ଗୋରୁ, ଆଇଏଏସ୍‌

କ୍ଷମତା ଉପଭୋଗ ବିଷୟ ଉଠିଲେ ସାଧାରଣରେ ରାଜନୈତିକ ବ୍ୟକ୍ତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥାଏ। କିନ୍ତୁ ଭାରତରେ ସର୍ବାଧିକ କ୍ଷମତା ଅମଲାତନ୍ତ୍ରୀମାନେ ଉପଭୋଗ କରୁଥିବା ପ୍ରମାଣିତ। ରାଜନେତା ଏକ ସାମୟିକ ସମୟ ପାଇଁ ଲୋକଙ୍କ ଦ୍ୱାରା ବଛା ହେଉଥିବା ବେଳେ ଅମଲାତନ୍ତ୍ରୀ ସରକାରଙ୍କ ଦ୍ୱାରା ଏକ ଲମ୍ବା ଅବଧି ସକାଶେ ନିଯୁକ୍ତ ହୋଇଥାଆନ୍ତି। କୁହାଯାଏ ଥରେ ଜଣେ ସରକାରୀ ଚାକିରି ପାଇଗଲେ ତାହା ଯିବା ଅତ୍ୟନ୍ତ କଷ୍ଟକର। ଚାକିରି ଯିବାର ଭୟ ନ ଥିବାରୁ ସେମାନେ ଅଧିକ ମନମୁଖି ନିଷ୍ପତ୍ତି ନେଇଥାଆନ୍ତି। ଏହି ଅମଲାତନ୍ତ୍ରୀଙ୍କ ମଧ୍ୟରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌)ର ଅଧିକାଂଶ ଅଧିକାରୀ ଜନସାଧାରଣଙ୍କୁ ସେବା ଯୋଗାଇବା ଅପେକ୍ଷା ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଉଥିବାର ଲକ୍ଷ୍ୟ କରାଯାଉଛି। ଗତମାସ ଦିଲ୍ଲୀରେ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ଖିରଓ୍ବାର ଦିଲ୍ଲୀ ଷ୍ଟାଡିୟମ୍‌ରେ ତାଙ୍କ କୁକୁରକୁ ବୁଲାଇବା ପାଇଁ ସମସ୍ତ ଖେଳାଳିଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ବିଦା କରିବାର ନିର୍ଦ୍ଦେଶ ଦେଇଥିବା ନେଇ ଖବର ପ୍ରକାଶ ପାଇଥିଲା। ସେ ତାଙ୍କ କୁକୁର ସହ ସମଗ୍ର ଷ୍ଟାଡିୟମ୍‌ରେ ଯେଭଳି ବିନା ବାଧାରେ ବୁଲିପାରିବେ ସେଥିଲାଗି ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖିରଓ୍ବାର ଓ ତାଙ୍କ ସ୍ତ୍ରୀ ରିଙ୍କି ଦୁଗାଙ୍କୁ ରାଜ୍ୟ ବାହାରକୁ ବଦଳି କରାଯାଇଥିଲା। ସ୍ବାମୀଙ୍କୁ ପଠାଗଲା ଲଦାଖ ଓ ସ୍ତ୍ରୀଙ୍କୁ ପଠାଗଲା ଅରୁଣାଚଳ ପ୍ରଦେଶ। ଏବେ ଉତ୍ତର ପ୍ରଦେଶର ଫତେପୁର ଜିଲାପାଳ ଅନୁପ୍ରିୟା ଦୁବେ ତାଙ୍କ ଅସୁସ୍ଥ ଗାଈର ଚିକିତ୍ସା ସକାଶେ ୭ ଜଣ ପ୍ରାଣୀ ଚିକିତ୍ସକଙ୍କୁ ଦାୟିତ୍ୱ ଦେଇଥିବା ଖବର ମିଳିଛି। ଫତେପୁର ମୁଖ୍ୟ ଭେଟେରିନାରି ଅଫିସର ଡାକ୍ତର ଏସ୍‌. କେ. ତିଓ୍ବାରିଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଗଠନ କରାଯାଇ ସେଥିରେ ୭ ଜଣ ଡାକ୍ତରଙ୍କ ନାମ ରହିଥିବା ଏକ ନୋଟିସ୍‌ ବିଷୟରେ ଖବର ପ୍ରକାଶ ପାଇବା ପରେ କଲେକ୍ଟରଙ୍କ ଜନସେବା ପ୍ରତି କେତେ ପ୍ରତିବଦ୍ଧତା ଅଛି ଜଣାପଡ଼ିଯାଇଛି। ଏ କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲାପାଳ ଅନୁପ୍ରିୟା ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।
ଭାରତରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନିଜ କାର୍ଯ୍ୟ ତୁଲାଇବା ପାଇଁ ଯେଉଁସବୁ ବ୍ୟବସ୍ଥା ଦରକାର ତାହା ନିଶ୍ଚିତ ଭାବେ ଆବଶ୍ୟକ। ତତ୍‌ସହିତ ଆରାମଦାୟକ ଜୀବନ ବିତାଇବାର ସୁବିଧା ବି କରାଯାଏ। କିନ୍ତୁ ଅଳ୍ପ କେତେକଙ୍କୁ ବାଦ୍‌ ପକାଇଲେ ଅନେକେ ଉତୁରୁଛନ୍ତି। ସେମାନେ ସର୍ବଦା ସାହେବୀ ଢଙ୍ଗରେ ସେବା ମିଳୁ ବୋଲି ଚାହିଁଥାଆନ୍ତି। ଏବେ ଅନୁପ୍ରିୟା ଯେଭଳି ଭାବେ ତାଙ୍କ ଗାଈର ଚିକିତ୍ସା ପାଇଁ ୭ ଜଣିଆ ଟିମ୍‌ ଗଠନ କଲେ ତାହା ଦେଖିବାକୁ ଗଲେ, ତାଙ୍କ କ୍ଷମତା ବହିର୍ଭୂତ ନୁହେଁ। ମାତ୍ର ତାହା ନିଶ୍ଚିତ ଭାବେ ତାଙ୍କ ଦାୟିତ୍ୱ ବହିର୍ଭୂତ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଜିଲାପାଳଙ୍କ କ୍ଷମତା ପରିସର ଭିତରେ ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିବାର ସମ୍ଭାବନା ରହିଛି। କାରଣ ଜିଲାପାଳ ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ (ସିଡିଭିଓ)ଙ୍କ ଗୁପ୍ତ ଚରିତ୍ର ପଞ୍ଜିକା (ସିସିଆର୍‌) ଲେଖିଥାଆନ୍ତି। ସାଧାରଣରେ ବିଶ୍ୱାସ କରାଯାଏ ଯେ ଅଫିସରମାନେ ନିଜର ଅସରନ୍ତି କ୍ଷମତାକୁ ଅପବ୍ୟବହାର କରିବେ ନାହିଁ। ଅନେକେ ମତ ଦେଇଥାଆନ୍ତି ଯେ, ଯୁବପିଢ଼ିର ଆଇଏଏସ୍‌ କିମ୍ବା ଆଇପିଏସ୍‌ ଅଧିକାରୀ ବରିଷ୍ଠଙ୍କ ତୁଳନାରେ ଦୁର୍ନୀତି କିମ୍ବା କ୍ଷମତା ଅପବ୍ୟବହାର କମ୍‌ କରିଥାଆନ୍ତି। ଏହିଭଳି ଧାରଣା ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ। ମାରି ଖାଇଯିବାରେ ଏହି ଦୁଇ ବର୍ଗଙ୍କର ବୟସ, ଜାତି, ଧର୍ମ, ଲିଙ୍ଗ କିମ୍ବା ଅନ୍ୟ କୌଣସି ବାଟରେ କେହି କାହାଠାରୁ ଊଣା ନୁହନ୍ତି। ସ୍ବାମୀ ଜିଲାପାଳ ଥିଲେ ସ୍ତ୍ରୀ କହିବେ ଆମେ ଜିଲାପାଳ ଅଛୁ। ସ୍ତ୍ରୀ ଜିଲାପାଳ ଥିଲେ ସ୍ବାମୀ ସବୁ ଠିକାଦାରଙ୍କ ସେଟିଂରେ ବ୍ୟସ୍ତ ରହନ୍ତି। ଯଦି ଉଭୟ ଆଇଏଏସ୍‌ ଅଫିସର, ତେବେ କଳାଧଳା ଘୋଡ଼ା ଭଳି ଉଭୟେ ମଉଜରେ ଚରିବୁଲି ଖାଇଯାଆନ୍ତି।
ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଅନୁପ୍ରିୟାଙ୍କ ନିର୍ଦ୍ଦେଶ ମୁତାବକ ପ୍ରତିଦିନ ଦୁଇଓଳି ଜଣେ ଜଣେ ଡାକ୍ତର ଗାଈର ଚିକିତ୍ସା କରିବା ଲାଗି କୁହାଯାଇଥିଲା। ଗୋଟିଏ ଗାଈ ପାଇଁ ୭ ଜଣ ଡାକ୍ତରଙ୍କୁ ହାତବାନ୍ଧି ରଖି ଦିଆଯିବା ଦ୍ୱାରା ଅନ୍ୟ ପ୍ରାଣୀସମ୍ପଦଙ୍କୁ ସିଡିଭିଓ ଏବଂ ତାଙ୍କ ବିଭାଗ ମାଧ୍ୟମରେ ଯେଉଁ ସେବା ଯୋଗାଇବା କଥା ତାହା ଅଣଦେଖା ହୋଇଛି। ତେବେ ସେଗୁଡ଼ିକୁ କିଏ ପଚାରେ। କଲେକ୍ଟର ହେଲେ ସର୍ବେସର୍ବା। କିଏ ଜଣେ କହିଥିଲେ- ଭାରତକୁ ଶାସନ କରୁଛନ୍ତି ପିଏମ୍‌ (ପ୍ରଧାନମନ୍ତ୍ରୀ), ସିଏମ୍‌ (ମୁଖ୍ୟମନ୍ତ୍ରୀ) ଏବଂ ଡିଏମ୍‌ (ଜିଲାପାଳ)। ଜୀବନରେ ଗୋଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ଏମାନେ ଆଧ୍ୟାତ୍ମିକ ଶକ୍ତିଠାରୁ ଅର୍ଥଶକ୍ତି ପର୍ଯ୍ୟନ୍ତ ସବୁକିଛି ହାସଲ କରିନିଅନ୍ତି। ଜନସାଧାରଣଙ୍କୁ ଛି ଛାକର ବ୍ୟବହାର ଦେଖାଇ ନିଜର ଅନୁଗତ ଗୋଷ୍ଠୀ ସୃଷ୍ଟି କରନ୍ତି। କୌତୂହଳର ବିଷୟ ହେଉଛି ଯେ, ଏମାନଙ୍କ ମଧ୍ୟରୁ ସୀମା ଟପିଗଲା ଭଳି ନିଆଁଗିଳା ମଧ୍ୟ ଅନେକ ଅଛନ୍ତି। ବଦଳି ହେଲେ ଅନୁଗତ ଗୋଷ୍ଠୀଙ୍କୁ ଉତ୍ସାହିତ କରି ପ୍ରତିବାଦ ସଭା ଏବଂ ଛୋଟକାଟିଆ ରାଲି କରିଦେବାର ନଜିର ରହିଛି। ତଥାପି ସାଧାରଣରେ ବଦଳି ବାତିଲ ହୁଏ ନାହିଁ। ଅନୁପ୍ରିୟା ଉତ୍ତରପ୍ରଦେଶର ଜିଲାପାଳ ହୋଇଥିବାରୁ ଧରି ନେଇଛନ୍ତି ସେଠାକାର ଭାଜପା ସରକାର ଗାଈ ପାଇଁ ଯାହା କଲେ ମଧ୍ୟ ସବୁକିଛି କ୍ଷମଣୀୟ। ସମ୍ଭବତଃ ସାହସ କରି ୭ ଜଣ ଡାକ୍ତରଙ୍କୁ ତାଙ୍କ ଗାଈର ସେବା ପାଇଁ ନିୟୋଜିତ କରିଛନ୍ତି।
ଦେଶବାସୀ ଜାଣିଛନ୍ତି, ଉତ୍ତରପ୍ରଦେଶ ଦାଦ୍ରିରେ ମହମ୍ମଦ ଅଖଲାଖ୍‌ଙ୍କ ଘରେ ଗୋମାଂସ ରହିଥିବା ଗୁଜବ ସୃଷ୍ଟି ହେବା ପରେ କିଭଳି ତାଙ୍କୁ ପିଟି ମାରି ଦିଆଯାଇଥିଲା। ଅର୍ଥାତ୍‌ ଗୋରୁଙ୍କ ପାଇଁ ସେଠାରେ ମଣିଷଙ୍କ ଜୀବନ ମୂଲ୍ୟହୀନ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ସମ୍ଭବତଃ ଇତିହାସକୁ ଦେଖି ଅନୁପ୍ରିୟା ଭାବିଛନ୍ତି ତାଙ୍କ ଗାଈର ସେବା ଲାଗି ୭ ଜଣ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯିବାରେ କୌଣସି ଅସ୍ବାଭାବିକତା ନାହିଁ।
ଏଠାରେ ଗୋରୁ ବିଶେଷକରି ଗୋରୁ, ଆଇଏଏସ୍‌ଙ୍କ ପ୍ରତି ଅବିଚାର କଲାଭଳି ଯୁକ୍ତି ରଖାଯାଉ ନାହିଁ। କିନ୍ତୁ ଜିଲାରେ ଥିବା ଅନ୍ୟସବୁ ପ୍ରାଣୀଙ୍କ ପ୍ରତି ବିଭାଗୀୟ ଡାକ୍ତର ସୁଦୃଷ୍ଟି ରଖିବା ଦରକାର। ସେହି କାର୍ଯ୍ୟରେ ଜିଲାପାଳ ଯଦି ସହାୟକ ହୋଇପାରନ୍ତେ, ତେବେ ଅନେକ ପରିବର୍ତ୍ତନ ଆସିପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri