କେବଳ ଦଳ ନୁହେଁ

ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା ହେଉଛି ନିର୍ବାଚନ। ନିର୍ବାଚନ ପରେ ଗଠିତ ସରକାର ଦଳର ସୀମା ପରିସର ଭିତରେ ରହିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମଙ୍ଗଳ ଚିନ୍ତା କରିବା କଥା। ୨୦ ଫେବୃୟାରୀରେ ନୀତି ଆୟୋଗ ବୈଠକରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେବା ପରେ ତାହା ରାଜନୈତିକ ପରିମଣ୍ଡଳରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ନବୀନ କେଉଁ ଦଳକୁ ଇଙ୍ଗିତ କରି କହିଛନ୍ତି ତାହା ବେଶ୍‌ ବୁଝାପଡୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ସମୟ ଧରି ନବୀନ ପଟ୍ଟନାୟକ କୌଣସି ରାଜନୈତିକ ମନ୍ତବ୍ୟ ଦେଉ ନ ଥିଲେ। ଅପରପକ୍ଷରେ ଫେବୃୟାରୀ ୯ରେ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଦୁଇଗୁଣା କରିବା ଲାଗି କେନ୍ଦ୍ର ପାଖରେ ଦାବି ଏବଂ ୨୦୧୯ ନିର୍ବାଚନଠାରୁ ଆଜି ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିବା କାଳିଆ ଯୋଜନାକୁ ୧,୨୭୨ କୋଟି ଟଙ୍କା ଦେଇ ପୁନର୍ଜୀବିତ କରାଇବା ଫଳରେ ବୁଝାପଡୁଛି ଯେ, କୃଷକଙ୍କ ସମର୍ଥନରେ ରହିଛନ୍ତି ବୋଲି ନବୀନ ସ୍ପଷ୍ଟ ବାର୍ତ୍ତା ଦେଉଛନ୍ତି।
ଦେଖାଯାଉଛି ଯେ, ଅନ୍ୟ ରାଜନୈତିକ ଦଳ ସହ ଜଡ଼ିତ ଥିବା ଲୋକଙ୍କୁ ଶାସକ ଦଳ ନେତାମାନେ ହଇରାଣ ହରକତ କରିଥାଆନ୍ତି। ଏବେକାର ସ୍ଥିତିରେ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଇରାଣ କରାଯିବା ନୁହେଁ, ସାଧାରଣ ନାଗରିକ, ଛାତ୍ରୀଛାତ୍ର, ପ୍ରତିବାଦକାରୀ, ସାମାଜିକ କର୍ମୀଙ୍କୁ ମଧ୍ୟ ପୋଲିସ ଜୁଲମ, ପିଟିକରି ମାରିଦେବା ଏବଂ କୋର୍ଟ ମାଧ୍ୟମରେ ଦଣ୍ଡିତ କରାଯାଉଥିବା ଦେଖିବାକୁ ମିଳୁଛି। ଏହାବ୍ୟତୀତ ନବୀନ ସହଯୋଗପୂର୍ଣ୍ଣ ସଂଘୀୟବାଦ (କୋଅପରେଟିଭ୍‌ ଫେଡ୍‌ରାଲିଜମ୍‌) ସମ୍ପର୍କରେ ଉଲ୍ଲେଖ କରି ଅନେକ ଦିଶାକୁ ଇଙ୍ଗିତ କରିଛନ୍ତି। କେତେକ ମହଲରେ ଆଲୋଚନା କରାଯାଉଛି ଯେ, ରାଜ୍ୟ ସରକାରଙ୍କ ହାତଗୋଡ଼ ବାନ୍ଧିଦେବା କେନ୍ଦ୍ର ପାଇଁ ଅତି ସହଜ ହୋଇପଡୁଛି। ଉଦାହରଣ ସ୍ବରୂପ, କରୋନା ପାଣ୍ଡେମିକ୍‌ ସମୟରେ ଜିଏସ୍‌ଟି ଅଂଶ ହସ୍ତାନ୍ତର ବନ୍ଦ କରିଦେଇ ରାଜ୍ୟଗୁଡ଼ିକୁ ସ୍ଥାଣୁ କରିଦିଆଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକୁ ଋଣ ଉଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଠାରେ ମନେପକାଇ ଦିଆଯାଇପାରେ, କେନ୍ଦ୍ର ଠୁଳ କରୁଥିବା ଅର୍ଥ ହେଉଛି କରଦାତାଙ୍କର। କେବଳ ଆୟକରଦାତାଙ୍କୁ କରଦାତାର ଆଖ୍ୟା ଦେବା ଅନୁଚିତ ହେବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଣାବିକାରେ ଟିକସ ଦେଉଥିବା ପ୍ରତ୍ୟେକ ନାଗରିକ ଟିକସଦାତାଭାବେ ନିଜକୁ ଚିନ୍ତା କରିବା ଦରକାର। ସେଥିପାଇଁ ଭାରତରେ ଥିବା ସହଯୋଗପୂର୍ଣ୍ଣ ସଂଘୀୟବାଦକୁ ସୁଦୃଢ଼ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ନବୀନଙ୍କ କଥାରୁ ଏହା ବୁଝାପଡୁଛି ଯେ, ଓଡ଼ିଶା ସରକାରଙ୍କର ମଧ୍ୟ ହୁଏତ ଭିତିରି ଅପଡ଼ କେନ୍ଦ୍ର ସହିତ ଆରମ୍ଭ ହେଲାଣି।
ଭୋଟ୍‌ ରାଜନୀତି ସର୍ବୋଚ୍ଚରେ ରହୁଥିବାରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକ ସୁସ୍ଥ ଗଣତନ୍ତ୍ର ସକାଶେ ଏହା ଆଦୌ ଶୁଭଙ୍କର ନୁହେଁ। ଗୋଟିଏପଟେ ନବୀନଙ୍କ କଥାକୁ ପ୍ରଶଂସା କଲାବେଳକୁ ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କରିବା ଦରକାର। ଆମେରିକା ଭଳି ଭାରତ ଦୁଇ ଦଳ ମଧ୍ୟରେ ସୀମିତ ନୁହେଁ। ଅଧିକାଂଶ ରାଜ୍ୟରେ ଆଞ୍ଚଳିକ ଦଳ ଥିବାବେଳେ ଜାତୀୟ ଦଳଙ୍କ ପ୍ରଭାବ ମଧ୍ୟ ହ୍ରାସ ପାଉଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେଉଥିବାରୁ ନିର୍ବାଚନୀ ବାତାବରଣ ସବୁବେଳେ ରହୁଛି। ସେଥିପାଇଁ ସବୁ ଦଳ ମଧ୍ୟରେ ତିକ୍ତତା ଲାଗିରହୁଛି। ଏଭଳି ବାତାବରଣରେ ବିକାଶ ଘଟିବା ସମ୍ଭବପର ହେଉନାହିଁ, ଯାହା ହେଉଛି ସମୁଦ୍ରକୁ ଶଙ୍ଖେ। ଏହାର ଅର୍ଥ ନୁହେଁ ଯେ, ଭାରତରେ ଏକ ସମୟରେ ସବୁ ନିର୍ବାଚନ ହେଲେ ସମସ୍ୟାର ସମାଧାନ ହେବ। ଏଥିସହିତ ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ, ସବୁ ଦଳ ସବୁ ପ୍ରସଙ୍ଗରେ ଗୋଟିଏ ମତ ରଖିବେ। ସେଥିପାଇଁ କେବଳ ଦଳ କଥା ଚିନ୍ତା କରିବାକୁ ଛାଡ଼ି ନେତାମାନେ ସାମୂହିକ ମଙ୍ଗଳର ଭାବନା ଅତ୍ୟନ୍ତ କଷ୍ଟକର ହେଲେ ମଧ୍ୟ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?