ବ୍ୟକ୍ତିନିଷ୍ଠ ଜୀବନସ୍ରଷ୍ଟା

ଅକ୍ଟୋବର ୬। ନିଜ ରୋଷଶାଳାରେ ଥିବା ରେଡିଓ ପାଖକୁ ସେ ଗଲେ ଓ ତାହାକୁ ଖୋଲି ସେଦିନର ମୁଖ୍ୟ ଖବର କ’ଣ ଅଛି ବୋଲି ଶୁଣିବାକୁ ଚାହିଁଲେ। ପ୍ରଥମ ଖବର ଥିଲା-୨୦୨୨ ବର୍ଷର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବେ ଫରାସୀ ଲେଖିକା ଏନି ଅର୍ନାଉ। ଏହା ଶୁଣିବା ପରେ ସେ ଆତ୍ମବିଭୋର ହୋଇଗଲେ। ତାଙ୍କୁ ଅନୁଭବ ହୋଇଥିଲା ସେ ମରୁଭୂମିରେ ଏକଲା ଚାଲୁଛନ୍ତି। ଆକାଶ ତାଙ୍କ ସହ କଥା ହେଉଛି ଓ ସଫଳତା ବିଷୟରେ ସୂଚନା ଦେଉଛି। ଏକ ଚାନେଲକୁ ସାକ୍ଷାତ୍‌କାର ଦେଇ ଏନି ଏଭଳି ଭାବେ ଖୁସି ବ୍ୟକ୍ତ କରିଥିବା ବିଷୟ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି। ଏଥିସହିତ ଯୁବ ଲେଖକଙ୍କ ପ୍ରତି ସେ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ମଧ୍ୟ ସାହିତ୍ୟ ପରିମଣ୍ଡଳରେ ଏକ ଗୁଞ୍ଜରଣ ସୃଷ୍ଟି କରିଛି। ସେ ପରାମର୍ଶ ଦେଉଛନ୍ତି- ‘କେବେ ହେଲେ ଚମତ୍କାର ଲେଖା ଲେଖିବାକୁ ଚେଷ୍ଟା କରିବ ନାହିଁ। ବରଂ ସହଜ ଓ ସର୍ବବୋଧଗମ୍ୟ ଲେଖିବା ସକାଶେ ଆଗ୍ରହୀ ହୁଅ’। ବ୍ୟକ୍ତିଗତ ଜୀବନର ଦୁଃଖ, ଜଞ୍ଜାଳ, ସମାଜର ସମସ୍ୟାକୁ ଅତି ସରଳ ଭାଷାରେ ପାଠିକାପାଠକଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇଥିବାରୁ ୮୨ ବର୍ଷୀୟା ଏନି ଉତ୍ତରପିଢ଼ିକୁ ଏହିଭଳି ଭାବେ ସୃଜନକର୍ମରେ ଲୀନ ହେବାକୁ ଆହ୍ବାନ ଦେଇଛନ୍ତି। ୧୯୦୧ରୁ ସାହିତ୍ୟ କ୍ଷେତ୍ରରେ ନୋବେଲ ଦିଆଯାଇ ଆସୁଥିବା ବେଳେ ଏନି ୧୭ତମ ମହିଳା ଭାବେ ଏଭଳି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ଏଥିସହିତ ସେ ଫ୍ରାନ୍ସର ପ୍ରଥମ ମହିଳା ଭାବେ ସାହିତ୍ୟରେ ନୋବେଲ ପାଇବାର ଗୌରବ ଅର୍ଜନ କରିଛନ୍ତି।
ଫ୍ରାନ୍ସର ଲିଲିବୋନ୍‌ରେ ଜନ୍ମିତ ଏନି ଇଭେଟ୍‌ରେ ବଢ଼ିଥିଲେ। କାରଣ ସେହିଠାରେ ତାଙ୍କ ମାତାପିତା ଏକ କାଫେ ଓ ତେଜରାତି ଦୋକାନ ଚଳାଉଥିଲେ। ୧୯୬୦ରେ ସେ କିଛି ଅଭିଜ୍ଞତା ଅର୍ଜନ କରିବା ଲାଗି ଲଣ୍ଡନ ଚାଲିଯାଇଥିଲେ ଓ ସେଠାରେ ‘ଅଉ ଫେର୍‌’ (ଖାଦ୍ୟ, ଏକ କୋଠରି ଓ କିଛି ହାତଖର୍ଚ୍ଚ ଲାଗି ଜଣେ ବିଦେଶୀ ମହିଳା କୌଣସି ଘରୋଇ ବା ଶିଶୁଯତ୍ନ କାର୍ଯ୍ୟରେ ନିୟୋଜିତ ହେବା) ଭାବେ ସମୟ ବିତାଇଥିଲେ। ପରେ ସେ ଫ୍ରାନ୍ସ ଫେରିଆସି ରୋଆନ୍‌ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ ଓ ପରବର୍ତ୍ତୀ ସମୟରେ ସ୍କୁଲ ଶିକ୍ଷୟିତ୍ରୀ ହୋଇଥିଲେ। ୧୯୭୧ରେ ସେ ଆଧୁନିକ ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କରିବା ପରେ କଲେଜରେ ଅଧ୍ୟାପନା କରିଥିଲେ। ସେ କଲେଜ ପଢ଼ୁଥିବାବେଳେ ସୃଜନମନସ୍କ ହୋଇଥିଲେ। ପାଣ୍ଡୁଲିପି ଧରି ପ୍ରକାଶକଙ୍କ ନିକଟରେ ପହଞ୍ଚତ୍ବା ପରେ ତାଙ୍କୁ ବିଦ୍ରୂପ କରାଯାଇଥିଲା। କମ୍‌ ବୟସରୁ ବେଶି ଉଚ୍ଚାକାଂକ୍ଷୀ ହୁଅ ନାହିଁ ବୋଲି କୁହାଯାଇଥିଲା। ଏତିକିରେ ସେ ଲେଖା ବନ୍ଦ କରିଦେଇଥିଲେ। ଯେତେବେଳେ ତାଙ୍କୁ ୩୦ ବର୍ଷ ବୟସ ହେଲା ଓ ବିବାହ କରି ଦୁଇ ସନ୍ତାନର ଜନନୀ ହେଲେ ସେତେବେଳେ ସେ ସ୍ବତଃସ୍ଫୂର୍ତ୍ତ ଗଳ୍ପ ଓ ଉପନ୍ୟାସରେ ଶବ୍ଦ ପ୍ରସବ କରିଚାଲିଲେ। ଆଜି ୮୨ ବର୍ଷ ଯାଏ ସେହି ଧାରା ଜାରି ରହିଛି। ୧୯୭୪ରେ ତାଙ୍କ ସୃଷ୍ଟିର ପ୍ରଥମ ଭେଟି ଥିଲା- ‘କ୍ଲିନ୍‌ଡ ଆଉଟ୍‌’। ଲେଖାଲେଖି କରିବା ବେଳେ ତାଙ୍କ ସ୍ବାମୀ ଫିଲିଫେ ଅର୍ନଉ ତାଙ୍କୁ ଉପହାସ କରୁଥିଲେ। ନିଜ ଲେଖାକୁ ଲୁଚାଇବାକୁ ଯାଇ ଏନି ଏକ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରୁଥିବା ଛଳନା କରିଥିଲେ। କିନ୍ତୁ ଯେତେବେଳେ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଲା ସେଥିରେ ସ୍ବାମୀ ରାଗିଯାଇ କହିଥିଲେ-ତୁମେ ଗୋପନରେ ଏକ ବହି ଲେଖିବାକୁ ସକ୍ଷମ ହୋଇଛ ମାନେ ତୁମେ ଦାମ୍ପତ୍ୟ ଜୀବନରେ ମୋତେ ଠକେଇ ଚାଲିଛ। ଏହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ହୋଇଥିଲା ଓ ତାହା ୧୯୮୦ରେ ବିଚ୍ଛେଦରେ ପରିଣତ ହୋଇଥିଲା। ବ୍ୟକ୍ତିଗତ ଜୀବନରେ ଏନି ଯନ୍ତ୍ରଣା ଦେଇ ଗତି କରୁଥିଲେ ମଧ୍ୟ ଫ୍ରାନ୍ସର ମହିଳାଙ୍କ ଦୁଃଖ, ସାମାଜିକ ଅବସୋସକୁ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥିଲେ। ‘କ୍ଲିନ୍‌ଡ ଆଉଟ୍‌’ରେ ଜଣେ ଯୁବା ମହିଳାଙ୍କ ଜୀବନ ଓ ଗର୍ଭପାତକୁ ସେ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ତାଙ୍କ ଜୀବନ ସହ ସାମଞ୍ଜସ୍ୟ ରଖିଥାଏ ବୋଲି ସମୀକ୍ଷକ ମତ ଦେଇଥାଆନ୍ତି। ୧୯୯୭ରେ ପ୍ରକାଶିତ ‘ଶେମ୍‌’ରେ ପିତା ତାଙ୍କ ମା’ଙ୍କୁ ମାରିଦେବାକୁ ଚାହୁଁଥିବା ବିଷୟରେ ବର୍ଣ୍ଣନା କରିଛନ୍ତି। ୧୨ ବର୍ଷ ବୟସରେ ସେ ଦେଖିଥିବା ଘରୋଇ ହିଂସାକୁ ଏଥିରେ ଏକ ସାମାଜିକ ସମସ୍ୟା ଭାବେ ଦର୍ଶାଇଛନ୍ତି। ‘ହାପ୍‌ନିଂ’(୨୦୦୦)ରେ ଲେଖିକା ୧୯୬୩ ମସିହାରେ ବେଆଇନ ଗର୍ଭପାତ ପ୍ରକ୍ରିୟାରେ ହାତରେ ବୁଣିବା ସକାଶେ ଉଦ୍ଦିଷ୍ଟ ଥିବା ଲମ୍ବା କଣ୍ଟାକୁ କିଭଳି ବ୍ୟବହାର କରିଥିଲେ, ତାହାର ଏକ ବାସ୍ତବଧର୍ମୀ ଆଲେଖ୍ୟ ବାଢ଼ିଛନ୍ତି। ଏହି ଉପନ୍ୟାସକୁ ଅର୍ଡି ଡିଓ୍ବାନ ଫିଲ୍ମରେ ପରିଣତ କରିଥିଲେ, ଯେଉଁଥିରେ ଫ୍ରାନ୍ସର ମହିଳାମାନେ ସେମାନଙ୍କ ଅଭିଜ୍ଞତା ବଖାଣୁଥିବା ଦେଖାଇ ଦିଆଯାଇଥିଲା। ୨୦୦୧ରେ ପ୍ରକାଶିତ ‘ଗେଟିଂ ଲଷ୍ଟ୍‌’ ବିବାଦୀୟ ହୋଇଥିଲା। ସେଥିରେ ୧୯୮୮ରୁ ୧୯୯୦ ମଧ୍ୟରେ ଜଣେ ବିବାହିତ ସୋଭିଏଟ୍‌ କୂଟନୀତିଜ୍ଞଙ୍କ ସହ ଏନିଙ୍କ ସମ୍ପର୍କ ଥିବା ଭଳି ବର୍ଣ୍ଣନା ରହିଛି। ୨୦୦୮ରେ ‘ଦି ଇୟର୍ସ’ ପାଠକାର୍ପଣ ହୋଇଥିଲା, ଯାହା ଇଣ୍ଟରନ୍ୟାଶନାଲ ବୁକର ପୁରସ୍କାର ଚୟନ ତାଲିକାରେ ସନ୍ନିବେଶିତ ହୋଇଥିଲା। ଏହା ଫ୍ରାନ୍ସ ବାହାରେ ମଧ୍ୟ ଅଧିକ ଚର୍ଚ୍ଚିତ ହୋଇଥିଲା। ଏଥିରେ ଔପନ୍ୟାସିକା ଫ୍ରାନ୍ସ ପରବର୍ତ୍ତୀ ପିଢ଼ିର ସ୍ମୃତିକଥା ବଖାଣିଛନ୍ତି। ତେବେ ୨୦୧୬ରେ ‘ଏ ଗର୍ଲସ ଷ୍ଟୋରୀ’ ପ୍ରକାଶ ପାଇଥିଲା। ଏନିଙ୍କ ୫୦ ବର୍ଷ ତଳର ଯୌନ ଅଭିଜ୍ଞତା ଓ ତାହାର ପ୍ରଭାବ ସାରା ଜୀବନକୁ କିଭଳି ଆବୋରି ଯାଇଛି, ତାହା ଏଥିରେ ଅକ୍ଷରାଙ୍କିତ ହୋଇଛି।
ଏନିଙ୍କ ସାମଗ୍ରିକ ସାହିତ୍ୟ ଜଗତ ବ୍ୟକ୍ତିନିଷ୍ଠ ସୃଜନଶୀଳତାରେ ଭରପୂର। ପାଠକେ ତାଙ୍କ ପ୍ରତିଟି କୃତିରେ ଆତ୍ମଜୀବନୀମୂଳକ ବିଷୟକୁ ପାଇଥାଆନ୍ତି। କିନ୍ତୁ ଗୋଟିଏ ଉପନ୍ୟାସରୁ ଅନ୍ୟଟି ଭିନ୍ନ ଥିବା ତାଙ୍କ ସୃଜନକଳାର ବାହାଦୁରିକୁ ଦର୍ଶାଇଥାଏ ବୋଲି ସମାଲୋଚକମାନେ କହିଥାଆନ୍ତି। ସମ୍ଭବତଃ ସେଥିପାଇଁ ଏନିଙ୍କ ଲେଖା ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତରର ପାଠ୍ୟପୁସ୍ତକରେ ସ୍ଥାନିତ ହେବାର ଉପାଦାନ ରଖିପାରିଛି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?