ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ନିିଂ ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ୨ ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।
ଅନ୍ୟପକ୍ଷେ ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ ଓ ଝାରସୁଗୁଡ଼ାରେ କାଳବୈଶାଖୀ ସମ୍ଭାବନା କମ୍ ରହିଛି। ଏପରିକି କାଳବୈଶାଖୀ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏନେଇ ୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି।
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ସାମନ୍ୟ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି ଗୋଟିଏ ହେଲେ ସହର ରହିନାହିଁ। ତେବେ ରାଉରକେଲାରେ ତାପମାତ୍ରା ୩୫ ଡିଗ୍ରୀ ଥିବାରୁ ଏହା ରାଜ୍ୟର ଉତ୍ତପ୍ତ ସହର ଭାବେ ଆଜି ପରିଗଣିତ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୬ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱରରେ ତାପମାତ୍ରା ୩୧.୨ ଡିଗ୍ରୀ ରହିଛି ଥିବା ରେକର୍ଡ କରାଯାଇଛି।

