ଦେବଗଡ଼,୮।୪(ଶଶାଙ୍କ ଶେଖର ଝାଙ୍କର): ଜିଲା କ୍ରୀଡା ସଂଘ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ସୋମବାର ଅପରାହ୍ନ ୪ଟାରେ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ଏପ୍ରିଲ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶୁଭ ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ନୋମିନୀ ଅରୁଣ ସାହୁ, ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ, ଉପ ଜିଲାପାଳ ପରକ୍ଷିତ ସାହୁ, ଜିଲା କ୍ରୀଡା ଅଧିକାରୀ ତାପସ କୁମାର ମହାନ୍ତ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଉପ ସଭାପତି ଜିଲା କ୍ରୀଡା ସଂଘ ଭୁବନେଶ୍ୱର ପ୍ରଧାନ, ସହକାରୀ ଜିଲାପାଳ ଈଶ୍ୱର ଗୁରୁ, ହେମନ୍ତ ସିଂ ପ୍ରମୁଖ ଯୋଗଦେଇ ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପର ଉଦ୍ଘାଟନ କରିଥିଲେ । ପ୍ରଥମ ମ୍ୟାଚ ମନରମା କ୍ଳବ ଦେବଗଡ଼ ବନାମ ମହାଲକ୍ଷ୍ମୀ କ୍ଲବ କୁରଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲ। ମ୍ୟାଚକୁ ରେଫରି ଭାବେ ମୁକୁନ୍ଦ ବେହେରା, ସୌରଭ କୁମାର ନାୟକ, ଆଲୋକ ବେହେରା, ଭୂପେନ ନାୟକ ପରିଚାଳନା କରିଥିଲେ । ଏହି ମ୍ୟାଚରେ ମନରମା କ୍ଲବ ୫-୦ ଗୋଲରେ ମହାଲକ୍ଷ୍ମୀ କ୍ଲବକୁ ପରାସ୍ତ କରି ବିଜୟ ହୋଇଛି । ଆସନ୍ତା କାଲି ନେତାଜୀ କ୍ଲବ ସୁଗୁଡା ବନାମ ରାଧାକୃଷ୍ଣ କ୍ଲବ ଝରାକଣ୍ଢଳ ମଧ୍ୟରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ଜିଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ ନାୟକ ସଂଯୋଜନା କରିଥିଲେ ।


