ବୃତ୍ତିଗତ ଶିକ୍ଷାର ନୂତନ ଦିଗନ୍ତ

ଏବେ ସମାଜରେ ଗୋଟିଏ ପ୍ରଶ୍ନ ଆମକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ-ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ଡିଗ୍ରୀ ହାସଲ କରିବା ନା ଜୀବନକୁ ଜୀବିକା ଉପାର୍ଜନର ଯୋଗ୍ୟ କରି ଗଢ଼ିତୋଳିବା? ବର୍ଷ ବର୍ଷ ଧରି ଆମ ସାମାଜିକ ମାନସିକତାରେ ଏକ ଧାରଣା ଗଭୀର ଭାବେ ଜଡ଼ ଧରିଛି ଯେ ଉଚ୍ଚଶିକ୍ଷା, ବିଶ୍ୱବିଦ୍ୟାଳୟର ଡିଗ୍ରୀ ଏବଂ ଧଳା କଲାର୍‌ ଚାକିରି ସଫଳତାର ଏକମାତ୍ର ମାପକାଠି। ଏହି ମାନସିକତାରେ ହାତର କାମ, କାରିଗରି ଜ୍ଞାନ ଓ ବୈଷୟିକ ଦକ୍ଷତାକୁ ଅନେକ ସମୟରେ ଦ୍ୱିତୀୟ ଶ୍ରେଣୀର ବିକଳ୍ପ ଭାବେ ଦେଖାଯାଏ। କିନ୍ତୁ ବଦଳୁଥିବା ବିଶ୍ୱ ଅର୍ଥନୀତି ଓ ନିଯୁକ୍ତି ବଜାର ଆଜି ଏହି ଚିରାଚରିତ ଧାରଣାକୁ ଚ୍ୟାଲେଞ୍ଜ କରୁଛି। ଡିଗ୍ରୀଧାରୀ ବେକାରଙ୍କ ସଂଖ୍ୟା ବଢ଼ୁଥିବାବେଳେ ଦକ୍ଷ କର୍ମୀଙ୍କ ଅଭାବ ଆମ ଶିକ୍ଷା ବ୍ୟବସ୍ଥାର ଏକ ବଡ଼ ବିଡ଼ମ୍ବନା ହୋଇ ଉଭା ହୋଇଛି।
ଏହି ପରିପ୍ରେକ୍ଷୀରେ ପୁରୀର ଝିଅ ସୁପ୍ରୀତି ମହାପାତ୍ରଙ୍କ ସଫଳତା ଏକ ପ୍ରେରଣାଦାୟୀ ଉଦାହରଣ। ଜଣେ ଅଟୋଚାଳକଙ୍କ କନ୍ୟା ସୁପ୍ରୀତି ପୁରୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଆଇଟିଆଇରେ ଅଟୋମୋବାଇଲ୍‌ ଟ୍ରେଡରେ ୧୨୦୦ରୁ ୧୧୯୪ ନମ୍ବର ରଖି ମହିଳା ବର୍ଗରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ସେ ସଂସ୍କୃତରେ ସ୍ବର୍ଣ୍ଣ ପଦକ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଏକ ସ୍ଥାୟୀ ନିଯୁକ୍ତି ପାଇବାରେ ସଫଳ ହୋଇ ନ ଥିଲେ। ଦୁଇବର୍ଷିଆ ବୃତ୍ତିଗତ ଅଟୋମୋବାଇଲ୍‌ ପାଠ୍ୟକ୍ରମ ତାଙ୍କ ପାଇଁ ନୂତନ ସମ୍ଭାବନାର ଦ୍ୱାର ଖୋଲିଦେଲା। ଲକ୍ଷ୍ନୌଠାରେ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ମାନିତ ହେବା ପ୍ରମାଣ କରେ ଯେ ଶିକ୍ଷାର ମୂଲ୍ୟ କେବଳ ପ୍ରମାଣପତ୍ରରେ ନୁହେଁ, ବରଂ ତାହାର ବ୍ୟବହାରିକ ପ୍ରୟୋଗରେ ନିହିତ। ବୃତ୍ତିଗତ ଶିକ୍ଷାର ବଡ଼ ବିଶେଷତ୍ୱ ହେଉଛି ଏହା ଜ୍ଞାନକୁ କାର୍ଯ୍ୟଦକ୍ଷତାରେ ପରିଣତ କରେ। ପାରମ୍ପରିକ ଶିକ୍ଷା ଯେଉଁଠାରେ ଅନେକ ସମୟରେ ସିଦ୍ଧାନ୍ତ ଓ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ରହିଯାଏ, ସେଠାରେ ବୃତ୍ତିଗତ ତାଲିମ ଯନ୍ତ୍ରପାତି, ପ୍ରଯୁକ୍ତି, ଉପକରଣ ଓ ବାସ୍ତବ କାର୍ଯ୍ୟକ୍ଷେତ୍ର ସହ ଶିକ୍ଷାର୍ଥୀଙ୍କୁ ପରିଚିତ କରାଏ। ଗାଡ଼ିର ତ୍ରୁଟି ଚିହ୍ନଟ କରିବା, ଚିକିତ୍ସା ସମ୍ବନ୍ଧୀୟ ଯନ୍ତ୍ର ପରିଚାଳନା କରିବା, କମ୍ପ୍ୟୁଟର ନେଟୱର୍କ ସୁରକ୍ଷା କିମ୍ବା ସୌରଶକ୍ତି ଉପକରଣ ସ୍ଥାପନ କରିବା ଭଳି ଦକ୍ଷତା ଯୁବପିଢ଼ିକୁ କାର୍ଯ୍ୟକ୍ଷେତ୍ର ପାଇଁ ପ୍ରସ୍ତୁତ କରେ। ଏହାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସ୍ବଳ୍ପ ବ୍ୟୟରେ ଶୀଘ୍ର ଆତ୍ମନିର୍ଭରଶୀଳ ହେବାର ସୁଯୋଗ। ଉଚ୍ଚଶିକ୍ଷା ପାଇଁ ଅନେକ ପରିବାରକୁ ଦୀର୍ଘ ବର୍ଷ ଧରି ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼େ। ଅପରପକ୍ଷରେ ଆଇଟିଆଇ, ପଲିଟେକ୍ନିକ୍‌ ଓ ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ରରେ ଛଅ ମାସରୁ ଦୁଇ ବର୍ଷ ମଧ୍ୟରେ ଅନେକ ବୃତ୍ତିଗତ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିହୁଏ। ଫଳରେ ଅର୍ଥନୈତିକ ଦୁର୍ବଳ ପରିବାରର ପିଲାମାନେ ଅଳ୍ପ ସମୟ ମଧ୍ୟରେ ନିଜ ଗୋଡ଼ରେ ଠିଆ ହେବାର ସୁଯୋଗ ପାଆନ୍ତି। ବୃତ୍ତିଗତ ଶିକ୍ଷା କେବଳ ଚାକିରି ଖୋଜିବାର ଯୋଗ୍ୟତା ଦିଏ ନାହିଁ, ବରଂ ନିଜେ ନିଯୁକ୍ତି ସୃଷ୍ଟି କରିବାର ସାମର୍ଥ୍ୟ ମଧ୍ୟ ଦିଏ। ଜଣେ ପ୍ରଶିକ୍ଷିତ ବିଦ୍ୟୁତ୍‌ ମିସ୍ତ୍ରି, ରୋଷେଇ ବିଶେଷଜ୍ଞ, ଅଟୋମୋବାଇଲ୍‌ ଟେକ୍ନିସିଆନ୍‌ କିମ୍ବା ଡିଜିଟାଲ୍‌ ମାର୍କେଟିଂ ବିଶେଷଜ୍ଞ ନିଜର କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଏହା ଯୁବତୀଯୁବକଙ୍କୁ ପରାଧୀନ ମାନସିକତାରୁ ମୁକ୍ତ କରି ଆତ୍ମବିଶ୍ୱାସ, ଉଦ୍ୟମଶୀଳତା ଓ ଆର୍ଥିକ ସ୍ବାଧୀନତା ପ୍ରଦାନ କରେ।
ଜାତୀୟ ଅର୍ଥନୀତିର ବିକାଶ ମଧ୍ୟ ଏକ ଦକ୍ଷ ମାନବ ସମ୍ବଳ ଉପରେ ନିର୍ଭରଶୀଳ। ସ୍ବୟଂଚାଳିତ ପ୍ରଯୁକ୍ତି, ସବୁଜ ଶକ୍ତି, ବୈଦ୍ୟୁତିକ ଯାନ ଓ ଡିଜିଟାଲ୍‌ ଭିତ୍ତିଭୂମିର ଦ୍ରୁତ ବିସ୍ତାର ନୂତନ ଦକ୍ଷତାର ଆବଶ୍ୟକତା ସୃଷ୍ଟି କରୁଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷାନୀତି-୨୦୨୦ ଓ ସ୍କିଲ୍‌ ଇଣ୍ଡିଆ ମିଶନ୍‌ ଭଳି ପଦକ୍ଷେପ ବିଦ୍ୟାଳୟ ସ୍ତରରୁ ବୃତ୍ତିଗତ ଶିକ୍ଷାକୁ ଗୁରୁତ୍ୱ ଦେଉଛି। ମଧ୍ୟମ ଶ୍ରେଣୀରୁ ହିଁ ଶିଶୁମାନଙ୍କୁ ହସ୍ତକଳା, କାରିଗରି, କୃଷି, କୋଡିଂ ଓ ବିଭିନ୍ନ ବ୍ୟବହାରିକ କାର୍ଯ୍ୟ ସହ ଯୋଡ଼ିବାର ଉଦ୍ଦେଶ୍ୟ ହେଉଛି ଶିକ୍ଷାକୁ ଜୀବନ ସହ ସଂଯୁକ୍ତ କରିବା। ଏ କ୍ଷେତ୍ରରେ ବିଦ୍ୟାଳୟ ଶିକ୍ଷାର ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କୁ କେବଳ ପରୀକ୍ଷା, ନମ୍ବର ଓ ପ୍ରତିଯୋଗିତାର ସଂକୀର୍ଣ୍ଣ ପରିସରରେ ସୀମିତ ନ ରଖି ସେମାନଙ୍କୁ ବାସ୍ତବ ଜୀବନର କାର୍ଯ୍ୟକୁଶଳତା ସହ ପରିଚିତ କରାଇବା ଆବଶ୍ୟକ। ବିଦ୍ୟାଳୟ ସ୍ତରରୁ ବଗିଚା କାମ, ବୈଦ୍ୟୁତିକ ଉପକରଣର ପ୍ରାଥମିକ ଜ୍ଞାନ, ହସ୍ତଶିଳ୍ପ, କମ୍ପ୍ୟୁଟର ପ୍ରୟୋଗ, ଉଦ୍ୟୋଗ ପରିଚାଳନା ଓ ଆର୍ଥିକ ସାକ୍ଷରତା ଭଳି ବିଷୟରେ ଅନୁଭୂତିମୂଳକ ଶିକ୍ଷା ଦିଆଯିବା ଉଚିତ। ଏହାଦ୍ୱାରା ପିଲାମାନେ ନିଜର ଅନ୍ତର୍ନିହିତ ଆଗ୍ରହ ଓ ସାମର୍ଥ୍ୟକୁ ଚିହ୍ନିବା ସହ ଭବିଷ୍ୟତର ବୃତ୍ତି ଚୟନରେ ସଚେତନ ହୋଇପାରିବେ। ବିଶେଷକରି ଝିଅମାନଙ୍କୁ ମଧ୍ୟ ପାରମ୍ପରିକ ବୃତ୍ତିର ସୀମାରୁ ବାହାରି ଅଟୋମୋବାଇଲ୍‌, ବୈଷୟିକ ଶିକ୍ଷା, ନିର୍ମାଣ ଓ ଡିଜିଟାଲ୍‌ କ୍ଷେତ୍ରରେ ଆଗକୁ ବଢ଼ିବାର ସମାନ ସୁଯୋଗ ମିଳିବା ଆବଶ୍ୟକ। ଦକ୍ଷତାର କୌଣସି ଲିଙ୍ଗ ନାହିଁ; ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜ ସାମର୍ଥ୍ୟର ପରିଚୟ ଦେଇପାରିବେ।
ତେବେ ଏହି ପରିବର୍ତ୍ତନର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଆମ ସାମାଜିକ ମାନସିକତା। ଶ୍ରମକୁ ଛୋଟବଡ଼ ଦୃଷ୍ଟିରେ ଦେଖିବାର ପ୍ରବୃତ୍ତି ଯୁବପିଢ଼ିକୁ ନିଜ ଆଗ୍ରହ ଓ ଦକ୍ଷତା ଅନୁସାରେ ବୃତ୍ତି ବାଛିବାରୁ ଦୂରେଇ ରଖୁଛି। ଆମେ ମନେରଖିବା ଉଚିତ ଯେ ଜଣେ ଡାକ୍ତର ଯେତିକି ଆବଶ୍ୟକ, ଜଣେ ଦକ୍ଷ ଟେକ୍ନିସିଆନ୍‌, ନିର୍ମାଣ ଶ୍ରମିକ, ବିଦ୍ୟୁତ୍‌ କର୍ମୀ ଓ ଯନ୍ତ୍ର ମରାମତି ବିଶେଷଜ୍ଞ ମଧ୍ୟ ସେତିକି ଅପରିହାର୍ଯ୍ୟ। କୌଣସି କାମ ଛୋଟ ନୁହେଁ; କାମ ପ୍ରତି ନିଷ୍ଠା, ଦକ୍ଷତା ଓ ସତ୍ୟନିଷ୍ଠା ହିଁ ମଣିଷର ପ୍ରକୃତ ପରିଚୟ।
ପରିଶେଷରେ, ଭବିଷ୍ୟତର ଶିକ୍ଷା କେବଳ ମସ୍ତିଷ୍କକୁ ଜ୍ଞାନରେ ସମୃଦ୍ଧ କରିବା ନୁହେଁ, ହାତକୁ କର୍ମଦକ୍ଷ ଓ ମନକୁ ଆତ୍ମନିର୍ଭର କରିବାର ମାଧ୍ୟମ ହେବା ଆବଶ୍ୟକ। ଅଭିଭାବକମାନେ ସନ୍ତାନଙ୍କ ଉପରେ କେବଳ ପାରମ୍ପରିକ ଡିଗ୍ରୀ ହାସଲ କରିବାର ଚାପ ନ ଦେଇ ସେମାନଙ୍କ ରୁଚି ଓ ଦକ୍ଷତାକୁ ସମ୍ମାନ ଦିଅନ୍ତୁ। ଶିକ୍ଷାନୁଷ୍ଠାନଗୁଡ଼ିକ ପାଠ୍ୟପୁସ୍ତକ ସହିତ କାର୍ଯ୍ୟାନୁଭୂତିକୁ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତୁ। କାରଣ ଡିଗ୍ରୀ ଜ୍ଞାନର ପରିଚୟ ଦେଇପାରେ, କିନ୍ତୁ ଦକ୍ଷତା ଜୀବନକୁ ଗତି ଦିଏ। ଯେଉଁ ଦେଶ ନିଜ ଯୁବଶକ୍ତିର ହାତକୁ କାମ ଓ ମସ୍ତିଷ୍କକୁ ସୃଜନଶୀଳତାରେ ସମୃଦ୍ଧ କରିପାରିବ, ସେହି ଦେଶ ହିଁ ପ୍ରକୃତ ଅର୍ଥରେ ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ପରିଚିତ ହେବ।
ଶିକ୍ଷୟିତ୍ରୀ, ଡିଏଭି ପବ୍ଲିକ୍‌ ସ୍କୁଲ, ପୁରୀ
ମୋ: ୭୮୫୪୮୦୨୮୦୫
ଏସ୍‌. ଆର୍‌. ଶ୍ରଦ୍ଧାଞ୍ଜଳି

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଆଇପି ସୁରକ୍ଷା ଓ ନିରିମାଖି ନାଗରିକ

ଆମ ଦେଶର ସମ୍ବିଧାନରେ ଉଦ୍‌ଘୋଷଣା ରହିଛି ଯେ ସବୁ ନାଗରିକ ସମାନ, ତା’ଛଡ଼ା ମଝିରେ ମଝିରେ ସୁପ୍ରିମକୋର୍ଟ ବି ତାଙ୍କର ଆଦେଶରେ ତାକୁ ପୁନରୁକ୍ତି କରନ୍ତି କାଳେ…

ବିରୋଧୀଙ୍କ ଭୂମିକା

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଏବଂ ମେସେଞ୍ଜର ମାଲିକାନାରେ ଥିବା ବୃହତ୍‌ ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ‘ମେଟା’ ଭାରତରେ ସରକାରଙ୍କ ଇଙ୍ଗିତରେ ଶାସକ ବିରୋଧୀ ପୋଷ୍ଟ ଏବଂ ଆକାଉଣ୍ଟଗୁଡ଼ିକୁ…

ଜଳବାୟୁର ପରିବର୍ତ୍ତିତ ସ୍ବରୂପ

ବାୟୁମଣ୍ଡଳରେ ଯାହା ସବୁଦିନ ଅବସ୍ଥାଠାରୁ ଅଲଗା ଅବସ୍ଥାକୁ ଆମେ ଅନୁଭବ କରୁ, ଉପଭୋଗ କରୁ ଏବଂ ବିଶେଷକରି ଆଖିରେ ଦେଖୁ ତାହାକୁ ଜଳବାୟୁରେ କିଛି ପରିବର୍ତ୍ତନ ହେଲା…

ଉତ୍କଳୀୟ ଅସ୍ମିତାର ଅମ୍ଳାନ ଗୌରବ

ଉତ୍କଳର ଇତିହାସ କେବଳ ଅତୀତର କିଛି ଘଟଣାବଳୀର ଦଲିଲ ନୁହେଁ,ଏହା ଯୁଗଯୁଗାନ୍ତରର ସାଧନା, ସଂଘର୍ଷ, ସାହସ, ସୃଜନଶୀଳତା ଓ ଅସୀମ ଆତ୍ମବିଶ୍ୱାସରେ ରଚିତ ଏକ ଜାତିର ଅମର…

ଏଇ ଭାରତରେ

ତ୍ରିପୁରାର ୧୫ ଓ୍ବାର୍ଡବିଶିଷ୍ଟ ଛୋଟ ସହର ଖୋଓ୍ବାଇ। ଏହି ସହରରେ ପିଙ୍କି କରଦେବ ୯ ବର୍ଷ ଧରି ଏକାକୀ ସକାଳୁ ଖାଲିହାତରେ କେବଳ ତାଙ୍କ ଓ୍ବାର୍ଡ ସଫା…

ସତ୍ୟ-ଚେତନା ଓ ଶ୍ରୀଅରବିନ୍ଦ

ମୁକ୍ତି ବିପ୍ଳବର ମନ୍ତ୍ରଦାତା ଶ୍ରୀଅରବିନ୍ଦ। ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦି ସ୍ଥପତି। ଜଣେ ଅଧିବିଦ୍ୟା ବିଶାରଦ, ମହାନ୍‌ ସାରସ୍ବତ ସ୍ରଷ୍ଟା, ଦେଶପ୍ରେମୀ, ଉସତ୍ର୍ଗୀକୃତ ରାଜନେତା ଓ ମହାନ୍‌…

ପ୍ରତିଶ୍ରୁତି

ଗଣମାଧ୍ୟମ ନିରପେକ୍ଷ ରହୁ କହିଦେବା ସହଜ, କିନ୍ତୁ ତାହାକୁ ବଜାୟ ରଖିବା କଷ୍ଟକର। ଗଣମାଧ୍ୟମ ନିଜର ଚାହିଦା ମେଣ୍ଟାଇବା ପାଇଁ ନିରପେକ୍ଷ ରହିବା ଅଯଥା ବୋଲି ଅନେକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ସରକାର ଏବଂ ବିଭିନ୍ନ ସଙ୍ଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ବ୍ୟକ୍ତିଗତ ସ୍ତରରେ ଅନେକେ ପ୍ରଚେଷ୍ଟା କରୁଛନ୍ତି, ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?