ପାଞ୍ଚଶତାବ୍ଦୀ ପୂର୍ୱେ ଆପଣ ଟଙ୍କା ଦେଇ ନିଜ ମା’ଙ୍କୁ ପାୟଶ୍ଚିତ୍ତର ନର୍କ ଯନ୍ତ୍ରଣାରୁ ମୁକ୍ତ କରିପାରୁଥିଲେ। ଚର୍ଚ୍ଚକୁ ଏକ ନିର୍ଦ୍ଦିଷ୍ଟ ଦେୟ ଦେଲେ ତାଙ୍କର ନର୍କରେ ରହିବାର ସମୟ କମିଯାଉଥିଲା। ଏହା ପଛରେ ଧର୍ମତତ୍ତ୍ୱ ଆଧାର ଥିଲା, କିନ୍ତୁ ଏହାର କାର୍ଯ୍ୟପ୍ରଣାଳୀ ଥିଲା ଅତି ସରଳ। ବିଶାଳ ଗିର୍ଜାଘର ନିର୍ମାଣ ଏବଂ ଯୁଦ୍ଧ ପାଇଁ ଚର୍ଚ୍ଚକୁ ଟଙ୍କା ଆବଶ୍ୟକ ଥିଲା। ଫଳରେ ପାପ ଏକ ପଣ୍ୟଦ୍ରବ୍ୟରେ ପରିଣତ ହୋଇଥିଲା। ଜୋହାନ୍ ଟେଟଜେଲ୍ ନାମକ ଧର୍ମଯାଜକ ଜର୍ମାନୀର ବିଭିନ୍ନ ସ୍ଥାନ ବୁଲି ଏକ ସ୍ଲୋଗାନ ମାଧ୍ୟମରେ ପାପମୋଚନ ପତ୍ର ବିକ୍ରି କରୁଥିଲେ। ତାଙ୍କ ସ୍ଲୋଗାନ ଥିଲା ଦାନପାତ୍ରରେ ଗୋଟିଏ ମୁଦ୍ରା ପକାନ୍ତୁ ଏବଂ ପ୍ରାୟଶ୍ଚିତ୍ତର ନର୍କରୁ ଆତ୍ମା ମୁକ୍ତ ହୋଇଯିବ। ମାର୍ଟିନ୍ ଲୁଥର୍ ଏହାକୁ ବିରୋଧ କରିଥିଲେ ଏବଂ ନିଜର ଅଭିଯୋଗଗୁଡ଼ିକୁ ଚର୍ଚ୍ଚର ଏକ କବାଟରେ କଣ୍ଟା ମାରି ଟାଙ୍ଗିଦେଲେ। ଏହି ଘଟଣା ତାଙ୍କୁ ପ୍ରୋଟେଷ୍ଟାଣ୍ଟ ସଂସ୍କାର ଆନ୍ଦୋଳନର ଜନକ ଭାବେ ପରିଚିତ କରାଇଥିଲା। ପାପମୋଚନ ପତ୍ର ପଛରେ ଥିବା ଧାରଣାଟି ଶେଷ ହୋଇ ନ ଥିଲା। ଏହା କେବଳ ତାହାର ନାମ ବଦଳାଇ ଦେଇଛି।
ଇସ୍ଲାମୀୟ ଅର୍ଥନୀତି ଏକ ଭିନ୍ନ ଭାଷାରେ ସେହି ସମାନ କଥା କହେ। ଧନୀମାନେ ଅସହାୟ ଲୋକଙ୍କୁ ଶୋଷଣ ନ କରିବା ପାଇଁ କୋରାନରେ ଋଣ ଉପରେ ସୁଧକୁ ନିଷେଧ କରାଯାଇଛି। କିନ୍ତୁ ବ୍ୟାଙ୍କଗୁଡ଼ିକୁ ଋଣଦେବା ଏବଂ ନେବାର ଆବଶ୍ୟକତା ଥିବାରୁ ‘ମୁରାବାହା’ ଏବଂ ‘ଇଜାରା’ ଭଳି ଚୁକ୍ତି ବ୍ୟବସ୍ଥା କରାଗଲା। ଏଥିରେ ବ୍ୟାଙ୍କ କୌଣସି ଏକ ଜିନିଷ କିଣି ଅଧିକ ମୂଲ୍ୟ ରଖି ଗ୍ରାହକଙ୍କୁ ବିକ୍ରିକରେ, ଯାହାକୁ ଗ୍ରାହକ କିସ୍ତିରେ ପରିଶୋଧ କରନ୍ତି। ଏଥିରେ କୌଣସି ସୁଧ ନାହିଁ, କେବଳ ଲାଭ ଅଛି। ଭାରତରେ ଏହାକୁ ସଂସ୍କୃତ ଶବ୍ଦର ରୂପ ଦିଆଯାଇଛି। ସମ୍ପତ୍ତି ପରିଚାଳକମାନେ ଏବେ ପବିତ୍ରତା, ଅହିଂସା ଏବଂ ସଚେତନ ଜୀବନଶୈଳୀକୁ ଆଧାରକରି ନିବେଶ ପୋର୍ଟଫୋଲିଓ ପ୍ରସ୍ତୁତ କରୁଛନ୍ତି । ବ୍ୟାଙ୍କ, ସିମେଣ୍ଟ, ପେଟ୍ରୋଲିୟମ ଓ ପ୍ଲାଷ୍ଟିକ୍ ଶିଳ୍ପରେ ନିବେଶକୁ ଅନୁମତି ମିଳୁଛି। ମଦ, ମାଂସ, ତମାଖୁ, ଚମଡ଼ା ଓ ଅସ୍ତ୍ରଶସ୍ତ୍ର ଶିଳ୍ପକୁ ବାଦ୍ ଦିଆଯାଉଛି । ପରଦା ଆଢୁଆଳରେ ହିଂସା ଗ୍ରହଣୀୟ ହେଉଛି।
ଏହି ସମସ୍ତ ବ୍ୟବସ୍ଥାରେ ଜଟିଳ ଓ ମୂଳ ପ୍ରସଙ୍ଗଟିକୁ ବାଦ୍ଦେଇ କେବଳ ତାହାର ନାମ ବା ବାହ୍ୟ ଆବରଣକୁ ବଜାୟ ରଖାଯାଇଛି। ପାପମୋଚନ ପତ୍ର ସହ ପ୍ରକୃତ ଅନୁତାପ ଓ ପ୍ରାୟଶ୍ଚିତ୍ତ ଜଡ଼ିତ ରହିବା କଥା, କିନ୍ତୁ ଟେଟଜେଲ୍ ବିନା ଅନୁତାପରେ ସେଗୁଡ଼ିକୁ ବିକ୍ରି କରିଥିଲେ । ସୁଧ ଉପରେ ପ୍ରତିବନ୍ଧକ ଗରିବଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା, ବ୍ୟାଙ୍କଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ନୁହେଁ। ସେହିପରି ଅହିଂସାର ଧାରଣା ମଧ୍ୟ କେବେ ଏକାକୀ ରହିବା ପାଇଁ ଉଦ୍ଦିଷ୍ଟ ନ ଥିଲା। ସନ୍ନ୍ୟାସୀ ପରମ୍ପରାରେ ଅହିଂସା ଅଶ୍ଚୌଯ୍ୟ (ଚୋରି ନ କରିବା) ଏବଂ ଅପରିଗ୍ରହ (ଧନ ସଞ୍ଚୟ ନ କରିବା) ସହ ଜଡ଼ିତ ଥିଲା । ଅହିଂସା ପାଳନ କରୁଥିବା ଜଣେ ସନ୍ନ୍ୟାସୀଙ୍କର ନିଜସ୍ୱ କୌଣସି ସମ୍ପତ୍ତି ନ ଥିଲା । ଶୁଦ୍ଧ ନିବେଶ ବ୍ୟବସ୍ଥା କେବଳ ଅହିଂସାକୁ ଧରି ରଖେ ଏବଂ ବାକି ସବୁକୁ ପ୍ରତ୍ୟାଖ୍ୟାନ କରେ। ଏହା ପ୍ରକୃତ ହିଂସାକୁ ଦୂରକୁ ଠେଲିଦିଏ।
ଭାରତୀୟ ପରିପ୍ରେକ୍ଷୀରେ ଜାତିଗତ ଦିଗଟି ବାରି ହୋଇପଡ଼େ। ଏଠାରେ ଅପରିଷ୍କାର ବା ମଇଳାଠାରୁ ଦୂରେଇରହିବା ସର୍ୱଦା ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଇଆସିଛି। ବ୍ରାହ୍ମଣମାନେ ଶବ, ଚମଡ଼ା କିମ୍ୱା ଆବର୍ଜନାକୁ ସ୍ପର୍ଶ କରନ୍ତିନାହିଁ। ସେହି କାମ କରୁଥିବା ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ଜାତି ଓ ପରିଚୟ ଦିଆଯାଇଥିଲା। ଷ୍ଟକ୍ ଏକ୍ସଚେଞ୍ଜ କେବଳ ଏହି ପୁରୁଣା ବ୍ୟବସ୍ଥାକୁ ଉତ୍ତରାଧିକାର ସୂତ୍ରରେ ଗ୍ରହଣ କରିଛି। ନିବେଶ ପୋର୍ଟଫୋଲିଓରେ କୃଷକ, ମତ୍ସ୍ୟଜୀବୀ ଓ ଚମଡ଼ା କାରିଗରଙ୍କର କୌଣସି ସ୍ଥାନ ନାହିଁ। ଅନ୍ୟପକ୍ଷରେ,କିନ୍ତୁ ଯେଉଁ ବ୍ୟାଙ୍କରମାନେ ମାଟି କିମ୍ୱା ରକ୍ତକୁ ସ୍ପର୍ଶ କରନ୍ତି ନାହିଁ, ସେମାନେ ଏହି ପୋର୍ଟଫୋଲିଓର ପ୍ରାୟ ଏକ ତୃତୀୟାଂଶ ଅଂଶ ହାସଲ କରନ୍ତି।
ଏହି ଫଣ୍ଡ ବା ପାଣ୍ଠି ଏଭଳି ଉଚ୍ଚନୀଚ ଭେଦଭାବ ବା ଜାତିଗତ ଶ୍ରେଣୀବିଭାଗ ସୃଷ୍ଟି କରିନାହିଁ। ଏହା ପୂର୍ୱରୁ ହିଁ ଗଢ଼ାହୋଇ ରହିଥିଲା; ଫଣ୍ଡ କେବଳ ଏହାକୁ ‘ବ୍ଲୁମ୍ବର୍ଗ’ ମାଧ୍ୟମରେ ପରୀକ୍ଷାକଲା ଏବଂ ଶେଷରେ ତାହାକୁ ନୈତିକ ନିବେଶ ବୋଲି ନାମ ଦେଲା।
ପାପମୋଚନ ପତ୍ର, ଇସ୍ଲାମୀୟ ବ୍ୟାଙ୍କିଙ୍ଗ୍ ଓ ଶୁଦ୍ଧ ନିବେଶ-ଏହି ତିନୋଟି ବ୍ୟବସ୍ଥା ଆମକୁ ଦେଖାଇଦିଏ ଯେ ବଜାର ଧାର୍ମିକ ଭାଷାଠାରୁ ଦୂରେଇ ରହେ ନାହିଁ, ବରଂ ଏହାକୁ ଆଧାରକରି ନିଜର ବ୍ୟବସାୟ ବିସ୍ତାରକରେ। ଏକ ଧନୀ ସମାଜ ନିଜ ସମ୍ପତ୍ତିକୁ ପବିତ୍ର ଓ ସ୍ୱଚ୍ଛ ଦେଖାଇବା ପାଇଁ ସର୍ୱଦା ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାଏ। ଚର୍ଚ୍ଚ ସେହି କାହାଣୀକୁ ଲାଟିନ୍ ଭାଷାରେ ଏକ ରସିଦ ସହ ବିକ୍ରି କରୁଥିଲା। ବ୍ୟାଙ୍କଗୁଡ଼ିକ ଏହାକୁ ଏକ ଶରିଆ ସାର୍ଟିଫିକେଟ୍ ସହ ବିକ୍ରି କରୁଛନ୍ତି। ଆଉ ମୁମ୍ୱାଇରେ ଏହା ଏକ ଫଣ୍ଡ ଫ୍ୟାକ୍ଟ ସିଟ୍ ବା ମ୍ୟୁଚୁଆଲ ଫଣ୍ଡ୍ର ତଥ୍ୟପତ୍ର ମାଧ୍ୟମରେ ବିକ୍ରି ହେଉଛି।
ଭିତରେ ସେଇ ଏକା କାମ-ଋଣ ଆଦାୟ, ଲାଭର ହିସାବ, ଆଉ ଶିଳ୍ପ ଭଳି ଶୋଷଣ ଚାଲିଛି। କେବଳ ନାମ ବଦଳୁଛି, ଆଉ ପ୍ରକୃତ ଅର୍ଥ ଉପାର୍ଜନ ଏହି ନାମର ଆବରଣ ମଧ୍ୟରେ ହିଁ ହେଉଛି। ଯେତେବେଳେ ପାପବୋଧ ଏକ ପଣ୍ୟଦ୍ରବ୍ୟ ପାଲଟିଗଲା, ସେତେବେଳେ ପ୍ରାୟଶ୍ଚିତ୍ତର ନର୍କ ବନ୍ଦ ହୋଇଗଲା ନାହିଁ। ବରଂ ତାହା କେବଳ ନିଜର ଠିକଣା ବଦଳାଇଦେଇଥିଲା। ଅଯୋଧ୍ୟାର ବହୁ ପୂର୍ୱରୁ ମକ୍କା ଏହି ମଡେଲକୁ ବୁଝିସାରିଥିଲା। ଏବେ ସେଠାରେ ତୀର୍ଥଯାତ୍ରୀଙ୍କ ପାଇଁ କୋଟା ଓ ଲାଇସେନ୍ସପ୍ରାପ୍ତ ସଞ୍ଚାଳକ ରହିଛନ୍ତି। ଧନୀମାନେ ଦେବତାଙ୍କ ନିକଟତର ହେବାର ସୁଯୋଗ ପାଆନ୍ତି, ଗରିବମାନଙ୍କ ଭାଗରେ ପଡ଼େ ଲମ୍ୱା ଧାଡ଼ି। ତିରୁପତି ମଧ୍ୟ ସେହି ସମାନ ନୀତିରେ ଚାଲିଛି, ଯେଉଁଠି ପଇସା ଦେଇପାରୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ଟିକେଟ ଅଛି, ଆଉ ଦେଇପାରୁ ନ ଥିବା ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆହେବାକୁ ପଡ଼ୁଛି। ମନ୍ଦିର ଟ୍ରଷ୍ଟଗୁଡ଼ିକ ଏବେ ବୃହତ୍ କମ୍ପାନୀ ଭଳି କାମ କରୁଛନ୍ତି। ତୀର୍ଥଯାତ୍ରୀ ଗ୍ରାହକ ପାଲଟି ଯାଇଛନ୍ତି। ଧାଡ଼ିରେ ଠିଆହେବାର ସମୟ ଏବେ ଲାଭ-କ୍ଷତିର ନୂଆ ମାପକାଠି। ଏବେ ଆଉ କେହି ପାପମୋଚନର ପ୍ରମାଣପତ୍ର ବିକୁନାହାନ୍ତି, ବରଂ ଦର୍ଶନର ସୁବିଧା ବିକୁଛନ୍ତି, ଆଉ ଭକ୍ତ ସବୁବେଳେ ଧାଡ଼ିରେ ଠିଆହେଉଛି। ଧନୀ ଲୋକମାନେ ଭାବନ୍ତି ଯେ ଟଙ୍କାରେ ମୋକ୍ଷ କିଣାଯାଇପାରିବ। ଜ୍ଞାନୀମାନେ ସବୁବେଳେ କହିଆସିଛନ୍ତି, ଏହି ବିଶ୍ୱାସ ହିଁ ହେଉଛି ପ୍ରକୃତ ମାୟା ବା ଭ୍ରମ।
-devduttofficial@gmail.com

