କେବଳ ଦଳ ନୁହେଁ

ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା ହେଉଛି ନିର୍ବାଚନ। ନିର୍ବାଚନ ପରେ ଗଠିତ ସରକାର ଦଳର ସୀମା ପରିସର ଭିତରେ ରହିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମଙ୍ଗଳ ଚିନ୍ତା କରିବା କଥା। ୨୦ ଫେବୃୟାରୀରେ ନୀତି ଆୟୋଗ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେବା ପରେ ତାହା ରାଜନୈତିକ ପରିମଣ୍ଡଳରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ନବୀନ କେଉଁ ଦଳକୁ ଇଙ୍ଗିତ କରି କହିଛନ୍ତି ତାହା ବେଶ୍‌ ବୁଝାପଡୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ସମୟ ଧରି ନବୀନ ପଟ୍ଟନାୟକ କୌଣସି ରାଜନୈତିକ ମନ୍ତବ୍ୟ ଦେଉ ନ ଥିଲେ। ଅପରପକ୍ଷରେ ଫେବୃୟାରୀ ୯ରେ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଦୁଇଗୁଣା କରିବା ଲାଗି କେନ୍ଦ୍ର ପାଖରେ ଦାବି ଏବଂ ୨୦୧୯ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିବା କାଳିଆ ଯୋଜନାକୁ ୧,୨୭୨ କୋଟି ଟଙ୍କା ଦେଇ ପୁନର୍ଜୀବିତ କରାଇବା ଫଳରେ ବୁଝାପଡୁଛି ଯେ, କୃଷକଙ୍କ ସମର୍ଥନରେ ରହିଛନ୍ତି ବୋଲି ନବୀନ ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି।
ଦେଖାଯାଉଛି ଯେ, ଅନ୍ୟ ରାଜନୈତିକ ଦଳ ସହ ଜଡ଼ିତ ଥିବା ଲୋକଙ୍କୁ ଶାସକ ଦଳ ନେତାମାନେ ହଇରାଣ ହରକତ କରିଥାଆନ୍ତି। ଏବେକାର ସ୍ଥିତିରେ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଇରାଣ କରାଯିବା ନୁହେଁ, ସାଧାରଣ ନାଗରିକ, ଛାତ୍ରୀଛାତ୍ର, ପ୍ରତିବାଦକାରୀ, ସାମାଜିକ କର୍ମୀଙ୍କୁ ମଧ୍ୟ ପୋଲିସ ଜୁଲମ, ପିଟିକରି ମାରିଦେବା ଏବଂ କୋର୍ଟ ମାଧ୍ୟମରେ ଦଣ୍ଡିତ କରାଯାଉଥିବା ଦେଖିବାକୁ ମିଳୁଛି। ଏହାବ୍ୟତୀତ ନବୀନ ସହଯୋଗପୂର୍ଣ୍ଣ ସଂଘୀୟବାଦ (କୋଅପରେଟିଭ୍‌ ଫେଡ୍‌ରାଲିଜମ୍‌) ସମ୍ପର୍କରେ ଉଲ୍ଲେଖ କରି ଅନେକ ଦିଶାକୁ ଇଙ୍ଗିତ କରିଛନ୍ତି। କେତେକ ମହଲରେ ଆଲୋଚନା କରାଯାଉଛି ଯେ, ରାଜ୍ୟ ସରକାରଙ୍କ ହାତଗୋଡ଼ ବାନ୍ଧିଦେବା କେନ୍ଦ୍ର ପାଇଁ ଅତି ସହଜ ହୋଇପଡୁଛି। ଉଦାହରଣ ସ୍ବରୂପ, କରୋନା ପାଣ୍ଡେମିକ୍‌ ସମୟରେ ଜିଏସ୍‌ଟି ଅଂଶ ହସ୍ତାନ୍ତର ବନ୍ଦ କରିଦେଇ ରାଜ୍ୟଗୁଡ଼ିକୁ ସ୍ଥାଣୁ କରିଦିଆଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକୁ ଋଣ ଉଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଠାରେ ମନେପକାଇ ଦିଆଯାଇପାରେ, କେନ୍ଦ୍ର ଠୁଳ କରୁଥିବା ଅର୍ଥ ହେଉଛି କରଦାତାଙ୍କର। କେବଳ ଆୟକରଦାତାଙ୍କୁ କରଦାତାର ଆଖ୍ୟା ଦେବା ଅନୁଚିତ ହେବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଣାବିକାରେ ଟିକସ ଦେଉଥିବା ପ୍ରତ୍ୟେକ ନାଗରିକ ଟିକସଦାତାଭାବେ ନିଜକୁ ଚିନ୍ତା କରିବା ଦରକାର। ସେଥିପାଇଁ ଭାରତରେ ଥିବା ସହଯୋଗପୂର୍ଣ୍ଣ ସଂଘୀୟବାଦକୁ ସୁଦୃଢ଼ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ନବୀନଙ୍କ କଥାରୁ ଏହା ବୁଝାପଡୁଛି ଯେ, ଓଡ଼ିଶା ସରକାରଙ୍କର ମଧ୍ୟ ହୁଏତ ଭିତିରି ଅପଡ଼ କେନ୍ଦ୍ର ସହିତ ଆରମ୍ଭ ହେଲାଣି।
ଭୋଟ୍‌ ରାଜନୀତି ସର୍ବୋଚ୍ଚରେ ରହୁଥିବାରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକ ସୁସ୍ଥ ଗଣତନ୍ତ୍ର ସକାଶେ ଏହା ଆଦୌ ଶୁଭଙ୍କର ନୁହେଁ। ଗୋଟିଏପଟେ ନବୀନଙ୍କ କଥାକୁ ପ୍ରଶଂସା କଲାବେଳକୁ ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କରିବା ଦରକାର। ଆମେରିକା ଭଳି ଭାରତ ଦୁଇ ଦଳ ମଧ୍ୟରେ ସୀମିତ ନୁହେଁ। ଅଧିକାଂଶ ରାଜ୍ୟରେ ଆଞ୍ଚଳିକ ଦଳ ଥିବାବେଳେ ଜାତୀୟ ଦଳଙ୍କ ପ୍ରଭାବ ମଧ୍ୟ ହ୍ରାସ ପାଉଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେଉଥିବାରୁ ନିର୍ବାଚନୀ ବାତାବରଣ ସବୁବେଳେ ରହୁଛି। ସେଥିପାଇଁ ସବୁ ଦଳ ମଧ୍ୟରେ ତିକ୍ତତା ଲାଗିରହୁଛି। ଏଭଳି ବାତାବରଣରେ ବିକାଶ ଘଟିବା ସମ୍ଭବପର ହେଉନାହିଁ, ଯାହା ହେଉଛି ସମୁଦ୍ରକୁ ଶଙ୍ଖେ। ଏହାର ଅର୍ଥ ନୁହେଁ ଯେ, ଭାରତରେ ଏକ ସମୟରେ ସବୁ ନିର୍ବାଚନ ହେଲେ ସମସ୍ୟାର ସମାଧାନ ହେବ। ଏଥିସହିତ ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ, ସବୁ ଦଳ ସବୁ ପ୍ରସଙ୍ଗରେ ଗୋଟିଏ ମତ ରଖିବେ। ସେଥିପାଇଁ କେବଳ ଦଳ କଥା ଚିନ୍ତା କରିବାକୁ ଛାଡ଼ି ନେତାମାନେ ସାମୂହିକ ମଙ୍ଗଳର ଭାବନା ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri