ଦୁର୍ଦ୍ଦିନର ଜୟଗାନ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଦୁଃସମୟର ଆୟୁଷ ବେଶ୍‌ ଲମ୍ବା ଜଣାପଡ଼େ, ଯେତେବେଳେ ସୁସମୟ ବିଜୁଳି ଝଟକିଲା ଭଳି ଆସେ ଓ ନିମିଷକେ ପୁଣି ଉଭାନ୍‌ ହୋଇଯାଏ। କଥାଟି ମନସ୍ତାତ୍ତ୍ୱିକ ପର୍ଯ୍ୟାୟର ହେଲେ ବି ଏହାର ବାସ୍ତବତାକୁ ଅସ୍ବୀକାର କରିହେବ ନାହିଁ। ଅତୀତର ଅତଳ ଗର୍ଭରେ ହଜି ଯାଇଥିବା ଉଭୟ ସୁଦିନ ଓ ଦୁର୍ଦ୍ଦିନ କାଳଚକ୍ରର ଆବର୍ତ୍ତରେ ଅହରହ ଘୂରୁଥିବା ମଣିଷ ପାଖକୁ ଫେରିଆସେନା ସିନା, ମଣିଷଟିଏ କିନ୍ତୁ ଅନାୟାସରେ ଫେରିଯାଇପାରେ ସେଇ ସବୁ ଗଲା କଥା ନିକଟକୁ। ବର୍ତ୍ତମାନ ମଧ୍ୟରୁ ନିଜ ମନଟିକୁ ଟିକେ ମୁକୁଳାଇ ନେଇ ପଛକୁ ଫେରି ଚାହିଁଲେ ଚଳଚ୍ଚିତ୍ରର ଭାସମାନ ଦୃଶ୍ୟରାଜି ପରି ମାନସପଟରେ ଭାସିଉଠେ ଗତାୟୁ ଅତୀତ। ବର୍ତ୍ତମାନର ଉଜ୍ଜ୍ୱଳ ଆଲୋକରେ ଆଲୋକିତ ନିଜ ଚିହ୍ନା ଚେହେରାଟି କେମିତି ଅଚିହ୍ନା ମନେହୁଏ ଅନ୍ଧାରି ଅତୀତର ଆଇନା ମଧ୍ୟରେ। ପରିଚୟର ଭିନ୍ନ ପ୍ରକାରଭେଦ ମଧ୍ୟରେ ମନରେ ପ୍ରଶ୍ନ ଉଠେ- ”ମୁଁ ସେଇ ଲୋକ ତ ନା ଆଉ କେହି ଜଣେ ମୋତେ ମୋ ଭିତରୁ ନିକାଲି ଦେଇ ଆସ୍ଥାନ ଜମାଇ ଦେଇଛି!“
କିଏ ଜଣେ କହିଥିଲେ ପରା, ‘ସୁଖର ଦିନସବୁ ସେୟା, ଯାହାକୁ ଏକାନ୍ତରେ ଝୁରି ନିରୋଳାରେ ବାହୁନି ହୁଏ’। ମାତ୍ର ଅଭିଶପ୍ତ ଅତୀତର ଦୁର୍ଦ୍ଦିନ ସବୁକୁ ଝୁରି ହେବାର ଦୃଷ୍ଟାନ୍ତ ପ୍ରାୟତଃ ବିରଳ। ତେବେ ତାହା ସୁଖର ଦିନ ହେଉ କି ଦୁଃଖର ଦୁର୍ଦ୍ଦିନ, ବିତି ଯାଇଥିବା ଦିନଗୁଡ଼ିକୁ ଅତୀତ କହି ଯେତେ ମୁହଁ ଫେରାଇନେଲେ ବି ବେଳେବେଳେ ଇତିହାସ ପାଲଟି ଯାଇଥିବା ନିଷ୍ପ୍ରଭ ଅତୀତ ସ୍ମୃତି ଦେହରେ ପିଟି ହୋଇଯା’ନ୍ତି। କେଇ ମୁହୂର୍ତ୍ତ ପାଇଁ କେମିତି ଏକ ଅନିର୍ବଚନୀୟ ଅନୁଭବରେ ଅସ୍ଥିର ହୋଇଉଠେ ମଣିଷର ମନ। ଧନଶାଳୀ ବାଦଶାହରୁ କାଙ୍ଗାଳ ବନି ଯାଇଥିବା ହତଭାଗ୍ୟ ଜଣେ ତା’ ଗତାୟୁ ଗୌରବଗାଥାକୁ ଯେମିତି ଝୁରିହୁଏ, ସେମିତି ତା’ ଅନ୍ଧାରି ଅତୀତର କରୁଣ ସ୍ମୃତିରେ ସଙ୍କୁଚିତ ହୁଏ ଧୂଳିରୁ ଉଠି ଆକାଶରେ ଉଡ଼ୁଥିବା ଭାଗ୍ୟବାନ୍‌ ଜଣେ। କେବଳ ପ୍ରଭେଦ ଏତିକି ଆକାଶରୁ ପଡ଼ି ଭୂଇଁରେ ଗଡ଼ୁଥିବା ହତଭାଗ୍ୟମାନେ ସେମାନଙ୍କ ବିଗତ ଦିନର ଉଜ୍ଜ୍ୱଳ ସ୍ମୃତିକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରୁଥିଲା ବେଳେ ଭୂଇଁରୁ ଉଠି ଆକାଶରେ ଉଡ଼ୁଥିବା ଭାଗ୍ୟବାନ୍‌ମାନେ ଅନ୍ୟମାନଙ୍କଠୁଁ ଲୁଚାଇ ରଖନ୍ତି ନିଜ ନିଜର ଅନ୍ଧାରି ଅତୀତ।
ବଡ଼ ବିଚିତ୍ର ଆମ ଇତିହାସ। ବଡ଼ ବିଚିତ୍ର ବି କ୍ଷେତ୍ର ବିଶେଷରେ ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଚରିତ୍ର। ଏଠି ସିଂହାସନ ଆରୋହଣ କରି ପାଞ୍ଚାଳ ନରେଶ ବୋଲାଇଲା ପରେ ବାଲ୍ୟବନ୍ଧୁ ଦ୍ରୋଣଙ୍କୁ ଚିହ୍ନିବାକୁ ଅସ୍ବୀକାର କରିଥିବା ଦ୍ରୁପଦ ଅଛନ୍ତି ତ ଦ୍ୱାରିକାଧିପତି ଭାବେ ବିଶ୍ୱବନ୍ଦିତ ହେଲା ପରେ ବି ସହପାଠୀ ସୁଦାମାଙ୍କୁ କୋଳେଇ ନେବାରେ ଅପୂର୍ବ ତୃପ୍ତି ଲାଭ କରିଥିବା କୃଷ୍ଣ ବି ଅଛନ୍ତି! ପୁଣି ଗୋଟିଏ ବିଭାଗର ଶାସନ ସଚିିବ ହେଲା ପରେ ନିଜ ଗଁାସ୍କୁଲର ଶିକ୍ଷକଙ୍କୁ ଚିହ୍ନିବାରେ ଅସାମର୍ଥ୍ୟ ପ୍ରକାଶ କରିଥିବା ପ୍ରଶାସକ ଅଛନ୍ତି ତ ଭାରତର ରାଷ୍ଟ୍ରପତି ହେଲା ପରେ ବି ନିଜ ପ୍ରାଥମିକ ପାଠଶାଳାର ବୃଦ୍ଧ ଅବଧାନଙ୍କୁ ନତଜାନୁ ହୋଇ ପ୍ରଣାମ କରିଥିବା ଅବଦୁଲ କଲାମ ବି ଅଛନ୍ତି! ଇତିହାସର ଏହି ବିବିଧବର୍ଣ୍ଣ ବୈଚିତ୍ର୍ୟ ମଧ୍ୟରେ ସବୁଠୁ ବୋଧହୁଏ ବଡ଼ ବୈଚିତ୍ର୍ୟ ହେଉଛି ବର୍ତ୍ତମାନର ଆଲୋକ ମଧ୍ୟରେ ନିଜ ଅନ୍ଧାରି ଅତୀତକୁ ଅତି ଗୌରବର ସହ ସ୍ମରଣ କରିବା। କେବଳ ସ୍ମରଣ କରିବା ନୁହେଁ, ଅତ୍ୟନ୍ତ ଆବେଗର ସହ ତାହାକୁ ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା।
ଘରେ ବାସିପଖାଳ ଖାଇ ବାହାରେ ପଲାଉ ଖାଇଥିବାର ମିଥ୍ୟା ପ୍ରୌଢ଼ି ବଖାଣୁଥିବା ଲୋକମାନଙ୍କ ଦୁନିଆରେ ଗ୍ରୀନ୍‌ରୁମର ଚେହେରାଠାରୁ ମଞ୍ଚର ପାଉଡରମଖା ମୁହଁର ଯେଉଁଠି ବେଶି ଆଦର, ସେଠି ପ୍ରାଚୁର୍ଯ୍ୟ, ପ୍ରତିଷ୍ଠା ଓ ପତିଆରାର ଶୀର୍ଷତମ ସୋପାନରେ ଥାଇ ବି ନିଜ ଅତୀତ ଦୁର୍ଦ୍ଦିନର ଜୟଗାନ କରିବା ଏକ ବୈଚିତ୍ର୍ୟ ନୁହେଁ ତ ଆଉ କ’ଣ! ସେମାନଙ୍କ ସୁସ୍ଥ ଓ ସ୍ବଚ୍ଛଳ ବର୍ତ୍ତମାନ ପଛରେ ଯେ ଦିନେ ଅତ୍ୟନ୍ତ ଅସୁସ୍ଥ ଅତୀତଟିଏ ଥିଲା, ଏକଥା ସର୍ବଜନ ସମ୍ମୁଖରେ ପ୍ରକାଶ କରିବା ପ୍ରକୃତରେ ଏକ ବିଚିତ୍ର ଆବେଦନ, ଏକ ଆଶ୍ଚର୍ଯ୍ୟ ଆତ୍ମକଥନ। କଳିଙ୍ଗର ରାଜଉଆସ ମଧ୍ୟରେ ଗଜଦନ୍ତ ପଲଙ୍କରେ ଶୋଇ ରହି ଗଜପତି କପିଳେନ୍ଦ୍ର ଦେବ ଟିକେ ପଛକୁ ଫେରିଚାହିଁ ଯେମିତି ଦେଖୁଥିଲେ ଗଲାକାଲିର ଗାଈଆଳ କପିଳାକୁ, ସେମିତି ମଧ୍ୟ ଦେଖିପାରୁଥିଲେ ଦୁର୍ଦ୍ଦିନର ଏକ ବାରବୁଲା ବ୍ରାହ୍ମଣ ବାଳକକୁ ମଗଧର ମହାମନ୍ତ୍ରୀ ଚାଣକ୍ୟ। ଏମିତି ପଛକୁ ଫେରିଚାହିଁ ଅତୀତର ଅନ୍ଧାର ଦେଖିବାରେ ସେମାନଙ୍କୁ କ’ଣ ମିଳୁଥିଲା କେଜାଣି, ଏଯାଏଁ ବି କିଛି ଲୋକ ଉଜ୍ଜ୍ୱଳ ରାଜମାର୍ଗରେ ଆଗକୁ ମାଡ଼ିଚାଲୁଥିଲା ବେଳେ ରହି ରହି ପଛକୁ ଫେରି ଚାହାନ୍ତି। ରୋମନ୍ଥନ କରନ୍ତି ଅତୀତର ଅଭିଶପ୍ତ ଅଧ୍ୟାୟକୁ। ଅପର୍ଯ୍ୟାପ୍ତ ଅଶ୍ରୁ, ଆବେଗ, ଆନନ୍ଦ ଓ ଆଶ୍ୱସ୍ତି ପ୍ରକାଶ କରି ସେମାନେ ସେହି ଅତୀତକୁ ସ୍ମରଣ କରନ୍ତି ଓ ସ୍ମରଣ କରିବା ମଧ୍ୟରେ ଜୀବନର ଜୟଗାନ କରନ୍ତି। ଏହି ଜୟଗାନର ଭିନ୍ନ ଭିନ୍ନ ରୂପ ହୋଇଥିଲେ ହେଁ ସ୍ବର କିନ୍ତୁ ପ୍ରାୟତଃ ସମାନ। କେଉଁଠି ମୟୂରଭଞ୍ଜର ପୂର୍ବତନ ଜିଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ସ୍ବର ପରି ତ ଅନ୍ୟ କେଉଁଠି ଗଞ୍ଜାମର ଏବେକାର ଜିଲା ମାଜିଷ୍ଟ୍ରେଟ ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ବର ପରି।
ଭାରତୀୟ ପ୍ରଶାସନିକ ସେବା ବା ଆଇ.ଏ.ଏସ୍‌. କୁହାଯାଉଥିବା ପରୀକ୍ଷାରେ ଥରେ ସଫଳ ହୋଇଗଲେ ମଣିଷର ଚେହେରା ଓ ଚରିତ୍ର ବଦଳିଯାଏ ବୋଲି କେତେକ ମତ ଦିଅନ୍ତି। କହନ୍ତି- ପଦବୀ, ପ୍ରତିଷ୍ଠା ଓ କ୍ଷମତା ହାତକୁ ଆସିଲେ ମଣିଷର ପରିଚୟ ବଦଳି ‘ହାକିମ’ ହୋଇଯାଏ। ଆକାଶରେ ଉଡ଼ିବାର ଏମିତି ଅଧିକାର ମିଳିଯାଏ ଯେ, ଆଖିକୁ ଭୂଇଁ ଦେଖାଯାଏନା। କଥାଟି କେତେକ କ୍ଷେତ୍ରରେ ଅସତ୍ୟ ନୁହେଁ ବୋଲି ବେଶ୍‌ କିଛି ଦୃଷ୍ଟାନ୍ତ ଆଖିରେ ପଡ଼େ। ମାତ୍ର ରାଜେଶ ପ୍ରଭାକର ପାଟିଲଙ୍କ ପରି ହାକିମଙ୍କ ଆତ୍ମଆଲେଖ୍ୟ ଯେଉଁମାନେ ପଢ଼ିଛନ୍ତି, ସେମାନଙ୍କୁ ସ୍ବୀକାର କରିବାକୁ କଷ୍ଟହେବନି ଯେ ସବୁ ହାକିମ ଏକାପରି ନୁହନ୍ତି। ନିଜ ଶୀର୍ଣ୍ଣ ଶୈଶବର ଦାରିଦ୍ର୍ୟ ସହ ଲଢ଼ି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାର ଦୁର୍ବାର ଆତ୍ମପ୍ରତ୍ୟୟ ଓ ପ୍ରାଣମୟ ପ୍ରଚେଷ୍ଟାର ଜୀବନ୍ତ ପ୍ରତିବିମ୍ବ ପରିସ୍ଫୁଟିତ ହୋଇଛି ତାଙ୍କର ସେହି ଅଭିନବ ଆତ୍ମଆଲେଖ୍ୟରେ। ମୂଳ ମରାଠୀ ଭାଷାରେ ଲିଖିତ ତାଙ୍କର ଏହି ଅନବଦ୍ୟ ଆତ୍ମକାହାଣୀର ଓଡ଼ିଆ ରୂପାନ୍ତର ହେଉଛି, ”ମା’! ମୁଁ କଲେକ୍ଟର ହେଲି“।
ଜନ୍ମଭୂମି ମହାରାଷ୍ଟ୍ର ହେଲେ ବି କର୍ମଭୂମି ଓଡ଼ିଶା ହୋଇଥିବାରୁ ପୁସ୍ତକଟିର ଓଡ଼ିଆ ରୂପାନ୍ତର ଓଡ଼ିଆ ପାଠକଙ୍କୁ ପ୍ରଭାକର ପାଟିଲଙ୍କ ହାକିମ ହେବାର ପୂର୍ବାବସ୍ଥା ସହ ପରିଚିତ କରାଇଥିଲା। ଜଣାଇଥିଲା ଯେ, ସୁଖର ଦୁନିଆ ଭିତରେ ଥାଇ ବି ଦୁଃଖର ଦୁର୍ଦ୍ଦିନକୁ ମଧ୍ୟ ସମ୍ମାନର ସହ ସ୍ମରଣ କରାଯାଇପାରେ। ‘ଏକାନ୍ତ ବ୍ୟକ୍ତିଗତ’ କହି ତାକୁ ନିଜ ଭିତରେ ଲୁଚାଇ ନ ରଖି ସମସ୍ତଙ୍କ ସହ ବାଣ୍ଟିବାରେ ବି ବଡ଼ପଣ ଥାଏ। ପୁସ୍ତକଟିରେ ଠାଏ ଲେଖକ କହିଛନ୍ତି- ”କେମିତି ଭୁଲିବି ସେ କଥା। ବାପା ମା’ କେତେ କଷ୍ଟରେ ପର କ୍ଷେତରେ ଚାଷ କରି ମୋତେ ପ୍ରତିପାଳିତ କରିଛନ୍ତି। ପାଠପଢ଼ାର ପାହାଚ ପରେ ପାହାଚ ଅତିକ୍ରମ କରି ଉପରକୁ ଉଠୁ ଉଠୁ କେତେଥର ଅଟକି ଯାଇଥିବା ମୋ’ ପାଦଯୋଡ଼ିକୁ ଦମ୍ଭ ଦେଇ ଆଗକୁ ବଢ଼ାଇ ନେଇଛନ୍ତି। ଜନ୍ମବେଳେ ମଗଜରେ ମେଞ୍ଚାଏ ମେଧା ଖୁନ୍ଦିଖାନ୍ଦି ଭରି ରହିଥିଲେ ବି ପରିବାର ପାଇଁ ଖାଦ୍ୟ ସଂଗ୍ରହ କରିବା ହିଁ ଥିଲା ମୋ ଶୈଶବର ଆଖିଦେଖା ଆହ୍ବାନ। ଆଜି ଆଇ.ଏ.ଏସ୍‌. ଅଫିସର ହୋଇ କଲେକ୍ଟର ବନିଗଲି ବୋଲି ସେଇ ସବୁ ଦୁର୍ଦ୍ଦିନକୁ ପାସୋରିଯିବି କେମିତି?“
ସମ୍ପ୍ରତି ଗଞ୍ଜାମର କଲେକ୍ଟର ଥିବା ଓ କରୋନା ସଙ୍କଟକୁ ବେଶ୍‌ ସଫଳ ଭାବେ ମୁକାବିଲା କରି ବେଶ୍‌ ନଁା କମାଇଥିବା ଆଉ ଜଣେ ଆଇ.ଏ.ଏସ୍‌. ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ କାହାଣୀ ଆହୁରି ରୋଚକ ଓ ମାର୍ମିକ। ଦିନମଜୁରିଆ ମାତାପିତାଙ୍କ ଦାରିଦ୍ର୍ୟ ଭିତରେ ପ୍ରତିପାଳିତ ହୋଇ ବି ସେ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିଲେ। ଏହି ବ୍ୟୟସାପେକ୍ଷ ବିଦ୍ୟା ପାଇଁ ନିଜର ସମ୍ବଳ ନାହିଁ ବୋଲି ବାପା ସ୍ପଷ୍ଟ ମନା କରିଦେଲା ପରେ ଶିକ୍ଷକଟିଏ ହୋଇ ନିଜକୁ ବୁଝାଇନେଲେ ପୁଅ। ମାତ୍ର ଆଇ.ଏ.ଏସ୍‌. ପାଇ କଲେକ୍ଟର ହେବା ଯାହାଙ୍କ କପାଳରେ ଲେଖା, ସେ ବା କାହୁଁ ଖାତା କଲମ ବା ଚକ୍‌ ଡଷ୍ଟର ସହ ଜୀବନ ବିତାଇଥା’ନ୍ତେ! ବିଜୟ ପଥରେ ଯାଇ ଅମୃତର ଆସ୍ବାଦନ କରିବା ମଧ୍ୟରେ ସେ କିନ୍ତୁ ଭୁଲି ନ ଥିଲେ ନିଜ ଶୈଶବ ଓ ତାରୁଣ୍ୟର ଦାରିଦ୍ର୍ୟ କବଳିତ ବିଷାକ୍ତ ଅତୀତ! ସାର୍ଥକତା ପରେ ବି ଗୌରବ ଓ ଆନନ୍ଦର ସହ ପଛକୁ ଫେରିଚାହିଁବା ସମସ୍ତେ କରିପାରନ୍ତି ନାହିଁ। ଚିଙ୍ଗୁଡ଼ି ଚିକେନ୍‌ରେ ବୁଡ଼ି ରହିଲା ପରେ ବଡ଼ିପୋଡ଼ା ପଖାଳର ସ୍ମୃତି ଖୁବ୍‌ କମ୍‌ ଲୋକଙ୍କୁ ଉଚ୍ଚାଟ କରିଥାଏ। ଆଉ ଯେଉଁମାନଙ୍କୁ କରିଥାଏ, ସେମାନେ କେବଳ ନିଜ ମଧ୍ୟରେ ନିଜେ ଆପଣାର ଅନ୍ଧାରି ଅତୀତର ସ୍ମୃତିଚାରଣ କରନ୍ତି ନାହିଁ, ବରଂ ସେଇ ଦୁର୍ଦ୍ଦିନର ଜୟଗାନ କରି ବିଜୟ ଅମୃତାଙ୍କ ପରି ଲେଖନ୍ତି ନିଜର ଆତ୍ମଲେଖ- ‘ଆଜି ଦିନଟି ମୋର’!
ସାଧୁତା ଓ ବୁଦ୍ଧିମତ୍ତାରେ ରାଜାଙ୍କର ମନ ଜିଣି ଦରିଦ୍ର ମେଷପାଳକ ଜଣେ ଦିନେ ରାଜ୍ୟର ମହାମନ୍ତ୍ରୀ ହୋଇଗଲା। ପ୍ରତିଦିନ ରାଜକୀୟ ବେଶପୋଷାକ ପିନ୍ଧି ରାଜଦରବାରକୁ ଯିବା ପୂର୍ବରୁ ସେ ନିଜ ସିନ୍ଦୁକ ଖୋଲି ଟିକେ ଚାହିଁବା ପରେ ଘରୁ ଗୋଡ଼ କାଢ଼ୁଥିଲେ। ତା’ ସୌଭାଗ୍ୟରେ ଆତଙ୍କିତ ଈର୍ଷାଳୁ ପାରିଷଦବର୍ଗ ଦିନେ ରାଜାଙ୍କୁ କହିଲେ, ”ମହାରାଜ! ସାଧୁ ବୋଲାଉଥିବା ଆପଣଙ୍କ ନୂଆମନ୍ତ୍ରୀ ରାଜକୋଷରୁ ଅର୍ଥ ତୋସରପାତ କରି ନିଜ ସିନ୍ଦୁକ ଭରୁଛନ୍ତି।“ ଗୋଜା ରାଜା ପ୍ରତ୍ୟକ୍ଷ ପ୍ରମାଣ ପାଇଁ ଦିନେ ନୂଆମନ୍ତ୍ରୀଙ୍କ ଘରେ ପହଞ୍ଚତ୍ଗଲେ ଓ ସିନ୍ଦୁକ ଖୋଲିବାକୁ କହିଲେ। କୁଣ୍ଠିତ ମନ୍ତ୍ରୀ ସିନ୍ଦୁକ ଖୋଲି ଦେଖାଇଲେ ତାଙ୍କ ପୁରୁଣା ଦିନର ଛିନ୍ନ ପରିଧାନ ଓ ମେଣ୍ଢାପଲକୁ ଆକଟ କରୁଥିବା ବାଡ଼ିଟିଏ। କହିଲେ, ”ଏଇ ଏତକ ସମ୍ପଦ ହିଁ ହେଉଛି ମୋର ଅସଲ ଅତୀତ। ରାଜକାର୍ଯ୍ୟ ସମ୍ପାଦନ କରିବା ମଧ୍ୟରେ କାଳେ କେତେବେଳେ ମନ୍ତ୍ରିତ୍ୱର ଏହି ମୁକୁଟ ମୋତେ ଅବାଟରେ ନେଇଯିବ, ସେଥିପାଇଁ ଘରୁ ଯିବା ପୂର୍ବରୁ ଓ ଆସିବା ପରେ ମୁଁ ଏତକ ସମ୍ପଦ ଉପରେ ଆଖି ପକାଇଦିଏ। ଜୀର୍ଣ୍ଣ ପୋଷାକ ମଧ୍ୟରେ ଲୁଚି ରହିଥିବା ମୋର ଶୀର୍ଣ୍ଣ ଅତୀତ ବାରମ୍ବାର ମୋତେ ସଂଯତ କରି ଦେଉଥାଏ ବର୍ତ୍ତମାନର ବଡ଼ିମା ଭିତରେ ବୁଡ଼ି ନ ଯିବା ପାଇଁ“। ରାଜା ଏକ ମୁଗ୍ଧ ଅନୁଭବରେ କାନ୍ଦି ପକାଇଲେ।
କାହାଣୀର ଏଇ ମନ୍ତ୍ରୀଙ୍କର ଅନୁଭବ ପରି ବୋଧହୁଏ ହୋଇଥିବ ଆମ ଦୁଇ ହାକିମଙ୍କ ଅନୁଭବ। ପ୍ରକୃତରେ କେଡ଼େ କଥା ନ ହୁଅନ୍ତା, ଯଦି ବର୍ତ୍ତମାନର ଝଲମଲ ପୋଷାକ ପିନ୍ଧି ସାମନ୍ତ ବୋଲାଉଥିବା ମହାମହିମଙ୍କ ସ୍ମୃତି ସିନ୍ଦୁକରେ ସଂଜୀବିତ ହୋଇ ରହନ୍ତା ମଲା ଅତୀତର ମଇଳା ପୋଷାକ। ପରିଧାନ ସହ ପରିବେଶ ବଦଳିଗଲେ ମଧ୍ୟ ମଣିଷର ପରିଚୟ ବଦଳିଯାଆନ୍ତା ନାହିଁ। ଅନ୍ଧ ଅହମିକାର ଅଗ୍ନିରେ ଜଳିଯାଆନ୍ତା ନାହିଁ ମଣିଷର ମଣିଷତ୍ୱ। ନ ହେଲେ କିଏ ଜାଣେ! ଫକିରରୁ ରାଜେନ୍ଦ୍ରାସନରେ ବସିଥିବା ଲୋକ ଦିନେ ପୁଣି ଫକିର ହୋଇ ନ ଯିବ। ଦୁଃଖ, ସୁଖ, ହସକାନ୍ଦ ଓ ଅଭାବ ଐଶ୍ୱର୍ଯ୍ୟକୁ ନେଇ ଅହରହ ଘୂରି ଚାଲିଥିବା ସମୟର ଚମତ୍କାରୀ ଚକ୍ର ପୁଣି ଦିନେ ସେଇ ଅନ୍ଧାରି ଅତୀତ ନିକଟରେ ଅଟକି ନ ଯିବ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri