କପ୍‌୩୧ରେ ସହମତି ଅଭାବ

ତୁର୍କୀର ଆଣ୍ଟାଲିଆଠାରେ ଅନୁଷ୍ଠିତ ଚଳିତବର୍ଷର ଜାତିସଂଘ ଜଳବାୟୁ ଆଲୋଚନା ରବିବାର ଦିନ କୌଣସି ଚୁକ୍ତିରେ ପହଞ୍ଚି ନ ପାରି ଶେଷ ହୋଇଗଲା। ଚୂଡ଼ାନ୍ତ ଚୁକ୍ତିନାମାରେ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା କଥା ଉଲ୍ଲେଖ କରାଯାଇପାରିବ କି ନାହିଁ, ସେ ନେଇ ପ୍ରାୟ ୨୦୦ ଦେଶ ଦୁଇ ସପ୍ତାହ ଧରି ବିତର୍କ କରିଥିଲେ। ଶେଷରେ ଏହା ସମ୍ଭବ ହୋଇପାରିଲା ନାହିଁ। ଗତବର୍ଷ ବ୍ରାଜିଲର ବେଲେମ୍‌ରେ ଅନୁଷ୍ଠିତ ସମ୍ମିଳନୀରେ ମଧ୍ୟ ଜୀବାଶ୍ମ ଇନ୍ଧନକୁ ନେଇ ଏକ ରୋଡମ୍ୟାପ୍‌ ଗ୍ରହଣ କରାଯାଇ ପାରି ନ ଥିଲା। କପ୍‌ ୩୧ ପୁଣି ଥରେ ସହମତି-ଆଧାରିତ କୂଟନୀତିର ଅଭାବକୁ ପଦାରେ ପକାଇଦେଇଛି। କିନ୍ତୁ ଏହି ବଡ଼ ଧରଣର ବିଫଳତାଗୁଡ଼ିକର ଅର୍ଥ ନୁହେଁ ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ୱସ୍ତରୀୟ ପ୍ରଚେଷ୍ଟା ଅଟକି ଯାଇଛି। ବରଂ, ଶକ୍ତି ରୂପାନ୍ତରଣ ପୂର୍ବାପେକ୍ଷା ଅଧିକ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏକ ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ସୌର ଫୋଟୋଭୋଲଟାଇଜର୍‌ ମୂଲ୍ୟ ପ୍ରାୟ ୯୦%, ସ୍ଥଳଭାଗ ପବନ ଶକ୍ତି ଉତ୍ପାଦନ ଖର୍ଚ୍ଚ ପ୍ରାୟ ୭୦% ଏବଂ ବ୍ୟାଟେରିର ମୂଲ୍ୟ ୯୦%ରୁ ଅଧିକ ହ୍ରାସ ପାଇଛି। ବିଶ୍ୱରେ ଏବେ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ନିବେଶ ବାର୍ଷିକ ୨ ଟ୍ରିଲିୟନ୍‌ ଡଲାରରୁ ଅଧିକ ହୋଇଛି। ବୈଦ୍ୟୁତିକ ଯାନ (ଇଭି) ବିକ୍ରି ଲଗାତର ବୃଦ୍ଧି ପାଉଛି। ବିଶ୍ୱର ମୋଟ ତୈଳ ଚାହିଦାର ପ୍ରାୟ ୬୦ ପ୍ରତିଶତ ପରିବହନ କ୍ଷେତ୍ରରୁ ଆସିଥାଏ, ଯାହାର ଅଧିକାଂଶ ଅଂଶ କାର୍‌ ଓ ଟ୍ରକ୍‌ ବ୍ୟବହାର ଯୋଗୁ ହୋଇଥାଏ। ଯେତେବେଳେ ସାରା ବିଶ୍ୱର ଗ୍ରାହକମାନେ ଏହି ବାସ୍ତବତା ବୁଝିଯିବେ, ସେତେବେଳେ ତୈଳ ଚାହିଦା ତୀବ୍ର ଭାବେ ହ୍ରାସ ପାଇବ। ଏହା ଆସନ୍ତା ଏକ କିମ୍ବା ଦୁଇ ଦଶନ୍ଧି ମଧ୍ୟରେ ମଧ୍ୟ ଘଟିପାରେ।
ବର୍ତ୍ତମାନର ପ୍ରମୁଖ କମ୍ପାନୀଗୁଡ଼ିକ ଏହା ଜାଣନ୍ତି। ଏକ୍ସନ୍‌ ମୋବିଲ୍‌ ଏବଂ ସାଉଦି ଆରାମକୋ ସେମାନଙ୍କ କାର୍ଯ୍ୟକଳାପରୁ ନିର୍ଗମନ ହେଉଥିବା କାର୍ବନକୁ ନେଟ୍‌-ଜିରୋ (ଶୂନ୍ୟ)ସ୍ତରରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନରୱେ ମଧ୍ୟ ସମାନ ରଣନୀତି ଅନୁସରଣ କରୁଛି, ଯେଉଁଠାରେ ନରୱେବାସୀ କେବଳ ଇଭି କିଣୁଛନ୍ତି ଏବଂ ସେଠାକାର ବିଦ୍ୟୁତ ଗ୍ରୀଡ୍‌ ସମ୍ପୂର୍ଣ୍ଣ ରୂପେ ଅକ୍ଷୟ ଶକ୍ତି ଦ୍ୱାରା ଚାଲୁଛି। ସେଲ୍‌ କମ୍ପାନୀ ପକ୍ଷରୁ ୨୧୦୦ ସୁଦ୍ଧା ବିଶ୍ୱ ପ୍ରାୟ ଶୂନ୍ୟ ନିର୍ଗମନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବିଶ୍ୱ ୨୧୦୦ ପାଖାପାଖି ନେଟ୍‌-ଜିରୋରେ ପହଞ୍ଚତ୍ଲେ ବି ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ ସମୟ ତୁଳନାରେ ହାରାହାରି ପ୍ରାୟ ୨.୨-୨.୮ ଡିଗ୍ରୀ ସେଲସିୟସ୍‌ ବିଶ୍ୱ ତାପମାତ୍ରା ବୃଦ୍ଧିର ସମ୍ମୁଖୀନ ହେବାର ଆଶଙ୍କା ରହିିଛି। ଏହାଦ୍ୱାରା ଜଳବାୟୁ ବ୍ୟବସ୍ଥାରେ କିଛି ସଙ୍କଟଜନକ ସ୍ଥିତି ସୃଷ୍ଟି ହେବା ଅନିବାର୍ଯ୍ୟ। ନେଟ୍‌-ଜିରୋ ଲକ୍ଷ୍ୟକୁ ଆଉ କିଛି ଦଶନ୍ଧି ପୂର୍ବରୁ ହାସଲ କରିପାରିଲେ ଅନେକ ଲୋକଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରହିବା ସହିତ ଜଳବାୟୁ ସମ୍ବନ୍ଧୀୟ କ୍ଷୟକ୍ଷତିରେ ଖର୍ଚ୍ଚ ହେବାକୁ ଥିବା ଅନେକ ଟ୍ରିଲିୟନ୍‌ ଡଲାର ବଞ୍ଚିପାରିବ।
ତେବେ ଆନୁଷ୍ଠାନିକ ଆଲୋଚନାଗୁଡ଼ିକ ବାରମ୍ବାର ବିଫଳ ହେବାର ଦୁଇଟି ମୌଳିକ କାରଣ ରହିଛି। ପ୍ରଥମତଃ, ଜାତିସଂଘ ପ୍ରକ୍ରିୟା କେବଳ ଲକ୍ଷ୍ୟ, ନିର୍ଗମନ ପରିମାଣ ଏବଂ ସମୟ ସୀମା ଉପରେ ଧ୍ୟାନ ଦେଉଛି। କିନ୍ତୁ ଏହାର ମୂଳ କାରଣ କୋଇଲା, ତୈଳ ଏବଂ ଗ୍ୟାସ ଉତ୍ତୋଳନ ଓ ଯୋଗାଣକୁ ଅନେକାଂଶରେ ଅଣଦେଖା କରୁଛି। ଏହି ପ୍ରକ୍ରିୟାରେ ପ୍ରାୟ ୨୦୦ଟି ଦେଶର ସହମତି ଆବଶ୍ୟକ ହେଉଛି। ଫଳରେ ଯେଉଁ ସରକାର ଓ କମ୍ପାନୀମାନଙ୍କର ସ୍ବାର୍ଥ ସବୁଠାରୁ ଅଧିକ ପ୍ରଭାବିତ ହେବ, ସେମାନେ ଅନ୍ତିମ ଚୁକ୍ତିର ଭାଷା ଉପରେ ପ୍ରାୟ ଭିଟୋ କ୍ଷମତା ହାସଲ କରୁଛନ୍ତି। ସୌଭାଗ୍ୟବଶତଃ, ଏପ୍ରିଲ୍‌ ମାସରେ ଏହାର ଏକ ଆଶାଜନକ ବିକଳ୍ପ ପଦ୍ଧତି ପ୍ରଥମଥର ପାଇଁ ବାସ୍ତବ ପରୀକ୍ଷାର ସମ୍ମୁଖୀନ ହୋଇଥିଲା। କଲମ୍ବିଆର ସାଣ୍ଟା ମାର୍ତାଠାରେ ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବା ସମ୍ପର୍କିତ ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯାହାର ସହ-ଆୟୋଜକ ଥିଲା ନେଦରଲାଣ୍ଡ। ଏଥିରେ ବିଶ୍ୱ ଅର୍ଥନୀତିର ପ୍ରାୟ ଏକ-ତୃତୀୟାଂଶକୁ ପ୍ରତିନିଧିତ୍ୱ କରୁଥିବା ୫୭ଟି ଦେଶ ଯୋଗ ଦେଇଥିଲେ। ସେମାନେ କେବଳ ନିର୍ଗମନ ନୁହେଁ, ବରଂ ଜୀବାଶ୍ମ ଇନ୍ଧନର ଉତ୍ପାଦନ ଓ ଯୋଗାଣ ଉପରେ ଆଲୋଚନା କରିଥିଲେ। ଏଭଳି ମେଣ୍ଟ (ଯାହା ୱିଲିୟମ୍‌ ଡି. ନୋର୍ଡହାଉସ୍‌ଙ୍କ ପ୍ରସ୍ତାବିତ ‘ଜଳବାୟୁ କ୍ଲବ୍‌’ ସଦୃଶ) ସର୍ବସମ୍ମତି ଅଭାବ ସମସ୍ୟାକୁ ଦୂରେଇବାରେ ସହାୟକ ହୋଇପାରେ।
ପୂର୍ବରୁ ଏହି ପନ୍ଥାର ଅନେକ ଦୃଷ୍ଟାନ୍ତ ରହିଛି। ୧୯୯୭ରେ, କାନାଡା ୧୨୦ରୁ ଅଧିକ ଦେଶର ନେତୃତ୍ୱ ନେଇ ଆଣ୍ଟି-ପର୍ସୋନେଲ୍‌ ଲ୍ୟାଣ୍ଡମାଇନ୍‌ ନିଷିଦ୍ଧ କରିବା ପାଇଁ ‘ଓଟାୱା ଚୁକ୍ତି’ ସ୍ବାକ୍ଷର କରିଥିଲା, ଯାହା ମିଳିତ ଜାତିସଂଘର ସହମତି ଦରକାର କରୁଥିବା ନିରସ୍ତ୍ରୀକରଣ ମଞ୍ଚର ବିଫଳତାର ଏକ ବିକଳ୍ପ ହୋଇଥିଲ। ସେହି ମଞ୍ଚରେ ଚାଇନା, ରୁଷିଆ ଏବଂ ଆମେରିକା ପ୍ରତ୍ୟେକଙ୍କ ପାଖରେ ଭିଟୋ କ୍ଷମତା ଥିଲା। ଏହାର ଏକ ଦଶନ୍ଧି ପରେ ନରୱେର ନେତୃତ୍ୱରେ ଆରମ୍ଭ ହୋଇଥିବା ‘ଓସ୍ଲୋ ପ୍ରକ୍ରିୟା’ ମଧ୍ୟ ସମାନ ପଦ୍ଧତି ଅନୁସରଣ କରି ୨୦୦୮ରେ ‘କ୍ଲଷ୍ଟର ମ୍ୟୁନିସନ୍‌ ଚୁକ୍ତି’ ପ୍ରସ୍ତୁତ କରିଥିଲା। ଏହି ଦୁଇଟି ଚୁକ୍ତି ଆରମ୍ଭରୁ ସମସ୍ତ ଦେଶର ସମର୍ଥନ ପାଇ ନ ଥିଲେ ମଧ୍ୟ ବିଶ୍ୱସ୍ତରରେ ନୂତନ ମାନଦଣ୍ଡ ସ୍ଥାପନ କରିଥିଲେ। ଏପରି କି ଯେଉଁ ଦେଶଗୁଡ଼ିକ ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ, ସେମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା।
ଭିଟୋ ହଟାଇବା ଦ୍ୱାରା ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଯିବ ନାହିଁ। ନିର୍ଗମନ ହ୍ରାସ କରିବାରେ ବଜାର ବଡ଼ ଭୂମିକା ନେବ, କିନ୍ତୁ ଯେଉଁ ଜଳବାୟୁ ପରିବର୍ତ୍ତନ ଏବେ ଆଉ ଏଡ଼ାଇ ହେବ ନାହିଁ, ତାହା ସହିତ ଖାପ ଖୁଆଇବାରେ ଗରିବ ଦେଶଗୁଡ଼ିକୁ ବଜାର ସହାୟତା କରିପାରିବ ନାହିଁ। ସେଥିପାଇଁ ସରକାରୀ ଅର୍ଥର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ଚୁକ୍ତିର ଅଭାବ ସବୁଠାରୁ ଅଧିକ କ୍ଷତିକାରକ ହୋଇଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ସଦ୍ୟତମ ଗଣନା ଅନୁଯାୟୀ, ୨୦୨୪ରେ ଧନୀ ଦେଶଗୁଡ଼ିକ ବିକାଶଶୀଳ ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା ପାଇଁ ମାତ୍ର ପ୍ରାୟ ୩୦ ବିଲିୟନ ଡଲାରର ସରକାରୀ ଅର୍ଥ ଯୋଗାଇଥିଲେ, ଯାହା ପୂର୍ବବର୍ଷ ତୁଳନାରେ ସାମାନ୍ୟ ଅଧିକ । ବ୍ୟାପକ ସ୍ତରରେ ସରକାରୀ ଜଳବାୟୁ ପାଣ୍ଠି ଯୋଗାଡ଼ କରାଯାଇପାରିଲେ ବି କେତେକ କଠିନ ପ୍ରଶ୍ନ ରହିଛି। ସର୍ବପ୍ରଥମେ କିଏ ନୂଆ ଜୀବାଶ୍ମ ଇନ୍ଧନ ଉତ୍ତୋଳନ ପାଇଁ ଅନୁମତି ଦେବା ବନ୍ଦ କରିବ? କୋଇଲା ଉପରେ ନିର୍ଭରଶୀଳ ବିକାଶଶୀଳ ଅର୍ଥନୀତିଗୁଡ଼ିକ ନବୀକରଣଯୋଗ୍ୟ ଶକ୍ତି ସପକ୍ଷରେ କିପରି ସେମାନଙ୍କର କୋଇଲା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବା ଆରମ୍ଭ କରିପାରିବେ? ଏହି ପରିବର୍ତ୍ତନ ଯୋଗୁ ଜୀବିକା ହରାଇବାକୁ ଥିବା ଶ୍ରମିକଙ୍କୁ କିଏ କ୍ଷତିପୂରଣ ଦେବ? ଅନ୍ତିମ ଲକ୍ଷ୍ୟ ଉପରେ ସହମତ ହେବା ଗୋଟିଏ କଥା, କିନ୍ତୁ ସେହି ଲକ୍ଷ୍ୟ ହାସଲ ପାଇଁ କେଉଁ ପଦକ୍ଷେପ କେଉଁ କ୍ରମରେ ନିଆଯିବ ଏବଂ ଅର୍ଥ ଯୋଗାଡ଼ କିପରି ହେବ, ତାହା ନିର୍ଦ୍ଧାରଣ କରିବା ଭିନ୍ନ ବିଷୟ।
କେତେକ ଦେଶ ପରିବର୍ତ୍ତନ ପାଇଁ ସବୁଠାରୁ ଅଧିକ ଚାପ ସୃଷ୍ଟି କରୁଛନ୍ତିି। ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରାଷ୍ଟ୍ରଗୁଡ଼ିକର ନେତୃତ୍ୱରେ ଏବଂ କଲମ୍ବିଆ ଓ ପାକିସ୍ତାନ ଭଳି ଦେଶଗୁଡ଼ିକର ସମର୍ଥନରେ ଏକ ଗୋଷ୍ଠୀ ଆଇନଗତ ଭାବରେ ବାଧ୍ୟତାମୂଳକ ‘ଜୀବାଶ୍ମ ଇନ୍ଧନ ଅପ୍ରସାର ଚୁକ୍ତି’ ପାଇଁ ଦାବି କରୁଛନ୍ତି। ଏଥିସହ ସାଣ୍ଟା ମାର୍ତା ମଞ୍ଚର ପରବର୍ତ୍ତୀ ସମ୍ମିଳନୀ ୨୦୨୭ରେ ତୁଭାଲୁଠାରେ ଆୟର୍ଲାଣ୍ଡ ସହ ମିଳିତ ଭାବେ ଆୟୋଜିତ ହେବ। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ବିପଦରେ ଥିବା ଏକ ନିମ୍ନ-ଭୂମି ବିଶିଷ୍ଟ ପ୍ରବାଳ ଦ୍ୱୀପ ଦେଶ ଏପରି ଏକ ଶିଖର ସମ୍ମିଳନୀର ଆୟୋଜନ କରିବ ଏଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାର ନିଜର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଇନ୍ଧନଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା। ଏହି ପ୍ରତୀକାତ୍ମକ ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ ଓ ଶକ୍ତିଶାଳୀ। ଆଣ୍ଟାଲିଆରେ ବିଫଳତା ସତ୍ତ୍ୱେ, ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଠିକ୍‌ ଲକ୍ଷ୍ୟ କି ନୁହେଁ, ତାହା ଏବେ ପ୍ରଶ୍ନ ନୁହେଁ। ବରଂ ପ୍ରକୃତ ପ୍ରଶ୍ନ ହେଉଛି, ପାରମ୍ପରିକ କପ୍‌ପ୍ରକ୍ରିୟା ତୁଳନାରେ ଏକ ଆଗ୍ରହୀ ରାଷ୍ଟ୍ରଗୋଷ୍ଠୀ ନୀତିଗତ ପଦକ୍ଷେପ ମାଧ୍ୟମରେ ବଜାରକୁ ଏକ ଦ୍ରୁତ, ନିରପେକ୍ଷ ଏବଂ ସୁଗମ ପରିବର୍ତ୍ତନ ଦିଗରେ ଆଗେଇ ନେଇପାରିବେ କି ନାହିଁ?

ଗର୍ନଟ୍ ଓ୍ବାଗନର୍

ଜଳବାୟୁ ଅର୍ଥନୀତି ବିଶେଷଜ୍ଞ ତଥା
ଫ୍ୟାକଲ୍ଟି ଡାଇକ୍ଟେର, କ୍ଲାଇମେଟ ନଲେଜ ଇନିସିଏଟିଭ, କଲମ୍ବିଆ ବିଜନେସ୍‌ ସ୍କୁଲ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସ୍ବାମୀ ପ୍ରେମ ପରିବର୍ତ୍ତନ ୫୦ ବର୍ଷ ମଧ୍ୟରେ ଭାରତର ୨୦୦ ଜିଲାରେ ୨.୫ କୋଟି ଗଛ ଲଗାଇ ସାରିଲେଣି। ଏହି କାର୍ଯ୍ୟ ସେ ୨୦୨୧ରେ ଆରମ୍ଭ କରିଥିଲେ…

ଅଜ୍ଞାନ ଓ ଅନିଶ୍ଚିତତା

ଆମ ଚାରିପାଖରେ ଘେରି ରହିଥିବା ପ୍ରତ୍ୟେକ ବସ୍ତୁ କ୍ଷଣସ୍ଥାୟୀ, କେବଳ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ତଥାପି ଆମେ ମନରେ ଗର୍ବ ଅହଂକାର ଆଣୁ। ସେଦିନ ଭଗବାନ୍‌…

ମାନବ ସୁରକ୍ଷା

ଏକ ଶକ୍ତିଶାଳୀ ଏବଂ ସ୍ଥିରରାଷ୍ଟ୍ର ଏହାର ନାଗରିକଙ୍କ ସୁରକ୍ଷା ପାଇଁ ଏକ ଆବଶ୍ୟକତା। କାରଣ ରାଷ୍ଟ୍ର ଆଇନ, ଶୃଙ୍ଖଳା ଏବଂ ପ୍ରତିରକ୍ଷାର ଢାଞ୍ଚା ପ୍ରଦାନ କରେ ଯେଉଁଠି…

ଆମ ସମ୍ୱିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

୯୪୯ ମସିହା ନଭେମ୍ୱର ୨୬ ତାରିଖରେ ସମ୍ୱିଧାନ ସଭା ଆମ ସମ୍ୱିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ୱେଡକର ଏବଂ…

ମୋକ୍ଷ ପାଇଁ ଦେୟ

ପାଞ୍ଚଶତାବ୍ଦୀ ପୂର୍ୱେ ଆପଣ ଟଙ୍କା ଦେଇ ନିଜ ମା’ଙ୍କୁ ପାୟଶ୍ଚିତ୍ତର ନର୍କ ଯନ୍ତ୍ରଣାରୁ ମୁକ୍ତ କରିପାରୁଥିଲେ। ଚର୍ଚ୍ଚକୁ ଏକ ନିର୍ଦ୍ଦିଷ୍ଟ ଦେୟ ଦେଲେ ତାଙ୍କର ନର୍କରେ ରହିବାର…

ବୃତ୍ତିଗତ ଶିକ୍ଷାର ନୂତନ ଦିଗନ୍ତ

ଏବେ ସମାଜରେ ଗୋଟିଏ ପ୍ରଶ୍ନ ଆମକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ-ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ଡିଗ୍ରୀ ହାସଲ କରିବା ନା ଜୀବନକୁ ଜୀବିକା ଉପାର୍ଜନର ଯୋଗ୍ୟ…

ଭିଆଇପି ସୁରକ୍ଷା ଓ ନିରିମାଖି ନାଗରିକ

ଆମ ଦେଶର ସମ୍ବିଧାନରେ ଉଦ୍‌ଘୋଷଣା ରହିଛି ଯେ ସବୁ ନାଗରିକ ସମାନ, ତା’ଛଡ଼ା ମଝିରେ ମଝିରେ ସୁପ୍ରିମକୋର୍ଟ ବି ତାଙ୍କର ଆଦେଶରେ ତାକୁ ପୁନରୁକ୍ତି କରନ୍ତି କାଳେ…

ବିରୋଧୀଙ୍କ ଭୂମିକା

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଏବଂ ମେସେଞ୍ଜର ମାଲିକାନାରେ ଥିବା ବୃହତ୍‌ ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ‘ମେଟା’ ଭାରତରେ ସରକାରଙ୍କ ଇଙ୍ଗିତରେ ଶାସକ ବିରୋଧୀ ପୋଷ୍ଟ ଏବଂ ଆକାଉଣ୍ଟଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?