ତର ସହୁ ନାହିଁ

ତର ସହୁ ନାହିଁ। ଅନୁରାଗର ଆକାଶରେ ସିନ୍ଦୂରା ଫାଟିଲାଣି। ସକାଳ ପରେ ସକାଳର ଜିଜ୍ଞାସା ଖିଅ ଧରୁଛି। ଏଠାରୁ ସେଠାଯାଏ, ସେଠାରୁ ଏଠାଯାଏ, ଏହି ଜିଜ୍ଞାସାର ଖିଅ, ଏହି ଅନୁରାଗ ଆକାଶର ସିନ୍ଦୂରା। ସମାଜ ଏଠି ସଂସାର ଏହି ପୃଥ୍ବୀ ଯାହାକୁ ଯେତେ। ଯାହାର ଅନ୍ତ ଯେତେବଡ଼, ତା’ ଅନୁରାଗ ଆକାଶର ଚଉହଦୀ ସେତେ ବଡ଼। ସେହି ଚଉହଦୀରେ ଗାଁ ଥାଏ ଗାଁ ନ ଥାଏ, ଦେଶ ଥାଏ ଦେଶ ନ ଥାଏ, ସକଳ ଭିଆଣରେ ଆଉ ଏକ ବାସ୍ନା ଭରପୂର ହୋଇ ରହିଥାଏ। ଏହି ସଂସାର ଏହି ପୃଥ୍ବୀରେ କେତେ କେତେ ମଣିଷ ଆତଯାତ ହେଉଥିଲେ ମଧ୍ୟ ଆକାଶର ସିନ୍ଦୂରାକୁ ଅଳପ କେଇଜଣଙ୍କର କେବଳ ହେତୁ ପାଏ। ଅନେକେ ଆଡ଼ ଆଡ଼ ହୋଇ ଉଠନ୍ତି। ହଁ, ଏହିପରି ଅଳପ କେଇଜଣଙ୍କ ଭିତରୁ ଓଡ଼ିଶାର ଚିତ୍ତରଞ୍ଜନ ଦାସ ଥିଲେ (ଚିତ୍ତଭାଇ) ଅନୁରାଗ ଆକାଶରେ ପ୍ରତ୍ୟକ୍ଷ କରୁଥିବା ସକାଳର ବିଭୋର ବାସ୍ନାକୁ ଆଉଜଣେ କତିକୁ ନାଗି ନାଗି ଆସୁଥିବା ସୁହୃଦ୍‌। ସୁହୃଦ୍‌ର ବିଭୋର ମଣିଷ। ଜାତି ଯାଇଥିଲା, ମାତ୍ର ଅଜାତିଆର ଗୌରବପଣରେ ସେ ଥିଲେ ମରମଭେଦୀ। ମରମକୁ ଭେଦୁଥିଲେ, ମରମକୁ ହେଜୁଥିଲେ, ମରମକୁ ହାଣି ସକାଳର ଆକାଶକୁ କେଡ଼େ ବାଗରେ ଫର୍ଚ୍ଚା କରି ଆଣୁଥିଲେ।
ଅବିଭକ୍ତ କଟକ ଜିଲା ବାଗଲପୁର ଅଧିବାସୀ ହାରାମଣି ଦେବୀ ଓ ଖୁସାଲି ଚରଣ ଦାସଙ୍କର ପୁଅ ଚିତ୍ତରଞ୍ଜନ ବଂଶବୁନିଆଦିର ଚିତ୍ତକୁ ରଞ୍ଜନ କରିବା ସହ ମଣିଷର ବଂଶ ବୁନିଆଦି ଆହୁରି କେତେ କେତେ ସମ୍ଭାବନାକୁ ଗୌରବୋଜ୍ଜ୍ୱଳ କରି ଆଣିବ, ତାହାର ଏକ ପ୍ରତିଜ୍ଞାବଦ୍ଧ ନମୁନା ରୂପେ କାଳ କାଳକୁ ନଜିର ହୋଇଯାଇଥିଲେ। କଟକ ଜେଲରେ ସ୍ବାଧୀନତାରେ ବନ୍ଦୀ ଜୀବନ କାଟୁଥିବା ବେଳେ ସେ ଲେଖିଛନ୍ତି ଶତାଧିକ କବିତା। ଏଗୁଡ଼ିକ କେବଳ ଯେ ଲେଖିବା ପାଇଁ ଲେଖାଯାଇଛି ତା’ ନୁହେଁ, ଆଲୁଅକୁ ଆଘ୍ରାଣ କରୁଥିବା ଜଣେ ସମଦରଦୀ ବନ୍ଧୁ ରୂପେ ଏସବୁ କବିତା ତାଙ୍କ ବ୍ୟଥିତ ପ୍ରାଣାକାଶର ନମୁନା।
ଦେଶ ସ୍ବାଧୀନ ହେଲା। ଜଣେ ତରୁଣ ସେତେବେଳେ ଅନେକ ସ୍ବପ୍ନର ଅଧିକାରୀ ଦେଶପାଇଁ। ଦେଶ ଓ ଦଶ ତାଙ୍କ ପାଇଁ ସ୍ବପ୍ନର କେତେକ ଶବ୍ଦ ପୁଞ୍ଜ ନ ଥିଲେ। ଏହି ଭୂଇଁକୁ କେନ୍ଦ୍ର କରି ତାଙ୍କ ଅଭୀପ୍‌ସାର ମହିମା ଉକୁଟି ଉଠୁଥିଲା। ସେଥିଲାଗି କେନ୍ଦ୍ର ସରକାରଙ୍କ ବାରବାର ବିଦେଶ-ସେବାର ଅନୁରୋଧ ପତ୍ରକୁ ସେ ପ୍ରାପ୍ତି-ସ୍ବୀକାର କରୁ ନ ଥିଲେ। ଜଣେ ଶିକ୍ଷକର ବାସ୍ନାକୁ ସେ ଆତ୍ମସ୍ଥ କରିସାରିଥିଲେ ସେତେବେଳକୁ। ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କର ମମତା ଅଙ୍ଗନରେ ସେ ଶିକ୍ଷାର ଜୀବନକୁ ବିଦ୍ୟାଳୟ ରୂପରେ ପ୍ରକାଶ ଦେବାପାଇଁ ମଗ୍ନ ମଣିଷର ଭୂମିକା ନିର୍ବାହ କରୁଥିଲେ।
ଦେଶ ସ୍ବାଧୀନତା ସମୟର ସକାଳ ସରିଆସି ସଞ୍ଜ ଆସି ଯାଉଥିଲା କି! ମାତ୍ର ଚିତ୍ତରଞ୍ଜନ ସକାଳ ଓ ସଞ୍ଜର ମିତପଣକୁ ସାଉଁଟି ନେଉଥିଲେ ଝରା ଶେଫାଳୀକୁ ତୋଳିଧରିଲା ପରି। କେତେ କେତେ ଲୋଭ ଓ ଉପଦ୍ରବର ଫଟାଭୂଇଁକୁ ଆର୍ଦ୍ରକରି ଆଣିବାରେ ଚିତ୍ତରଞ୍ଜନ ନିଜ ‘କତି’ ପଣର ଖୁବ୍‌ ଭାଗୀଦାରି କରାଇପାରିଛନ୍ତି। ଏଥିରେ ଓଡ଼ିଶାରେ ହାତଗଣତି କେଇଜଣ ତାଙ୍କୁ ବୁଝିଛନ୍ତି, ମାତ୍ର ଅନେକଙ୍କୁ ବୁଝାଇଛନ୍ତି ଜୀବନର ଶେଷ ନିଃଶ୍ୱାସ ରଖିବା ପର୍ଯ୍ୟନ୍ତ।
ହଁ ଏକଥାକୁ ଦେଖି ହେଉଥିଲା ଯେ, ଚିତ୍ତରଞ୍ଜନ ଯେତିକି ପରିମାଣରେ ସାବଲୀଳ ଥିଲେ, ତା’ଠାରୁ ଅନେକ ବେଶି ଥିଲେ ଗତିଶୀଳ। ଝଲକାଏ ଖରାରେ ସେ ଲାଗୁଥିଲେ କେତେ ଉଜ୍ଜ୍ୱଳ ସମସ୍ତଙ୍କ ଭିତରେ, ସମସ୍ତଙ୍କ ଅଲକ୍ଷ୍ୟରେ। ଏହି ଗତିଶୀଳ ଜୀବନ ପଣରେ ଶ୍ରୀଅରବିନ୍ଦ, ରବୀନ୍ଦ୍ର ନାଥ, ଗାନ୍ଧୀ, ସ୍ପିନୋଜା, କ୍ରିଷ୍ଣେନ୍‌ କଲ୍‌ଲ ପ୍ରମୁଖଙ୍କୁ ଯେମିତି ହୃଦୟଗ୍ରାହୀ କରି ବାଣ୍ଟିଦେଉଥିଲେ, ତାହା ଭିଡ଼ ଭିତରର ମଣିଷଙ୍କୁ ସତରେ ଅନେକ ଦୂର। ଯହୁଁ ଯହୁଁ ଖରା ବଢ଼ୁଥିଲା, ଚିତ୍ତରଞ୍ଜନ ଅଣନିଃଶ୍ୱାସୀ ହୋଇଯାଉଥିଲେ ମାତ୍ର ତାଙ୍କ ଆଲୋଚନା ଓ ଆବେଦନ ତର ସହୁ ନ ଥିଲା। ମନେପକାଇ ଗୋଟି ଗୋଟି କରି ଖୋଜୁଥିଲେ, ଏ ମୁଣ୍ଡରୁ ସେମୁଣ୍ଡ ଯାଏ, ଏ କାନିରୁ ସେ କାନି ଯାଏ। ସକାଳର ମହିମାରେ, ସକଳର ପ୍ରାର୍ଥନାରେ।
ପୁରୁଣା ଭୁବନେଶ୍ୱର
ମୋ:୮୨୪୯୬୫୭୭୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri