ଭେଡେନ,୨।୯(ହୃଷିକେଶ ଖମାରୀ)- ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ପପଙ୍ଗା ପାହାଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ସଲିକି ଗ୍ରାମର ପରମେଶ୍ୱର ଦିଗାଲଙ୍କ ପୁଅ ମାଧବ(୨୨) ବୋଲି ଜଣାପଡିଛି। ଭେଡେନ ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ-୧୦/୨୫) ରୁଜୁ କରିଛି।
ଯୁବକଙ୍କ ମୃତ୍ୟୁର କାରଣ ଜଣାପଡି ନ ଥିବାବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ସାଧାରଣରେ ଆଲୋଚିତ ହେଉଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍ ଏବଂ ମାଜିଷ୍ଟ୍ରେଟ୍ ଭାବରେ ଭେଡେନ ତହସିଲଦାର ଏ. କେ. ନାଏକ ପହଞ୍ଚିଥିଲେ।
ସୂଚନା ଅନୁଯାୟୀ, ପପଙ୍କା ପାହାଡ଼ର ଏକ ଗଛରେ ମୃତ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଧିକ ତଦନ୍ତ ଚାଲୁଛି ବୋଲି ଭେଡେନ ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ଦାଶ କହିଛନ୍ତି।


