ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି। ଅଳ୍କକେ ବର୍ତ୍ତିଗଲେ ଚାଳକ। ଏଭଳି ଏକ ଘଟଣା ରାୟଗଡ଼ା ସଦର ବ୍ଲକ ଚାନ୍ଦିଲି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ଜେକେ ସାଇକଲ ଦୋକାନ ମାଲିକ ଏମ୍ ଗୌରୀ ଶଙ୍କର ରାୟଗଡ଼ା କୌଣସି କାମରେ ଆସି ନିଜ ବ୍ୟାଟେରୀ ଚାଳିତ ସ୍କୁଟି(ନଂ ଓଡି୧୮ଜି୪୭୬୪)ରେ ଜେକେପୁର ଫେରୁଥିଲେ। ଭାକୁରଗୁଡାଠାରେ ରାତି ପ୍ରାୟ ୯.୩୦ ସମୟରେ ତାଙ୍କ ସ୍କୁଟିରେ ନିଆଁ ଲାଗିଯାଇଥିଲା। ସେ ସ୍କୁଟି ଚଳାଇ ଯିବା ସମୟରେ ପଛ ପଟୁ ଆସୁଥିବା ବାଇକ ଚାଳକ ଗାଡିରୁ ଧୂଆଁ ବାହାରୁଥିବା ନେଇ କହିଥିଲେ। ଏହାପରେ ଗୌରୀ ଅଟକି ଗାଡିରୁ ଓହ୍ଲାଇ ପଡ଼ିଥିଲେ। ଯାହାକୁ ନେଇ ଗୌରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସ୍କୁଟିଟି ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ରାୟଗଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ।


