ମାନବ ସୁରକ୍ଷା

ଏକ ଶକ୍ତିଶାଳୀ ଏବଂ ସ୍ଥିରରାଷ୍ଟ୍ର ଏହାର ନାଗରିକଙ୍କ ସୁରକ୍ଷା ପାଇଁ ଏକ ଆବଶ୍ୟକତା। କାରଣ ରାଷ୍ଟ୍ର ଆଇନ, ଶୃଙ୍ଖଳା ଏବଂ ପ୍ରତିରକ୍ଷାର ଢାଞ୍ଚା ପ୍ରଦାନ କରେ ଯେଉଁଠି ବ୍ୟକ୍ତିମାନେ ସୁରକ୍ଷିତ ଭାବରେ ବଞ୍ଚିପାରିବେ। କିନ୍ତୁ ମାନବ ସୁରକ୍ଷା କେବଳ ହିଂସାରୁ ରକ୍ଷା ବିଷୟ ନୁହେଁ। ଗୋଟିଏ ଦେଶ ଅନ୍ୟ ଦେଶକୁ ଯୁଦ୍ଧରେ ବିଜୟ ହାସଲ କରି ବଳପୂର୍ବକ ମିଶ୍ରଣ ପରେ ମଧ୍ୟ ଦଖଲକାରୀ ଦେଶ ଅଧିକୃତ ଅଞ୍ଚଳରେ ନାଗରିକ ଜୀବନ ସୁରକ୍ଷା ରଖିବା ଏକ ମୌଳିକ କର୍ତ୍ତବ୍ୟ। ସେଠାରେ ମାନବ ସୁରକ୍ଷାର ସ୍ଥିତି ରହିଛି। ଏହା ସତ ଯେ ରାଷ୍ଟ୍ର ସୁରକ୍ଷିତ ହେଲେ ମାନବ ସୁରକ୍ଷା ହୋଇପାରିବ। ମଣିଷର ଜୀବନ ଏବଂ ଦେଶର ଅସ୍ତିତ୍ୱ ସଦାସର୍ବଦା ବିପଦରେ ପରିପୂର୍ଣ୍ଣ। ଦୁନିଆର ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ମୁହୂର୍ତ୍ତରେ ମାନବ ନିରାପତ୍ତା ପ୍ରତି ବିପଦ ଅଛି। ବହୁ ଦିନ ଧରି ସୁରକ୍ଷାର ଆବଶ୍ୟକତାକୁ ଅତ୍ୟନ୍ତ ସଂକୀର୍ଣ୍ଣ ଭାବେ ବ୍ୟାଖ୍ୟା କରାଯାଉଥିଲା। ବାହ୍ୟ ଆକ୍ରମଣରୁ ଦେଶକୁ ରକ୍ଷା, ବୈଦେଶିକ ନୀତି ଦ୍ୱାରା ରାଷ୍ଟ୍ର ସ୍ବାର୍ଥର ସୁରକ୍ଷା, ପରମାଣୁ ବିପଦରୁ ବିଶ୍ୱକୁ ସୁରକ୍ଷା ଇତ୍ୟାଦି ସନ୍ଦର୍ଭରେ ମାନବ ସୁରକ୍ଷାକୁ ବ୍ୟାଖ୍ୟା କରାଯାଉଥିଲା। ନାଗରିକମାନଙ୍କୁ ବିଦେଶୀ ଆକ୍ରମଣରୁ ରକ୍ଷା କରିବା ଏକ ପୂର୍ବ ସର୍ତ୍ତ ହୋଇପାରେ, କିନ୍ତୁ ଏହା କେବଳ ପର୍ଯ୍ୟାପ୍ତ ବୋଲି ବିବେଚନା କରାଯାଇପାରିବ ନାହିଁ। ପ୍ରକୃତ କଥା ହେଉଛି ବିଗତ ଅନେକ ଶହ ବର୍ଷ ମଧ୍ୟରେ ବିଭିନ୍ନ ଦେଶର ଜଣସାଧାରଣ ବିଦେଶୀ ସୈନ୍ୟଙ୍କ ଦ୍ୱାରା ମୃତ୍ୟୁବରଣ କରିବା ଅପେକ୍ଷା ଅଧିକ ଲୋକ ନିଜ ସରକାରଙ୍କ ଅବହେଳା ଏବଂ ଅନ୍ୟାନ୍ୟ ସୁରକ୍ଷା କାରଣରୁ ମରିଛନ୍ତି। ସୁରକ୍ଷାର ପାରମ୍ପରିକ ଧାରଣାରେ ସାମରିକ ବିପଦ ସବୁଠାରୁ ବଡ ବିପଦ। ଏହା ହେଉଛି ସାର୍ବଭୌମତ୍ୱ, ସ୍ବାଧୀନତା ଏବଂ ଆଞ୍ଚଳିକ ଅଖଣ୍ଡତା ଭଳି ଦେଶର ମୌଳିକ ମୂଲ୍ୟବୋଧ ପ୍ରତି ବିପଦ। ଯୁଦ୍ଧରେ କେବଳ ସୈନିକ ଆହତ ହୁଅନ୍ତି କିମ୍ବା ମରନ୍ତି ନାହିଁ ବରଂ ସାଧାରଣ ପୁରୁଷ ଓ ମହିଳା ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ।
ସାମଗ୍ରିକ ଭାବରେ ସୁରକ୍ଷା ଉପରେ ପାରମ୍ପରିକ ଦୃଷ୍ଟିକୋଣ ମୁଖ୍ୟତଃ ସାମରିକ ବଳର ବ୍ୟବହାରକୁ ନେଇ ଜଡିତ। ନିରାପତ୍ତାର ଧାରଣା କେବଳ ସାମରିକ ବିପଦ ବିଷୟକ ନୁହେଁ, ବରଂ ଏଥିରେ ଅଣ- ପାରମ୍ପରିକ ନୂତନ ବିପଦ ଏବଂ ଭୟ ରହିଛି, ଯାହା ମାନବ ଅସ୍ତିତ୍ୱକୁ କ୍ଷତି ପହଞ୍ଚାଇଥାଏ।
ପାରମ୍ପରିକ ଧାରଣା ଅନୁଯାୟୀ ବ୍ୟକ୍ତି ଅପେକ୍ଷା ରାଷ୍ଟ୍ରର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। କିନ୍ତୁ ବ୍ୟକ୍ତିର ଦୈନନ୍ଦିନ ଜୀବନ ସହିତ ଜଡିତ ବ୍ୟକ୍ତିଗତ ସୁରକ୍ଷା ଯଥା- ରୋଗରୁ ମୁକ୍ତି , ଦାରିଦ୍ର୍ୟ ଓ କ୍ଷୁଧାରୁ ମୁକ୍ତି , ପରିବେଶଗତ ସଙ୍କଟରୁ ସୁରକ୍ଷା, ହିଂସା ଏବଂ ରାଜନୈତିକ ଦମନରୁ ସୁରକ୍ଷା, ଜାତିଗତ ହିଂସାରୁ ସୁରକ୍ଷା, ମହାମାରୀ, ବେକାରି, ଅପରାଧ, ସାମାଜିକ ସଂଘର୍ଷ, ରାଜନୈତିକ ଦମନ, ରାଷ୍ଟ୍ରର ଅସୁରକ୍ଷା ବ୍ୟବସ୍ଥା, ଦୁର୍ଘଟଣା ଏବଂ ପରିବେଶ ନଷ୍ଟ ଆଦି ବିଷୟଗୁଡିକ ବର୍ତ୍ତମାନ ଅଧିକ ଗୁରୁତ୍ୱପୂର୍ଣ୍ଣ।
ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବନା କେବଳ ଅନ୍ୟ ରାଷ୍ଟ୍ର ଦ୍ୱାରା କରାଯାଉଥିବା ସାମରିକ ଆକ୍ରମଣରୁ ସୃଷ୍ଟି ହୁଏ ନାହିଁ, ବରଂ ଏହା ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିର ଆତ୍ମସୁରକ୍ଷା ଓ ଜନକଲ୍ୟାଣ ସହିତ ମଧ୍ୟ ସମ୍ପୃକ୍ତ । ମାନବ ସୁରକ୍ଷା ମନବ ଅସ୍ତିତ୍ୱର ଏମିତି ଏକ ସ୍ଥିତି ଯେଉଁଥିରେ ମଣିଷର ମୌଳିକ ବସ୍ତୁଗତ ଆବଶ୍ୟକତା ପୂରଣ ହେବା ସହ ସମ୍ମାନ ସୁନିଶ୍ଚିତ ହୋଇଥାଏ। ସରଳ ଭାଷାରେ କହିଲେ, ବିପଦରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ମାନବ ସୁରକ୍ଷା। ପୂର୍ବରୁ ଏହା ରାଷ୍ଟ୍ରକୈନ୍ଦ୍ରିକ ଥିଲା। ବର୍ତ୍ତମାନ ସୁରକ୍ଷାରେ ରାଷ୍ଟ୍ର ଅପେକ୍ଷା ବ୍ୟକ୍ତି ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା କେବଳ ମାନବ ସୁରକ୍ଷାର ‘ଭୟମୁକ୍ତି’ ଭଳି ସଂକୀର୍ଣ୍ଣ ଅସୁରକ୍ଷା ଭାବନା ସହିତ ଜଡିତ ନୁହେଁ; ବରଂ ‘ଅଭାବରୁ ମୁକ୍ତି’ ଭଳି ବ୍ୟାପକ ଅସୁରକ୍ଷା ଭାବନା ସହିତ ଜଡିତ। ମାନବ ସୁରକ୍ଷା ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ସହିତ ମୌଳିକ ଅଧିକାରକୁ ସୁରକ୍ଷିତ ରଖେ। ଫଳରେ ମାନବୀୟ ବିକାଶ ଓ ସୁରକ୍ଷା ପରସ୍ପର ଜଡିତ ହୋଇଥାଏ। ଏହା ବ୍ୟକ୍ତିର ସାମାଜିକ, ଆର୍ଥିକ ଓ ରାଜନୀତିକ ସୁରକ୍ଷାକୁ ମଧ୍ୟ ସାମିଲ କରିଥାଏ।
ଏବେ ‘ମାନବ ସୁରକ୍ଷା’ ଅନେକ ପ୍ରକାର ଆହ୍ବାନର ସମ୍ମୁଖୀନ ହେଉଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ଅନେକ ଶିଶୁ ଓ ମାଆ ଅକାରଣରେ ମରୁଛନ୍ତି। ଗରିବ ଦେଶରେ କ୍ଷୁଧା ମୃତ୍ୟୁହାର ଅତ୍ୟନ୍ତ ସାଧାରଣ। ଅନେକ ଶିଶୁ ପୁଷ୍ଟିହୀନତା ସ୍ଥିତିରେ ଜନ୍ମ ନିଅନ୍ତି। ଖାଦ୍ୟ ଅସୁରକ୍ଷା ମାନବ ସୁରକ୍ଷା ପାଇଁ ବଡ ବିପଦ। ଲିଙ୍ଗଗତ ଆଧାରରେ ମଜୁରି ପ୍ରଦାନ ମହିଳାଙ୍କ ମନରେ ଆର୍ଥିକ ଅସୁରକ୍ଷା ଭାବନା ସୃଷ୍ଟିକରିଛି। ପରିବେଶ ଅବକ୍ଷୟ ମାନବ ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି କରିଛି। ଜାତିଗତ, ସାମ୍ପ୍ରଦାୟିକ, ବର୍ଣ୍ଣଗତ ଓ ଲିଙ୍ଗଗତ ଭେଦଭାବ କାରଣରୁ ମାନବ ଅଧିକାର ଉଲ୍ଲଂଘନ ହେଉଛି, ଯାହା ମାନବ ସୁରକ୍ଷା ପ୍ରତି ଏକ ବଡ଼ ଆହ୍ବାନ ହୋଇଛି। ବିଦ୍ରୋହ, ଦଙ୍ଗା, ବିଚ୍ଛିନ୍ନତାବାଦ ଆଦି ହିଂସାତ୍ମକ କାର୍ଯ୍ୟକଳାପରୁ ସୁରକ୍ଷିତ ରଖିବା ହେଉଛି ମାନବ ସୁରକ୍ଷା।
‘ଅଭାବରୁ ମୁକ୍ତି’ ଓ ‘ଭୟରୁ ମୁକ୍ତି’ ହିଁ ମାନବ ସୁରକ୍ଷା। ଏହା ବ୍ୟକ୍ତିର କେବଳ ବସ୍ତୁଗତ ଆବଶ୍ୟକତାକୁ ପୂରଣ କରେ ନାହିଁ; ବରଂ ମାନବର ମର୍ଯ୍ୟାଦା ଓ ଆତ୍ମସମ୍ମାନକୁ ବୃଦ୍ଧି କରିଥାଏ। ବିଶ୍ୱତାପନ, ଅନ୍ତର୍ଜାତୀୟ ଆତଙ୍କବାଦ, କୋଭିଡ୍‌, ଏଡ୍‌ସ ଏବଂ ବାର୍ଡ ଫ୍ଲୁ ଭଳି ମହାମାରୀ ମାନବ ସୁରକ୍ଷା ପ୍ରତି ବିପଦ ଭାବରେ ଉଭା ହୋଇଥିଲା। ପରମାଣୁ ଯୁଦ୍ଧର ସୁରକ୍ଷାଠାରୁ ଖାଦ୍ୟର ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା, କୋଭିଡ୍‌ ଭୂତାଣୁ ଭଳି ମହାମାରୀଠାରୁ ସୁରକ୍ଷା ଆମ ସମ୍ମୁଖରେ ଉଭା ହୋଇଛି। କୌଣସି ଦେଶ ଏକଲା କେବଳ ଏହି ସମସ୍ୟାର ସମାଧାନ କରିପାରିବ ନାହିଁ।
ମିଳିତ ସହଯୋଗରେ ମାନବ ସୁରକ୍ଷା ହୋଇପାରିବ। ମାନବ ସୁରକ୍ଷା ଦ୍ୱାରା ବିଶ୍ୱ ସୁରକ୍ଷା ମଧ୍ୟ ହୋଇପାରିବ।
ଯଦିଓ ରାଷ୍ଟ୍ର ଏବଂ ମାନବ ସୁରକ୍ଷା ଉଭୟ ଗଭୀର ଭାବରେ ପରସ୍ପର ଉପରେ ନିର୍ଭରଶୀଳ, ମାନବ ସୁରକ୍ଷାକୁ ବ୍ୟାପକ ଭାବରେ ପ୍ରାଥମିକ ଭାବରେ ବିବେଚନା କରାଯାଏ। ମିଳିତ ଜାତିସଂଘ ମାନବ ବିକାଶ ରିପୋର୍ଟ ଦ୍ୱାରା ସମ୍ବୋଧିତ ଆଧୁନିକ ସର୍ବସମ୍ମତି ହେଉଛି ଯେ ରାଷ୍ଟ୍ର ଏହାର ଲୋକଙ୍କ ସେବା ଏବଂ ସୁରକ୍ଷା ପାଇଁ ଅସ୍ତିତ୍ୱରେ ଥାଏ, ଅର୍ଥାତ୍‌ ବ୍ୟକ୍ତିର ମଙ୍ଗଳ ହେଉଛି ରାଷ୍ଟ୍ରୀୟ ସଫଳତାର ଚୂଡ଼ାନ୍ତ ମାପକାଠି। ଦାର୍ଶନିକ ଏବଂ ଆଇନଗତ ଭାବରେ, ରାଷ୍ଟ୍ର ହେଉଛି ଏହାର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଉପକରଣ। ସୁରକ୍ଷାର ଚୂଡ଼ାନ୍ତ ବସ୍ତୁ ହେଉଛି ମଣିଷ। ମାନବ ସୁରକ୍ଷା ପ୍ରାଥମିକ, କାରଣ ରାଷ୍ଟ୍ରର ଶେଷ ଉଦ୍ଦେଶ୍ୟ ହେଉଛି ଏହାର ଜନସଂଖ୍ୟାକୁ ସୁରକ୍ଷା ଦେବା।
ଯଦି ଏକ ରାଷ୍ଟ୍ରର ନାଗରିକମାନେ ସୁରକ୍ଷିତ ଏବଂ ସମୃଦ୍ଧ ନ ହୁଅନ୍ତି, ତେବେ ରାଷ୍ଟ୍ର ଏହାର ମୌଳିକ ବୈଧତା ଏବଂ ମୂଳ ଉଦ୍ଦେଶ୍ୟ ହରାଇବ।

ଦାଶରଥି ଭୂୟାଁ
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ରାଜନୀତି ବିଜ୍ଞାନ ନିର୍ଦ୍ଦେଶକ: ଦକ୍ଷିଣ ପୂର୍ବ ଏସୀୟ ଅଧ୍ୟୟନ କେନ୍ଦ୍ର, ନାଗାଲାଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମୋ:୭୦୦୮୧୩୨୧୩୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସ୍ବାମୀ ପ୍ରେମ ପରିବର୍ତ୍ତନ ୫୦ ବର୍ଷ ମଧ୍ୟରେ ଭାରତର ୨୦୦ ଜିଲାରେ ୨.୫ କୋଟି ଗଛ ଲଗାଇ ସାରିଲେଣି। ଏହି କାର୍ଯ୍ୟ ସେ ୨୦୨୧ରେ ଆରମ୍ଭ କରିଥିଲେ…

ଅଜ୍ଞାନ ଓ ଅନିଶ୍ଚିତତା

ଆମ ଚାରିପାଖରେ ଘେରି ରହିଥିବା ପ୍ରତ୍ୟେକ ବସ୍ତୁ କ୍ଷଣସ୍ଥାୟୀ, କେବଳ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ତଥାପି ଆମେ ମନରେ ଗର୍ବ ଅହଂକାର ଆଣୁ। ସେଦିନ ଭଗବାନ୍‌…

କପ୍‌୩୧ରେ ସହମତି ଅଭାବ

ତୁର୍କୀର ଆଣ୍ଟାଲିଆଠାରେ ଅନୁଷ୍ଠିତ ଚଳିତବର୍ଷର ଜାତିସଂଘ ଜଳବାୟୁ ଆଲୋଚନା ରବିବାର ଦିନ କୌଣସି ଚୁକ୍ତିରେ ପହଞ୍ଚି ନ ପାରି ଶେଷ ହୋଇଗଲା। ଚୂଡ଼ାନ୍ତ ଚୁକ୍ତିନାମାରେ ଜୀବାଶ୍ମ ଇନ୍ଧନ…

ଆମ ସମ୍ୱିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

୯୪୯ ମସିହା ନଭେମ୍ୱର ୨୬ ତାରିଖରେ ସମ୍ୱିଧାନ ସଭା ଆମ ସମ୍ୱିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ୱେଡକର ଏବଂ…

ମୋକ୍ଷ ପାଇଁ ଦେୟ

ପାଞ୍ଚଶତାବ୍ଦୀ ପୂର୍ୱେ ଆପଣ ଟଙ୍କା ଦେଇ ନିଜ ମା’ଙ୍କୁ ପାୟଶ୍ଚିତ୍ତର ନର୍କ ଯନ୍ତ୍ରଣାରୁ ମୁକ୍ତ କରିପାରୁଥିଲେ। ଚର୍ଚ୍ଚକୁ ଏକ ନିର୍ଦ୍ଦିଷ୍ଟ ଦେୟ ଦେଲେ ତାଙ୍କର ନର୍କରେ ରହିବାର…

ବୃତ୍ତିଗତ ଶିକ୍ଷାର ନୂତନ ଦିଗନ୍ତ

ଏବେ ସମାଜରେ ଗୋଟିଏ ପ୍ରଶ୍ନ ଆମକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ-ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ଡିଗ୍ରୀ ହାସଲ କରିବା ନା ଜୀବନକୁ ଜୀବିକା ଉପାର୍ଜନର ଯୋଗ୍ୟ…

ଭିଆଇପି ସୁରକ୍ଷା ଓ ନିରିମାଖି ନାଗରିକ

ଆମ ଦେଶର ସମ୍ବିଧାନରେ ଉଦ୍‌ଘୋଷଣା ରହିଛି ଯେ ସବୁ ନାଗରିକ ସମାନ, ତା’ଛଡ଼ା ମଝିରେ ମଝିରେ ସୁପ୍ରିମକୋର୍ଟ ବି ତାଙ୍କର ଆଦେଶରେ ତାକୁ ପୁନରୁକ୍ତି କରନ୍ତି କାଳେ…

ବିରୋଧୀଙ୍କ ଭୂମିକା

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଏବଂ ମେସେଞ୍ଜର ମାଲିକାନାରେ ଥିବା ବୃହତ୍‌ ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ‘ମେଟା’ ଭାରତରେ ସରକାରଙ୍କ ଇଙ୍ଗିତରେ ଶାସକ ବିରୋଧୀ ପୋଷ୍ଟ ଏବଂ ଆକାଉଣ୍ଟଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?