ବିଦ୍ୟୁତ୍‌ ବିଲ୍‌କୁ ବିରୋଧ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦିଲ୍ଲୀରେ ଚାଲିଥିବା କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପକ୍ଷରୁ ତିନୋଟି କୃଷି ଆଇନର ପ୍ରତ୍ୟାହାର ବ୍ୟତୀତ ପ୍ରସ୍ତାବିତ ବିଦ୍ୟୁତ୍‌ ଆଇନ (ସଂଶୋଧନ) ବିଲ୍‌ -୨୦୨୦କୁ ବାତିଲ କରିବାକୁ ଦାବି କରାଯାଇଛି। ଗତ ଡିସେମ୍ବର ୩୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନାରେ କୃଷକ ନେତାମାନେ ଏହି ବିଲ୍‌୍‌ ନେଇ ନିଜର ପକ୍ଷ ରଖିବା ପରେ ସରକାରଙ୍କ ପକ୍ଷରୁ ତାକୁ ବାତିଲ କରିବାକୁ ନୀତିଗତ ଭାବେ ରାଜି ହୋଇଛନ୍ତି। ତେବେ ସରକାରଙ୍କ ଏହି ପ୍ରସ୍ତାବିତ ବିଲ୍‌କୁ ବିରୋଧ କରିବା ପଛରେ କୃଷକମାନଙ୍କ ପକ୍ଷରୁ କେଉଁ ଆଶଙ୍କା ରହିଛି ତାକୁ ଜାଣିବା ଦରକାର।
ବିଦ୍ୟୁତ୍‌ ବିଲ୍‌-୨୦୨୦କୁ ଯଦିଓ ବର୍ତ୍ତମାନ କୃଷକମାନେ ହିଁ ବିରୋଧ କରୁଛନ୍ତି, କିନ୍ତୁ ଏହାଦ୍ୱାରା କୁଆଡ଼େ ଦେଶର ସାଧାରଣ ଜନତା ବି କ୍ଷତିଗ୍ରସ୍ତ ହେବାକୁୁ ଯାଉଥିବା ଜଣାପଡ଼ିଛି। ପୂର୍ବରୁ ସରକାର ୨୦୦୩ ମସିହାରେ ବିଦ୍ୟୁତ୍‌ ଆଇନ ପ୍ରଣୟନ କରି ବିଦ୍ୟୁତ୍‌ ସଂସ୍କାର ନାଁରେ ଦେଶର ବିଦ୍ୟୁତ୍‌ କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ପ୍ରବେଶର ରାସ୍ତା ଖୋଲିଥିଲେ। ବିଦ୍ୟୁତ୍‌ ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ ଖାଉଟିଙ୍କୁ ସୁଲଭ ମୂଲ୍ୟରେ, ନିରନ୍ତର ତଥା ଗୁଣାମତ୍କ ବିଦ୍ୟୁତ୍‌ ସେବା ଯୋଗାଇବାର ପ୍ରତିଶ୍ରୁତି ଦେଇ ସରକାର ବିଦ୍ୟୁତ୍‌ କ୍ଷେତ୍ରରେ ଏହି ସଂସ୍କାର ଆରମ୍ଭ କରିଥିଲେ। ବିଦ୍ୟୁତ୍‌ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ଫଳରେ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ହେବ ଏବଂ ଜନସାଧାରଣ ଉଚ୍ଚମାନର ସେବା ପାଇବେ ବୋଲି କହି ଘରୋଇ କମ୍ପାନୀଙ୍କୁ ପୁଞ୍ଜିନିବେଶ ପାଇଁ ଅନୁମତି ଦିଆଯାଇଥିଲା। ଏହି ବଡ଼ କମ୍ପାନୀମାନେ ବିଦ୍ୟୁତ୍‌ କ୍ଷେତ୍ରର ଅପେକ୍ଷାକୃତ କ୍ଷତି ହେଉଥିବା ଉପତ୍ାଦନ ତଥା ପରିବହନର କାରବାରରେ ନ ପଶି ମାଛର ମଝି ଗଡ଼ି ପରି କେବଳ ବଣ୍ଟନ ଦାୟିତ୍ୱକୁ ହିଁ ହାତେଇନେବା ଦେଖାଗଲା। ତେବେ ବିଦ୍ୟୁତ୍‌ କ୍ଷେତ୍ରରେ ଏହି ତଥାକଥିତ ସଂସ୍କାରର ଏତେ ବର୍ଷ ପରେ ଜନଗଣଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦେବାରେ ତ କୌଣସି ଆଖିଦୃଶିଆ ଉନ୍ନତି ଦେଖାଗଲାନି ବରଂ ସାରା ଦେଶର ବିଦ୍ୟୁତ୍‌ ବଣ୍ଟନ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କ ଏକାଧିକାର ପ୍ରତିଷ୍ଠା ହେଲା। ପରିଣାମ ସ୍ବରୂପ ଆଜି ଦେଶର ଅଶୀ ଭାଗ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ବଡ଼ ବଡ଼ କମ୍ପାନୀଙ୍କ ହାତକୁ ଚାଲିଯାଇଛି। ଏମାନେ ବାରମ୍ବାର ବିଦ୍ୟୁତ୍‌ ଭଡ଼ା ବୃଦ୍ଧି କରିବା ସହିତ ବିଭିନ୍ନ ଆଳରେ ଗ୍ରାହକଙ୍କଠାରୁ ମନଇଚ୍ଛା ଲୁଟିବାରେ ଲାଗିଛନ୍ତି। ଏମାନେ ନିୟମିତ ଭାବେ ଗ୍ରାହକଙ୍କଠାରୁ ଦେୟ ଆଦାୟ କରୁଥିଲେ ମଧ୍ୟ ସରକାରୀ ବିଦ୍ୟୁତ୍‌ ଉପତ୍ାଦନ ସଂସ୍ଥାଠାରେ ବିଦ୍ୟୁତ୍‌ ଦେୟ ବାବଦରେ ହଜାର ହଜାର କୋଟି ଟଙ୍କା ବକେୟା ରଖି ବର୍ଷ ବର୍ଷ ଧରି ଶୁଝୁ ନାହାନ୍ତି।
ବିଦ୍ୟୁତ୍‌ କ୍ଷେତ୍ରକ଼ୁ ସମ୍ପୂର୍ଣ୍ଣ ଘରୋଇକରଣ କରି କୃଷକ, ଛୋଟ ବ୍ୟବସାୟୀ ଏବଂ ସାଧାରଣ ଖାଉଟିମାନଙ୍କୁ ଲୁଣ୍ଠନ କରିବା ପାଇଁ ବଡ଼ ବଡ଼ କମ୍ପାନୀଙ୍କୁ ଅବାଧ ସୁଯୋଗ ଦେବା ଲକ୍ଷ୍ୟରେ ମୋଦି ସରକାର ବିଦ୍ୟୁତ୍‌ ସଂଶୋଧନ ବିଲ୍‌-୨୦୨୦ ଆଣିଛନ୍ତି। ଏହା ବ୍ୟତୀତ ପ୍ରସ୍ତାବିତ ବିଲ୍‌ରେ ବିଦ୍ୟୁତ୍‌ର ଦର ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ବିଷୟରେ ରାଜ୍ୟ ସରକାରଙ୍କ ରହିଥିବା ଅଧିକାରକୁ ଦୁର୍ବଳ କରି ତାକୁ କେନ୍ଦ୍ରୀକରଣ କରିବାକୁ ଚାହୁଁଛନ୍ତି। ଏଣିକି ଉଭୟ ରାଜ୍ୟ ଓ କେନ୍ଦ୍ର ବିଦ୍ୟୁତ୍‌ ନିୟାମକ କମିଶନର ସଦସ୍ୟମାନଙ୍କୁ କେନ୍ଦ୍ର ସରକାର ହିଁ ମନୋନୀତ କରିବେ। ମୋଦି ସରକାରଙ୍କ ପକ୍ଷରୁ ପ୍ରଣୀତ ହୋଇଥିବା ଅନ୍ୟାନ୍ୟ ଆଇନ ଭଳି ଏହି ବିଦ୍ୟୁତ୍‌ ବିଲ୍‌ ମଧ୍ୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କ ଅଧିକାର ଉପରେ ଆକ୍ରମଣ। ସେହି କାରଣରୁ ହିଁ ଦେଶର ଅଧିକାଂଶ ରାଜ୍ୟ ସରକାର ମଧ୍ୟ ଏହି ବିଲ୍‌ର ବିରୋଧ କରିଥିବା ଦେଖାଯାଇଛି।
ପୂର୍ବରୁ ସମାଜର ଗରିବ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଶସ୍ତାରେ ବିଦ୍ୟୁତ୍‌ ଯୋଗାଇବା ପାଇଁ ବ୍ୟବହାରର ଆଧାରରେ କ୍ରସ୍‌ ସବସିଡି ବା ସ୍ଲାବ୍‌ର ବ୍ୟବସ୍ଥା ରହିଥିଲା। ଅର୍ଥାତ୍‌ ଅଧିକ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଧନୀ ଓ ସମ୍ପନ୍ନ ଗ୍ରାହକମାନେ ନିଜର ବିଜୁଳି ଦେୟ ବାବଦରେ ଅଧିକ ଦେୟ ଦେଉଥିବା ବେଳେ ଗରିବ, ନିମ୍ନ ମଧ୍ୟବିତ୍ତ ତଥା ଗ୍ରାମାଞ୍ଚଳର ଗ୍ରାହକମାନେ ଅପେକ୍ଷାକୃତ କମ୍‌ ଦେୟ ଦେଉଥିଲେ। ଏଥିପାଇଁ ସରକାରଙ୍କୁ କୌଣସି ସବ୍‌ସିଡି ଦେବାକୁ ପଡ଼ୁ ନ ଥିଲା। ବରଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀମାନେ କ୍ରସ୍‌ ସବ୍‌ସିଡି ଜରିଆରେ ଧନୀ ଗ୍ରାହକଙ୍କଠାରୁ ଅଧିକ ଦେୟ ନେଇ ଗରିବ ଓ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ଶସ୍ତାରେ ବିଦ୍ୟୁତ୍‌ ଯୋଗାଉଥିଲେ। କିନ୍ତୁ ବର୍ତ୍ତମାନର ନୂଆ ବିଲ୍‌ରେ ଏହି କ୍ରସ୍‌ ସବ୍‌ସିଡି ବ୍ୟବସ୍ଥାକୁ ଉଚ୍ଛେଦ କରି ବ୍ୟବହାର ନିର୍ବିଶେଷରେ ଗ୍ରାହକମାନଙ୍କଠାରୁ ପ୍ରତ୍ୟେକ ୟୁନିଟ୍‌ ପିଛା ସମାନ ଦେୟ ଆଦାୟ କରିବାକୁ କୁହାଯାଇଛି। ଅର୍ଥାତ୍‌ ମାସିକ ୫୦ ୟୁନିଟ୍‌ ବ୍ୟବହାର କରୁଥିବା ଗରିବ ଲୋକଟି ଯୁନିଟ୍‌ ପିଛା ଯେତେ ଦେୟ ଦେବ ମାସକୁ ହଜାର ହଜାର ୟୁନିଟ୍‌ ବ୍ୟବହାର କରୁଥିବା ଶିଳ୍ପର ମାଲିକ ବି ନିଜର ପ୍ରତି ୟୁନିଟ୍‌ ବିଦ୍ୟୁତ୍‌ର ବ୍ୟବହାର ପାଇଁ ସେତିକି ଦେୟ ହିଁ ପ୍ରଦାନ କରିବ। ରାଜ୍ୟ ସରକାରମାନେ ଯଦି ଚାହିଁବେ ତା’ହେଲେ ସମାଜର ଉପରୋକ୍ତ ଗରିବ ଶ୍ରେଣୀର ଗ୍ରାହକମାନଙ୍କୁ ଅଲଗା ଭାବେ ସେମାନଙ୍କ ବ୍ୟାଙ୍କ୍‌ ଖାତାରେ ସବ୍‌ସିଡି ବାବଦ ଅର୍ଥକୁ ଅଲଗା ଭାବେ ଜମା କରିପାରିବେ। ଏହାର ଅର୍ଥ ହେଲା, ସରକାର ବିଦ୍ୟୁତ୍‌ ବିଲ୍‌ ଜରିଆରେ ବିଦ୍ୟୁତ୍‌ କମ୍ପାନୀମାନଙ୍କୁ ସବ୍‌ସଡି ଦେବାରୁ ମୁକ୍ତ କରି ତା’ର ଭାରଟି ରାଜ୍ୟ ସରକାରଙ୍କ କାନ୍ଧରେ ଲଦିବାକୁ ଚାହୁଁଛନ୍ତି। ପୁଣି ବ୍ୟାଙ୍କ୍‌ ଖାତାରେ ନଗଦ ଜମା ଜରିଆରେ ସରକାର କିପରି ସବ୍‌ସିଡି ପ୍ରଦାନ କରନ୍ତି, ତାହା ରନ୍ଧନ ଗ୍ୟାସ୍‌ରେ ଦିଆଯାଉଥିବା ସବ୍‌ସିଡିରୁ ଆମେ ଜାଣିପାରିଛେ।
ପ୍ରସ୍ତାବିତ ବିଦ୍ୟୁତ୍‌ ବିଲ୍‌କୁ ଚାଷୀମାନେ ବିରୋଧ କରିବା ପଛରେ ରହିଛି, କୃଷି କ୍ଷେତ୍ରରେ ଏହା ଫଳରେ ପଡ଼ିବାକୁ ଯାଉଥିବା ପ୍ରଭାବ। ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କୃଷି ପାଇଁ ସରକାର ମାଗଣାରେ ବିଦ୍ୟୁତ୍‌ ଯୋଗାଉଥିବା ବେଳେ ଅନେକ ରାଜ୍ୟରେ ରିହାତି ଦରରେ ପ୍ରଦାନ କରୁଛନ୍ତି। ଚାଷର ଉପତ୍ାଦନ ଖର୍ଚ୍ଚକୁ କମାଇବା ପାଇଁ ଶସ୍ତା ବିଦ୍ୟୁତ୍‌ ଜରୁରୀ ହୋଇଥିବାରୁ ରାଜ୍ୟ ସରକାରମାନେ ନିଜର ବଜେଟ୍‌ରୁ ଚାଷୀଙ୍କୁ ଏହି ରିହାତି ଯୋଗାଇ ଦେଇଥାନ୍ତି। କୃଷି ପାଇଁ ଜଳସେଚନ ବାବଦରେ ଦିଆଯାଉଥିବା ଏହି ସବ୍‌ସିଡିର ପରିମାଣ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା । ସରକାରଙ୍କ ପ୍ରସ୍ତାବିତ ବିଲ୍‌ କୃଷି ପାଇଁ ବିଦ୍ୟୁତ୍‌ରେ ଦିଆଯାଉଥିବା ଉପରୋକ୍ତ ସବ୍‌ସିଡିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଚାଷୀଙ୍କ ଉପରେ ବାର୍ଷିକ ଏହି ଏକ ଲକ୍ଷ କୋଟି ଟଙ୍କାର ଭାରକୁ ଲଦିବାକୁ ଚାହୁଁଛି। ଏହାଫଳରେ ଚାଷୀଙ୍କ ଜଳସେଚନ ଖର୍ଚ୍ଚରେ ପ୍ରାୟ ୫୦୦% ବୃଦ୍ଧି ପାଇ ସେମାନଙ୍କ ଉପତ୍ାଦନ ଖର୍ଚ୍ଚକୁ ଅଧିକ ମହଙ୍ଗା କରିଦେବ। ଏହି କାରଣରୁ ହିଁ ଚାଷୀମାନେ ଏଭଳି କର୍ପୋରେଟ୍‌ ସପକ୍ଷବାଦୀ ଓ କୃଷକ ବିରୋଧୀ ବିଲ୍‌ର ବାତିଲ ଦାବି କରୁଛନ୍ତି।
ବିଦ୍ୟୁତ୍‌ ସଂଶୋଧନ ବିଲ୍‌୍‌ ଜରିଆରେ ମୋଦି ସରକାର ଦେଶର ବିଦ୍ୟୁତ୍‌ କ୍ଷେତ୍ରରୁ କର୍ପୋରେଟ୍‌ମାନେ କିପରି ଆହୁରି ଅଧିକ ମୁନାଫା କମାଇବେ ତା’ର ବାଟ ଖୋଲିବା ସହିତ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଏହି ବିଲ୍‌ ଫଳରେ ଏଣିକି ଘରୋଇ କମ୍ପାନୀଙ୍କ ନିର୍ଦ୍ଦେଶ ଏବଂ ଦୟା ଉପରେ ଭାରତବର୍ଷର ବିଦ୍ୟୁତ୍‌ ଗ୍ରାହକମାନେ ପରିଚାଳିତ ହେବେ। ବିଦ୍ୟୁତ୍‌ ବିଲ୍‌ ଜରିଆରେ ସମସ୍ତ ବିଦ୍ୟୁତ୍‌ ଟିକସକୁ ଗ୍ରାହକଙ୍କଠାରୁ ଆଗୁଆ ଆଦାୟ କରାଯିବ। ଗ୍ରାମାଞ୍ଚଳ ଓ ଅପହଞ୍ଚ ଇଲାକାରେ ଥିବା ଗ୍ରାହକଙ୍କଠାରୁ ବିଦ୍ୟୁତ୍‌ର ପରିବହନ ଖର୍ଚ୍ଚ ଆଦିକୁ ଆଧାର କରି ଦେୟ ଆଦାୟ କରାଯିବା ଫଳରେ ଆଗାମୀ ଦିନରେ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଅତଏବ ଏହିଭଳି ଏକ ଆଇନ କେବଳ କୃଷକବିରୋଧୀ ଓ ଗ୍ରାମାଞ୍ଚଳ ଜନତାଙ୍କ ବିରୋଧୀ ନୁହେଁ ବରଂ ସାଧାରଣ ଜନତାଙ୍କ ଯେ ବିରୋଧୀ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri