ଖ୍ରୀଷ୍ଟଚର୍ଚ୍ଚ,୨୭।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଦ୍ୱିତୀୟ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ ଜିତି ଭାରତୀୟ ଅଧିନାୟକ ଶୁବମନ ଗିଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ମ୍ୟାଚ୍ରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଭାରତୀୟ ଦଳର ପ୍ଲେଇଂ-୧୧। ଲଗାତାର ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳି ନ ଥିବା ବେଳେ ୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦ୍ରୁତ ବୋଲର୍ ଗୁରନୂର ବରାରଙ୍କୁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଛି।
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ପ୍ରାରମ୍ଭିକ ଟେଷ୍ଟ ଦଳରେ ଗୁରନୁର ବରାରଙ୍କ ନାମ ନଥିଲା। କିନ୍ତୁ ଦିନିକିଆ ସିରିଜ୍ରେ ତାଙ୍କର ଚମତ୍କାର ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ତାଙ୍କୁ ଟେଷ୍ଟ ଦଳରେ ସାମିଲ କରିଥିଲେ। ଏଥିପାଇଁ କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ କରାଯାଇଥିଲା। ଗୁରନୁରଙ୍କ ଉଚ୍ଚତା ୬ ଫୁଟ ୫ ଇଞ୍ଚ ହୋଇଥିବାରୁ ନ୍ୟୁଜିଲାଣ୍ଡର ପିଚ୍ରେ ତାଙ୍କୁ ଅତିରିକ୍ତ ବାଉନ୍ସ ମିଳିବାର ସମ୍ଭାବନା ରହିଛି। ଏହା ବ୍ୟାଟରଙ୍କ ପାଇଁ ତାଙ୍କ ବୋଲିଂକୁ ଆହୁରି ଚ୍ୟାଲେଞ୍ଜିଂ କରିପାରେ।
ତାଙ୍କ ଫାଷ୍ଟ କ୍ଲାସ କ୍ରିକେଟ ରେକର୍ଡ ମଧ୍ୟ ବେଶ ଭଲ ରହିଛି। ସେ ଏପର୍ଯ୍ୟନ୍ତ ୨୨ଟି ମ୍ୟାଚ ଖେଳି ୩୬ଟି ଇନିଂସରେ ବୋଲିଂ କରିଛନ୍ତି। ଏଥିରେ ୨୬.୪୦ ହାରରେ ମୋଟ ୭୧ଟି ଉଇକେଟ ହାସଲ କରିଛନ୍ତି। ଏବେ ଟେଷ୍ଟ ଡେବ୍ୟୁରେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟ ପ୍ରେମୀ।
ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କ ଦଳକୁ ଫେରିବା ନେଇ ଅନେକ ଚର୍ଚ୍ଚା ହେଉଥିଲା। ପ୍ରଥମ ଟେଷ୍ଟରେ ତାଙ୍କୁ ପ୍ଲେଇଂ-୧୧ରେ ସାମିଲ କରାଯାଇ ନ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନାହିଁ। କେବଳ ସିରାଜ ନୁହନ୍ତି, ଅଭିଜ୍ଞ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ମଧ୍ୟ ଏହି ମ୍ୟାଚ୍ରେ ଭାରତୀୟ ଦଳର ପ୍ଲେଇଂ-୧୧ ବାଦ ପଡ଼ିଛନ୍ତି।
ଟସ ଜିତିବା ପରେ ଅଧିନାୟକ ଶୁବମନ ଗିଲ କହିଛନ୍ତି, ପିଚ ଭଲ ଦେଖାଯାଉଛି ଏବଂ ଏଥିରେ ସାମାନ୍ୟ ଆର୍ଦ୍ରତା ରହିଛି। ତେଣୁ ପ୍ରଥମ ଦୁଇଟି ସେସନରେ ଏହାର ଫାଇଦା ଉଠାଇବାକୁ ଭାରତୀୟ ଦଳ ଚେଷ୍ଟା କରିବ। ଏବେ ସମସ୍ତଙ୍କ ନଜର ଟେଷ୍ଟ ଡେବ୍ୟୁ କରିଥିବା ଗୁରନୂର ବରାରଙ୍କ ପ୍ରଦର୍ଶନ ଉପରେ ରହିଛି।

