ଆମ ଚାରିପାଖରେ ଘେରି ରହିଥିବା ପ୍ରତ୍ୟେକ ବସ୍ତୁ କ୍ଷଣସ୍ଥାୟୀ, କେବଳ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ତଥାପି ଆମେ ମନରେ ଗର୍ବ ଅହଂକାର ଆଣୁ। ସେଦିନ ଭଗବାନ୍ ବୁଦ୍ଧ ମଧ୍ୟ ସେହି କଥା ବୁଝିଥିଲେ ଏବଂ ରାତିରେ ଜ୍ଞାନ ସନ୍ଧାନରେ ଗୃହ ତ୍ୟାଗକରି ବଣକୁ ବାହାରି ପଡ଼ିଥିଲେ। ମଣିଷ ଜାଣେ ସବୁ କିଛି ଅଳିକ ଓ ଅନିଶ୍ଚିତ, ତଥାପି ଆଶା ଆକାଂକ୍ଷାକୁ ନେଇ ବଞ୍ଚିଥାଏ। ପ୍ରାପ୍ତି ଓ ଅପ୍ରାପ୍ତିକୁ ନେଇ ମଣିଷ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଜୀବନରେ ଦୁଇଟି ଦୁଃଖ ତାକୁ ମ୍ରିୟମାଣ କରେ। ଗୋଟିଏ ହେଲା ସେ ଯାହା ଚାହେଁ ତାକୁ ନ ପାଇବା, ଆଉ ଗୋଟିଏ ହେଲା ସେ ଯାହା ଚାହେଁ ତାକୁ ପାଇବା।
ସତ କଥା ହେଉଛି ଅଜ୍ଞାତ ବଶତଃ ଆମେ ଯାହା ଚାହୁଁ ସେଥିରେ ତୃପ୍ତି ହେବୁ ବୋଲି ଆଶା କରିଥାଉ କିନ୍ତୁ ସେଥିରେ ତୃପ୍ତି ନଥାଏ।
କାହାଣୀଟିଏ। ପ୍ରାଚୀନ ପାରସ୍ୟର ନରପତି ଗ୍ରୀସ୍ ଜୟ କରିବା ପାଇଁ ସୈନ୍ୟବାହିନୀ ଧରି ବାହାରି ପଡ଼ିଲେ। ଗ୍ରୀସ୍ର ବିରାଟ ଟ୍ରୟ ନଗରୀ ପାଖରେ ପହଞ୍ଚି ପର୍ବତ ଉପରେ ସିଂହାସନ ପ୍ରତିଷ୍ଠା କଲେ। ସିଂହାସନ ଆରୋହଣ କରି ଦେଖିଲେ ନୀଳ ନଦୀ ତଟରେ ବୃହତ୍ତର ସୈନ୍ୟବାହିନୀର ସେ ହେଉଛନ୍ତି ଆଜ୍ଞାଦାତା। କିନ୍ତୁ ଏ ସବୁ ଦେଖି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଆଖିରେ ଲୁହ ଆସିଗଲା। ପଚାରିବାରୁ କହିଲେ ଆଗାମୀ ୧୦୦ବର୍ଷ ପରେ ଏହି ନଗରୀର ଅବସ୍ଥା କ’ଣ ଯେ ହୋଇଥିବ। କେହି ଗୋଟିଏ ବି ସୈନ୍ୟ ବଞ୍ଚି ନ ଥିବେ। ଆମେ କେହି ନ ଥିବୁ।
ବିଶ୍ବବିଜୟୀ ଗ୍ରୀକ୍ ବୀର ଆଲେଜାଣ୍ଡାର ଦାର୍ଶନିକ ଆରିଷ୍ଟଟଲଙ୍କ ଛାତ୍ର। ଥରେ ସେ ଦାର୍ଶନିକ ଡିଓଜେନେସଙ୍କୁ ଦେଖାକରି ଅନେକ ଦର୍ଶନ ତତ୍ତ୍ୱ ଭିତ୍ତିକ ପ୍ରଶ୍ନ ପଚାରି ତା’ର ଠିକ୍ ଉତ୍ତର ପାଇ ଖୁସି ହୋଇଗଲେ। ସେ ଡିଓଜେନେସଙ୍କର କ’ଣ ସେବା କରିପାରିବେ ବୋଲି ପଚାରିଲେ। ଡିଓଜେନେସ କହିଲେ ତୁମେ ମୋ ଆଗରୁ ଟିକିଏ ଘୁଞ୍ଚିଯାଅ ମୋ ଉପରେ ଟିକେ ସୂର୍ଯ୍ୟକିରଣ ପଡୁ। ଏହା ଶୁଣି ଆଲେକଜାଣ୍ଡାରଙ୍କ ସବୁ ଅହଂକାର ମାଟିରେ ମିଶିଗଲା। ଆଉ ଏକ କାହାଣୀ। ଆଲି ହାଫେସ ହାଇଦ୍ରାବାଦରେ ଏକ ପାହାଡ଼ିଆ ଜମି କିଣିଥିଲେ। ସେହି ଜମିରେ କିଛି ଫସଲ ନ ହେବାରୁ ତାକୁ ସେ ୨୦୦ରୌପ୍ୟ ମୁଦ୍ରାରେ ବିକିଦେଲେ। ୬ ମାସ ପରେ ସେଠାରେ ହୀରା ଖଣି ଆବିଷ୍କୃତ ହେଲା। ଗୋଲକୁଣ୍ଡା ହୀରାଖଣି। ସେ ଏ କଥା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଲେ। ଦୁର୍ଭାଗ୍ୟର କଥା, ଯିଏ ହୀରା ପାଇଲେ ତାଙ୍କ ବୟସ ଅଧିକ ହେତୁ ସେ ହୀରାକୁ ଉପଭୋଗ କରି ନ ପାରି ପ୍ରାଣତ୍ୟାଗ କଲେ। ଇତିହାସ କହେ ହିଟଲର ସୈନ୍ୟବାହିନୀ ଧରି ମସ୍କୋ ଅବରୋଧ କରିବା ପାଇଁ ତୁଷାର ଝଡ଼କୁ ଦୃଷ୍ଟିରେ ରଖି ବାହାରିଥିଲେ, କିନ୍ତୁ ଶେଷରେ ସନ୍ୟବାହିନୀ ତୁଷାରପାତରେ ପୋତି ହୋଇଗଲା।
ସେହିପରି ଜଣେ ଯୋଦ୍ଧା ଥିଲେ ଆନକ୍ସିଆସ।
ପିଲାଦିନୁ ତାଙ୍କର ସ୍ବପ୍ନ ଥିଲା ଏକ ବିରାଟ ପ୍ରାସାଦ ଗଢ଼ିି ବିଶ୍ରାମ ନେବେ। ପ୍ରାସାଦ ନିର୍ମାଣ ପରେ ପର୍ବତ ଚାରିପଟେ ସୁନ୍ଦର ଅଙ୍ଗୁର ବଗିଚା କରିବେ। ଅଙ୍ଗୁର ରସରୁ ସୁରା ପ୍ରସ୍ତୁତ ହେବ ଏବଂ ତାକୁ ସେ ପାନ କରିବେ। ଏହା ଶୁଣି ଜଣେ କ୍ରୀତଦାସ କହିଲେ, ଏହା ସମ୍ଭବ ନୁହେଁ। ରାଜାଙ୍କ କାନକୁ ଏ କଥା ଗଲା। ରାଜା ପଚାରିବାରୁ ସେ କହିଲା ଆପଣଙ୍କ ସ୍ବପ୍ନ ସତ ହେବନାହିଁ। କିଛି ଦିନ ପରେ ଅଙ୍ଗୁର ରସରୁ ସୁରା ପ୍ରସ୍ତୁତ ହେଲା। ରାଜା କ୍ରୀତଦାସକୁ କହିଲେ, ମୁଁ ଏବେ ସୁରା ପିଇବାକୁ ଯାଉଛି। କିଛି କହିବ କି? କ୍ରୀତଦାସ କହିଲେ, ଏହି ପିଇବା ଭିତରେ କିଛି ଘଟଣା ଘଟିଯାଇପାରେ। ଠିକ୍ ଏହି ସମୟରେ ସେନାପତି ଆସି କହିଲେ ଗୋଟିଏ ବାର୍ହା ଆସି ଅଙ୍ଗୁର ବଣକୁ ନଷ୍ଟ କରିଦେଉଛି। ଏହା ଶୁଣି ରାଜା ଗୋଟିଏ ଖଣ୍ଡା ଧରି ବାହାରିଗଲେ, ହେଲେ ବାର୍ହା ଆକ୍ରମଣରେ ରାଜାଙ୍କ ମୃତ୍ୟୁ ଘଟିଲା। ଏହି ଘଟଣା ଚେତାଇ ଦିଏ ଯେ, ଆମେ ସମସ୍ତେ ଅଜ୍ଞାନ ଓ ଅନିଶ୍ଚିତତା ମଧ୍ୟରେ ଗତିକରୁଛୁ, ପର ମୁହୂର୍ତ୍ତରେ କଣ ଘଟିବ ଜାଣିନୁ। ତଥାପି ଅହଂକାର ଓ ଅଜ୍ଞାନତାର ମୋହ ଫାଶରେ ଆବଦ୍ଧ ହୋଇ ଛଟପଟ ହେଉଛୁ। ଆମେ ଯେ ଅଜ୍ଞାନୀ ଏହି କଥା ଆମେ କଦାପି ସ୍ବୀକାର କରିବାକୁ ଚାହୁଁନୁ। ଜଣେ ଦାର୍ଶନିକ କହିଥିଲେ- ମୁଁ ଯେ ଅଜ୍ଞାନ ମୁଁ ଏତକ ସ୍ବୀକାର କରିବାକୁ ଆଦୌ ପ୍ରସ୍ତୁତ ନୁହେଁ। ତଥାପି ଆମେ ସମସ୍ତେ ଆଶାବାଦୀ ହେବା। ଏହି ଆଶା ହିଁ ଆମକୁ ବଞ୍ଚି ରହିବାକୁ ପ୍ରେରଣା ଦିଏ।
ମୀରା ବେଉରା
ମୋ: ୭୮୪୬୯୨୧୪୦୦

