ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍ ଆଉଟ୍ରେ ଫ୍ରାନ୍ସକୁ ୩-୧ ଗୋଲ୍ରେ ପରାସ୍ତ କରି ଚଳିତ ଏଫ୍ଆଇଏଚ୍ ଜୁନିୟର ପୁରୁଷ ବିଶ୍ୱକପ୍ ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି।
ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାଂସିତ ଭାବେ ଶେଷ ହେବା ଦ୍ୱାରା ଶୁଟ୍ଆଉଟ ପଦ୍ଧତିର ସହାୟତା ନିଆଯାଇଥିଲା।
ଶୁଟ୍ ଆଉଟରେ ଜର୍ମାନୀ ପକ୍ଷରୁ ଜୋନାସ ଭନ୍ ଜେରସମ୍, ଜଷ୍ଟସ ଓ୍ବାରଓ୍ବିଗ୍ ଓ ଲୁକାସ କୋସେଲ ଗୋଲ ସ୍କୋର କରି ବାରେ ସଫଳ ହୋଇଥିବା ବେଳେ ଜର୍ମାନୀ ତରଫରୁ ଏକ ମାତ୍ର ଗୋଲ ଦେଇଥିଲେ ଆରିଷ୍ଟିଡ୍ ମିଚେଲିସ୍। ଏହି ମ୍ୟାଚରେ ଜର୍ମାନୀର ବିଜୟରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲେ ଦଳର ଗୋଲ୍କିପର ଜାସ୍ପର ଡିଜର। କେବଳ ଶୁଟ୍ ଆଉଟ ନୁହେଁ, ସମଗ୍ର ମ୍ୟାଚରେ ସେ ଚମତ୍କାର ଗୋଲ୍ ରକ୍ଷଣ କରିଥିଲେ। ସୂଚନାଯୋଗ୍ୟ, ୨୦୨୩ ସଂସ୍କରଣ ଫାଇନାଲରେ ଜର୍ମାନୀ ୨-୧ ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରି ଟାଇଟଲ ବିଜୟୀ ହୋଇଥିଲା।


