକ୍ଷମ ହୋଇଛ ମାନେ ତୁମେ ଦାମ୍ପତ୍ୟ ଜୀବନରେ ମୋତେ ଠକେଇ ଚାଲିଛ। ଏହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ହୋଇଥିଲା ଓ ତାହା ୧୯୮୦ରେ ବିଚ୍ଛେଦରେ ପରିଣତ ହୋଇଥିଲା। ବ୍ୟକ୍ତିଗତ ଜୀବନରେ ଏନି ଯନ୍ତ୍ରଣା ଦେଇ ଗତି କରୁଥିଲେ ମଧ୍ୟ ଫ୍ରାନ୍ସର ମହିଳାଙ୍କ ଦୁଃଖ, ସାମାଜିକ ଅବସୋସକୁ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥିଲେ। ‘କ୍ଲିନ୍‌ଡ ଆଉଟ୍‌’ରେ ଜଣେ ଯୁବା ମହିଳାଙ୍କ ଜୀବନ ଓ ଗର୍ଭପାତକୁ ସେ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ତାଙ୍କ ଜୀବନ ସହ ସାମଞ୍ଜସ୍ୟ ରଖିଥାଏ ବୋଲି ସମୀକ୍ଷକ ମତ ଦେଇଥାଆନ୍ତି। ୧୯୯୭ରେ ପ୍ରକାଶିତ ‘ଶେମ୍‌’ରେ ପିତା ତାଙ୍କ ମା’ଙ୍କୁ ମାରିଦେବାକୁ ଚାହୁଁଥିବା ବିଷୟରେ ବର୍ଣ୍ଣନା କରିଛନ୍ତି। ୧୨ ବର୍ଷ ବୟସରେ ସେ ଦେଖିଥିବା ଘରୋଇ ହିଂସାକୁ ଏଥିରେ ଏକ ସାମାଜିକ ସମସ୍ୟା ଭାବେ ଦର୍ଶାଇଛନ୍ତି। ‘ହାପ୍‌ନିଂ’(୨୦୦୦)ରେ ଲେଖିକା ୧୯୬୩ ମସିହାରେ ବେଆଇନ ଗର୍ଭପାତ ପ୍ରକ୍ରିୟାରେ ହାତରେ ବୁଣିବା ସକାଶେ ଉଦ୍ଦିଷ୍ଟ ଥିବା ଲମ୍ବା କଣ୍ଟାକୁ କିଭଳି ବ୍ୟବହାର କରିଥିଲେ, ତାହାର ଏକ ବାସ୍ତବଧର୍ମୀ ଆଲେଖ୍ୟ ବାଢ଼ିଛନ୍ତି। ଏହି ଉପନ୍ୟାସକୁ ଅର୍ଡି ଡିଓ୍ବାନ ଫିଲ୍ମରେ ପରିଣତ କରିଥିଲେ, ଯେଉଁଥିରେ ଫ୍ରାନ୍ସର ମହିଳାମାନେ ସେମାନଙ୍କ ଅଭିଜ୍ଞତା ବଖାଣୁଥିବା ଦେଖାଇ ଦିଆଯାଇଥିଲା। ୨୦୦୧ରେ ପ୍ରକାଶିତ ‘ଗେଟିଂ ଲଷ୍ଟ୍‌’ ବିବାଦୀୟ ହୋଇଥିଲା। ସେଥିରେ ୧୯୮୮ରୁ ୧୯୯୦ ମଧ୍ୟରେ ଜଣେ ବିବାହିତ ସୋଭିଏଟ୍‌ କୂଟନୀତିଜ୍ଞଙ୍କ ସହ ଏନିଙ୍କ ସମ୍ପର୍କ ଥିବା ଭଳି ବର୍ଣ୍ଣନା ରହିଛି। ୨୦୦୮ରେ ‘ଦି ଇୟର୍ସ’ ପାଠକାର୍ପଣ ହୋଇଥିଲା, ଯାହା ଇଣ୍ଟରନ୍ୟାଶନାଲ ବୁକର ପୁରସ୍କାର ଚୟନ ତାଲିକାରେ ସନ୍ନିବେଶିତ ହୋଇଥିଲା। ଏହା ଫ୍ରାନ୍ସ ବାହାରେ ମଧ୍ୟ ଅଧିକ ଚର୍ଚ୍ଚିତ ହୋଇଥିଲା। ଏଥିରେ ଔପନ୍ୟାସିକା ଫ୍ରାନ୍ସ ପରବର୍ତ୍ତୀ ପିଢ଼ିର ସ୍ମୃତିକଥା ବଖାଣିଛନ୍ତି। ତେବେ ୨୦୧୬ରେ ‘ଏ ଗର୍ଲସ ଷ୍ଟୋରୀ’ ପ୍ରକାଶ ପାଇଥିଲା। ଏନିଙ୍କ ୫୦ ବର୍ଷ ତଳର ଯୌନ ଅଭିଜ୍ଞତା ଓ ତାହାର ପ୍ରଭାବ ସାରା ଜୀବନକୁ କିଭଳି ଆବୋରି ଯାଇଛି, ତାହା ଏଥିରେ ଅକ୍ଷରାଙ୍କିତ ହୋଇଛି।
ଏନିଙ୍କ ସାମଗ୍ରିକ ସାହିତ୍ୟ ଜଗତ ବ୍ୟକ୍ତିନିଷ୍ଠ ସୃଜନଶୀଳତାରେ ଭରପୂର। ପାଠକେ ତାଙ୍କ ପ୍ରତିଟି କୃତିରେ ଆତ୍ମଜୀବନୀମୂଳକ ବିଷୟକୁ ପାଇଥାଆନ୍ତି। କିନ୍ତୁ ଗୋଟିଏ ଉପନ୍ୟାସରୁ ଅନ୍ୟଟି ଭିନ୍ନ ଥିବା ତାଙ୍କ ସୃଜନକଳାର ବାହାଦୁରିକୁ ଦର୍ଶାଇଥାଏ ବୋଲି ସମାଲୋଚକମାନେ କହିଥାଆନ୍ତି। ସମ୍ଭବତଃ ସେଥିପାଇଁ ଏନିଙ୍କ ଲେଖା ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତରର ପାଠ୍ୟପୁସ୍ତକରେ ସ୍ଥାନିତ ହେବାର ଉପାଦାନ ରଖିପାରିଛି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଚାଶ କି ଶହେ ନୁହେଁ, ୨୩୦ କିସମର ଆମ୍ବ ଚାଷକରି ବର୍ଷକୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଜରାଟର ସୁମିତ ଝରିଆ । ୧୨.୫...

ଆଦର୍ଶ ମଦ୍ୟପ

ମଦ ପିଇ ମାତାଲ ହେଉଥିବା ମଦ୍ୟପ ବା ମଦୁଆ। ସେହି ମଦ୍ୟପ ସମାଜରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରେ। ତା’ ଘରଠାରୁ କାର୍ଯ୍ୟକ୍ଷେତ୍ର କିମ୍ବା ବିଚରଣ...

ନିର୍ବାଚନ ପ୍ରଚାରରେ ଡିପ୍‌ଫେକ୍‌ ଭିଡିଓ

କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ଡିପ୍‌ଫେକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ୫ ତେଲଙ୍ଗାନା କଂଗ୍ରେସୀ କର୍ମୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ...

ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌...

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri