ବିରୋଧୀଙ୍କ ଭୂମିକା

ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ବାଟ୍ସଆପ୍‌ ଏବଂ ମେସେଞ୍ଜର ମାଲିକାନାରେ ଥିବା ବୃହତ୍‌ ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ‘ମେଟା’ ଭାରତରେ ସରକାରଙ୍କ ଇଙ୍ଗିତରେ ଶାସକ ବିରୋଧୀ ପୋଷ୍ଟ ଏବଂ ଆକାଉଣ୍ଟଗୁଡ଼ିକୁ ହଟାଉଥିବାରୁ ଏବେ ବିରୋଧୀ ଦଳଙ୍କ ପ୍ରତିବାଦର ସମ୍ମୁଖୀନ ହୋଇଛି । ଯୁବ କଂଗ୍ରେସର କର୍ମୀମାନେ ଆମେରିକା ବାହାରେ ମେଟାର ଅନ୍ୟତମ ବୃହତ୍‌ କାର୍ଯ୍ୟାଳୟ ଥିବା ହାଇଦ୍ରାବାଦ ଅଫିସରେ ଧସେଇ ପଶି ଭଙ୍ଗାରୁଜା କରିବା ସହ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି । ମୁମ୍ବାଇ ଓ ଗୁରୁଗ୍ରାମରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯଦି ମେଟା ଭିନ୍ନମତର ସ୍ବରକୁ ଦବାଇବା ଜାରି ରଖେ ତେବେ ଆଗାମୀ ଦିନରେ ଏଭଳି ଅଧିକ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ଚେତାବନୀ ମଧ୍ୟ ଦେଇଛି।
ଗତ କିଛି ମାସ ମଧ୍ୟରେ ସରକାରଙ୍କୁ ସିଧାସଳଖ ସମାଲୋଚନା କରୁଥିବା ସୋସିଆଲ ମିଡିଆ ପୋଷ୍ଟ୍‌ଗୁଡ଼ିକର ସଂଖ୍ୟା ଶାସକ ଦଳ ସପକ୍ଷବାଦୀ ପୋଷ୍ଟଗୁଡ଼ିକୁ ପଛରେ ପକାଇ ଦେଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ପୂର୍ବରୁ ଏଭଳି ସ୍ଥିତି ନ ଥିଲା। ୨୦୧୪ ମସିହାରୁ କେବଳ ଭାଜପା କ୍ଷମତାକୁ ଆସିବା ପାଇଁ ସୋସିଆଲ ମିଡିଆର ସର୍ବାଧିକ ବ୍ୟବହାର କରିଥିଲା ଏବଂ ଦଳର ଆଇଟି ସେଲ୍‌ ମାଧ୍ୟମରେ ବିରୋଧୀଙ୍କୁ ଗାଳିଗୁଲଜ, ଧମକ ଓ ଭୟଭୀତ କରାଇଥିବା ଦେଖାଯାଇଥିଲା। ପରିବର୍ତ୍ତିତ ପରିସ୍ଥିତିରେ ବର୍ତ୍ତମାନ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଥିବା ସ୍ବରଗୁଡ଼ିକୁ ଚପାଇ ଦେବା ପାଇଁ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ଚାପ ପକାଉଥିବା ଲକ୍ଷ୍ୟ କରାଯାଉଛି। ସରକାରୀ ଦାବିଗୁଡ଼ିକୁ ବିନା କୌଣସି ଉପଯୁକ୍ତ ଯାଞ୍ଚରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମାନି ନେଉଥିବା ମଧ୍ୟ ଦେଖାଯାଉଛି। ଏଭଳି ସ୍ଥିତି ବାକ୍‌ ସ୍ବାଧୀନତାକୁ ଘୋର ବିପଦରେ ପକାଇଛି। ସମ୍ଭବତଃ ବ୍ୟବସାୟିକ ସ୍ବାର୍ଥ ମେଟାକୁ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ କରିଛି, କାରଣ ଉପଭୋକ୍ତାଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ଏହି କମ୍ପାନୀର ସର୍ବବୃହତ୍‌ ବଜାର। ବିଡ଼ମ୍ବନାର ବିଷୟ ହେଉଛି, ଯେଉଁ ପ୍ଲାଟଫର୍ମଗୁଡ଼ିକ ଦିନେ ସାର୍ବଜନୀନ ଆଲୋଚନାକୁ ଗଣତାନ୍ତ୍ରିକ କରିବାର ପ୍ରତିଶ୍ରୁତି ଦେଇଥିଲେ, ସେଗୁଡ଼ିକ ଆଜି ଭିନ୍ନମତକୁ ଦବାଇବାର ମାଧ୍ୟମ ପାଲଟିଛନ୍ତି।
ମେଟାର ନିଜସ୍ବ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଆଇନର ଉଲ୍ଲଂଘନ ଅଭିଯୋଗରେ କମ୍ପାନୀ ଜାନୁଆରୀରୁ ଜୁନ୍‌ ୨୦୨୬ ମଧ୍ୟରେ ଭାରତରେ ୫୪ ଲକ୍ଷରୁ ଅଧିକ ପୋଷ୍ଟ ଉପରେ କଟକଣା ଲଗାଇଛି। ଏହା ପୂର୍ବ ୬ ମାସର ମାତ୍ର ୪୧,୦୦୦ ପୋଷ୍ଟ ତୁଳନାରେ ବହୁ ଅଧିକ। ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୦୨୬ରେ ଜନ୍ତରମନ୍ତରଠାରେ ହୋଇଥିବା ଯୁବ ପ୍ରତିବାଦ ସମୟରେ ସରକାରଙ୍କୁ ସମାଲୋଚନା କରୁଥିବା ସୋସିଆଲ ମିଡିଆ ବିଷୟବସ୍ତୁର ସୁଅ ଛୁଟିଥିଲା। ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରୁଥିବା ଅନେକ ହଜାର ଖବରଦାତା, କଣ୍ଟେଣ୍ଟ କ୍ରିଏଟର ଏବଂ ଇନ୍‌ଫ୍ଲୁଏନ୍ସରଙ୍କ ଆକାଉଣ୍ଟ ଉପରେ ଏବେ ମଧ୍ୟ ପ୍ରତିବନ୍ଧକ ରହିଛି। ‘ରିପୋର୍ଟର୍ସ ୱିଦାଉଟ ବର୍ଡର୍ସ’ ଅନୁଯାୟୀ, ଚଳିତ ବର୍ଷ ଭାରତରେ ସୋସିଆଲ ମିଡିଆରୁ ସାମ୍ବାଦିକତା ସମ୍ବନ୍ଧୀୟ ବିଷୟବସ୍ତୁ ହଟାଯିବା ବୃଦ୍ଧି ପାଇଛି, କାରଣ ସରକାରଙ୍କ ଏକ ନୂତନ ନିୟମ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପୋଷ୍ଟ ହଟାଇବା ଅନୁରୋଧର ସମୀକ୍ଷା ଓ ନିଷ୍ପତ୍ତି ନେବା ପାଇଁ ଆଦୌ ସମୟ ଦେଉନାହିଁ। ଫେବୃଆରୀରେ କେନ୍ଦ୍ର ସରକାର ପୂର୍ବରୁ ଥିବା ୩୬ ଘଣ୍ଟାର ସମୟସୀମାକୁ କମାଇ ବେଆଇନ ବିବେଚିତ ବିଷୟବସ୍ତୁ ବିଷୟରେ ସୂଚନା ପାଇବାର ତିନି ଘଣ୍ଟା ମଧ୍ୟରେ ତାହାକୁ ହଟାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
କେବଳ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ନୁହେଁ, ବରଂ ସଂଖ୍ୟାଲଘୁଙ୍କ ଅଧିକାର ଏବଂ ସାମ୍ବାଦିକତା ଅନୁସନ୍ଧାନ ସମ୍ବନ୍ଧୀୟ ରିପୋର୍ଟଗୁଡ଼ିକ ମଧ୍ୟ କଟକଣାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ କେବଳ ଦେଶର ଆଇନ ପାଳନ କରୁଥିବା ଦାବି କରି ମେଟା ନିଜ ଦାୟିତ୍ୱରୁ ଖସିଯାଇ ପାରିବ ନାହିଁ ବୋଲି କୁହାଯାଇପାରେ। ଏକ ଗଣତନ୍ତ୍ରରେ କାର୍ଯ୍ୟ କରୁଥିବା ବହୁରାଷ୍ଟ୍ରୀୟ ପ୍ରଯୁକ୍ତି କମ୍ପାନୀ ଏହା ବୁଝିବା ଉଚିତ ଯେ, ଆଇନଗତ ଅନୁପାଳନ ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାର ମୌଳିକ ନୀତିଗୁଡ଼ିକୁ ପରିତ୍ୟାଗ କରିବାର ବାହାନା ହୋଇପାରିବ ନାହିଁ। ସେହି ସମୟରେ ସରକାର ମଧ୍ୟ ନିଜର ନିୟାମକ କ୍ଷମତା ବ୍ୟବହାର କରି ଘରୋଇ ପ୍ଲାଟଫର୍ମଗୁଡ଼ିକୁ ସ୍ବର ଦବାଇବା ପାଇଁ ଅଘୋଷିତ ସେନ୍ସରଶିପ୍‌ ଏଜେନ୍ସିରେ ପରିଣତ କରିବା ଉଚିତ ନୁହେଁ।
ସରକାରଙ୍କ ତ୍ରୁଟି ଓ ବିଫଳତାକୁ ସମାଲୋଚନା କରିବା, ପ୍ରଶାସନିକ ଅସଫଳତାକୁ ପଦାରେ ପକାଇବା ଏବଂ କ୍ଷମତାରେ ଥିବା ଲୋକଙ୍କୁ ଉପହାସ କରିବା ପାଇଁ ବ୍ୟଙ୍ଗର ବ୍ୟବହାର କରିବା ସମ୍ବିଧାନର ଧାରା ୧୯(୧)(କ) ଅଧୀନରେ ଥିବା ବାକ୍‌ ସ୍ବାଧୀନତାର ଅବିଚ୍ଛେଦ୍ୟ ଅଙ୍ଗ। ଯେତେବେଳେ ସାମ୍ବାଦିକ, କାର୍ଟୁନିଷ୍ଟ, ସାମାଜିକ କର୍ମୀ ଏବଂ ସାଧାରଣ ନାଗରିକମାନେ ଭୟ କରିବାକୁ ଲାଗନ୍ତି ଯେ, ଅସହମତି ପ୍ରକାଶ କଲେ ସେମାନଙ୍କର ପୋଷ୍ଟ୍‌ ଗାଏବ ହୋଇଯିବ କିମ୍ବା ଆକାଉଣ୍ଟ ବ୍ଲକ୍‌ ହୋଇଯିବ ବା କେତେକ କ୍ଷେତ୍ରରେ ଗିରଫଦାରି ଭଳି ଅଧିକ ଖରାପ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ; ସେତେବେଳେ ବାକ୍‌ ସ୍ବାଧୀନତା ଉପରେ ଏକ ଶକ୍ତ ପ୍ରହାର ଲାଗେ।
ସାମାଜିକ ବ୍ୟବସ୍ଥାରେ କୌଣସି ଅସଙ୍ଗତି ଦେଖିବା ପରେ ବିରୋଧୀ ତାହାର ପ୍ରତିବାଦ କରିବା ସ୍ବାଭାବିକ। କିନ୍ତୁ ଅଣ-ସରକାରୀ ଦଳଗୁଡ଼ିକର ଦାୟିତ୍ୱ କେବଳ ପ୍ରତିବାଦରେ ଶେଷ ହେବା କଥା ନୁହଁ। ଭବିଷ୍ୟତରେ ଯଦି ସେମାନେ କ୍ଷମତାକୁ ଆସନ୍ତି, ତେବେ ବାକ୍‌ ସ୍ବାଧୀନତାର ସୁରକ୍ଷା ପାଇଁ ନିଜେ କେଉଁ ମୌଳିକ ନିୟମ ପାଳନ କରିବେ, ତାହା ସମସ୍ତେ ଏକସ୍ବରରେ ଘୋଷଣା କରିବା ଉଚିତ। ଟେଲିକମ୍‌, ପ୍ରିଭେସି ଆଇନ, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍‌ଶନ ଆକ୍ଟ-୨୦୨୩ରେ କ’ଣ ପରିବର୍ତ୍ତନ ଆସିବା ଉଚିତ ଓ ଆଧାର ଭଳି କାର୍ଯ୍ୟକ୍ରମ ରଦ୍ଦ କରାଯିବା ଠିକ୍‌ କି ନୁହେଁ, ତାହା ଉପରେ ସେମାନଙ୍କର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହେବା ଦରକାର। ଆଜି ଭାରତର ମତଦାନ ବ୍ୟବସ୍ଥାକୁ ଦେଖିଲେ ମାଗଣା ଚାଉଳ, ଭୋଟ ପୂର୍ବରୁ ଟଙ୍କା ଦେଇ ଜନମତ କିଣିବାରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲୁଛି। ସାମାନ୍ୟ ଲୋଭ ଚରିତାର୍ଥ ହୋଇଯାଉଥିବାରୁ ସାଧାରଣ ଭୋଟର ରାଜନୈତିକ ଦଳଗୁଡ଼ିକ ନେଉଥିବା ନିଷ୍ପତ୍ତି ତା’ର ଜୀବନରେ କେତେ ମାତ୍ରାରେ ଦୀର୍ଘମିଆଦୀ କ୍ଷତି ପହଞ୍ଚାଉଛି ତାହାକୁ ମାପିପାରୁ ନାହିଁ। ଏଭଳି ପରିପ୍ରେକ୍ଷୀରେ ବିରୋଧୀଙ୍କ ଭୂମିକା କିଭଳି ରହିବ, ତାହା ମଧ୍ୟ ତର୍ଜମାଯୋଗ୍ୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୃତ୍ତିଗତ ଶିକ୍ଷାର ନୂତନ ଦିଗନ୍ତ

ଏବେ ସମାଜରେ ଗୋଟିଏ ପ୍ରଶ୍ନ ଆମକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ-ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ଡିଗ୍ରୀ ହାସଲ କରିବା ନା ଜୀବନକୁ ଜୀବିକା ଉପାର୍ଜନର ଯୋଗ୍ୟ…

ଭିଆଇପି ସୁରକ୍ଷା ଓ ନିରିମାଖି ନାଗରିକ

ଆମ ଦେଶର ସମ୍ବିଧାନରେ ଉଦ୍‌ଘୋଷଣା ରହିଛି ଯେ ସବୁ ନାଗରିକ ସମାନ, ତା’ଛଡ଼ା ମଝିରେ ମଝିରେ ସୁପ୍ରିମକୋର୍ଟ ବି ତାଙ୍କର ଆଦେଶରେ ତାକୁ ପୁନରୁକ୍ତି କରନ୍ତି କାଳେ…

ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ ଚେଜ କରି ଇତିହାସ ରଚିଲା ଭାରତ; ଭାଙ୍ଗିଲା ୨୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୪।୧୧: ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ ର ମୁକାବିଲା ୟୁଏଇ-ଏ (UAE-A) ସହିତ ହୋଇଥିଲା। ଏହି ମୁକାବିଲାରେ ୟୁଏଇ ପ୍ରଥମେ…

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି କଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

ୟୁପି ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଡ଼ ବୟାନ ଦେଲା ଭାଜପା

ନୂଆଦିଲ୍ଲୀ,୨୪।୧୧: ୟୁପି ବିଧାନସଭା ନିର୍ୱାଚନ ୨୦୨୭: ‘କୌଣସି ବ୍ୟକ୍ତି ନୁହେଁ, ପଦ୍ମ ଫୁଲ ହେବ ମୁଖ୍ୟମନ୍ତ୍ରୀ ଚେହେରା’; ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ର୍ମୌଯ୍ୟ…

Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬…

ଭୁବନେଶ୍ୱର,୨୪।୧୧: ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନକ୍ଲେଭ ବା ଯୁବ ସମ୍ମିଳନା’ ଅନୁଷ୍ଠିତ ହେଉଛି…

ଜଳବାୟୁର ପରିବର୍ତ୍ତିତ ସ୍ବରୂପ

ବାୟୁମଣ୍ଡଳରେ ଯାହା ସବୁଦିନ ଅବସ୍ଥାଠାରୁ ଅଲଗା ଅବସ୍ଥାକୁ ଆମେ ଅନୁଭବ କରୁ, ଉପଭୋଗ କରୁ ଏବଂ ବିଶେଷକରି ଆଖିରେ ଦେଖୁ ତାହାକୁ ଜଳବାୟୁରେ କିଛି ପରିବର୍ତ୍ତନ ହେଲା…

ଉତ୍କଳୀୟ ଅସ୍ମିତାର ଅମ୍ଳାନ ଗୌରବ

ଉତ୍କଳର ଇତିହାସ କେବଳ ଅତୀତର କିଛି ଘଟଣାବଳୀର ଦଲିଲ ନୁହେଁ,ଏହା ଯୁଗଯୁଗାନ୍ତରର ସାଧନା, ସଂଘର୍ଷ, ସାହସ, ସୃଜନଶୀଳତା ଓ ଅସୀମ ଆତ୍ମବିଶ୍ୱାସରେ ରଚିତ ଏକ ଜାତିର ଅମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?