ଓ୍ବାଶିଂଟନ,୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଶନିବାର ସାରୁ କାର୍ଯ୍ୟକାରୀ ହୋଇଛି। ଏହି ନିଷ୍ପତ୍ତି ସହିତ, ଆମେରିକା ଏବଂ ଏହି ଦେଶଗୁଡ଼ିକ ମଧ୍ୟରେ ଏକ ବାଣିଜ୍ୟ ଯୁଦ୍ଧ ବା ଟ୍ରେଡ ଓ୍ବାର ଆରମ୍ଭ ହୋଇଛି, ଯାହା ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ବ୍ୟାପିପାରେ। କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରାଯାଇଛି। ଚାଇନାରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ୧୦% ବୃଦ୍ଧି କରାଯାଇଛି। ତଥାପି, କାନାଡାରୁ ଆମଦାନୀ ହେଉଥିବା ତେଲ ଉପରେ କେବଳ ୧୦% ଶୁଳ୍କ ଲାଗୁ ହେବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିବା ପ୍ରଥମ ଶୁଳ୍କ ସେଟରେ ଭାରତର ନାମ ନେଇ ନ ଥିଲେ। ଏହା ପଛରେ ସେ ଉଚ୍ଚ ବାଣିଜ୍ୟ ନିଅଣ୍ଟର କାରଣ ଦର୍ଶାଇଛନ୍ତି। ଟ୍ରମ୍ପ ପ୍ରଶାସନ ଖୁବ ଶୀଘ୍ର କମ୍ପ୍ୟୁଟର ଚିପ୍ସ, ଔଷଧ, ଇସ୍ପାତ, ଆଲୁମିନିୟମ, ତମ୍ବା, ତେଲ ଏବଂ ଗ୍ୟାସ ଆମଦାନୀ ଉପରେ ନୂତନ ଶୁଳ୍କ ଲାଗୁ କରିବାକୁ ଯୋଜନା କରୁଛି। ୟୁରୋପୀୟ ଦେଶଗୁଡ଼ିକ ଉପରେ ମଧ୍ୟ ସମାନ ଅଭିଯୋଗ ଲାଗୁ ହୋଇପାରେ।
ଗବେଷଣା ଏବଂ ସୂଚନା ପ୍ରଣାଳୀ (RIS) ଅନୁଯାୟୀ, ଚାଇନା, ମେକ୍ସିକୋ ଏବଂ କାନାଡା ହେଉଛି ଆମେରିକାର ବାଣିଜ୍ୟ ନିଅଣ୍ଟରେ ସର୍ବାଧିକ ଅବଦାନ ରଖୁଥିବା ଦେଶ। ଚାଇନାର ଅବଦାନ ୩୦.୨ ପ୍ରତିଶତ, ମେକ୍ସିକୋର ୧୯ ପ୍ରତିଶତ ଏବଂ କାନାଡାର ୧୪ ପ୍ରତିଶତ, ଯେତେବେଳେ ଭାରତ ଏହି ତାଲିକାରେ ୯ ନମ୍ବରରେ ଅଛି।


