ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍-୧’କୁ ପୃଥିବୀ କକ୍ଷକୁ ଉତ୍କ୍ଷେପଣ କଲା। ଏହା ପରେ ତଥାକଥିତ ‘ଶୀତଳ ଯୁଦ୍ଧ’ କାଳରେ ତା’ ସହିତ ପ୍ରତିଯୋଗିତା କରିଚାଲିଥିଲା ଆମେରିକା ଏବଂ ଏହାର ଅନ୍ତ ପରେ କେତେକ ୟୁରୋପୀୟ ଦେଶ ସମେତ ଚାଇନା, ଭାରତ ଇତ୍ୟାଦି ମହାକାଶ ଗବେଷଣାକୁ ଗୁରୁତ୍ୱ ଦେଇ ଚାଲିଲେ। ଫଳରେ ବର୍ତ୍ତମାନ ଚନ୍ଦ୍ରକୁ ମଣିଷ ଯିବା ସହିତ ମହାକାଶ ଷ୍ଟେଶନ ପ୍ରତିଷ୍ଠା, ସୂର୍ଯ୍ୟ, ମଙ୍ଗଳ ଓ ଅନ୍ୟ କିଛି ସୁଦୂର ଗ୍ରହ ଗ୍ରହାନ୍ତରକୁ ମହାକାଶ ଯାନ ପ୍ରେରଣ ସମ୍ଭବ ହୋଇପାରିଛି। ପୁନଶ୍ଚ ପୃଥିବୀର କକ୍ଷରେ ଏବେ ସ୍ଥାପିତ ହୋଇଛନ୍ତି ଅସଂଖ୍ୟ କୃତ୍ରିମ ଉପଗ୍ରହ। ସେଗୁଡିକ ସାଧନ କରୁଛନ୍ତି ବହୁ କଲ୍ୟାଣକର ବେସାମରିକ ତଥା ସାମରିକ କାର୍ଯ୍ୟକଳାପ। ସାଧାରଣତଃ ଉଭୟ ବେସାମରିକ ଓ ସାମରିକ କୃତ୍ରିମ ଉପଗ୍ରହରେ ବ୍ୟବସ୍ଥା ଥାଏ। ପୃଥିବୀ କକ୍ଷରେ ଥାଇ କୃତ୍ରିମ ଉପଗ୍ରହ ସେଠାର ଏବଂ ଭୂପୃଷ୍ଠର ତଥ୍ୟ ସଂଗ୍ରହ ଓ ପ୍ରେରଣ କରିବା, ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରିବା, ଯାନବାହନ, ଉଡାଜାହାଜ, ଜଳଜାହାଜ ଆଦିକୁ ମାର୍ଗଦର୍ଶନ କରିଥାଏ। ଏଥିରେ ସେଗୁଡିକ ବ୍ୟବହାର କରନ୍ତି ସୌରଶକ୍ତି ଓ ରେଡିଓଫ୍ରିକ୍ୟୁଏନ୍ସି। ତେବେ, ସାମରିକ କୃତ୍ରିମ ଉପଗ୍ରହମାନଙ୍କରେ ଥିବା ବ୍ୟବସ୍ଥା ଶତ୍ରୁପକ୍ଷର ବିବିଧ ସମ୍ବେଦନଶୀଳ ସ୍ଥାନ ଏବଂ ସୈନ୍ୟ ପରିଚାଳନା ଉପରେ ଲକ୍ଷ୍ୟ ରଖିଥାଏ। ଏହା ତା’ର ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଚଳ କରିଦେଇପାରେ। ତେବେ ସେଗୁଡ଼ିକ ପରମାଣୁ ବୋମା କିମ୍ବା ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ବହନ କରିପାରିବେ ନାହିଁ ବୋଲି ଜାତିସଂଘ ଆନୁକୂଲ୍ୟରେ ଏକ ଅନ୍ତର୍ଜାତୀୟ ଚୁକ୍ତି ସ୍ବାକ୍ଷରିତ ହୋଇଛି ୧୯୬୭ ମସିହାରେ। ସେଥିପାଇଁ କେବଳ ଶତ୍ରୁଦେଶମାନଙ୍କର ସାମରିକ କାର୍ଯ୍ୟକଳାପ ପ୍ରତି ଲକ୍ଷ୍ୟ ରଖିବା ହୋଇଛି ଏହାର ଆଇନତଃ ମୁଖ୍ୟକାର୍ଯ୍ୟ।
୧୬, ସେପ୍ଟେମ୍ବର ୨୦୨୬ ଦିନ ଆମେରିକା ଏହା ଭଙ୍ଗ କରି ଥିବାର ଅଭିଯୋଗ କରାଯାଉଛି। କାରଣ, ସେ ଦିନ ସେ ଦେଶର ବାୟୁସେନାର ସେକ୍ରେଟାରି ଟ୍ରୋରୀ ମେଇଙ୍କ ମେରିଲ୍ୟାଣ୍ଡଠାରେ ଅନୁଷ୍ଠିତ ‘ଏୟାର ସ୍ପେସ୍ ଏଣ୍ଡ୍ ସାଇବର କନଫରେନ୍ସ’ରେ ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ କେତେକ ଅସ୍ତ୍ରଶସ୍ତ୍ରବାହୀ କୃତ୍ରିମ ଉପଗ୍ରହ ପ୍ରେରଣ କରିଛି। ସାରା ପୃଥିବୀରେ ଏହା ସୃଷ୍ଟି କରିଛି ଭୟଙ୍କର ବିବାଦ। କାରଣ ବିଶେଷକରି ରୁଷିଆ ଏବଂ ଚାଇନାର ଏ ସାମର୍ଥ୍ୟ ରହିଛି, ଭାରତ ମଧ୍ୟ ତାହା କରିପାରିବ ବୋଲି ମନେ କରାଯାଉଛି। ଏପରିସ୍ଥଳେ ସେମାନେ ଯଦି ତାକୁ ଅନୁସରଣ କରନ୍ତି ତେବେ ମହାକାଶ ପାଲଟିବ ଏକ ନୂତନ ରଣାଙ୍ଗନ।
ଅନ୍ୟପକ୍ଷରେ, ଆମେରିକା ଏଥିରେ କି ପ୍ରକାର ଅସ୍ତ୍ରଶସ୍ତ୍ର କେତେ ପରିମାଣରେ ରଖିଛି ଏବଂ ତାହା କେବେ କରିଛି ସେ କଥା କୁହାଯାଇ ନାହିଁ। ତେବେ, ଏହା ସଙ୍କେତ ଅବରୋଧକ (ସିଗ୍ନାଲ ଜାମର) ହୋଇପାରେ ବୋଲି ଅନୁମାନ କରାଯାଉଛି। ଏ ବ୍ୟବସ୍ଥାଗୁଡ଼ିକ ସବୁପ୍ରକାର ରେଡିଓ ସଙ୍କେତ ଅବରୋଧ କରିବାକୁ ସମର୍ଥ। ଅତଏବ ଏହା ଶତ୍ରୁପକ୍ଷର ଯୋଗାଯୋଗ ବ୍ୟବସ୍ଥାକୁ ଛିନ୍ନଭିନ୍ନ କରିଦେଇପାରିବ। ତେବେ ଆଉ କେତେକେ ବିଶ୍ୱାସ କରନ୍ତି ଯେ ଏଥିରେ କିଛି ଗତିଜ ଅସ୍ତ୍ର ମଧ୍ୟ ଥାଇପାରେ, ଯାହାକି ଅନ୍ୟ ଉପଗ୍ରହଗୁଡ଼ିକୁ ଧ୍ୱଂସ କରିପାରିବ। ଏହା ହୋଇଥିଲେ ପରିସ୍ଥିତି ଅଧିକ ବିପଜ୍ଜନକ ହେବ। କାରଣ ଧ୍ୱଂସପ୍ରାପ୍ତ ଉପଗ୍ରହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଦ୍ରୁତ ବେଗରେ କକ୍ଷରେ ଘୂରିବାକୁ ଲାଗିବେ ଏବଂ ଅନ୍ୟ କୃତ୍ରିମ ଉପଗ୍ରହ ଏବଂ ମହାକାଶଯାନ ସହିତ ଧକ୍କା ଖାଇ ସେଗୁଡ଼ିକୁ ଧ୍ୱଂସ କରି ଦେବାର ସମ୍ଭାବନା ରହିଛି। ତେବେ, ଅଧିକାଂଶ ବିଶେଷଜ୍ଞଙ୍କ ମତ ଯେ ଆମେରିକା ମହାକାଶରେ ସ୍ଥାପନ କରିଥିବା ଅସ୍ତ୍ରଗୁଡ଼ିକ ଅବରୋଧକ ବ୍ୟତୀତ ଅନ୍ୟ କିଛି ନୁହେଁ। ”ସେରେନ୍ ଓ୍ବାଲର୍ଡ ଫାଉଣ୍ଡେଶନ“ର ନିର୍ଦ୍ଦେଶିକା ଭିକ୍ଟୋରିଆ ସାମସନ ମତ ଦିଅନ୍ତି ଯେ, ୨୦୨୫ ବେଳକୁ ଆମେରିକା ଏଥିରୁ ଗୋଟିଏ ଅବସ୍ଥାପିତ କରିଥିଲା ଏବଂ ସମ୍ଭବତଃ ଏହା ଏବେ ଆଉ ଗୋଟିଏ କରିଛି। ତେବେ ତାହା ମଧ୍ୟ କମ୍ ବିପଜ୍ଜନକ ନୁହେଁ। ବିନା ବିସ୍ଫେରଣରେ କିମ୍ବା କ୍ଷେପଣାସ୍ତ୍ର ମାଡ଼ରେ ସେଗୁଡ଼ିକ ପୃଥିବୀର ବିପୁଳ କ୍ଷତି ସାଧନ କରିପାରନ୍ତି। କାରଣ, ବର୍ତ୍ତମାନ ପୃଥିବୀ କକ୍ଷରେ ସ୍ଥାପିତ ହୋଇଛି ବହୁସଂଖ୍ୟକ କୃତ୍ରିମ ଉପଗ୍ରହ। ସେଗୁଡ଼ିକ କୋଟି କୋଟି ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ, ଯାନବାହନରେ ଯାତୟାତ ପାଇଁ ଦିଗ୍ଦର୍ଶନ, ବର୍ଷାଝଡ଼ ଆଦି ସମ୍ପର୍କରେ ପୂର୍ବ ସୂଚନା ଦେଇଥାନ୍ତି। ଏଗୁଡ଼ିକ ତାହାକୁ ଅଚଳ କରିଦେବା ବିପଜ୍ଜନକ ସାବ୍ୟସ୍ତ ହେବ।
ମହାକାଶର ସାମରିକ ବ୍ୟବହାରକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ। ତାହା ପୃଥିବୀରୁ ମହାକାଶକୁ, ମହାକାଶରୁ ମହାକାଶକୁ କିମ୍ବା ମହାକାଶରୁ ପୃଥିବୀକୁ ହୋଇପାରେ। ତନ୍ମଧ୍ୟରୁ ପ୍ରଥମଟିରେ ମହକାଶରେ ସ୍ଥାପିତ ବ୍ୟବସ୍ଥାଗୁଡ଼ିକୁ ପୃଥିବୀରୁ ନିକ୍ଷେପିତ କ୍ଷେପଣାସ୍ତ୍ର ସାହାଯ୍ୟରେ ଧ୍ୱଂସ କରାଯାଇପାରେ। ଆମେରିକା, ରୁଷିଆ, ଚାଇନା ଏବଂ ଭାରତ ଚାରୋଟି ଦେଶ ସେମାନଙ୍କର ଏ ସାମର୍ଥ୍ୟ ଥିବାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ପୃଥିବୀ ସ୍ଥିତ ବ୍ୟବସ୍ଥା ବ୍ୟବହାର କରି ଶତ୍ରୁପକ୍ଷର କୃତ୍ରିମ ଉପଗ୍ରହମାନଙ୍କ ସଂକେତ ବା ସୂଚନା ଅବରୋଧ କରିବାର କ୍ଷମତା ଅନେକ ଦେଶ ନିକଟରେ ରହିଛି। ଅନ୍ୟପକ୍ଷରେ, ଦ୍ୱିତୀୟଟିରେ ଶତ୍ରୁର ଗୋଟିଏ କୃତ୍ରିମ ଉପଗ୍ରହକୁ କକ୍ଷ ମଧ୍ୟରେ ଆଉ ଗୋଟିକ ସହ ଧକ୍କା ଦେଇ ଧ୍ୱଂସ କରାଯାଇପାରେ। ଶୀତଳ ଯୁଦ୍ଧ କାଳରେ ସୋଭିଏତ୍ ୟୁନିୟନ ଏଭଳି ଅସ୍ତ୍ର ପରୀକ୍ଷା କରିଥିବାର କୁହାଯାଏ। ପୁନଶ୍ଚ ମହାକାଶରେ ସ୍ଥାପିତ ବ୍ୟବସ୍ଥା ଦ୍ୱାରା ଶତ୍ରୁପକ୍ଷର କୃତ୍ରିମ ଉପଗ୍ରହ ସଂକେତ ଅବରୋଧ ମଧ୍ୟ ଏବର ଶ୍ରେଣୀରେ ଅନ୍ତର୍ଭୁକ୍ତ। ଶେଷରେ ଦ୍ୱିତୀୟଟି ମହାକାଶରେ ଥିବା ଉପଗ୍ରହଭିତ୍ତିକ ଅସ୍ତ୍ରଶସ୍ତ୍ରକୁ ପୃଥିବୀ ଉପର ଲକ୍ଷ୍ୟସ୍ଥଳକୁ ନିକ୍ଷେପ କରିବା ଲାଗି ଉଦ୍ଦିଷ୍ଟ ଅତଏବ ତାହା ବାୟୁମଣ୍ଡଳକୁ ପ୍ରବେଶ କରି ସେଠାରୁ ଭୂପୃଷ୍ଠରେ ଥିବା ରାଡାର, କ୍ଷେପଣାସ୍ତ୍ରଘାଟି, ଯୁଦ୍ଧବିମାନ, ବିମାନଘାଟି, ଯୁଦ୍ଧପୋତ ଆଦି ଅଚଳ କିମ୍ବା ଧ୍ୱଂସ କରିପାରିବ। ତେବେ ଏହି ଦ୍ୱିତୀୟ ଏବଂ ତୃତୀୟ ପ୍ରକାର ସାମର୍ଥ୍ୟ ଏବେ ବୋଧହୁଏ ଖୁବ୍ କମ୍ ଦେଶ ପାଖରେ ଅଛି। ଚମଇଙ୍କ କହିବା ଅନୁସାରେ ବର୍ତ୍ତମାନ ଆମେରିକ ମହକାଶରେ ସ୍ଥାପନ କରିଥିବା ଅସ୍ତ୍ର ବ୍ୟବସ୍ଥାକୁ ଚାଇନା ଏବଂ ରୁଷିଆ ଅନେକ ଦିନୁ ବିକଶିତ କରିସାରିଲେଣି। ସେମାନଙ୍କ ପ୍ରତିରୋଧ ଲାଗି ତାଙ୍କ ଦେଶ ଏବେ ପଦକ୍ଷେପ ନେଇଛି। ତେବେ ତାଙ୍କର ଏହି ଅଭିଯୋଗର ପ୍ରମାଣ ଏଯାଏ ମିଳିପାରିନାହିଁ।
ପ୍ର. ରମେଶ ଚନ୍ଦ୍ର ପରିଡ଼ା
ମୋ:୯୯୩୭୩୦୧୪୬୦

