ବଡ଼ଲୋକଙ୍କୁ ପ୍ରଶ୍ନ ହିଁ ନାହିଁ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

କେଉଁ କାଳରୁ ଗଡ଼ି ଗଡ଼ି ଆସୁଥିବା ‘ବଡ଼ଲୋକଙ୍କୁ ଉତ୍ତର ନାହିଁ’ ବୋଲି କଥାଟିକୁ ଟିକେ ନିରିଖେଇ ଦେଖିଲେ ଜାଣିହେବ ଯେ ପ୍ରକୃତରେ ବଡ଼ଲୋକଙ୍କୁ ଉତ୍ତର ନୁହେଁ, ପ୍ରଶ୍ନ ହିଁ ନାହିଁ। ବଡ଼ଲୋକଙ୍କୁ ପ୍ରଶ୍ନ କରିବା ଏକ ଅନୁଚିତ ଔଦ୍ଧତ୍ୟ ବୋଲି ଧରାଯାଇ ସେଥିପାଇଁ ଜାରି ହୋଇଛି ଏହି ଅଲିଖିତ ବାରଣନାମା। ତେବେ କିଏ ସେଇ ବଡ଼ଲୋକ? ଅଜସ୍ର ଧନସମ୍ପଦର ଗର୍ବିତ ମାଲିକ ନା ଅପ୍ରମିତ କ୍ଷମତାର ଅଧିକାରୀ ସ୍ପର୍ଦ୍ଧିତ ଶାସକ? ତୁଳନାତ୍ମକ ଭାବେ ଦୁଇ ବର୍ଗର ବଡ଼ଲୋକଙ୍କ ମଧ୍ୟରୁ ତା’ଠାରୁ ଏକ ଅପହଞ୍ଚ ଦୂରତ୍ୱରେ ଥିବା ଶାସକମାନେ ହିଁ ଛୋଟଲୋକଟି ପାଇଁ ଜଣେ ଜଣେ ବଡ଼ଲୋକ। ଅତୀତର ରାଜତନ୍ତ୍ର ଓ ବର୍ତ୍ତମାନର ଗଣତନ୍ତ୍ର ତା’ ପାଇଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ରାଜତନ୍ତ୍ରରେ ରାଜପୁରୁଷମାନେ ବଡ଼ ଥିଲାବେଳେ ଗଣତନ୍ତ୍ରରେ ରାଜନେତାଗଣ ବଡ଼ ବୋଲାଉଛନ୍ତି ସିନା, ସେ ଯେଉଁ ଛୋଟକୁ ସେଇ ଛୋଟ ହୋଇ ରହିଯାଇଛି। ରାଜାଙ୍କ ରଥ ଓ ମନ୍ତ୍ରୀଙ୍କ ଗାଡ଼ିର ଆକୃତି ବଦଳିଛି ସିନା, ରାଜ ଆଡ଼ମ୍ବରରେ କିଛି ପରିବର୍ତ୍ତନ ଘଟିନାହିଁ। ରଥର ଧୂଳି ଓ ଗାଡ଼ିର ଧୂଅଁାରେ ଆଖି ମଳି ଲୁହ ପୋଛି ହେବାକୁ ଛୋଟଲୋକଟି ସେମିତି ସଡ଼କ କଡ଼ରେ ଛିଡ଼ାହୋଇ ରହିଛି କାହାକୁ କିଛି ପ୍ରଶ୍ନ ନ କରି।
ସାଧାରଣ ଲୋକଟିଏ। ବଡ଼ଲୋକର ପ୍ରତିପକ୍ଷ ଛୋଟଲୋକ ଶ୍ରୁତିକଟୁ ହେଉଥିବାରୁ ତାକୁ ‘ସାଧାରଣ ଲୋକ’ କୁହାଯାଉ। ଯାହାର ଝାଳବୁହା ଶ୍ରମକୁ ପୁଞ୍ଜି କରି ବା ଯାହାର ଟିକସକୁ ମୂଳ ଧନ କରି ସମୃଦ୍ଧ ହୋଇ ଆସିଛି ରାଜ୍ୟର ରାଜକୋଷ, ଉଭୟ ସେକାଳ ରାଜତନ୍ତ୍ରର ଓ ଏକାଳ ଗଣତନ୍ତ୍ରର; ତା’ ମନରେ ଉଠୁଥିବା ପ୍ରଶ୍ନକୁ ପଚାରିବାର ଯେ ତା’ର ଅଧିକାର ନାହିଁ; ଏହା ହିଁ ବିଡ଼ମ୍ବନା। ରାଜତନ୍ତ୍ରଠୁ ଗଣତନ୍ତ୍ର ଯାଏ ସବୁଠି ରାଜପୁରୁଷ ଓ ରାଜନେତାମାନଙ୍କ ଆଚରଣର ଔଚିତ୍ୟକୁ ପ୍ରଶ୍ନ କରିବା ସାଧାରଣ ଲୋକ ପାଇଁ ଏକ ସର୍ବକାଳୀନ ଧୃଷ୍ଟତା। ରାଜତନ୍ତ୍ରର ଚାବୁକ ମାଡ଼ଠାରୁ ଆହୁରି ଭୟଙ୍କର ଗଣତନ୍ତ୍ରର ନିଥର ନୀରବତା ଓ ବେଖାତିର ମନୋଭାବ। ସୁତରାଂ, ପୂର୍ବେ ରାଜତନ୍ତ୍ରର ସାମନ୍ତବାଦୀ ସ୍ତବପାଠରେ ତା’ର ଅସନ୍ତୋଷ ଅବ୍ୟକ୍ତ ରହିଯାଉଥିଲା ବେଳେ ଏବେ ଗଣତନ୍ତ୍ରର ଦରବାରୀ କୋଳାହଳରେ ତା’ର ନୀରବ ପ୍ରତିବାଦ ନିଃଶବ୍ଦ ଭାବେ ମିଳାଇ ଯାଉଛି।
ଆଜିକାଲିର ଭାଷାରେ ‘କମନ୍‌ ମ୍ୟାନ୍‌’ କୁହାଯାଉଥିବା ସାଧାରଣ ଲୋକର ପରିବ୍ୟାପ୍ତ ପରିସରରେ ଏମିତି ବହୁ ଯନ୍ତ୍ରଣାଦାୟକ ଅନୁଭୂତିର ଅଭାବ ନ ଥିଲା ବେଳେ ନିକଟରେ ସଂଘଟିତ ହୋଇଥିବା ଦୃଷ୍ଟାନ୍ତ ଉପରେ ନଜର ପକାଯାଉ। ଏକ ପୁରସ୍କାର ପ୍ରାପ୍ତିର ମହାର୍ଘ ଉପଲବ୍ଧିର ମହର୍ଗ ଉଲ୍ଲାସ ପ୍ରକଟିତ ହୋଇଥିଲା ରାଜଧାନୀର ରାଜରାସ୍ତା ଉପରେ। ହଜାର ହଜାର ଲୋକ ବହୁବିଧ ନୃତ୍ୟ ଓ ବାଦ୍ୟ ବିଚିତ୍ରାର ଅଭୂତପୂର୍ବ ଦୃଶ୍ୟ ଯେଉଁମାନଙ୍କ ଆଖିରେ ପଡ଼ିଥିବ, ସେମାନେ ମଧ୍ୟ ଏ ଦୃଶ୍ୟ ବି ଦେଖିଥିବେ ଯେ ରାଜଧାନୀର ସ୍ବାଭାବିକ ଜୀବନଯାତ୍ରା କେତେ ସମୟ ପାଇଁ କେମିତି ନିର୍ବାସନରେ ଚାଲି ଯାଇଥିଲା। କଲିକତା ଯିବା ପାଇଁ ଟ୍ରେନ୍‌ ଧରିବାକୁ ଷ୍ଟେଶନ ଯାଉଥିବା ମାଆପୁଅ ଦୁହେଁ କେମିତି କଲବଲ ହୋଇ ବର୍ଷାରେ ଭିଜିଭିଜି ଦୌଡ଼ି ଦୌଡ଼ି ଚାଲିଛନ୍ତି ଷ୍ଟେଶନ ଅଭିମୁଖେ। ପୁଣି ଗୁରୁତର ଅସୁସ୍ଥ ରୋଗୀକୁ ଧରି ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସଟି କେମିତି ଲମ୍ବା ସାଇରନ୍‌ ବଜାଇ ଚାଲିଥିଲେ ମଧ୍ୟ ବିଶାଳ ଜନତାର ପଟୁଆର ଭେଦ କରି ଇଞ୍ଚେ ମଧ୍ୟ ଆଗକୁ ଗଡ଼ି ପାରୁନାହିଁ। କେହି ଓଲା ଭଡ଼ା କରି ଟ୍ରେନ୍‌ ଧରିବାକୁ ଷ୍ଟେଶନ ଆସୁଥିବା ବେଳେ ସେମାନଙ୍କ ପଥରୋଧ କରିଛି ପ୍ରଶଂସକଙ୍କ ବିଶାଳ ପଟୁଆର ତ ଅନ୍ୟ କେଉଁଠି ମୃତ୍ୟୁ ସହ ଯୁଝୁଥିବା ରୋଗୀଟିକୁ ନିର୍ବିଘ୍ନରେ ହସ୍ପିଟାଲ ବୋହି ନେବା ପାଇଁ ବିକଳ ସାଇରନ ବଜାଉଥିବା ଆମ୍ବୁଲାନ୍ସର ପଥ ଓଗାଳୁଛି ଅନିୟନ୍ତ୍ରିତ ଲୋକଭିଡ଼! ଚାଟୁକାରିତାର ମିଥ୍ୟାଚାର ହାତରେ ମାନବିକତାର କି ଦୟନୀୟ ପରାଜୟ!
ସେଦିନ ଆମ୍ବୁଲାନ୍ସ ଭିତରେ ରୋଗ ଯନ୍ତ୍ରଣା ସହି ଅସହାୟ ଭାବେ ପଡ଼ିରହିଥିବା ରୋଗୀଟିର ଅବସ୍ଥା କ’ଣ ହେଲା, ସେହି ଖବର କେହି ରଖିନାହାନ୍ତି। ମାତ୍ର ସେଦିନର ସେଇ ଅସ୍ବାଭାବିକ ଟ୍ରାଫିକଜାମ୍‌ ଦେଖି ଅନେକ ବର୍ଷ ତଳର ନିଜ ଅବସ୍ଥା ମନେ ପକାଉଥିଲେ ରାଜଧାନୀରେ ରହୁଥିବା ଜଣେ ବନ୍ଧୁ। ଭୀଷଣ ପେଟ ଯନ୍ତ୍ରଣାରେ ଚିତ୍କାର ଛାଡ଼ୁଥିବା ନିଜ କିଶୋର ପୁଅଟିକୁ ଅଟୋରିକ୍ସାରେ ନେଇ ସେଦିନ ଅପରାହ୍ନରେ ବନ୍ଧୁ କ୍ୟାପିଟାଲ ହସ୍ପିଟାଲ ଯାଉଥିଲେ। ଲକ୍ଷ୍ୟସ୍ଥଳ ଆଉ ଅଳ୍ପ ଦୂର ବାକି ଥିଲାବେଳେ ତାଙ୍କ ଗାଡ଼ି ଅଟକିଗଲା। ତାଙ୍କ ଆଗରେ ଆହୁରି ପ୍ରାୟ କୋଡ଼ିଏ ହେବ ଗାଡ଼ି ଅଟକି ଥିବାର ଦେଖି ସେ ହତାଶ ହୋଇପଡ଼ିଲେ। କାରଣ ବୁଝି ଜାଣିଲେ ଯେ, ଆଗ ରାସ୍ତା ଦେଇ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କ କାର୍‌ ପଟୁଆର ବାହାରିବ ରାଜଭବନରୁ
ଷ୍ଟାଡିୟମର ସଭାସ୍ଥଳକୁ। ପ୍ରଧାନମନ୍ତ୍ରୀ ନ ଯିବା ଯାଏ ରାସ୍ତା ଖୋଲିବନି।
ଯନ୍ତ୍ରଣାରେ ଅର୍ଦ୍ଧମୂର୍ଚ୍ଛିତ ପୁଅଟିକୁ ସାଧାରଣ ବାପା ଜଣକ ସାନ୍ତ୍ୱନା ଦେଲେ- ”ଆଉ ଅଳ୍ପ ସମୟ। ଦଶମିନିଟ୍‌ ପରେ ପ୍ରଧାନମନ୍ତ୍ରୀଙ୍କ ପଟୁଆର ଚାଲିଗଲା ପରେ ଆମ ରାସ୍ତା ଖୋଲିଯିବ। ସେତକ ସମୟ ଟିକେ ଥୟ ଧର ବାପା!“ ପୁଅକୁ ଥୟ ଧରିବାକୁ ଆଶ୍ୱାସନା ଦେଉଥିବା ବାପା ନିଜେ ଅଥୟ ହୋଇପଡ଼ିଲେ, ଯେତେବେଳେ ଅଧଘଣ୍ଟା ବିତିଗଲା ପରେ ମଧ୍ୟ ରାସ୍ତା ଖୋଲିଲା ନାହିଁ। ପଛକୁ ଫେରି ଅନ୍ୟ ରାସ୍ତା ଧରିବା ମଧ୍ୟ ସମ୍ଭବ ନ ଥିଲା, କାରଣ ସେତେବେଳକୁ ତାଙ୍କ ଗାଡ଼ି ପଛରେ ଆହୁରି ତିରିଶରୁ ଅଧିକ ଗାଡ଼ି। ସେ ବିକଳ ହୋଇ ଆଗକୁ ଚାହିଁ ଦେଖିଲେ ଲମ୍ବା ସାଇରନ୍‌ ବଜାଇ ପୋଲିସ ଏସ୍‌କର୍ଟ ଗାଡ଼ିଟି ସାମ୍‌ନା ରାସ୍ତାରେ ଆସିଲା ଓ ପରେ ପରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ କାର୍‌ ପଟୁଆର ଷ୍ଟାଡିୟମ ଅଭିମୁଖେ ଛୁଟି ଚାଲିଥିଲେ। ଅଥଚ ସେଇ ରାସ୍ତାର ବିପରୀତ ଦୁଇପାଖ ରାସ୍ତାରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ସଂଖ୍ୟକ ଗାଡ଼ି ଛିଡ଼ା ହୋଇଥିଲେ। ଆଶଙ୍କାରେ ପ୍ରତ୍ୟେକ ମୁହୂର୍ତ୍ତ ବିତାଇଥିବା ସେଇ ସାଧାରଣ ପିତାଙ୍କ ସୌଭାଗ୍ୟକୁ ସେଦିନ ପୁଅଟି ଉପଯୁକ୍ତ ଚିକିତ୍ସା ପାଇ ଯନ୍ତ୍ରଣାମୁକ୍ତ ହେଲା ସିନା, ମାତ୍ର ହସ୍ପିଟାଲ ଯାଉଥିବା ବାଟରେ ଅନିଶ୍ଚିତତାର ଯେଉଁ ଯନ୍ତ୍ରଣା ସେ ଅଧଘଣ୍ଟା ପାଇଁ ଭୋଗି ଚାଲିଥିଲେ, ତିରିଶ ବର୍ଷ ପରେ ବି ଏଯାଏ ସେହି ଯନ୍ତ୍ରଣାର ଉପଶମ ହୋଇନାହିଁ। ବଡ଼ଲୋକଙ୍କ ସୁରକ୍ଷା ନାମରେ ତାଙ୍କ ଭଳି ଜଣେ ସାଧାରଣ ଲୋକର ଏକମାତ୍ର ପୁଅ ମୁହଁରେ ଆସନ୍ନ ମୃତ୍ୟୁର ପ୍ରତିଛାୟା ଦେଖିବାର ଯନ୍ତ୍ରଣା ବା ଗଣତନ୍ତ୍ରରେ ସଭିଏ ସମାନ ଭଳି ଏକ ମିଥ୍ୟା, ପ୍ରବଞ୍ଚନାପୂର୍ଣ୍ଣ ଆଶ୍ୱାସନାକୁ ଆପଣେଇ ନେବାର ଯନ୍ତ୍ରଣା ଏବଂ ସର୍ବୋପରି ବଡ଼ଲୋକଙ୍କୁ ପ୍ରଶ୍ନ କରିପାରୁ ନ ଥିବା ଅସାମର୍ଥ୍ୟର ଯନ୍ତ୍ରଣାରୁ କି ସହଜରେ ନିସ୍ତାର ମିଳେ!
କେବଳ ଏହି ବନ୍ଧୁ ଜଣକ ନୁହନ୍ତି, ସବୁ ସାଧାରଣ ଲୋକଙ୍କ ଭାଗ୍ୟ ସବୁବେଳେ ଏହିଭଳି। ଅସମତା ଓ ଅବହେଳାର ଯନ୍ତ୍ରଣା ସହି ପଦପଦବୀରେ ବଡ଼ ବୋଲାଉଥିବା ଲୋକମାନଙ୍କୁ ରାସ୍ତା ଛାଡ଼ିଦେବା ହିଁ ସେମାନଙ୍କ ରାଷ୍ଟ୍ର ପ୍ରୀତିର ଉଜ୍ଜ୍ୱଳ ସନ୍ତକ। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଯାହା ବି ମୂଲ୍ୟ ଦେବାକୁ ପଡ଼ୁ ପଛେ, ହସ୍ପିଟାଲ ପହଞ୍ଚତ୍ବା ପୂର୍ବରୁ କେହି ଆତ୍ମୀୟ ଶେଷନିଃଶ୍ୱାସ ତ୍ୟାଗ କରୁ ପଛେ, କି ଷ୍ଟେଶନ ପହଞ୍ଚତ୍ବା ପୂର୍ବରୁ ଟ୍ରେନ୍‌ ଛାଡ଼ିଦେଉ; ତହିଁରେ ରାଷ୍ଟ୍ରର କି ଯାଏ ନା ରାଷ୍ଟ୍ର ଚଳାଉଥିବା ବଡ଼ଲୋକମାନଙ୍କର କି ଆସେ! ଅଥଚ ଯେଉଁ ବିଧିବ୍ୟବସ୍ଥାରେ ଆମ ଶାସନ ଚାଲୁଛି, ତାହାର ନାମ ରାଜତନ୍ତ୍ର ନୁହେଁ, ପ୍ରଜାତନ୍ତ୍ର! ଏଠାରେ ରାଜା, ମନ୍ତ୍ରୀ ବା ସାମନ୍ତଙ୍କର ନୁହେଁ, ସାଧାରଣ ଲୋକଙ୍କର କାଳେ ଅଖଣ୍ଡ କ୍ଷମତା! କେଜାଣି!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?