ଇରାନ୍ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ ଏକ ଝଟକା ଭାବେ ଲାଗିବା କଥା। ଦେଶ ଭିତରେ ଗଣମାଧ୍ୟମ ଦ୍ୱାରା ଅସତ୍ୟ ପ୍ରଚାର କରାଇ ଏକ ଧାରଣା ସୃଷ୍ଟି କରାଯିବାର ଉଦ୍ୟମ ଚାଲୁ ରହିଛି, ଯେଉଁଥିରେ କୁହାଯାଉଛି ଯେ, ଇରାନ୍ ସହିତ ଭାରତର ସୁସମ୍ପର୍କ ଏବେ ମଧ୍ୟ ବଳବତ୍ତର ରହିଛି। ତେବେ ଏହି ସ୍ତମ୍ଭରେ ପୂର୍ବରୁ ଲେଖିଛେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ମାନିବାକୁ ଯାଇ ଭାରତ ଯେଉଁଭଳି ଚବାହାର ବନ୍ଦର ଦାୟିତ୍ୱରୁ ହଠାତ୍ ଓହରିଗଲା, ତାହା ଇରାନ୍ ସରକାର ମନରେ ବଡ଼ ଆଘାତ ଲଗାଇଥିବ। ସାଧାରଣରେ ଏହିଭଳି ବଡ଼ ଧରଣର ଭିତ୍ତିଭୂମି ନିର୍ମାଣ କରିବାର ଦାୟିତ୍ୱ ନେଇଥିବା ଦେଶ ଓହରି ଯାଆନ୍ତି ନାହିଁ। ଯଦି ବିନା କାରଣରେ ଓହରି ଯିବେ ତେବେ ଦୁଇ ଦେଶ ମଧ୍ୟରେ ସେ ଯେକୌଣସି ଦେଶ ହୋଇଥାଉ, ସମ୍ପର୍କ ବିଗିଡ଼ିଯିବା ସ୍ବାଭାବିକ। ତେଣୁ ଭାରତ ସାଙ୍ଗରେ ଏବେ ଇରାନ୍ ବନ୍ଧୁତ୍ୱ ନିଶ୍ଚିତଭାବେ ମାଡ଼ ଖାଇଛି।
ଭାରତର ଦୁଇ ପଡ଼ୋଶୀ, ପାକିସ୍ତାନ ଓ ଚାଇନା, ଇରାନ୍ ଯୁଦ୍ଧରୁ ଲାଭବାନ୍ ହୋଇଛନ୍ତି। ଚାଇନା ଯେଉଁଭଳି ବିରାଟକାୟ ପତାକା ଉଡ଼ାଇ ତାହାର ତୈଳବାହୀ ଜାହାଜ ହର୍ମୁଜ ଜଳପଥ ଦେଇ ଯିବାଆସିବା କରାଉଛି, ଅନ୍ୟ କୌଣସି ଦେଶ ସେଭଳି ଶକ୍ତି ପ୍ରଦର୍ଶନ କରିବାରେ ଅସମର୍ଥ। ଅବଶ୍ୟ ସେଇ ପାଖାପାଖି ଅଞ୍ଚଳରେ ଚାଇନାର ୪୮ତମ ନୌଭେଳା ଉପସ୍ଥିତ ଅଛି। ଦରକାର ପଡ଼ିଲେ କାମରେ ଲାଗିବ। ଅନ୍ୟପଟେ ଆମେରିକା ନୌସେନାର ଜାହାଜ ହର୍ମୁଜ ପାଖରେ ଗଦା ହୋଇ ରହିଛନ୍ତି। ଏତେ ଶକ୍ତିଶାଳୀ ହୋଇଥିବା ସତ୍ତ୍ୱେ ଆମେରିକା କୌଣସିଭାବେ ଚାଇନା ପତାକା ଉଡ଼ାଯାଉଥିବା ଜାହାଜକୁ ରୋକି ପାରୁନାହିଁ। ଗୋଟେପଟେ ଭାରତର ପଡ଼ୋଶୀ ଚାଇନାର ବଳ ପ୍ରଦର୍ଶନ ହେଉଥିବା ବେଳେ ଅନ୍ୟପଟେ ସମଗ୍ର ବିଶ୍ୱ ଦେଖିଲା ପାକିସ୍ତାନର କୂଟନୈତିକ ସଫଳତା। ଉଭୟ ଇରାନ୍ ଓ ଆମେରିକାକୁ ଗୋଟିଏ ଟେବୁଲରେ ବସାଇବାର ଶକ୍ତି କେବଳ ଇସ୍ଲାମାବାଦର ଅଛି ବୋଲି ପ୍ରମାଣିତ ହୋଇଗଲା। ଅବଶ୍ୟ ଭାରତକୁ ଦେଖିଲେ କହିହେବ ଯେ, କେତୋଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ଭୋଟ ମାଡ଼ି ଆସୁଥିଲା। ମନେରଖିବାକୁ ହେବ ଯେ, ଭାରତୀୟ ନେତାଙ୍କ ପାଇଁ ଭୋଟରେ ଜିତିବା ସବୁବେଳେ ସର୍ବଉପରେ ରହିଥାଏ। ଭାରତରେ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନ୍ୟ କିଛି ହେବା ଅସମ୍ଭବ। ଅନ୍ୟ ଦେଶରେ ବିଶ୍ୱ କଥା ଚିନ୍ତା କରାଯାଇ ସମୟ ବ୍ୟର୍ଥ କରୁଥିବା ନେତାମାନେ ଭାରତୀୟ ନେତାମାନଙ୍କର ଚିନ୍ତାଧାରା ବୁଝିବା ପାଇଁ ଆହୁରି ଅନେକ ଶତାବ୍ଦୀ ଲାଗିଯାଇ ପାରେ। ସବୁବେଳେ ଭୋଟ ପରେ ଭାରତରେ ଦରଦାମ୍ ବୃଦ୍ଧି ପାଇଲେ ନାଗରିକଙ୍କର ମଧ୍ୟ ଚିନ୍ତା ରହେନାହିଁ। ତେଣୁ ଭାରତର ବିଶ୍ୱ ସ୍ତରରେ ଗୌଣ ହୋଇଯାଉଥିବା ଗୁରୁତ୍ୱ ହୁଏତ ଆମ ସମସ୍ତଙ୍କୁ ଏକ ସକାରାତ୍ମକ ଶିକ୍ଷା ଭବିଷ୍ୟତରେ ଦେଇପାରେ।

